ବିଭିନ୍ନ ସମୟରେ ଅନୁସନ୍ଧାନମୂଳକ ରିପୋର୍ଟ ଲେଖିବା ସମୟରେ ଏହା ଏକ ଦୃଷ୍ଟାନ୍ତ ହୋଇ ଠିଆହେଲା। ଆଜିବି କୌଣସି ରାଜନୀତିକ ସରକାର ବା ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଆଙ୍ଗୁଳି ନିର୍ଦ୍ଦେଶ ପୂର୍ବରୁ ସମ୍ପାଦକ ଓ ରିପୋର୍ଟରମାନେ ପ୍ରୀତିଶ ନନ୍ଦୀ ଓ ଇଲଷ୍ଟ୍ରେଟେଡ୍ ଓ୍ୱିକ୍ଲୀ ବିଷୟକୁ ମନେ ପକାନ୍ତି। ଏହା ଉଭୟ ପ୍ରୀତିଶ ଓ ଜାନକୀଙ୍କ ଆବର୍ତ୍ତମାନରେ ନୂଆ ପିଢ଼ିର ସାମ୍ବାଦିକଙ୍କୁ ଦିଗ ଦେଖାଇବ।
Trending Photos
Pritish Nandy’s Apology:ଭୁବନେଶ୍ୱର: ଜଣେ ସମ୍ପାଦକ, ରାଜ୍ୟସଭା ସଦସ୍ୟ, କବି ଓ ଲେଖକ ତଥା ସିନେମା ପ୍ରଯୋଜକ ଭାବେ ପ୍ରୀତିଶ ନନ୍ଦୀ ବେଶ୍ ପରିଚିତ। ବୁଧବାରଦିନ ୭୪ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଛି। ଜଣେ ଓଡ଼ିଆ ହୋଇ ନଥିଲେ ମଧ୍ୟ ଓଡ଼ିଶା ରାଜନୀତିକୁ ନୂଆ ମୋଡ଼ ଦେଇଥିଲେ ଶ୍ରୀ ନନ୍ଦୀ। ଆଜି ବି ତାଙ୍କ ଦ୍ୱାରା ପ୍ରକାଶିତ ଦୁଇଟି ରିପୋର୍ଟ ରାଜନୀତିକ ଏବଂ ଅନୁସନ୍ଧାନମୂଳକ ସାମ୍ବାଦିକତା କରୁଥିବା ପ୍ରତିଟି ଭାରତୀୟ ସାମ୍ବାଦିକ ତଥା ସାମ୍ବାଦିକତା ଛାତ୍ର ପାଇଁ ଉଦାହରଣ ହୋଇ ରହିଛି। ଯେଉଁ ରିପୋର୍ଟ ଯୋଗୁଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ କୁର୍ସିକୁ ଜନତା ହଟାଇଥିଲେ ଆଉ ଶ୍ରୀ ନନ୍ଦୀ ବାଧ୍ୟ ବାଧକତା ହେଉ ବା ନିଜ ଇଚ୍ଛାରେ ସର୍ବ ସାଧାରଣଙ୍କ ସାମ୍ନାରେ କ୍ଷମା ମାଗିଥିଲେ। ଆସନ୍ତୁ ସେଇ ୩୯ ବର୍ଷ ତଳର କାହାଣୀକୁ ମନେ ପକାଇବା...
...୧୯୮୬ ମସିହା ମେ’ ମାସର ଦ୍ୱିତୀୟ ସପ୍ତାହ। ଟାଇମ୍ସ ଅଫ୍ ଇଣ୍ଡିଆ ଗ୍ରୁପ ଦ୍ୱାରା ସେତେବେଳେ ପ୍ରକାଶ ପାଉଥିବା ସାପ୍ତାହିକୀ ‘ଇଲଷ୍ଟ୍ରେଟେଡ୍ ଓ୍ୱିକ୍ଲି’ ଏକ ଦମଦାର ରିପୋର୍ଟ ପ୍ରକାଶ କରିଲେ। ଯେଉଁଥିରେ ଓଡ଼ିଶାର ରାଜନୀତିରେ କୁଚ୍ଛିତ କାରନାମାକୁ ସାମ୍ନାକୁ ଆଣିଥିଲେ। ଏହି ରିପୋର୍ଟଟି ମୁଖ୍ୟତଃ ତତ୍କାଳୀନ ପୁରୀ ଜିଲ୍ଲାର ବାଲିପାଟଣାରେ ଥିବା ଜଣେ କିରାନା ଦୋକାନୀ ବିଶ୍ୱନାଥ ସେଠୀଙ୍କ ଅଭିଯୋଗକୁ ଆଧାର କରିଥିଲା। ଏହି ଅଭିଯୋଗର ସାରମର୍ମ ଥିଲା ...ମୁଖ୍ୟମନ୍ତ୍ରୀ ନିଜର ବ୍ୟକ୍ତିଗତ ଯୌନ ଲାଳସାକୁ ଚରିତାର୍ଥ କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅପବ୍ୟବହାର କରୁଛନ୍ତି। ଏପରିକି ସେ ଏହାର ହିତାଧିକାରୀ’।
ସେତେବେଳେ ସମ୍ପୃକ୍ତ ଅଭିଯୋଗକାରୀଙ୍କ ନାଁକୁ ଗୋପନରେ ରଖାଯାଇ ଛଦ୍ମ ନାମ ରାଜୁ ଜେନା ବୋଲି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଇଣ୍ଡିଆ ଟୁଡେ ଏହାକୁ ଖୋଳତାଡ଼ କରି ତାଙ୍କର ପ୍ରକୃତ ନାମ ସାମ୍ନାକୁ ଆଣିବା ସହ ସେ ରେକର୍ଡ ଆଧାରରେ ବୟାନ ରଖିଥିବା ନେଇ ଆଉ ଏକ ରିପୋର୍ଟ ପ୍ରକାଶ କରିଥିଲେ। ସେତେବଳେ ୨୦ ବର୍ଷର ଏହି ଯୁବକ ତତ୍କାଳୀନ ରାଜନୀତିରେ ଜଣେ କୁଜି ନେତା ଭାବେ ପରିଚିତ ବ୍ରଜ କିଶୋର ବାରିକଙ୍କ ସହାୟତାରେ ଶ୍ରୀ ପଟ୍ଟନାୟକଙ୍କଠାରୁ ଆର୍ଥିକ ସହାୟତା ପାଇଁ ତାଙ୍କ ଅଫିସକୁ ଯାଉଥିବା କହିଥିଲେ।
ଏହି ରିପୋର୍ଟ ପ୍ରକାଶ ପରେ ଇଲଷ୍ଟ୍ରେଟେଡ୍ ଓ୍ୱିକ୍ଲି ବିଜୁଳି ଗତିରେ ବିକ୍ରି ହେବାରେ ଲାଗିଲା। ଯେଉଁ ମାଗାଜିନ୍ ର ଅଢ଼େଇ ହଜାର କପି ରାଜ୍ୟକୁ ଆସୁଥିଲା ତାହା ହଠାତ୍ ୧୦ରୁ ୧୫ ହଜାରରେ ପହଞ୍ଚିଗଲା। ଖାଲି ସେିତିକି ନୁହେଁ, କିଛି ବ୍ୟବସାୟୀ ଓ ବିରୋଧୀ ରାଜନେତା ଛାପା ଯାଇଥିବା ଏହି କାହାଣୀକୁ ନକଲ କରି ବାଣ୍ଟିବାକୁ ଲାଗିଲେ। ୫ଟଙ୍କାରେ ସେଇ ନକଲ କାହାଲି ବିକ୍ରି ହୋଇଚାଲିଲା। କେତେଯେ କପି ବିକ୍ରି ହୋଇଛି ତାହାର ଠିକଣା ନାହିଁ। ଏହି ରିପୋର୍ଟ ପଢ଼ି ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଲୋକଙ୍କ ନଜର ବଦଳି ଗଲା। ଆଜି ବି ଜାନକୀଙ୍କ ନାଁ କହିଲେ କିଛି ଲୋକ ସେ ବିଷୟକୁ ଚର୍ଚ୍ଚା କରିବାକୁ ପଛାଉ ନାହାନ୍ତି।
ହେଲେ ଏହା ଏକ ଝଡ଼କୁ ଅପେକ୍ଷା କରୁଥିଲା। ଜାନକୀ ପଟ୍ଟନାୟକଙ୍କ ୧୧୬ ଜଣ ସହଯୋଗୀ ବିଧାୟକ ଏ ବାବଦରେ ଅନେକ ହୋ ହଲ୍ଲା କରୁଥିଲେ ମଧ୍ୟ ଶ୍ରୀ ପଟ୍ଟନାୟକ ନୀରବ ଥିଲେ। ସେତେବେଳେ ଆଉ ଜଣେ ୩୨ ବର୍ଷୀୟ ବିଧବା ମହିଳା ସୁକାନ୍ତୀ ହୋତାଙ୍କ ବାବଦରେ ମଧ୍ୟ ଚର୍ଚ୍ଚା ହେଉଥିଲା। ଶ୍ରୀ ପଟ୍ଟନାୟକଙ୍କ ସହ ତାଙ୍କ ଅବୈଧ ସମ୍ପର୍କକୁ ଏହା ଇଙ୍ଗିତ କରୁଥିଲା। ସୋନିଆ ଗାନ୍ଧିଙ୍କୁ ସେ ଚିଠି ଲେଖି ଶ୍ରୀ ପଟ୍ଟନାୟକଙ୍କ କଳା କାରନାମାକୁ ମଧ୍ୟ ପଦାକୁ ଆଣିଥିଲେ ବୋଲି ଚର୍ଚ୍ଚା ହେଉଥିଲା।
ଅଗଷ୍ଟ ପ୍ରଥମ ସପ୍ତାହରେ ପୁଣିଥରେ ପ୍ରିତୀଶ ନନ୍ଦୀଙ୍କ ସମ୍ପାଦିତ ଇଲଷ୍ଟ୍ରେଟେଡ୍ ଓ୍ୱିକ୍ଲି ଆଉ ଏକ ରିପୋର୍ଟ ପ୍ରକାଶ କରି ସମାନ ଅଭିଯୋଗର ଚର୍ଚ୍ଚା କରିଥିଲେ। ରାଜ୍ୟ କଂଗ୍ରେସ ରାଜନୀତିର ଅନ୍ୟତମ ପ୍ରବୀଣ ଧନୁର୍ଦ୍ଧର, ବିଜ୍ଞ, ସଂସ୍କୃତ ପଣ୍ଡିତ ଜାନକୀ ବଲ୍ଲଭଙ୍କ ପ୍ରତିଛବିକୁ ଏହା ଆଘାତ ଦେଉଥିଲା ହେଲେ ସେ ଏ ବାବଦରେ କ’ଣ ପଦକ୍ଷେପ ନେବେ ତାହାକୁ ପ୍ରକାଶ କରୁ ନଥିଲେ। ସେତେବେଳେ କୁହାଯାଉଥିଲା ଯେ, ଶ୍ରୀ ପଟ୍ଟନାୟକ ଶ୍ରୀମତୀ ଗାନ୍ଧୀଙ୍କ ପ୍ରିୟପାତ୍ର ଥିଲେ। ଏ ବାବଦରେ ଥରେ ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ କହିଥିଲେ, ‘ କୁକୁର ମଣିଷକୁ କାମୁଡ଼ିଲା ବୋଲି କ’ଣ ମଣିଷ କୁକୁରକୁ କାମୁଡ଼ିବ’।
ଏହା ଏକ ଗମ୍ଭୀର ମନ୍ତବ୍ୟ ଥିଲା। ସୂଚନା ଦେଉଥିଲା ଝଡ଼ ପୂର୍ବର ନୀରବତାର ସମୟ ଇଏ। ଆଇନଗତ ଲଢ଼େଇ ପାଇଁ ବିଭିନ୍ନ କୋର୍ଟରେ ମାମଲା ରୁଜୁ ହେଲା। ହାଇକୋର୍ଟରେ ମଧ୍ୟ ଏନେଇ ବିଚାର ଶୁଣାଣି ଆରମ୍ଭ ହେବାକୁ ପ୍ରାୟ ସ୍ଥିର ହୋଇଥିଲା। ଟାଇମ୍ସ ଅଫ ଇଣ୍ଡିଆ ଗ୍ରୁପ୍ ବି ପ୍ରବୀଣ ଓକିଲଙ୍କୁ କୋର୍ଟରେ ଠିଆ କରିବାକୁ ପ୍ରସ୍ତୁତ ଥିଲେ। ପ୍ରାୟ ତିନି ବର୍ଷ ଧରି ଏମିତି ଚାଲିଲା। ଆଇନଗତ ଓ ରାଜନୀତିକ ଲଢ଼େଇ ଭିତରେ ବେନେଟ୍ କୋଲମ୍ୟାନ ତଥା ଟାଇମ୍ସ ଅଫ୍ ଇଣ୍ଡିଆ ଗ୍ରୁପ ପକ୍ଷରୁ ଇଲଷ୍ଟ୍ରେଟେଡ୍ ଓ୍ୱାକଲୀରେ ଏକ କ୍ଷମା ପ୍ରାର୍ଥନା ପ୍ରକାଶ ହେଲା।
ଏଥିରେ କୁହାଯାଇଥିଲା, ‘ଆମେ ବେନେଟ୍ କୋଲମ୍ୟାନ ଏବଂ କମ୍ପାନୀ ଲିମିଟେଡ୍, ଇଲଷ୍ଟ୍ରେଟେଡ୍ ଓ୍ୱିକଲୀର ସମ୍ପାଦକ ପ୍ରୀତିଶ ନନ୍ଦୀ ଏବଂ ସ୍ୱତନ୍ତ୍ର ପ୍ରତିନିଧି ଏସ୍ଏନ୍ଏମ୍ ଆବଦି ୧୯୮୬ ମେ’ ଏବଂ ଅଗଷ୍ଟ ମାସରେ ଦୁଇଟି ପ୍ରବନ୍ଧ ପ୍ରକାଶ କରିଥିଲୁ। ଆମ ପାଖରେ ଉପଲବ୍ଧ ତଥ୍ୟକୁ ଆଧାର କରି ଏହି ରିପୋର୍ଟ ପ୍ରକାଶ ପାଇଥିଲା। କିନ୍ତୁ ଆମେ ଏହା ପରେ ଜାଣିଲୁ ଯେ, ଯେଉଁ ତଥ୍ୟ ଓ ସୂଚନା ଆଧାରରେ ଏହି ରିପୋର୍ଟ ଦୁଇଟି ପ୍ରସ୍ତୁତ ହୋଇଛି ତାହା ସତ୍ୟ ନଥିଲା ଏବଂ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା। ଆମେ ଏହି ପ୍ରବନ୍ଧରେ ଶ୍ରୀ ପଟ୍ଟନାୟକଙ୍କ ପ୍ରତିଚ୍ଛବିକୁ ଆସିଥିବା ଆଘାତକୁ ନେଇ ଅନୁତପ୍ତ ଏବଂ ତାଙ୍କ ପାଖରେ କ୍ଷମା ପ୍ରାର୍ଥୀ’।
ନିର୍ବାଚନର କିଛିଦିନ ପୂର୍ବରୁ ଏହି କ୍ଷମା ପ୍ରାର୍ଥନା ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ ଏହି କ୍ଷମା ପ୍ରାର୍ଥନା ନା ତତ୍କାଳୀନ ରାଜନୀତିକ ସ୍ଥିତିରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ସହାୟକ ହୋଇଥିଲା ନା ସାମ୍ବାଦିକତା ପ୍ରତି। ୧୯୯୦ ନିର୍ବାଚନରେ ଜାନକୀଙ୍କୁ ଆଉ ଓଡ଼ିଶା ଲୋକେ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହିଁଲେ ନାହିଁ। କଂଗ୍ରେସ ୧୧୭ ଆସନରୁ ଖସି ଆସି ୧୦ ଆସନରେ ସୀମିତ ରହିଲା। ବିଜୁ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଜନତା ଦଳର ବିପୁଳ ବିଜୟ ହେଲା। ୧୧୭ ଆସନ ଜିତି ସେ ସରକାର ଗଢ଼ିଲେ।
ହେଲେ ଜନକୀଙ୍କ ସରକାରଙ୍କ ବିରୁଦ୍ଧରେ, ଜନକୀଙ୍କ ଚରିତ୍ର ସଂହାର କରୁଥିବା ଏହି ରିପୋର୍ଟଟି ଭାରତୀୟ ସାମ୍ବାଦିକତା ଇତିହାସରେ ଏକ କେସ୍ ଷ୍ଟଡି ଭାବେ ପରିଗଣିତ ହେଲା। ବିଭିନ୍ନ ସମୟରେ ଅନୁସନ୍ଧାନମୂଳକ ରିପୋର୍ଟ ଲେଖିବା ସମୟରେ ଏହା ଏକ ଦୃଷ୍ଟାନ୍ତ ହୋଇ ଠିଆହେଲା। ଆଜିବି କୌଣସି ରାଜନୀତିକ ସରକାର ବା ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଆଙ୍ଗୁଳି ନିର୍ଦ୍ଦେଶ ପୂର୍ବରୁ ସମ୍ପାଦକ ଓ ରିପୋର୍ଟରମାନେ ପ୍ରୀତିଶ ନନ୍ଦୀ ଓ ଇଲଷ୍ଟ୍ରେଟେଡ୍ ଓ୍ୱିକ୍ଲୀ ବିଷୟକୁ ମନେ ପକାନ୍ତି। ଏହା ଉଭୟ ପ୍ରୀତିଶ ଓ ଜାନକୀଙ୍କ ଆବର୍ତ୍ତମାନରେ ନୂଆ ପିଢ଼ିର ସାମ୍ବାଦିକଙ୍କୁ ଦିଗ ଦେଖାଇବ।