Mohan Charan Majhi: ଭୁବନେଶ୍ୱର: କ୍ଷମତାକୁ ଆସିବାର ଅଳ୍ପଦିନ ପରେ ଦୁଇ ମାସ ହେବ। କିନ୍ତୁ ଏପର୍ଯ୍ୟନ୍ତ ୫-ଟି ହ୍ୟାଙ୍ଗଓଭର ବା ନିଶାରୁ ଓହରି ପାରିନାହାନ୍ତି ମୋହନ ସରକାର । ତେଣୁ ସେହି ଅଦୃଶ୍ୟ ବିଭାଗ ଏବଂ ଅଦୃଶ୍ୟ ଶକ୍ତି ଖୋଜୁଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ।


COMMERCIAL BREAK
SCROLL TO CONTINUE READING

ବିଧାୟକ ଦାସରଥୀ ଗମାଙ୍ଗ ପ୍ରଶ୍ନ କରିଥିଲେ ଯେ ପୂର୍ବ ସରକାରଙ୍କ ୫-ଟି ନାମରେ ଖୋଲାଯାଇଥ‌ିବା ସମସ୍ତ ସରକାରୀ କାର୍ଯ୍ୟାଳୟରେ ବିଭାଗ ଯଦି ଅବୈଧ, ତେବେ ଉକ୍ତ ୫-ଟିର ଅଧ୍ୟକ୍ଷଙ୍କଦ୍ଵାରା ଘୋଷଣା କରାଯାଇଥିବା ତଥା ପ୍ରଦାନ କରାଯାଉଥିବା ସମସ୍ତ ଅର୍ଥ କେଉଁଠାରୁ ପ୍ରାପ୍ତ ହେଉଥିଲା, ସେ ସମୟର ପୂର୍ଣ୍ଣ ବିବରଣୀ ସହ ଖର୍ଚ୍ଚ ହୋଇଥିବା ଅର୍ଥର ପରିମାଣ ତଥା ୫-ଟି ଅଧ୍ୟକ୍ଷଙ୍କଦ୍ଵାରା ହେଲିକପ୍ଟର ଗସ୍ତରେ ବ୍ୟୟିତ ଅର୍ଥକୁ ରାଜ୍ୟ ସରକାର କେଉଁ ତହବିଲରୁ ପ୍ରାପ୍ତ କରିବେ, ସେ ସମ୍ପର୍କିତ ବାସ୍ତବ ତଥ୍ୟ ପ୍ରଦାନ କରିବେ କି ? ଏହାସହ ଏଥ‌ିପାଇଁ କାହାକୁ ଦାୟୀ କରାଇ ସମସ୍ତ ଅର୍ଥ ଭରଣା କରିବେ, ସେ ସମ୍ପର୍କିତ ତଥ୍ୟ ପ୍ରଦାନ କରିବେ କି ?
ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଉତ୍ତର ରଖିଛନ୍ତି। ଅତ୍ୟନ୍ତ ସଂକ୍ଷିପ୍ତ ଉତ୍ତର । ନବୀନ ସରକାରଙ୍କ ଅମଳରେ ଯେଉଁ ଧାରାରେ ଉତ୍ତର ଦିଆଯାଏ ସେହି ଧାରା ଅନୁସରଣ କରି ମୁଖ୍ୟମନ୍ତ୍ରୀ ଉତ୍ତର ଦେଇଛନ୍ତି ତଥ୍ୟ ସଂଗ୍ରହ କରାଯାଉଛି ।


ଉତ୍ତର ତେବେ କ’ଣ ଏପର୍ଯ୍ୟନ୍ତ ଯାବତୀୟ ଦୁର୍ନୀତିର ମୂଳ ଉତ୍ସ ୫-ଟି ବାବଦରେ ନୂଆ ସରକାର ସଚେତନ ନାହାନ୍ତି ? ଏବେବି କ’ଣ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ମୋହନ ସରକାରଙ୍କ ବିଭାଗ ପରିଚାଳନା ଦାୟିତ୍ୱରେ ଅଛନ୍ତି ? 


କାହିଁକି ବିଜେପି ସରକାର ଜଣେ ବିବାଦୀୟ ଏବଂ ଦୁର୍ନୀତିଗ୍ରସ୍ତ ପୂର୍ବତନ ପ୍ରଶାସନ ଅଧିକାରୀଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି? ପୂର୍ବ ସରକାରଙ୍କ ସମୟରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ୫-ଟି ବିଭାଗଟି କ’ଣ ? ଏହାର ମନ୍ତ୍ରୀ କିଏ ? କେତେଜଣ କର୍ମଚାରୀ ଅଛନ୍ତି ? କାର୍ଯ୍ୟାଳୟ କେଉଁଠି ବୋଲି ବିଧାନସଭାରେ ପ୍ରଶ୍ନ କରିବାମାତ୍ରେ ଚିହିଁକି ଉଠିଥିଲେ ବିଜୁ ଜନତା ଦଳର ବିଧାୟକମାନେ। କିନ୍ତୁ ଶେଷରେ ମାନିବାକୁ ବାଧ୍ୟ ହୋଇଥିଲେ ଯେ ୫-ଟି ଏକ ବିଭାଗ ନୁହେଁ, ବିଚାରଧାରା । ମାତ୍ର ପୁରୀ ଭାଜପା କାର୍ଯ୍ୟକାରିଣୀ ବୈଠକରେ ଗୃହୀତ ରାଜନୈତିକ ପ୍ରସ୍ତାବରେ ସ୍ପଷ୍ଟଭାବେ କୁହାଯାଇଥିଲା ଯେ, ୫-ଟି ନାମରେ ପ୍ରତିବର୍ଷ ୫୦ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି। ଏଥିରେ ସମ୍ପୃକ୍ତ କାହାରିକୁ ଛଡ଼ାଯିବ ନାହିଁ । ଏହାସତ୍ତ୍ଵେ ମୁଖ୍ୟମନ୍ତ୍ରୀ କି ତଥ୍ୟ ସଂଗ୍ରହ କରୁଛନ୍ତି ? କାହିଁକି ଏହା ଭିତରେ ୫-ଟି ଓ ପାଣ୍ଡିଆନଙ୍କ ଦୁର୍ନୀତି ଉପରୁ ପରଦା ହଟାଇବାକୁ ପଦକ୍ଷେପ ନେଇନାହାନ୍ତି ନୂଆ ସରକାର ? ପୂର୍ବ ସରକାରଙ୍କ ଭଳି ବିବାଦୀୟ ପ୍ରସଙ୍ଗକୁ ଏଡ଼ାଇବା ପାଇଁ ତଥ୍ୟ ସଂଗ୍ରହ ଚାଲିଛି ବୋଲି କହିବା ଅତ୍ୟନ୍ତ ହାସ୍ୟାସ୍ପଦ।


ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ୫-ଟି ବାବଦରେ ସୂଚନା ଅଧିକାର ଆଇନ ବଳରେ ଯେଉଁ ସବୁ ତଥ୍ୟ ମାଗିଥିଲେ ସରକାରଙ୍କୁ, ସେହି ଆବେଦନଗୁଡ଼ିକୁ ପ୍ରତି ବିଭାଗରେ ଥ‌ିବା ୫-ଟି ସେଲ୍‌କୁ ପଠାଇ ଦିଆଯାଇଛି । ଅର୍ଥାତ ଏପର୍ଯ୍ୟନ୍ତ ବି ସରକାର ବଦଳି ଯାଇଥିଲେ ହେଁ ବିଭାଗରେ ୫-ଟି ସେଲ କାର୍ଯ୍ୟ କରୁଛି । ଅର୍ଥାତ ପାଣ୍ଡିଆନଙ୍କ ପ୍ରଭାବ ସବୁ ବିଭାଗରେ ଜଳଜଳ ହୋଇ ରହିଥ‌ିବା ସ୍ପଷ୍ଟ ହୋଇଯାଉଛି। ଫାଇନ୍-ଟି ସେଲ୍‌ରେ ଜଣେ ଜଣେ ବରିଷ୍ଠ ଅଧିକାରୀ


ଅଛନ୍ତି। ଗତ ୨୨ ତାରିଖରେ ସରକାରଙ୍କ ପୂର୍ଭ ବିଭାଗ ପକ୍ଷରୁ ସଂଗ୍ରାମ କେଶରୀ ସାହୁ ପ୍ରଦୀପ ପ୍ରଧାନଙ୍କ ଆବେଦନ ଉପରେ ତଥ୍ୟ ଯଦି ଥାଏ ଦେବାକୁ ବିଭାଗର ଫାଇଭ-ଟି ସେକ୍ସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପ୍ରମାଣିତ କରିଦେଉଛି ଯେ, ମୋହନ ସରକାରଙ୍କ ସବୁ ବିଭାଗରେ ଗୋଟିଏ ଗୋଟିଏ ୫-ଟି ସେଲ୍ ବା ସେକ୍ସନ ଅଛି। ଜଣେ ଜଣେ ଅଧିକାରୀ ଏହା ଦାୟିତ୍ଵରେ ଅଛନ୍ତି। ଏହାସତ୍ତ୍ୱେ ମୁଖ୍ୟମନ୍ତ୍ରୀ କାହାଠାରୁ ତଥ୍ୟ ସଂଗ୍ରହ କରୁଛନ୍ତି ? ନିଜ ସରକାରଙ୍କ ବିଭାଗ ସମ୍ପର୍କରେ ଏପର୍ଯ୍ୟନ୍ତ ଧାରଣା ହୋଇନାହିଁ ମୁଖ୍ୟମନ୍ତ୍ରୀଙ୍କର ? ୫-ଟି ଅଧ୍ୟକ୍ଷଭାବେ ପାଣ୍ଡିଆନ ବିମାନ ଓ ହେଲିକପ୍ଟରର ଯଥେଚ୍ଛା ବ୍ୟବହାର କରିଛନ୍ତି । କିନ୍ତୁ ସରକାରଙ୍କ ପରିବହନ ବିଭାଗ କିମ୍ବା ଜିଏ ବିଭାଗ ଏସଂକ୍ରାନ୍ତ କୌଣସି ତଥ୍ୟ ଦେବାକୁ ରାଜି ନୁହନ୍ତି। ତେବେ କ’ଣ ପାଣ୍ଡିଆନ ଏବେବି ମୋହନ ସରକାରରେ ୫-ଟି ଅଧ୍ୟକ୍ଷଭାବେ କାର୍ଯ୍ୟ କରି ସରକାର ପରିଚାଳନାରେ ନୂଆ ସରକାରଙ୍କୁ ମାର୍ଗଦର୍ଶନ କରାଉଛନ୍ତି?