Mizoram Assembly Election 2023 Schedule: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ରାଜସ୍ଥାନ ବିଧାନସଭା ନିର୍ବାଚନର ତାରିଖ ପରିବର୍ତ୍ତନ ପରେ ଏବେ ମିଜୋରାମରେ ଏପରି ଦାବି ଉଠିଛି। ପୂର୍ବରୁ ରାଜସ୍ଥାନ ବିଧାନସଭା ନିର୍ବାଚନ ଲାଗି ନଭେମ୍ବର ୨୩ ତାରିଖରେ ​​ମତଦାନ ହେବାର ଥିଲା। ବର୍ତ୍ତମାନ ଯାହାକୁ ନଭେମ୍ବର ୨୫ ତାରିଖକୁ ପରିବର୍ତ୍ତନ କରାଯାଇଛି। ନିର୍ବାଚନ ଆୟୋଗ ଏ ସମ୍ପର୍କରେ ଜଣାଇଛନ୍ତି। ଡିସେମ୍ବର ୨ ତାରିଖରେ ୨୦୨୩ ବିଧାନସଭା ନିର୍ବାଚନ ଫଳାଫଳ। ଯେଉଁ ଦିନ ଅବଶିଷ୍ଟ ରାଜ୍ୟରେ  ଅନୁଷ୍ଠିତ ହୋଇଥିବା ନିର୍ବାଚନ ପାଇଁ ଭୋଟ୍ ଗଣତି କରାଯିବ। 


COMMERCIAL BREAK
SCROLL TO CONTINUE READING

ମାତ୍ର ମିଜୋରାମରେ ମତଦାନ ବଦଳରେ ଭୋଟ୍ ଗଣତି ତାରିଖ ପରିବର୍ତ୍ତନ କରିବାକୁ ଦାବି ହୋଇଛି। ଖ୍ରୀଷ୍ଟିଆନ ବହୁଳ ମିଜୋରାମରେ ବିଜେପି (BJP), କଂଗ୍ରେସ (Congress) ଏବଂ ଶାସକ ମିଜୋ ନ୍ୟାସନାଲ ଫ୍ରଣ୍ଟ (Mizo National Front) ସମେତ ସମସ୍ତ ପ୍ରମୁଖ ରାଜନୈତିକ ଦଳ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖି ବିଧାନସଭା ନିର୍ବାଚନର ମତ ଗଣନା ତାରିଖ ବଦଳାଇବାକୁ ଅନୁରୋଧ କରିଛନ୍ତି। ସେହିପରି ଜୋରାମ ପିପୁଲ୍ସ ମୁଭମେଣ୍ଟ (Zoram Peoples Movement) ଏବଂ ପିପୁଲ୍ସ କନଫରେନ୍ସ (Mizoram Peoples Conference) ଦ୍ୱାରା ମଧ୍ୟ ଏପରି ଦାବି କରାଯାଇଛି। ରାଜ୍ୟର ପ୍ରମୁଖ ଚର୍ଚ୍ଚ ସମୂହ ମିଜୋରାମ କୋହରାନ୍ ହ୍ରୁଟ୍ୟୁଟ୍ କମିଟି (Mizoram Kohhran Hruaitu Committee) ମଧ୍ୟ ନିର୍ବାଚନ ଆୟୋଗକୁ ଏକ ଚିଠି ପଠାଇ ଭୋଟ ଗଣତି ତାରିଖ ବଦଳାଇବାକୁ ନିବେଦନ କରିଛି।


ଏମକେଏଚସି ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କୁ ଲେଖାଯାଇଥିବା ଏକ ପତ୍ରରେ କୁହାଯାଇଛନ୍ତି ଯେ ଖ୍ରୀଷ୍ଟିଆନଙ୍କ ପାଇଁ ରବିବାର ହେଉଛି ଏକ ପବିତ୍ର ଦିନ। ସେହି ଦିନ ସମସ୍ତ ସହର ଗ୍ରାମରେ ସେବା ପୂଜା ଭଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ତେଣୁ ଆପଣଙ୍କୁ ୨୦୨୩ ମିଜୋରାମ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ତାରିଖ ବଦଳାଇବାକୁ ଅନୁରୋଧ କରାଯାଇଛି। ଭୋଟ୍ ଗଣତି ତାରିଖ ବଦଳାଇବାକୁ ଅନୁରୋଧ କରି ବିଜେପି ନିର୍ବାଚନ ଆୟୋଗଙ୍କୁ ଏକ ଚିଠି ଲେଖିଛି। ଏନେଇ ଦଳ ପକ୍ଷରୁ ଲେଖାଯାଇଥିବା ଚିଠିରେ କୁହାଯାଇଛି ଯେ ରବିବାର ଖ୍ରୀଷ୍ଟିଆନ ଧର୍ମାବଲମ୍ବୀଙ୍କ ପାଇଁ ଏକ ପବିତ୍ର ଦିନ। ସମଗ୍ର ଦିନ ସାରା ରାଜ୍ୟରେ ଚର୍ଚ୍ଚ ସେବା ପାଇଁ ସମର୍ପିତ। ତେଣୁ ତାରିଖର ଭୋଟ ଗଣତି ତାରିଖ ପରିବର୍ତ୍ତନ କରିବା ଆବଶ୍ୟକ।


ଶାସକ ଏମ୍ଏନ୍ଏଫ୍ ଏବଂ ବିରୋଧି କଂଗ୍ରେସ ଉଠାଇଲେ ଦାବି 
ଶାସକ ଏମଏନଏଫ ନିର୍ବାଚନ ଆୟୋଗଙ୍କୁ ଏକ ଚିଠି ଲେଖି ଭୋଟ ଗଣତି ଡିସେମ୍ବର ୩  ତାରିଖ ରବିବାର ବଦଳରେ ୪ ତାରିଖ ସୋମବାର କରିବାକୁ ଅନୁରୋଧ କରିଛି। ଏହି ସମୟରେ ରାଜ୍ୟ କଂଗ୍ରେସ ସଭାପତି ଲାଲ ସାୱା ନିର୍ବାଚନ ଆୟୋଗଙ୍କୁ ଲେଖିଥିବା ପତ୍ରରେ କହିଛନ୍ତି ଯେ ମିଜୋରାମବାସୀଙ୍କ ପାଇଁ ରବିବାର ଏକ ପବିତ୍ର ଦିନ ଏବଂ ସେହି ଦିନ ରାଜ୍ୟରେ କୌଣସି ସରକାରୀ କାର୍ଯ୍ୟକ୍ରମ କିମ୍ବା ବ୍ୟବସାୟ ଅଥବା ଅନ୍ୟାନ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ନାହିଁ। ମିଜୋରାମ ଲୋକଙ୍କ ଭାବନାକୁ ସମ୍ମାନ ଦେଇ ସୋମବାର ଠାରୁ ଶୁକ୍ରବାର ମଧ୍ୟରେ ଭୋଟ୍ ଗଣତି ତାରିଖ ସ୍ଥିର କରିବାକୁ ନିର୍ବାଚନ ଆୟୋଗକୁ ଅନୁରୋଧ କରିଛନ୍ତି।


ମିଜୋରାମର ୮୭ ପ୍ରତିଶତ ଜନସଂଖ୍ୟା ହେଉଛି ଖ୍ରୀଷ୍ଟିଆନ
ଗତ ୨୦୧୧ ଜନଗଣନା ଅନୁଯାୟୀ, ମିଜୋରାମର ମୋଟ ଜନସଂଖ୍ୟାରେ ଖ୍ରୀଷ୍ଟିଆନ ଧର୍ମର ଲୋକଙ୍କ ସଂଖ୍ୟା ହେଉଛି ପ୍ରାୟ ୮୭ ପ୍ରତିଶତ। କହିରଖୁଛୁ ଯେ ଅକ୍ଟୋବର ୯ ତାରିଖ ସୋମବାର କେନ୍ଦ୍ରୀୟ ନିର୍ବାଚନ ଆୟୋଗ ମିଜୋରାମ, ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଏବଂ ଛତିଶଗଡ ଆଦି ୫ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ। ମୋଟ ୪୦ ସଦସ୍ୟ ବିଶିଷ୍ଟ ମିଜୋରାମ ବିଧାନସଭା ପାଇଁ ନଭେମ୍ବର ୭ ତାରିଖରେ ମତଦାନ ଅନୁଷ୍ଠିତ ହେବ। ଏହି ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ସମସ୍ତ ୫ ରାଜ୍ୟ ପାଇଁ ଭୋଟ୍ ଗଣତି ଡିସେମ୍ବର ୩ ତାରିଖ ରବିବାର କରାଯିବ। ହେଲେ ମାତ୍ର ୨ ଦିନ ପରେ ରାଜସ୍ଥାନରେ ବିଧାନସଭା ନିର୍ବାଚନ ଲାଗି ମତଦାନ ତାରିଖ ପରିବର୍ତ୍ତନ କରାଯାଇଥିଲା।