ଭଦ୍ରକ: କୁହାଳିଆ ନେତା ନୀରବ ଜନତା' ଏହି ଉକ୍ତିଟି ଆପଣଙ୍କୁ ଟିକେ ଅଡୁଆ ଲାଗିପାରେ। କିନ୍ତୁ ଏହାର ବାସ୍ତବିକ ରୂପ ଭଦ୍ରକ ବିକାଶର ରାଜନୀତିରେ ଦେଖିବାକୁ ମିଳିଛି। ସଖାଳୁ ଭଦ୍ରକରେ ନେତାଙ୍କ ମୁହଁଧୁଆ ହେଉଥିବାବେଳେ ଯାଜପୁରରେ ଚାହା ପିଇବାର ଚିତ୍ର ସାମ୍ନାକୁ ଆସୁଛି। ଯାହା ଭଦ୍ରକ ବିକାଶର ରିମୋଟ ଯାଜପୁର ହାତରେ ବୋଲି ସୂଚାଇ ଦେଉଛି। ଏକଥା ଆମେ କୋହୁନାହୁଁ, ବରଂ ସାମ୍ପ୍ରତିକ ଦୃଶ୍ୟ ସବୁ ବୟାନ କରୁଛି। ଭଦ୍ରକର ୱାର୍ଡ ମେମ୍ବର ଚୟନ ଠାରୁ ଆରମ୍ଭ କରି ବନ୍ୟା ନିୟନ୍ତ୍ରଣ, ମେଡ଼ିକାଲ କଲେଜ ନହେବା, ସମବାୟ ସମିତି ସଭାପତି ଚୟନ ହେଉ ଅବା ଦୋବଲ ବଜାରରେ ସ୍ଥାୟୀ ବସଷ୍ଟାଣ୍ଡ ହେବା-ନହେବାର ପ୍ରସଙ୍ଗ ସବୁଠି ନିଷ୍ପତ୍ତି କେବଳ ଯାଜପୁର ନେତାଙ୍କ ଉପରେ ନ୍ୟସ୍ତ କରୁଛି। 


COMMERCIAL BREAK
SCROLL TO CONTINUE READING

ବିକାଶ ହେଉଛି ବୋଲି ନେତା ଡିଣ୍ଡିମ ପିଟୁଥିବା ବେଳେ ଅଧା ବାଟରେ ଭଦ୍ରକ ବିକାଶର ଅଟହାସ୍ୟର ଚିତ୍ର ଦେଖିବାକୁ ମିଳୁଛି। ଭଦ୍ରକ ରାଜନୀତିରେ ଦୁଇ ଦୁଇ ଜଣ ଚର୍ଚ୍ଚିତ ଚେହେରା ଜାତୀୟ ସ୍ତରରେ ନାମ କରିଛନ୍ତି। ଡକ୍ଟର ହରେକୃଷ୍ଣ ମହତାବ ଓ ନୀଳମଣି ରାଉତରାୟ ଓଡିଶାର ମୁଖ୍ୟମନ୍ତ୍ରୀ ପଦ ମଣ୍ଡନ କରିଥିଲେ। ତାଙ୍କ କାର୍ଯ୍ୟ କାଳ ସମୟରେ ଅନେକ ବିକାଶମୁଖି କାର୍ଯ୍ୟ ହୋଇଥିବା ବେଳେ ତାର ପରବର୍ତ୍ତୀ ପିଢ଼ି ନେତାମାନେ ସେଭଳି କିଛି ଆଖିଦୃଶିଆ ବିକାଶ କରିନଥିବା ଚର୍ଚ୍ଚା ହେଉଛି। ଯାହାର ଅନେକ ଜ୍ୱଳନ୍ତା ଉଦାହରଣ ରହିଛି।


Also Read: Sunil Bansal: ଓଡ଼ିଶା ଗସ୍ତରେ ବିଜେପି ସେନାପତି, ଏଥର ଟଳମଳ ହେବ ନବୀନଙ୍କ ଗାଦି!


 


ବନ୍ୟା ମୁକାବିଲା କ୍ଷେତ୍ରରେ ଭଦ୍ରକ ବାରମ୍ବାର ବିଫଳ ହେଉଛି। ସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଜିଲ୍ଲା ବହୁ ପଛରେ ପଡିଛି। ଯଦି ଆମେ ଭଦ୍ରକ ବନ୍ୟା ପରିସ୍ଥିତିକୁ ଦେଖିବା, ତେବେ ବୈତରଣୀ ନଦୀର ବାମ ପାର୍ଶ୍ଵରେ ୪ଗୋଟି ଏସ୍କେପ ରହିଛି। ଫଳରେ ବନ୍ୟା ସମୟରେ ଜଳ ପ୍ରବାହିତ ହୋଇ ଭଦ୍ରକ ଜିଲ୍ଲାର ବିକାଶ କ୍ଷେତ୍ରରେ ବାରମ୍ବାର ବାଧା ସାଜୁଛି। ସେହିପରି ଭଦ୍ରକ ଜିଲ୍ଲାରେ ସ୍ବାସ୍ଥ୍ୟ ବ୍ୟବସ୍ଥା ଭୁଷୁଡି ପଡିଛି। ମେଡ଼ିକାଲ କଲେଜ ପାଇଁ ଭଦ୍ରକବାସୀ ବାରମ୍ବାର ଦାବି କରୁଥିବା ବେଳେ ତାହା ମଧ୍ୟ ଅଧା ବାଟରେ ଅଟକି ରହିଛି। ଏଥିରୁ ସ୍ପଷ୍ଟ ବାରିହୋଇ ପଡୁଛି ଭଦ୍ରକରେ ମେଡ଼ିକାଲ କଲେଜ ପାଇଁ ଆନ୍ଦୋଳନ ହେଉଥିବା ବେଳେ ଯାଜପୁରରେ କିନ୍ତୁ ମେଡ଼ିକାଲ କଲେଜ ବିନା ଆନ୍ଦୋଳନରେ ନିର୍ମାଣ ଚାଲିଛି।


ପ୍ରତ୍ୟେକ କ୍ଷେତ୍ରରେ ଭଦ୍ରକ ଉପେକ୍ଷିତ ହେଉଛି। ଯେଉଁ ସବୁ ବିକାଶମୂଳକ କାର୍ଯ୍ୟ ଭାଦ୍ରକରେ ହେବା କଥା ତାହା ଯାଜପୁରରେ କରାଯାଉଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭଦ୍ରକ ନେତାଙ୍କ ନିଷ୍ପତ୍ତି ଭୁବନେଶ୍ୱରରେ ଫେଲ ମାରୁଛି। ନିର୍ବାଚନ ବିଗୁଲ ବାଜିବା ପୂର୍ବରୁ ଟିକେଟ ପାଇଁ ଭଦ୍ରକ ନେତାମାନେ ଯାଜପୁରରେ ଡେରା ପକାଉଛନ୍ତି। ଯାହାକୁ ନେଇ ଏବେ ଭଦ୍ରକ ଜିଲ୍ଲାର କୋଣ ଅନୁକୋଣରେ ଚର୍ଚ୍ଚା ଜୋର ଧରିଛି।