Himanta Biswa Sarma: ଭୁବନେଶ୍ଵର, ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଜୁନ୍ ୧ତାରିଖରେ ୪ର୍ଥ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି। ଏଥିପାଇଁ ଓଡ଼ିଶା ମୁହାଁ ବିଜେପିର ଆଗଧାଡ଼ିର ଛାମୁଆ ନେତା। ପ୍ରଚାର ପାଇଁ ଆଜିଠୁ ପୁଣି ଥରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଦୁଇ ଦିନରେ ସେ ୮ଟି ସ୍ଥାନରେ ପ୍ରଚାର କରିବେ। ଆଜି ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ କାକଟପୁରରେ ପ୍ରଚାର କରିବେ। ମଙ୍ଗଳବାର ରାଇରଙ୍ଗପୁର, ମୋରଡା, ସୋର ଏବଂ ଜଗତସିଂହପୁରରେ ହିମନ୍ତଙ୍କର ଜନସଭା କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ମଧ୍ୟ ସୋମବାର ଓ ମଙ୍ଗଳବାର କେନ୍ଦ୍ରାପଡା ଏବଂ ଭଦ୍ରକରେ ସାଧାରଣ ସଭାକୁ ସମ୍ବୋଧନ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ।  


COMMERCIAL BREAK
SCROLL TO CONTINUE READING

ସେହିପରି ନିର୍ବାଚନ ପୂର୍ବରୁ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ୍ ଶାହା। ୨୮ ତାରିଖରେ ଅମିତ୍ ଶାହା ଆଉ ୨୯ରେ ମୋଦୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ' ୨୯ ତାରିଖରେ ଓଡ଼ିଶାରେ ୩ଟି ସଭାରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ବାଲେଶ୍ୱର, ବାରିପଦା ଓ କେନ୍ଦ୍ରାପଡ଼ାରେ ଜନସଭାକୁ ସମ୍ବୋଧନ କରିବେ। ୨୯ ତାରିଖ ଦିନ ୧୨ଟା ବେଳେ ପ୍ରଥମେ ସେ ବାରିପଦାର ଛଉ ପଡ଼ିଆରେ ହେବାକୁ ଥିବା ସଭାରେ ଯୋଗଦେବେ। ଏହା ପରେ ସାଢ଼େ ୧ଟାରେ ବାଲେଶ୍ୱରରେ ଓ ୩ଟା ୩୦ ମିନିଟ୍ ରେ କେନ୍ଦ୍ରାପଡ଼ାରେ ଅନୁଷ୍ଠିତ ହେବାକୁ ଥିବା ସଭାରେ ଯୋଗଦେବାର ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମ ରହିଛି। ଅନ୍ୟପଟେ ମୋଦିଙ୍କ ଗସ୍ତ ପୂର୍ବ ଦିନ ଅର୍ଥାତ୍ ୨୮ ତାରିଖରେ ଓଡ଼ିଶା ଆସି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ଅମିତ ଶାହା। ୨୮ ତାରିଖରେ ଶାହା ଚାନ୍ଦବାଲିରେ ପ୍ରଥମ ସଭା କରିବେ। ତା ପରେ କୋରେଇ ଓ ନିମାପଡ଼ା ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ।