Bangladesh PM Sheikh Hasina ଢାକା: ଭାରତ ଗସ୍ତ ପୂର୍ବରୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଏକ ବଡ ବୟାନ ଦେଇଛନ୍ତି। କୋରୋନା କାଳରେ ସହଯୋଗ ପାଇଁ ସେ ଭାରତକୁ ଧନ୍ୟବାଦ ଜଣାଇଛନ୍ତି। ଏହା ସହ ଦେଶରେ ଶ୍ରୀଲଙ୍କା ଭଳି ପରିସ୍ଥିତି ନ ଆସିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ହସିନା ବାଂଲାଦେଶବାସୀଙ୍କୁ ଆଶ୍ୱସ୍ତ କରିଛନ୍ତି। ଏହା ବାଦ ସେ ବାଂଲାଦେଶରେ ହିନ୍ଦୁ ମନ୍ଦିର ଭାଙ୍ଗିବା ଘଟଣା ଓ ରୋହିଙ୍ଗ୍ୟା ମୁସଲମାନଙ୍କୁ ନେଇ ନିଜର ମତ ରଖିଛନ୍ତି। ତେବେ ଭାରତ ଗସ୍ତ ପୂର୍ବରୁ ଏହା ଶେଖ ହସିନାଙ୍କୁ କୂଟନୈତିକ ରଣନୀତି ବୋଲି ରାଜନୈତିଜ୍ଞମାନେ ମତ ପ୍ରକାଶ କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ସୋମବାର ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତ ଗସ୍ତରେ ଆସୁଛନ୍ତି। କିନ୍ତୁ ତାଙ୍କର ଗସ୍ତ ପୂର୍ବରୁ ସେ ଭାରତକୁ ସୁହାଇଲା ଭଳି ବୟାନ ଦେଇଛନ୍ତି। ସେ ବାଂଲାଦେଶରେ ହିନ୍ଦୁ ମନ୍ଦିର ଭାଙ୍ଗିବା ଘଟଣା ଏବଂ ରୋହିଙ୍ଗ୍ୟା ମୁସଲମାନମାନଙ୍କରେ ବିଷୟରେ କହିଛନ୍ତି। ରୋହିଙ୍ଗ୍ୟା ମୁସଲମାନମାନଙ୍କୁ ଦେଶ ପାଇଁ ଏକ ବଡ ବୋଝ ବୋଲି ହସିନା କହିବା ସହ ଏହି ସମସ୍ୟାର ସମାଧାନ ଖୋଜିବାରେ ଭାରତ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।


Also Read: UK କୁ ଟପିଲା, ବର୍ତ୍ତମାନ ଜାପାନକୁ ମାତ ଦେଇ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବ ଭାରତ!


ପ୍ରଧାନମନ୍ତ୍ରୀ ହସିନା କହିଛନ୍ତି ଯେ, ରୋହିଙ୍ଗ୍ୟା ମୁସଲମାନମାନେ ତାଙ୍କ ଦେଶ ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛନ୍ତି। ସେ କହିଛନ୍ତି, "ଆପଣ ଜାଣନ୍ତି ଏହା ଆମ ପାଇଁ ଏକ ବଡ ବୋଝ। ଭାରତ ଏକ ବିଶାଳ ଦେଶ, ଆପଣ ସେଠାରେ ରହିପାରିବେ କିନ୍ତୁ ସବୁ ଦିନ ପାଇଁ ନୁହଁ। ବାଂଲାଦେଶରେ ଏକ ଲକ୍ଷରୁ ଅଧିକ ରୋହିଙ୍ଗ୍ୟା ମୁସଲମାନ ଅଛନ୍ତି। ତେଣୁ ଆମେ ଆନ୍ତର୍ଜାତୀୟ ସମ୍ପ୍ରଦାୟ ଏବଂ ପଡୋଶୀ ଦେଶଙ୍କ ସହ କଥା ହେଉଛୁ। ସେମାନେ କିଛି ପଦକ୍ଷେପ ନେବେ ଯାହା ଦ୍ୱାରା ରୋହିଙ୍ଗ୍ୟାମାନେ ନିଜ ଦେଶକୁ ଫେରିପାରିବେ।"


ଶେଖ ହସିନା କହିଛନ୍ତି ଯେ, ମାନବିକତା ଭିତ୍ତିରେ ଆମେ ରୋହିଙ୍ଗ୍ୟାଙ୍କୁ ଆଶ୍ରୟ ଦେଇଥିଲୁ ଏବଂ ସବୁ ସୁବିଧା ଯୋଗାଇଥିଲୁ। କୋଭିଡ୍ ସମୟରେ, ଆମେ ସମସ୍ତ ରୋହିଙ୍ଗ୍ୟାଙ୍କୁ ଟୀକାକରଣ ମଧ୍ୟ କରିଥିଲୁ, କିନ୍ତୁ ସେମାନେ କେତେ ଦିନ ଏଠାରେ ରହିବେ। ସେମାନେ କ୍ୟାମ୍ପ ତିଆରି କରି ବସବାସ କରୁଛନ୍ତି। ଡ୍ରଗ୍ସ ଚୋରା ଚାଲାଣ, ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ, ମହିଳା ଚୋରା ଚାଲାଣ ବ୍ୟବସାୟରେ କିଛି ଲୋକ ଧରାପଡିଛନ୍ତି। ଦିନକୁ ଦିନ ଏହି ଅପରାଧ ବୃଦ୍ଧି ପାଉଛି। ତେଣୁ ଏଭଳି ପରିସ୍ଥିତିରେ ଯେତେ ଶୀଘ୍ର ସେମାନେ ନିଜ ଦେଶରେ ପହଞ୍ଚିବେ ସେତେ ଭଲ ବୋଲି ବାଂଲାଦେଶ ପ୍ରଧାନମନ୍ତ୍ରୀ କହିଛନ୍ତି।


Also Read: India Economy: ୨୦୦ ବର୍ଷ ଶାସନର ଜବାବ, ବ୍ରିଟେନକୁ ମାତ ଦେଇ କିପରି ପଞ୍ଚମ ସ୍ଥାନ ପାଇଲା ଭାରତ?


ଏହା ବାଦ ସେ ଭାରତକୁ ଧନ୍ୟବାଦ ଜଣାଇଛନ୍ତି। ମହାମାରୀ କୋରୋନା କାଳରେ ଭାରତ ଭ୍ୟାକ୍ସିନ ମୈତ୍ରି ଅଭିଯାନରେ ବଂଲାଦେଶକୁ ମାଗଣାରେ କୋଭିଡ୍ ଟିକା ଯୋଗାଇଥିଲା। ଏହା ବ୍ୟତୀତ ଋଷ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତ ନିଜର ନାଗରିକ ସହତ ବାଂଲାଦେଶର ନାଗରିକଙ୍କୁ ମଧ୍ୟ ୟୁକ୍ରେନରୁ ଉଦ୍ଧାର କରିଥିଲା। ଯାହା ଉଭୟ ଦେଶ ମଧ୍ୟରେ ଏକ ନୀବିଡ ସମ୍ପର୍କ ସ୍ଥାପନର ଏକ ମାଧ୍ୟମ ବୋସି ବାଂଲାଦେଶ ପ୍ରଧାନମନ୍ତ୍ରୀ କହିଛନ୍ତି। ଗତ କିଛି ବର୍ଷ ହେଲା ବାଂଲାଦେଶରେ ଲଗାତର ହିନ୍ଦୁଙ୍କୁ ଟାର୍ଗେଟ କରାଯାଉଛି। ଯାହାକୁ ନେଇ ଭାରତରେ ଏକ ବିରୋଧର ମାହୋଲ ସୃଷ୍ଟି ହୋଇଛି। ତା ସହିତ ଭାରତ ପାଇଁ ରୋହିଙ୍ଗ୍ୟା ଏକ ବଡ ସମସ୍ୟା ହୋଇଥିବାରୁ ଏହି ଦୁଇଟି ପ୍ରସଙ୍ଗକୁ ନେଇ ନୂଆଦିଲ୍ଲୀ ଗସ୍ତ ପୂର୍ବରୁ ଶେଖ ହସିନା ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।