BJP MP Rajvir Diler Death: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଦଳକୁ ଲାଗିଛି ଆଉ ଏକ ଝଟକା। ଉତ୍ତର ପ୍ରଦେଶ ହାଥରସ ଲୋକସଭା ଆସନର ବିଜେପି ସାଂସଦ ରାଜଭୀର ଦିଲେରଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। ସାଂସଦଙ୍କ ମୃତ୍ୟୁ ଖବର ଆସିବା ପରେ ସମଗ୍ର ହାଥରସ ଜିଲ୍ଲାରେ ଶୋକର ଲହରୀ ଖେଳିଯାଇଛି। ବିଜେପି ଲୋକସଭା ସାଂସଦଙ୍କ ଆକସ୍ମିକ ମୃତ୍ୟୁରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତାଙ୍କର ନିଧନ ଦଳ ପାଇଁ ଏକ ବଡ଼ ରାଜନୈତିକ କ୍ଷତି ବୋଲି କୁହାଯାଉଛି। 


COMMERCIAL BREAK
SCROLL TO CONTINUE READING

ଗତ ୨୦୧୯ ଲୋକସଭା ନିର୍ବାଚନରେ ହାଥରସ ଆସନରୁ ବିଜେପି ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ବିଜୟୀ ହୋଇଥିଲେ ରାଜଭୀର ଦିଲେର। ଆଲିଗଡ଼ ସ୍ଥିତ ବରୁଣ ହସ୍ପିଚାଲ ଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୁରାଦାବାଦ ପରେ ବିଗତ ଏକ ସପ୍ତାହ ମଧ୍ୟରେ ବିଜେପି ପାଇଁ ଏହା ହେଉଛି ଦ୍ୱିତୀୟ ବଡ଼ ଝଟକା। କାରଣ ଗତି ଶନିବାର ଉତ୍ତର ପ୍ରଦେଶର ମୁରାଦାବାଦ ଲୋକସଭା ଆସନର ବିଜେପି ପ୍ରାର୍ଥୀ କୁୱଁର ସର୍ବେଶ  ସିଂହଙ୍କ ମୃତ୍ୟୁ ହୋଇଥିଲା। ଗତ ଶୁକ୍ରବାର ଅନୁଷ୍ଠିତ ହୋଇଥିବା ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣର ଦିନକ ପରେ ମୁରାଦାବାଦ ଆସନର ବିଜେପି ପ୍ରାର୍ଥୀ କୁୱଁର ସର୍ବେଶ  ସିଂହଙ୍କ ନିଧନ ହୋଇଥିଲା। 


୨୦୨୪ ଲୋକସଭା ନିର୍ବାଚନରେ ହାଥରସ ଆସନରୁ ପୁନର୍ବାର ଟିକେଟ ପାଇନଥିଲେ ବର୍ତ୍ତମାନର ବିଜେପି ସାଂସଦ ରାଜଭୀର ଦିଲେର। ଏଥର ତାଙ୍କ ବଦଳରେ ଦଳ ଅନୁପ ବାଲ୍ମିକୀଙ୍କୁ ପ୍ରାର୍ଥୀ କରିଛି।  ୬୫ ବର୍ଷୀୟ ବିଡେପି ନେତା ରାଜଭୀର ଦିଲେର ଗତ ୨୦୧୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଇଗଲାସ ଆସନରୁ ବିଧାୟକ ନିର୍ବାଚିତ ହୋଇଥିଲେ। ମାତ୍ର ୨୦୧୯ ଲୋକସଭା ନିର୍ବାଚନ ଲଢିବା ପାଇଁ ସେ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ପିତା କିଶନ ଲାଲ ଦିଲେର ହାଥରସ ଲୋକସଭା ଆସନରୁ ୪ ଥର ସାଂସଦ ନିର୍ବାଚିତ ହୋଇଥିଲେ। 


ଗତ ୨୦୧୯ ଲୋକସଭା ନିର୍ବାଚନରେ ଦଳୀୟ ମତଭେଦକୁ ଦୂରେଇବା ପାଇଁ ବିଜେପି ସେତେବେଳେ ଦଳୀୟ ବିଧାୟକ ରାଜଭୀର ଦିଲେରଙ୍କୁ ହାଥରସ ଆସନରୁ ପ୍ରାର୍ଥୀ କରିଥିଲା। ତାଙ୍କ ସହ ସେତେବେଳର ସାଂସଦ ରାଜେଶ ଦିୱାକରଙ୍କ ସମେତ ଅନେକ ନେତା ଟିକେଟ ଦୌଡ଼ରେ ରହିଥିଲେ। ସେମାନେ ହେଉଛନ୍ତି ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଅଶୋକ ପ୍ରଧାନ, ରାଜ୍ୟ ସାଧାରଣ ସମ୍ପାଦକ ଅଞ୍ଜୁଲା ମାହୌର ଏବଂ ଆଗ୍ରା ଆସନର ବିଜେପି ସାଂସଦ ରାମଶଙ୍କର କଠେରିଆ।


ରାଜଭୀର ଦିଲେରଙ୍କ ପୂର୍ବରୁ କୁୱଁର ସର୍ବେଶ  ସିଂହଙ୍କ ନିଧନ ହୋଇଥିଲା। ମୁରାଦାବାଦ ଆସନର ବିଜେପି ପ୍ରାର୍ଥୀ ଦିଲ୍ଲୀ ଏମ୍ସ ଠାରେ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଥିଲେ। ସେ ୨୦୧୪ ନିର୍ବାଚନ ପ୍ରଚାରରେ ସେତେ ସକ୍ରିୟ ନଥିଲେ ମଧ୍ୟ ଭୋଟ୍ ଦିନ ସେ ତାଙ୍କ ଲୋକସଭା ଆସନରେ ପହଞ୍ଚି ଭୋଟ୍ ଦେଇଥିଲେ। ହେଲେ ଏହାର ପର ଦିନ ତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ରାଜ୍ୟ ବିଜେପି ସଭାପତି ଭୂପେନ୍ଦ୍ର ସିଂହ ଚୌଧୁରୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଥିଲେ।