Odisha Election Results 2024: ଓଡ଼ିଶା ବିଧାନସଭାର ୧୪୭ ଆସନ ଲାଗି ପ୍ରତିନିଧିଙ୍କ ନାମ ଘୋଷଣା କରାଯାଇଛି। ଏହି ନବ ନିର୍ବାଚିତ ପ୍ରତିନିଧି ମାନେ ସପ୍ତଦଶ ବିଧାନସଭାର ସଦସ୍ୟ ଭାବେ ଆସନ୍ତା ୫ ବର୍ଷ କାର୍ଯ୍ୟ କରିବେ। ଏହି ଆସନ ଭିତରୁ ବିଜେପିରୁ ୭୮ ଆସନ ମିଳିଥିବା ବେଳେ ବିଜେଡିକୁ ୫୧, କମ୍ୟୁନିଷ୍ଟ ପାର୍ଟିକୁ ୧ ଏବଂ ସ୍ୱାଧୀନ ପ୍ରାର୍ଥୀଙ୍କୁ ୩ଟି ଆସନ ମିଳିଥିବା ମୁଖ୍ୟ ନିର୍ବାଚନ ଆୟୁକ୍ତ ଘୋଷଣା କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ବିଧି ଅନୁସାରେ ରାଜ୍ୟରେ ସରକାର ଗଠନ ଲାଗି ସର୍ବନିମ୍ନ ୭୪ ଆସନ ଆବଶ୍ୟକତା ରହିଛି। ଏଣୁ ବିଜେପି ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଏଥର ସରକାର ଗଠନ କରିବ। ଅର୍ଥାତ୍‍ ଆଗକୁ ୫ ବର୍ଷ ଏକ ସ୍ଥିର ସରକାର ପ୍ରଦାନ ପାଇଁ ରାଜ୍ୟ ଭୋଟର ବିଜେପିକୁ ବାଛିଛନ୍ତି। ତେବେ ବିଜେପିର କିଏ ମୁଖ୍ୟମନ୍ତ୍ରୀ ହେବେ ତାହା ସ୍ଥିର ହୋଇ ନାହିଁ। ରାଜ୍ୟରେ ପ୍ରଚାରବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍‍ ୧୦ ତାରିଖ ଦିନ ବିଜେପି ସରକାର ଗଠନ କରିବ ବୋଲି କହିଥିଲେ।  ଏପରିକି ଓଡ଼ିଶା ମାଟିର ପୁଅ ବା ଝିଅ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ ବୋଲି  ସେ ସୂଚନା ଦେଇଥିଲେ। ଏହିକ୍ରମରେ ବିଜେଡି ବିଧାୟକ ଦଳ ବୈଠକରେ ନେତା ନିର୍ଦ୍ଧାରଣ କରାଯିବ। ବରିଷ୍ଠ ନେତା ତଥା ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ଏହାକୁ ଦୋହରାଇଛନ୍ତି। ସେ କହିଛନ୍ତି ଦିନେ ଦୁଇଦିନ ଭିତରେ ଭୁବନେଶ୍ୱରରେ ଦଳୀୟ ବୈଠକରେ  କିଏ ମୁଖ୍ୟମନ୍ତ୍ରୀ ହେବେ ତାହା ସ୍ଥିର କରାଯିବ। 


ଏଥର ବିଧାନସଭାରେ ବଳିଷ୍ଠ ବିରୋଧି ଦଳ ବି ରହିବ। ଅର୍ଥାତ୍‍ ବିଜୁ ଜନତା ଦଳ ଏଥର ୫୧ ଆସନ ପାଇଁ ଶକ୍ତ ବିରୋଧି ଦଳର ଭୂମିକା ନିର୍ଦ୍ଧାରଣ କରିବ। ଯେଉଁ ନୀତି ବିଗତ କିଛି ବର୍ଷ ହେଲା ବିଜେଡି ଚଳାଇ ଆସୁଥିଲା ତାହାକୁ ବିଜେପି ରଦ୍ଦ କରିପାରେ ବୋଲି ଆଶଙ୍କା ଆସିଛି। ଏହିକ୍ରମରେ ବିରୋଧି ଦଳର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ। ପୂର୍ବ ସରକାରରେ ବିରୋଧି ଦଳ ସଂଖ୍ୟାହୀନ ଥିବାରୁ ସରକାରୀ ଦଳ ମନମୁଖୀ ଭାବେ ବିଧାନସଭାକୁ ଚଳାଉଥିବା ଅଭିଯୋଗ ହେଉଥିଲା। ଏପରିକି ଜନ ପ୍ରସଙ୍ଗକୁ ବିଧାନସଭାରେ ଆଲୋଚନା କରା ନଯିବା, ମୁଖ୍ୟମନ୍ତ୍ରୀ ବିଧାନସଭାକୁ ନଆସିବା ଭଳି ପ୍ରସଙ୍ଗ ସାମ୍ନାକୁ ଆସୁଥିଲା। ଏଥର କିନ୍ତୁ ସଂଖ୍ୟା ଗରିଷତଠ ଶାସକ ଏବଂ ବିରୋଧୀ ଦଳ ଦ୍ୱାରା ରାଜ୍ୟରେ ଏକ ରାଜନୀତିକ ସରକାର ସୃଷ୍ଟି ହେବ ବୋଲି ଆଶା କରାଯାଉଛି। 
ପ୍ରତିଶୃତି ଅନୁସାରେ ସରକାର ଗଠନ ପରେ ବିଜେପି ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ଯାଞ୍ଚ, ଶ୍ରୀମନ୍ଦିରର ୪ ଦ୍ୱାରକୁ ଭକ୍ତଙ୍କ ପାଇଁ ଉନ୍ମୁକ୍ତ କରିବ। ଦ୍ୱିତୀୟ ପଦକ୍ଷେପ ସ୍ୱରୂପ ଧାନ କ୍ରୟ ମୂଲ୍ୟ ୩୧୦୦ ଟଙ୍କାକୁ ବୃଦ୍ଧି କରାଯିବ ବୋଲି ବିଜେପି ପ୍ରତିଶୃତି ଦେଇଛି। ଏହାଛଡ଼ା ସଚିବାଳୟରେ ସାମ୍ବାଦିକଙ୍କ ପ୍ରବେଶକୁ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ବିଜେପି ଘୋଷଣା କରିଛି। ପରବର୍ତ୍ତୀ ସମୟରେ ମହିଳାଙ୍କୁ ୫୦ ହଜାର ଟଙ୍କା ସହାୟତା, ଆୟୁଷ୍ମାନ ଯୋଜନା ଲାଗୁ ଭଳି ଅନେକ ଜନହିତକର ପ୍ରସଙ୍ଗ ରହିଛି। ତେବେ ଏ ଭିତରେ ବିଜେଡି ଲାଗୁ କରିଥିବା ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାର ଭବିଷ୍ୟତ କ’ଣ ହେବ ତାହାକୁ ନେଇ ଶଙ୍କା ସୃଷ୍ଟି ହୋଇଛି।