କଂଗ୍ରେସ ଟିକେଟରେ ନିର୍ବାଚନ ଲଢିବେ ୧୭୪୩ କୋଟି ଟଙ୍କାର ମାଲିକ କବାଡି ବାଲା
କବାଡି଼ ବ୍ୟବସାୟ ଆରମ୍ଭ କରିବା ପରେ ତାଙ୍କ ଭାଗ୍ୟ ବଦଳି ଯାଇଥିଲା।
ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନ ପରିଷଦ ଲାଗି ଅନୁଷ୍ଠିତ ହେଉଥିବା ନିର୍ବାଚନରେ ବେଙ୍ଗାଲୁରୁ ସହରରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କଂଗ୍ରେସ ପ୍ରାର୍ଥୀ ୟୁସୁଫ ସରିଫ ଛଦ୍ମନାମ କେଜିଏଫ ବାବୁ ଛଦ୍ମନାମ ସ୍କ୍ରାପ ବାବୁ ନିର୍ବାଚନ ଆୟୋଗ ଠାରେ ଦାଖଲ କରିଥିବା ସତ୍ୟପାଠରେ ନିଜ ସମ୍ପତ୍ତି ୧୭୪୩ କୋଟି ଟଙ୍କା ବୋଲି ଘୋଷଣା କରିଛନ୍ତି। ଏହା ସହ ସେ ରାଜ୍ୟର ସବୁଠାରୁ ଧନୀ ରାଜନେତା ଭାବେ ହୋଇଛନ୍ତି। ଏହାପୂର୍ବରୁ ରାଜ୍ୟରେ କ୍ଷମତାତୀନ ବିଜେପି ସରକାରଙ୍କ ମନ୍ତ୍ରୀ ଏମଟିବି ନାଗରାଜ ନିଜ ସମ୍ପତ୍ତି ୧୨୦୦ କୋଟି ଟଙ୍କା ବୋଲି ଘୋଷଣା କରିଥିଲେ। ଅଦ୍ୟାବଧି ମନ୍ତ୍ରୀ ନାଗରାଜ ରାଜ୍ୟର ସବୁଠାରୁ ଧନୀ ରାଜନେତା ଭାବେ ବିବେଚିତ ହେଉଥିଲେ ହେଲେ ବର୍ତ୍ତମାନ ୟୁସୁଫ ସରିଫ ତାଙ୍କୁ ଅତିକ୍ରମ କରିଛନ୍ତି।
ନିର୍ବାଚନ ଲାଗି ଦାଖଲ କରିଥିବା ସତ୍ୟପାଠରେ ୫୪ ବର୍ଷୀୟ କଂଗ୍ରେସ ପ୍ରାର୍ଥୀ ୟୁସୁଫ ସରିଫ ଦର୍ଶାଇଛନ୍ତି ତାଙ୍କ ପାଖରେ ୧.୧୦ କୋଟି ଟଙ୍କାର ଏକ ହାତ ଘଡି଼ ଏବଂ ୪.୮ କିଲୋଗ୍ରାମ ଓଜନର ସୁନା ରହିଛି। ସେହିପରି ବେଙ୍ଗାଲୁରୁ ସହର ଏବଂ ଏହାର ଆଖପାଖରେ ଶହ ଶହ ଏକର କୃଷି ଏବଂ ଅଣ କୃଷି ଜମି ରହିଛି। ଯାହାର ମୂଲ୍ୟ ହେଉଛି ୧୫୯୩.୨୭ କୋଟି ଟଙ୍କା। ସେ ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କ ଠାରୁ ଏକ ରୋଲ୍ସ-ରୋଏସ୍ ଫାଣ୍ଟମ କାର କିଣି ଚର୍ଚ୍ଚାକୁ ଆସିଥିଲେ ହେଲେ ଦସ୍ତାବିଜ ଅଭାବରୁ ପରିବହନ କର୍ତ୍ତୃପକ୍ଷ ଏହି ଗାଡିକୁ ଜବତ କରିଥଲେ।
ୟୁସୁଫ ସରିଫ ତାଙ୍କ ୧୪ ଭାଇଭଉଣୀଙ୍କ ମଧ୍ୟରୁ ସବୁଠାରୁ ବଡ଼ ଏବଂ ସେ ଦାରିଦ୍ରରେ ବଢିଥିଲେ। ରିଅଲ୍ ଇଷ୍ଟେଟ୍ ସହିତ ଅନେକ ବ୍ୟବସାୟ ଚଳାନ୍ତି ସେ। ତାଙ୍କ ସମ୍ପତ୍ତିର ମୂଲ୍ୟ ୪୦୦୦ କୋଟି ଟଙ୍କାରୁ ଅଧିକ। ୟୁସୁଫ ସରିଫ ଭରତ ଗୋଲ୍ଡ ମାଇନ୍ସର ସ୍କ୍ରାପ୍ ମ୍ୟାଟେରିଆଲ୍ ଡିଭିଜନ ଠାରେ କାମ କରୁଥିଲେ। ତାଙ୍କ ବାପାଙ୍କର ଏକ ବେକରୀ ଥିଲା ଏବଂ ଯେତେବେଳେ ସେ କ୍ଷତିଗ୍ରସ୍ତ ହେଲେ ୟୁସୁଫ୍ ସେତେବେଳେ ଏକ ଅଟୋ ଡ୍ରାଇଭର ହେଲେ। ଏହା ପରେ ସେ କବାଡି଼ ବ୍ୟବସାୟ ଆରମ୍ଭ କରିଥିଲେ ପରେ ଏହା ତାଙ୍କ ଭାଗ୍ୟକୁ ଚମକାଇ ଦେଇଥିଲା।
Also Read: Viral Video: ଦଳୀୟ କର୍ମୀଙ୍କୁ ଶକ୍ତ ଚାପୁଡା ମାରିଲେ କଂଗ୍ରେସ ମୁଖିଆ
ୟୁସୁଫ୍ ସରିଫଙ୍କ ବ୍ୟବସାୟରେ ମୁଖ୍ୟତଃ ଜମି କ୍ରୟ ଏବଂ ବିକ୍ରୟ ସହ ଜଡିତ। ତାଙ୍କର ଦୁଇଟି ପତ୍ନୀ ଅଛନ୍ତି- ରୁକାସନ୍ ତାଜ ଏବଂ ଶାଜିଆ ତାରନମ୍। ତାଙ୍କର ୫ ସନ୍ତାନ ଅଛନ୍ତି। ୟୁସୁଫ ସରିଫ ୧୦୦ କୋଟି ଟଙ୍କା ମୂଲ୍ୟର ସ୍ଥାବର ସମ୍ପତ୍ତି ଏବଂ ୧୬୪୩.୫୯ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ଘୋଷଣା କରିଛନ୍ତି।
ଚିତ୍ରଦୁର୍ଗ ଆସନର କଂଗ୍ରେସ ପ୍ରାର୍ଥୀ ସୋମଶେଖରଙ୍କ ୧୧୬ କୋଟି, ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟରଙ୍କ ଭାଇ ତଥା ବିଜେପି ପ୍ରାର୍ଥୀ ଧରବାଦ୍ ପ୍ରଦୀପ ଶେଟ୍ଟରଙ୍କ ୮୯ କୋଟି, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡାଙ୍କ ନାତି ସୁରଜ ରେବନ୍ନଙ୍କ ସମ୍ପତ୍ତି ୬୧ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଘୋଷଣା କରିଛନ୍ତି।