ନୂଆଦିଲ୍ଲୀ: ଆସନ୍ତାବର୍ଷ ହେବାକୁ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ଆରମ୍ଭ ହୋଇଗଲାଣି ପ୍ରଚାର ଅଭିଯାନ। ଏହି କ୍ରମରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ନିଜର ପାରମ୍ପରିକ ସଂସଦୀୟ କ୍ଷେତ୍ର ଆମେଠି ଲୋକସଭା ଆସନରୁ ଦଳୀୟ ପ୍ରଚାର ଆରମ୍ଭ କରିବେ। ଯଦିଓ ଏନେଇ ତାରିଖ ସ୍ଥିର ହୋଇନାହିଁ ହେଲେ କୁହାଯାଉଛି ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଡିସେମ୍ବର ୧୭-୧୮ ତାରିଖରେ ଆମେଠି ଏବଂ ରାଏବରେଲି ଠାରେ ରହିବେ।


COMMERCIAL BREAK
SCROLL TO CONTINUE READING

ନିକଟରେ କଂଗ୍ରେସ ବିଧାୟକ ଅଦିତି ସିଂହ ଦଳ ଛାଡି଼ ବିଜେପି ହାତ ଧରିଥିଲେ। ବର୍ତ୍ତମାନ ଉଭୟ ଆମେଠି ଏବଂ ରାଏବରେଲି ଲୋକସଭା ଆସନ ଅଧିନସ୍ଥ କୌଣସି ବିଧାନସଭା ଆସନରୁ କଂଗ୍ରେସ ବିଧାୟକ ପ୍ରତିନିଧିତ୍ୱ କରୁନାହାଁନ୍ତି। ଏହି ୨ ସଂସଦୀୟ କ୍ଷେତ୍ର କଂଗ୍ରେସର ପାରମ୍ପରିକ ଗଡ଼ ଭାବେ ଜଣାଶୁଣା। ରାଏବରେଲି ଆସନରୁ କଂଗ୍ରେସ ଟିକେଟରେ ନିର୍ବାଚିତ ହୋଇଥିବା ଉଭୟ ବିଧାୟକ ବିଜେପି ହାତ ଧରି ସାରିଛନ୍ତି। ଗତ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ତଥା  କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ରାହୁଲ ଗାନ୍ଧୀଙ୍କୁ ଆମେଠି ଆସନରୁ ପରାସ୍ତ କରିଥିଲେ।  


ଆସନ୍ତାବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ଏହାର ପାରମ୍ପରିକ ଗଡ଼କୁ ପୁନର୍ବାର ହାତେଇବା ପାଇଁ ଚାହୁଁଛି। ସେହିପରି ବିଜେପି ଗତ ଲୋକସଭା ନିର୍ବାଚନରେ ପାଇଥିବା ସଫଳତାକୁ ପୁନଃର୍ବାର ଦୋହରାଇବାକୁ ଚାହୁଁଛି। ହେଲେ କିଏ ମାରୁଛି ବାଜି ତାହା ନିର୍ବାଚନ ଫଳାଫଳରୁ ଜଣାପଡି଼ବ।  


Also Read: ପ୍ରିୟଙ୍କା ଗାନ୍ଧୀ କହିଲେ...ସେ ପର୍ଯ୍ୟନ୍ତ ଚାଲିବ ଧର୍ମ ରାଜନୀତି!


ଉଭୟ ଆମେଠି ଏବଂ ରାଏବରେଲି ଲୋକସଭା ଆସନ ଅଧିନରେ ୧୦ ବିଧାନସଭା ଆସନ ରହିଛି। ଏହା ମଧ୍ୟରୁ ୬ ଆସନରେ ବିଜେପି ବିଧାୟକ ପ୍ରତିନିଧିତ୍ୱ କରୁଛନ୍ତି। ସେହିପରି ନିକଟ ଅତୀତରେ ୨ କଂଗ୍ରେସ ବିଧାୟକ ଅଦିତି ସିଂହ ଏବଂ ରାକେଶ ସିଂହ ଏବଂ କଂଗ୍ରେସ ଏମଏଲସି ଦୀନେଶ ପ୍ରତାପ ସିଂହ ଦଳ ଛାଡ଼ି ବିଜେପି ହାତ ଧରିସାରିଛନ୍ତି।  


ଗତ ବର୍ଷ ଜାରି ହୋଇଥିବା ଦଳୀୟ ହ୍ୱିପ୍ କୁ ଅବମାନନା କରି ଉତ୍ତର ପ୍ରଦେଶ ବିଧାନସଭାର ଦିନିକିଆ ସ୍ୱତନ୍ତ୍ର ଅଧିବେଶନରେ ଯୋଗ ଦେଇଥିଲେ କଂଗ୍ରେସ ବିଧାୟିକା ଅଦିତି ସିଂହ। ଏହା ପରେ ସେ ଖୋଲାଖୋଲି ଭାବେ ନିଜ ଦଳ ବିରୁଦ୍ଧରେ ବିଦ୍ରୋହ କରିଥିଲେ। ସେବେଠାରୁ ସେ କଂଗ୍ରେସ ନେତୃତ୍ୱକୁ ସମାଲୋଚନା କରି ବିଜେପିକୁ ପ୍ରଶଂସା କରୁଥିଲେ। କଂଗ୍ରେସ ଛାଡି ସେ ବିଜେପି ହାତ ଧରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ଯାହା ନିକଟ ଅତୀତରେ ସତ୍ୟରେ ପରିଣତ ହୋଇଛି। ନିକଟରେ ଅନୁଷ୍ଠିତ ହୋଇଥିବା ଜିଲ୍ଲା ପଞ୍ଚାୟତ ନିର୍ବାଚନରେ ବିଜେପି ଉଭୟ ଆମେଠି ଏବଂ ରାଏବରେଲି ଜିଲ୍ଲାରେ ବାଜିମାତ କରିଛି।


Also Read: UP Elections 2022 କୁ Priyanka Gandhi ଙ୍କ ବଡ ଘୋଷଣା


ଗତ ଜୁଲାଇ ମାସରେ  କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ରାଏବରେଲି ଜିଲ୍ଲା ବିକାଶ ସମନ୍ୱୟ କମିଟି ସଭାପତି ଭାବେ ନିଯୁକ୍ତ କରାଯାଇଥିଲେ। ସ୍ୱାସ୍ଥ୍ୟଗତ କାରଣରୁ ସୋନିଆ ଗାନ୍ଧୀ ନିଜର ସଂସଦୀୟ କ୍ଷେତ୍ର ରାଏବରେଲି ଆସନରୁ ଦୂରରେ ରହିଛନ୍ତି। ଏହା ଦ୍ୱାରା କଂଗ୍ରେସ କର୍ମୀଙ୍କ ମନୋବଳ ହ୍ରାସ ପାଇଛି। ଦଳର ୨ ବିଧାୟକଙ୍କ ସମେତ କିଛି ବରିଷ୍ଠ ନେତାଙ୍କ ଦଳ ଛାଡିବା କଂଗ୍ରେସର ଏହି ପାରମ୍ପରିକ ଗଡ଼ ଏବେ ବିରୋଧି ପକ୍ଷ ହାତକୁ ଚାଲିଯିବା ଭଳି ଅବସ୍ଥାକୁ ଆସିଯାଇଛି। 


Also Read: UP ବିଧାନସଭା ନିର୍ବାଚନ ଲଢିବା ଉପରେ ମୁଁ କରୁଛି ବିଚାର: Priyanka Gandhi


ଅନ୍ୟପଟେ ରାଏବରେଲି ଏବଂ ଆମେଠି ଲୋକସଭା ଆସନ ଦାୟିତ୍ୱରେ ଥିବା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ରାଜ୍ୟ ସ୍ତରୀୟ ପ୍ରସଙ୍ଗରେ ବ୍ୟସ୍ତ ଥିବାରୁ ଉଭୟ ନିର୍ବାଚନମଣ୍ଡଳୀରେ ଅଧିକ ସମୟ ଦେଇପାରୁ ନାହାଁନ୍ତି। ଅନ୍ୟପକ୍ଷେ ବିଜେପି ଏଠାରେ ଦଳୀୟ ସାଙ୍ଗଠନିକ ବିସ୍ତାର କରିବା ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛି।