Jaiveer Shergill Resigns: କଂଗ୍ରେସ ଦଳ (Congress Party)ର ଅଡୁଆ ବଢିଚାଲିଥିବା ବେଳେ ଥମିବାର ନାଁ ନେଉନାହିଁ। ଆଜି କଂଗ୍ରେସ ମୁଖପାତ୍ର ଜୟବୀର ଶେର୍ଗିଲ (Jaiveer Shergill) ଇସ୍ତଫା ଦେଇଛନ୍ତି। ସେ ଏକ ଚିଠି ଲେଖି ଗାନ୍ଧୀ ପରିବାର ଉପରେ ପ୍ରବଳ ବର୍ଷିଛନ୍ତି। ଶେର୍ଗିଲ ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ଏକ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ମୁଁ ଦୁଃଖିତ ଯେ ନିଷ୍ପତ୍ତି ନେବା ଆଉ ଜନସାଧାରଣ ତଥା ଦେଶର ହିତ ପାଇଁ ନୁହେଁ। କିନ୍ତୁ, ଏହା ଲୋକଙ୍କ ସ୍ବାର୍ଥର ହିତ ଦ୍ବାରା ପ୍ରଭାବିତ। ଯାହା ନିରନ୍ତର ଚାଟୁକାରିତାରେ ବ୍ୟସ୍ତ ଥିବା ବେଳେ ତୃଣମୂଳ ସ୍ତରରେ ଉପୁଜୁଥିବା ଅସୁବିଧାକୁ ଅଣଦେଖା କରିଚାଲିଛି। 


COMMERCIAL BREAK
SCROLL TO CONTINUE READING


ଏଥିସହ ତାଙ୍କ ଇସ୍ତଫା ପରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ, କିଛି ଲୋକଙ୍କ ପାଇଁ କଂଗ୍ରେସ ଘରେ ଅଟେ। କିଛି ଲୋକଙ୍କ ଘର କଂଗ୍ରେସ ପାଇଁ ଚାଲେ ଓ ସେହିଭଳି ଲୋକଙ୍କୁ ଦଳରେ ମହିମା ମଣ୍ଡନ କରାଯାଉଛି। କିନ୍ତୁ, କଂଗ୍ରେସ ମୋର ଘର ଥିଲା ଓ ମୋ ଘର କଂଗ୍ରେସ ପାଇଁ ଚାଲେ ନାହିଁ।



ସେ କହିଛନ୍ତି ଯେ, ଇସ୍ତଫା ଦେବାର ମୂଳ କାରଣ ହେଉଛି କଂଗ୍ରେସରେ ବର୍ତ୍ତମାନର ନିଷ୍ପତ୍ତି ନେଉଥିବା ବ୍ୟକ୍ତିଙ୍କ ଆଦର୍ଶ ଏବଂ ଦୃଷ୍ଟିକୋଣ ଆଉ ଯୁବ ତଥା ଆଧୁନିକ ଭାରତର ଆକାଂକ୍ଷା ସହିତ ମେଳ ଖାଉନାହିଁ। ଶେର୍ଗିଲ୍ ଲେଖିଛନ୍ତି, ଏହା ବ୍ୟତିତ ମୁଁ ଦୁଃଖ ଅନୁଭବ କରୁଛି ଯେ, ନିଷ୍ପତ୍ତି ଆଉ ଜନସାଧାରଣ ତଥା ଦେଶର ସ୍ୱାର୍ଥ ପାଇଁ ନିଆଯାଉ ନାହିଁ, ବରଂ ସ୍ବାର୍ଥରେ ଲିପ୍ତ ଥିବା ବ୍ୟକ୍ତିଙ୍କ ସ୍ୱାର୍ଥ ଏବଂ ବ୍ୟକ୍ତିଗତ ସ୍ୱାର୍ଥ ଦ୍ୱାରା ପ୍ରଭାବିତ ହୋଇଛି। ଗ୍ରାଉଣ୍ଡର ବାସ୍ତବତାକୁ କ୍ରମାଗତ ଭାବରେ ଅଣଦେଖା କରାଯାଉଛି। ଏହା ଏକ ପରିସ୍ଥିତି ଯାହା ମୁଁ ନୈତିକ ଭାବରେ ଗ୍ରହଣ କରିପାରିବି ନାହିଁ କିମ୍ବା କାର୍ଯ୍ୟ ଜାରି ରଖିପାରିବି ନାହିଁ।



ଉଲ୍ଲେଖନୀୟ କଥା ହେଉଛି, ୩୯ ବର୍ଷିୟ ଜୟବୀର ଶେର୍ଗିଲ ସେହି ଯୁବ ନେତାଙ୍କ ମଧ୍ୟରେ ସାମିଲ ଯେଉଁମାନଙ୍କୁ ଦଳର ପ୍ରମୁଖ ବ୍ୟକ୍ତିମାନଙ୍କ ମଧ୍ୟରେ ଗଣାଯାଉଥିଲା। ଅନେକ ପ୍ରସଙ୍ଗରେ ଘେରି ରହିଥିବା କଂଗ୍ରେସକୁ ରକ୍ଷା କରିବା ପାଇଁ ସେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଉଥିବାର ନଜର ଆସିଥିଲେ। ତାଙ୍କୁ କିଛି ସମୟ ପାଇଁ ଦଳର ମିଡିଆ ବ୍ରିଫିଂରେ ଦେଖିବାକୁ ମିଳୁନଥିଲା। ଶେର୍ଗିଲ୍ ବୃତ୍ତିରେ ଜଣେ ଓକିଲ ହୋଇଥିବା ବେଳେ ଅନେକ ଥର କଂଗ୍ରେସର ସଙ୍କଟ ମୋଚକ ଭାବେ ଠିଆ ହୁଆନ୍ତି। 


ଗୋଟିଏ ପଟେ କଂଗ୍ରେସ ପରବର୍ତ୍ତି ଅଧ୍ୟକ୍ଷ କିଏ ହେବ ତାକୁ ନେଇ ମାନସ ମନ୍ଥନ ଜାରି ରହିଥିବା ବେଳେ ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡିବା ଦଳ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ସେପଟେ ଦଳର ନୂତନ ଅଧ୍ୟକ୍ଷ ନିର୍ବାଚନକୁ ନେଇ କଂଗ୍ରେସରେ କାର୍ଯ୍ୟକଳାପ ତୀବ୍ର ହୋଇଛି। ପାର୍ଟି ସଭାପତି ପଦ ପାଇଁ ନିର୍ବାଚନ କାର୍ଯ୍ୟସୂଚୀ ସ୍ଥିର କରିବାକୁ କଂଗ୍ରେସ ଅଗଷ୍ଟ ୨୮ରେ ଓ୍ବାର୍କିଂ କମିଟିର ବୈଠକ ଡାକିଛି। ଦଳର ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳ ଟୁଇଟ୍ କରି କହିଛନ୍ତି, କଂଗ୍ରେସ ସଭାପତି ନିର୍ବାଚନ ପାଇଁ ତାରିଖର କାର୍ଯ୍ୟସୂଚୀକୁ ଅନୁମୋଦନ କରିବା ପାଇଁ CWCର ଏକ ଭର୍ଚୁଆଲ ବୈଠକ ଅଗଷ୍ଟ ୨୮, ୨୦୨୨ରେ ଅପରାହଣ ୩:୩୦ରେ ଅନୁଷ୍ଠିତ ହେବ।


ଏହା ବି ପଢନ୍ତୁ: CWC President Meeting: ରାଜସ୍ଥାନ କିମ୍ବା ଛତିଶଗଡରୁ କଂଗ୍ରେସକୁ ମିଳିପାରେ ନୂଆ ଅଧ୍ୟକ୍ଷ, ଜାଣନ୍ତୁ କିଏ ଅଛନ୍ତି ରେସରେ