Sofia Firdous ଭୁବନେଶ୍ୱର: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‍ଙ୍କୁ ସୁପ୍ରିମ୍‍ କୋର୍ଟଙ୍କ ଝଟକା ମିଳିବା ପରେ ଏବେ କିଏ ହେବେ କଟକ- ବାରବାଟୀରୁ କଂଗ୍ରେସର ବିଧାୟକ ପ୍ରାର୍ଥୀ। ଏନେଇ କଟକ ନଗର କଂଗ୍ରେସ କମିଟି ଏବଂ ମୋକିମଙ୍କ ଶୁଭେଚ୍ଛୁ ମାନେ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‍ଙ୍କ ନାମ ସାମ୍ନକୁ ଆଣିଛନ୍ତି। ଆଜି ଶ୍ରୀ ମୋକିମ୍‍ଙ୍କ ବାସଭବନରେ ବସିଥିବା ଏକ ମୈଠକରେ ଏଥିନେଇ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଛି। ଏନେଇ ହାଇ କମାଣ୍ଡଙ୍କୁ ସୋଫିଆଙ୍କ ନାମ ସୁପାରିସ କରାଯି ବୋଲି କଟକ ନଗର କଂଗ୍ରେସ କମିଟି ପକ୍ଷରୁ କୁହାଯାଇଛି। 


COMMERCIAL BREAK
SCROLL TO CONTINUE READING

ସୋଫିଆ ଏବେ ମୋକିମ୍‍ଙ୍କ ମେଟ୍ରୋ ବିଲ୍ଡର ବ୍ୟବସାୟକୁ ପରିଚାଳନା କରୁଛନ୍ତି। ଏହାସହ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ମଧ୍ୟ ସୋଫିଆଙ୍କୁ ଦେଖିବାକୁ ମିଳୁଛି। ତାଙ୍କୁନିଜର ଉତ୍ତରାଧିକାରୀ କରିବା ଇଚ୍ଛା ଆଜି ଅସମୟରେ ପୂରଣ ହେବାକୁ ଯାଉଛି। ଅର୍ଥାତ୍‍ ସୋଫିଆ କଟକ-ବାରବାଟୀ ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇପାରନ୍ତି। 


ମହମ୍ମଦ ମୋକିମ୍‍ ୨୦୧୯ ନିର୍ବାଚନରେ ବିଜେଡି ବିଧାୟକ ପ୍ରାର୍ଥୀ ଦେବାଶୀଷ ସାମନ୍ତରାୟଙ୍କୁ ୩୮୩୭ କୋଟରେ ପରାସ୍ତ କରିଥିଲେ। ଜଣେ ଶାସକ ଦଳର ବିଧାୟକଙ୍କୁ ହରାଇବା ମୋକିମଙ୍କ ସଂଗଠନ ଓ ଲୋକପ୍ରିୟତାକୁ ଦର୍ଶାଇଥିଲା। ଏହାପରେ ଦେବାଶୀଷ ସାମନ୍ତରାୟ ମୋକିମଙ୍କ ବିରୁଦ୍ଧରେ ମାମଲା ଚଳାଇଲେ କିନ୍ତୁ ତାହା ଖାରଜ ଖାଇଯାଇଥିଲା। 


ପରବର୍ତ୍ତୀ ସମୟରେ ଭିଜିଲାନ୍ସ କୋର୍ଟ ଦ୍ୱାରା ମୋକିମଙ୍କୁ ଓଏଚ୍‍ଆରଡିସି ଜାଲିଆତି ମାମଲାରେ ଦୋଷୀ ସାବ୍ୟସ୍ତ କରି  ଦଣ୍ଡାଦେଶ ଦେଲେ।  ହାଇକୋର୍ଟ ଓ ପରବର୍ତ୍ତୀ ସମୟରେ ସୁପ୍ରିମ୍‍ କୋର୍ଟଙ୍କ ଦ୍ୱାରା ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ରାୟ ବଳବତ୍ତର ରହିଲା। କିନ୍ତୁ ତାଙ୍କ ଗିରଫଦାରୀ ଉପରେ ସୁପ୍ରିମକୋର୍ଟ ସାମୟିକ ରହିତାଦେଶ ଦେଇଛନ୍ତି। 



ଲୋକପ୍ରତିନିଧି ଆଇନ ୧୯୫୨ ଅନୁସାରେ ୨ ବର୍ଷରୁ ଅଧିକ କାରାଦଣ୍ଡ ପାଇଥିବା ବ୍ୟକ୍ତି ନିର୍ବାଚନରା ପ୍ରାର୍ଥୀ ହୋଇପାରିବେ ନାହିଁ। ମୋକିମ ଏହି ଘଟଣାରେ ୩ ବର୍ଷ ସଶ୍ରମ କାରାଦଣ୍ଡ ଥିବାରୁ  ସେ ଏଥର ନିର୍ବାଚନରେ ପ୍ରାର୍ଥୀ ହୋଇପାରିବ ନାହିଁ। ଏହିକ୍ରମରେ ମୋକିମ୍‍ କଟକ ପାଇଁ ନିଜର ଉତ୍ତରାଧିକାରୀ ବାଛିବାକୁ ଯାଇ ନିଜ ଝିଅ ସୋଫିଆଙ୍କୁ ପ୍ରାର୍ଥୀ କରିବାକୁ ଇଛୁକ ରହିଛନ୍ତି। ଏଣୁ କଟକ ବାରବାଟୀ ଆସନରୁ ତାଙ୍କୁ ପ୍ରାର୍ଥୀ କରାଯାଉ ବୋଲି କଂଗ୍ରେସ ନଗର କମିଟି ହାଇକମାଣ୍ଡଙ୍କୁ ଅନୁରୋଧ କରିଛନ୍ତି। 


ବର୍ତ୍ତମାନ ପରିସ୍ଥିତିରେ କଟକ-ବାରବାଟୀ ଆସନ ଲାଗି କେବଳ ବିଜେଡି ରାଜନଗର ବିଧାୟକ ଅଂଶୁମାନ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ବିଜେପି ଓ କଂଗ୍ରେସ ପକ୍ଷରୁ କୌଣସି ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇନାହିଁ।