Election 2024: ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ସୋମବାର ଦିନ ୮ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ସଂସଦୀୟ ଆସନରେ ଭୋଟ୍ ଗ୍ରହଣ କରାଯିବ। ଓଡି଼ଶା ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୩୫ଟି ଆସନରେ ମଧ୍ୟ ମତଦାନ ହେବ। ଏହି ପରିପ୍ରେକ୍ଷୀରେ ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି ଶେଷ ହୋଇଛି। ନିର୍ବାଚନ ଆୟୋଗ ରବିବାର ଦିନ ଏକ ସୂଚନା ପ୍ରଦାନ କରି ଏହା କହିଛନ୍ତି। ସକାଳ ୭ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ମତଦାନ କରାଯିବ। କେତେକ ମତଦାନ କେନ୍ଦ୍ରରେ ମତଦାନ ବନ୍ଦ ପାଇଁ ସମୟ ସୀମା ମଧ୍ୟରେ ପରିବର୍ତ୍ତନ ହୋଇପାରେ। ଏହି ପର୍ଯ୍ୟାୟରେ ୪୯ଟି ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୬୯୫ ଜଣ ପ୍ରାର୍ଥୀ ଓ ଓଡି଼ଶା ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୩୫ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୨୬୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର ହେବ। ଓଡି଼ଶା ବିଧାନସଭାର ୧୪୭ଟି ଆସନ ମଧ୍ୟରୁ ୧୩ ମେ'ରେ ପ୍ରଥମ ପର୍ଯ୍ୟାୟରେ ୨୮ଟି ଆସନରେ ଭୋଟ୍ ଗ୍ରହଣ କରାଯାଇଥିଲା।


COMMERCIAL BREAK
SCROLL TO CONTINUE READING

ଭୋଟରଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଁ ନିର୍ବାଚନ ଆୟୋଗ ଭୋଟର ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ଅତ୍ୟଧିକ ଗରମ ଓ ହିଟ୍ ୱେବ ପରି ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଧିକାରୀମାନଙ୍କୁ ପର୍ଯ୍ୟାପ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ନିର୍ବାଚନ କର୍ମଚାରୀଙ୍କୁ ମେସିନ୍ ଓ ସାମଗ୍ରୀ ସହିତ ନିଜ ନିଜ ମତଦାନ କେନ୍ଦ୍ରକୁ ପଠାଯାଇଛି। ଏହା ବ୍ୟତୀତ ଏକ ଆରାମଦାୟକ ଏବଂ ନିରାପଦ ପରିବେଶରେ ମତଦାନ ହେବ ବୋଲି ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମତଦାନ କେନ୍ଦ୍ରରେ ପର୍ଯ୍ୟାପ୍ତ ଛାଇ, ପାନୀୟ ଜଳ, ରେମ୍ପ, ଶୌଚାଳୟ ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ରହିବ। ବହୁ ସଂଖ୍ୟାରେ ମତଦାନ କେନ୍ଦ୍ରକୁ ଆସି ଦାୟିତ୍ୱ ଓ ଗର୍ବର ସହିତ ଭୋଟ୍ ଦେବାକୁ ଆୟୋଗ ଆହ୍ୱନ ଦେଇଛନ୍ତି।


ଆୟୋଗ ଦ୍ୱାରା ରବିବାର ଦିନ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ୮.୯୫ କୋଟି ଭୋଟର ୮ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୪୯ଟି ଲୋକସଭା ନିର୍ବାଚନମଣ୍ଡଳୀରେ ୯୪,୭୩୨ ମତଦାନ କେନ୍ଦ୍ରରେ ଭୋଟ୍ ଦେବେ। ଏହି ଲୋକମାନେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରିବାକୁ ସକ୍ଷମ ହେବେ। ଏଥିମଧ୍ୟରେ ୪.୬୯ କୋଟି ପୁରୁଷ, ୪.୨୬ କୋଟି ମହିଳା ଓ ୫୪୦୯ ଟ୍ରାନ୍ସଜେଣ୍ଡର ଭୋଟର ଅଛନ୍ତି। ଏହି ପର୍ଯ୍ୟାୟରେ ୪୯ଟି ସଂସଦୀୟ ଆସନ ମଧ୍ୟରୁ ୩୯ଟି ସାଧାରଣ ବର୍ଗ, ୩ଟି ଅନୁସୂଚିତ ଜନଜାତି ଏବଂ ୭ଟି ଅନୁସୂଚିତ ଜାତି ସିଟ୍ ଅଛି। ଓଡିଶା ବିଧାନସଭାର ୩୫ଟି ସିଟ୍ ମଧ୍ୟରୁ ସାଧାରଣ ବର୍ଗ ପାଇଁ ୨୧ଟି, ଅନୁସୂଚିତ ଜନଜାତି ପାଇଁ ୮ଟି ଏବଂ ଅନୁସୂଚିତ ଜାତି ପାଇଁ ୬ଟି ସିଟ୍ ରହିଛି।


ଏହି ପର୍ଯ୍ୟାୟରେ ବିଶିଷ୍ଟ ପ୍ରାର୍ଥୀମାନେ ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ, କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ, ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, ଲୋକ ଜନତା ପାର୍ଟି (ରାମ ବିଲାସ) ର ଚିରାଗ ପାସୱାନ, କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ, ସ୍ୱାଧଭି ନିରଂଜନ ଜ୍ୟୋତି, କୌଶଲ କିଶୋର, ଡ ପ୍ରବୀଣ ଭାରତ ପାୱାର, ଶାନ୍ତନୁ ଠାକୁର, କପିଲ ପାଟିଲ, ଅନ୍ନପୂର୍ଣ୍ଣା ଦେବୀ, ବିଜେପି ନେତା ରାଜୀବ ପ୍ରତାପ ରୁଡି ଓ ରାଷ୍ଟ୍ରୀୟ ଜନତା ଦଳର ରୋହିଣୀ ଆଚାର୍ଯ୍ୟ ଅଛନ୍ତି।