କଂଗ୍ରେସ ଲାଗି ଚିନ୍ତା ବଢାଇଲେ G23 ଗୋଷ୍ଠୀର ନେତା; ବୈଠକ କରି ରଖିଲେ ଏହି ବୟାନ
G-23 ଗୋଷ୍ଠୀର ନେତା ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ପର୍ଯ୍ୟନ୍ତ ସେମାନଙ୍କୁ ବାହାର କରାଯାଇ ନାହିଁ ସେମାନେ ସେ ପର୍ଯ୍ୟନ୍ତ ଦଳ ଛାଡିବେ ନାହିଁ।
ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶର ୫ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ହୋଇଥିବା ଶୋଚନୀୟ ପରାଜୟ ପରେ କଂଗ୍ରେସ ଦଳରେ ଜୋର ଧରିଛି ଗୋଷ୍ଠୀ ବିବାଦ। ଦଳରେ ବିଦ୍ରୋହୀ ଭାବେ ହୋଇଥିବା G-23 ଗୋଷ୍ଠୀ ପୁଣି ଥରେ ସକ୍ରିୟ ହୋଇଉଠିଛି। ବୁଧବାର ଦିଲ୍ଲୀ ଠାରେ ରାଜ୍ୟସଭାର ପୂର୍ବତନ ବିରୋଧି ଦଳ ନେତା ଗୁଲାମ ନବୀ ଆଜାଦଙ୍କ ଘରେ ଏକ ବୈଠକ କରି ଏକ ବିବୃତ୍ତି ଜାରି କରିଛି G-23 ଗୋଷ୍ଠୀ। ଏନେଇ କୁହାଯାଇଛି ବିଜେପିର ମୁକାବିଲା କରିବାକୁ ହେଲେ ଏକ ଭଲ ବିକଳ୍ପ ଆବଶ୍ୟକ। ଏ ପ୍ରସଙ୍ଗରେ କଂଗ୍ରେସ ସମାନ ବିଚାରଧାରା ରଖୁଥିବା ଦଳ ସହ ଚର୍ଚ୍ଚା କରିବା ଆବଶ୍ୟକ।
ବୁଧବାର ଦିଲ୍ଲୀ ଠାରେ ବରିଷ୍ଠ କଂଗ୍ରେସ ନେତା ନେତା ଗୁଲାମ ନବୀ ଆଜାଦଙ୍କ ଘରେ ଆୟୋଜିତ ହୋଇଥିବା ବୈଠକରେ କପିଲ ଶିବଲ, ଆନନ୍ଦ ଶର୍ମା, ମନୀଷ ତିୱାରୀ, ଶଶି ଥରୁର, ଶଙ୍କର ସିଂବ ବାଘେଲା, ଅଖିଳେଶ ପ୍ରସାଦ ସିଂହ, ସନ୍ଦୀପ ଦୀକ୍ଷିତ, ବିବେକ ତନଖା, ପୃଥିରାଜ ଚୌହାଣ, ଭୂପିନ୍ଦର ସିଂହ ହୁଦା, ରାଜ ବବ୍ବର, ମଣି ଶଙ୍କର ଆୟର, ପିଜେ କୁରିଏନ୍, ରାଜେନ୍ଦ୍ର କୌର ଭଟ୍ଟଲ, କୁଲଦୀପ ଶର୍ମା, ପରନୀତ କୌର ଏବଂ ଏମ.ଏ ଉପସ୍ଥିତ ଥିଲେ। G-23 ଗୋଷ୍ଠୀ ବୈଠକରେ ମଣିଶଙ୍କର ଆୟାରଙ୍କ ଅଂଶଗ୍ରହଣ କୌଣସି ଆଶ୍ଚର୍ଯ୍ୟଜନକ ଖବର ଠାରୁ ନୁହେଁ। କାରଣ ସେ ଗାନ୍ଧୀ ପରିବାରର ବିଶ୍ୱସ୍ତ ଭାବେ ଜଣାଶୁଣା। G-23 ଗୋଷ୍ଠୀର ନେତା ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ପର୍ଯ୍ୟନ୍ତ ସେମାନଙ୍କୁ ବାହାର କରାଯାଇ ନାହିଁ ସେମାନେ ସେ ପର୍ଯ୍ୟନ୍ତ ଦଳ ଛାଡିବେ ନାହିଁ।
Also Read: ଆକ୍ସନ ମୁଡରେ ସୋନିଆ: ୫ ରାଜ୍ୟର କଂଗ୍ରେସ ଅଧ୍ୟକ୍ଷଙ୍କୁ ମାଗିଲେ ଇସ୍ତଫା
ବୈଠକ ପରେ G-23 ଗୋଷ୍ଠୀର ନେତା କହିଛନ୍ତି ଆମେ ୨୦୨୨ ବିଧାନସଭା ନିର୍ବାଚନର ଫଳାଫଳ ଏବଂ ନେତାଙ୍କ ଦଳରୁ ବାହାର କରିବା ବାବଦରେ ଆଲୋଚନା କରିଛୁ। ଆମେ ବିଶ୍ୱାସ କରୁ ଯେ କଂଗ୍ରେସ ପାଇଁ ଏକମାତ୍ର ଉପାୟ ହେଉଛି ସାମୂହିକ ତଥା ଅନ୍ତର୍ଭୂକ୍ତ ନେତୃତ୍ୱର ଏକ ବ୍ୟବସ୍ଥା ଗ୍ରହଣ କରିବା ଏବଂ ପ୍ରତ୍ୟେକ ସ୍ତରରେ ନିଷ୍ପତ୍ତି ନେବା। ବିଜେପିର ମୁକାବିଲା କରିବା କଂଗ୍ରେସକୁ ମଜବୁତ କରିବା ଆବଶ୍ୟକ। ଆସନ୍ତା ୨୦୨୪ ନିର୍ବାଚନର ଏକ ବିଶ୍ୱସନୀୟ ବିକଳ୍ପ ଉପସ୍ଥାପନ କରିବାକୁ ହେଲେ କଂଗ୍ରେସ ସମାନ ବିଚାରଧାରା ରଖୁଥିବା ଦଳ ସହ ଚର୍ଚ୍ଚା କରିବା ଆବଶ୍ୟକ ବୋଲି ଆମେ ଦାବି ରଖୁଛୁ।
Also Read: 'ଗାନ୍ଧୀ ପରିବାର ହାତରେ ନେତୃତ୍ୱ ରହିଲେ ବର୍ବାଦ ହୋଇଯିବ କଂଗ୍ରେସ'
ନିକଟରେ G-23 ଗୋଷ୍ଠୀର ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କପିଲ ଶିବଲ ଏକ ସାକ୍ଷାତକାରରେ କହିଛନ୍ତି ଯେ ଗାନ୍ଧୀ ପରିବାର କଂଗ୍ରେସ ଦଳର ନେତୃତ୍ୱ ଅନ୍ୟ କୌଣସି ଦଳୀୟ ନେତାଙ୍କୁ ପ୍ରଦାନ କରନ୍ତୁ। ତାଙ୍କର ଏହି ବୟାନ ସାମ୍ନାକୁ ଆସିବା ପରେ ଦିଲ୍ଲୀସ୍ଥିତ ଚାନ୍ଦନୀଚୌକ୍ ଜିଲ୍ଲା କଂଗ୍ରେସ କମିଟି ବୁଧବାର ଏକ ସଂକଳ୍ପ ପାରିତ କରି ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦଳ ବିରୋଧି କାର୍ଯ୍ୟରେ ଲିପ୍ତ ଥିବାରୁ ଶିବଲଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛି। ଚାନ୍ଦନୀଚୌକ୍ ସାଂସଦ ଭାବେ ନିର୍ବାଚିତ ହୋଇଥିବା କପିଲ ଶିବଲ କଂଗ୍ରେସ ନେତୃତ୍ୱାଧିନ ୟୁପିଏ ସରକାରରେ ମନ୍ତ୍ରୀ ରହି ସାରିଛନ୍ତି।
Also Read: 'ଦଳୀୟ ସ୍ୱାର୍ଥ ପାଇଁ ମୁଁ, ରାହୁଲ, ପ୍ରିୟଙ୍କା ପଦ ଛାଡିବାକୁ ପ୍ରସ୍ତୁତ'
ଦଳୀୟ ନେତୃତ୍ୱ ପରିବର୍ତ୍ତନ କରିବାକୁ ନେଇ କଂଗ୍ରେସ ଦଳ ମଧ୍ୟରେ ଆରମ୍ଭ ହୋଇଯାଇଛି ସ୍ୱର ଉତ୍ତୋଳନ। ଆଉ ଏହାର ନେତୃତ୍ୱ ନେଇ ଚର୍ଚ୍ଚାରେ ରହିଛି G-23 ଗୋଷ୍ଠୀ। ମାର୍ଚ୍ଚ ୧୩ ତାରିଖ ରବିବାର ଅନୁଷ୍ଠିତ ହୋଇଥିବା କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ ପରେ ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାର୍ଗେ ଅଭିଯୋଗ କରିଛନ୍ତି ଯେ G23 ଗୋଷ୍ଠୀ ସହ ଜଡ଼ିତ ଦଳୀୟ ନେତା ବାରମ୍ବାର ବୈଠକ କରି ଦଳ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି। ଦଳରେ କୌଣସି ନେତା ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଦୁର୍ବଳ କରିପାରିବେ ନାହିଁ ଏବଂ ଦଳର ସମସ୍ତ ଲୋକ ତାଙ୍କ ସହ ଅଛନ୍ତି। ଅନ୍ୟପଟେ କଂଗ୍ରେସ ଲୋକସଭା ସାଂସଦ ରବନୀତ ବିଟୁ ଶିବଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।