General Election 2024: କଟକ ଲୋକସଭା ଆସନ: ଦଳବଳ ବନାମ ଲୋକବଳ
ଏଣୁ ଦଳ ବଳ ତଥା ଚିହ୍ନ ଯେତିକି ସହାୟକ ହେବ ଉଭୟ ପ୍ରାର୍ଥୀଙ୍କ ଲାଗି ଜନସମ୍ପର୍କ, ପରିଚିତି ବି ସେତିକି ଗୁରୁତ୍ୱ ବହନ କରିବ। ଏଣୁ ଅପେକ୍ଷା ଜୁନ୍ ୪କୁ।
General Election 2024: ଭୁବନେଶ୍ୱର (ହରିହର ପଣ୍ଡା): ଓଡ଼ିଶା ରାଜନୀତିରେ କଟକ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରି ଆସିଛି। ରାଜ୍ୟର ରାଜଧାନୀ ହେବାଠାରୁ ଆରମ୍ଭ କରି ବାରମ୍ବାର ମୁଖ୍ୟମନ୍ତ୍ରୀ ବି ଦେଇଛି କଟକ। ଭାଇଚାରାର ପ୍ରମୁଖ ଉଦାହରଣ ଦେଉଥିବା ଏହି ସହରରେ ଜାତି ଭିତ୍ତିକ ରାଜନୀତି ପାଇଁ ସ୍ଥାନ ସଂକୀର୍ଣ୍ଣ। ଏଠି ମୁସ୍ଲିମ୍ ବିଜେପିକୁ ଭୋଟ ଦେବା ଏବଂ କଟ୍ଟର ହିନ୍ଦୁ ବିଜେଡିର ଅନୁସରଣକାରୀ ହେବା ଏକ ସ୍ୱଭାବିକ କଥା। ତା’ ହେଲେ ଏଠି ରାଜନୀତିର ଖିଅ କ’ଣ? କେମିତି ଲଢ଼ାଯାଏ ନିର୍ବାଚନ? ଏଥର ଏ ନିର୍ବାଚନ କେମିତି ଅଲଗା ହେବ?
ଏସବୁ ପ୍ରଶ୍ନର ଜବାବ ଦେବା ପୂର୍ବରୁ ଆସନ୍ତୁ କଟକର ରାଜନୀତିକ ପୃଷ୍ଠଭୂମି ଉପରେ ସାମାନ୍ୟ ନଜର ପକାଇବ। ଏଠି ସାଂସଦ ଭାବେ ବିଜୁ ଜନତା ଦଳର ପ୍ରାର୍ଥୀ ଭର୍ତ୍ତୃହରି ମହତାବ ୬ ଥର ନିର୍ବାଚିତ ହୋଇଛନ୍ତି। ୧୯୫୨ରୁ ଏଯାଏ ହିସାବ କଲେ ୧୮ଥର ଲୋକସଭା ପାଇଁ ଭୋଟ ହୋଇଛି। ସେଥିରୁ ୮ ଥର କଂଗ୍ରେସ ପ୍ରାର୍ଥୀ ବିଜୟ ହୋଇଛନ୍ତି। ଜନତା ପାର୍ଟି ଥରେ, ଜନତା ଦଳ ୨ ଥର ଏବଂ ପ୍ରଜା ଶୋସାଲିଷ୍ଟ ପାର୍ଟି ଥରେ ନିଜ ପ୍ରାର୍ଥୀଙ୍କୁ ସାଂସଦ ଭାବେ ଲୋକସଭା ପଠାଇଛନ୍ତି। ଗଲା ୬ ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ଭର୍ତ୍ତୃହରି ନିରନ୍ତର କଟକକୁ ବିଜେଡିର ଦୁର୍ଗ ଭାବେ ରକ୍ଷା କରି ଆସିଛନ୍ତି। ଏବେ କିନ୍ତୁ ସେ ବିଜେପିର ପ୍ରାର୍ଥୀ।
ତାଙ୍କ ବିପକ୍ଷରେ ବିଜେଡି ଏକ କର୍ପୋରେଟ୍ ଅଧିକାରୀଙ୍କୁ ପ୍ରାର୍ଥୀ କରିଛି। ସେ ହେଉଛନ୍ତି ସନ୍ତୃପ୍ତ ମିଶ୍ର। ଆଦିତ୍ୟ ବିର୍ଲା କମ୍ପାନୀରେ ସେ ଜଣେ କମ୍ୟୁନିକେସନ୍ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି। ଏହା ସହ ଆହୁରି ଅନେକ ଚାକିରି ଅଭିଜ୍ଞତା ଧାରଣ କରିଛନ୍ତି। କିନ୍ତୁ ରାଜନୀତିରେ ନୂଆ। କଂଗ୍ରେସ କୌଣସି ପ୍ରାର୍ଥୀ ଏଯାଏ ଦେଇ ନାହିଁ।
ଭର୍ତ୍ତୃହରିଙ୍କ ବିରୁଦ୍ଧରେ ଆସ୍ଥା ବିରୋଧି ଭୋଟ ବଢ଼ୁଥିବା ବିଜେଡି ଅନୁଭବ କରି ଆସିଛି। ଏହାଛଡ଼ା ବିଜେଡିର ପରିଚାଳନା ଗୋଷ୍ଠୀଙ୍କ ସହ ପୂର୍ବରୁ ଭର୍ତ୍ତୃହରିଙ୍କ ଜତିପାତ ନପଡ଼ିବା ଆଉ ନିଜର ପରିପକ୍ୱ ରାଜନୀତିକ ପୃଷ୍ଠଭୂମିରେ କ୍ଷମତାକୁ ଜାବୁଡ଼ି ରଖିବା ନିଶାରେ ସାଂସଦ ଭର୍ତ୍ତୃହରି ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ୍ ହୋଇଛନ୍ତି। ବିଜେପିରେ ଯୋଗଦାନ ଦ୍ୱାରା ତାଙ୍କ ବିରୁଦ୍ଧରେ ଥିବା ଆସ୍ଥା ବିରୋଧି ଭୋଟ ଏବେ ଆପଣାର ହୋଇପାରେ। ପୁଣି ବିଜେପିର ସଂଗଠନ ଭୋଟ ଓ ନିଜର ପକେଟ ଭୋଟକୁ ମିଶାଇ ଦଳ ଜିତିପାରେ ବୋଲି ସେ ଆଶା ରଖିଥାଇ ପାରନ୍ତି। କିନ୍ତୁ ବାସ୍ତବିକ ସ୍ଥିତି କ’ଣ ଆସନ୍ତୁ ଏବେ ତା’ ଉପରେ ନଜର ପକାଇବା।
ଭୋଟ ପରିସଂଖ୍ୟାନ
ଗତ ନିର୍ବାଚନରେ ଭର୍ତ୍ତୃହରି ମହତାବ ନବାଗତ ବିଜେପି ପ୍ରାର୍ଥୀ ତଥା ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ରଙ୍କୁ ପ୍ରାୟ ୧ଲକ୍ଷ ୨୩ ହଜାର ଭୋଟରେ ହରାଇଥିଲେ। ଭର୍ତ୍ତୃହରି ୫୨୪ ହଜାର ୫୯୨ ଖଣ୍ଡ ଭୋଟ ପାଇଥିଲେ। ଏହା ସମୁଦାୟ ଭୋଟର ୪୯.୫ ପ୍ରତିଶତ। ଯଦିଓ ଏହା ଏକ ବହୁତ ବଡ଼ ପରିମାଣ କିନ୍ତୁ ପୂର୍ବ ନିର୍ବାଚନଠାରୁଏହା ୧୦.୧୯ ପ୍ରତିଶତ କମ୍ । ଅର୍ଥାତ୍ ୨୦୧୪ ନିର୍ବାଚନରେ ଭର୍ତ୍ତୃହରି ଯେତିକି ଭୋଟ ପାଇଥିଲେ ୨୦୧୯ରେ ତାହା ହ୍ରାସ ପାଇଥିଲା। ୨୦୦୯ ମସିହାରେ ଭର୍ତ୍ତୃହରି ୫୭.୧୫ ପ୍ରତିଶତ ଭୋଟ ପାଇଥିଲେ। ଅର୍ଥାତ୍ ଭୋଟ୍ ପ୍ରତିଶତ ଗଲା ୩ ନିର୍ବାଚନରେ ହ୍ରାସ ପାଇ ଚାଲିଛି। ଯଦି ଏହି ଭୋଟ ବିଜେଡିର ହ୍ରାସ ପାଉଥାଏ ତେବେ ଭର୍ତ୍ତୃହରି ଏଥର ପୁଣିଥରେ ସାଂସଦ ହେବା ନିଶ୍ଚିତ।
ଅପରପକ୍ଷେ କଟକ ଲୋକସଭା ଆସନ ଅଧୀନରେ ଯେଉଁ ୭ ବିଧାନସଭା ମଣ୍ଡଳୀ ରହିଛି ସେଗୁଡ଼ିକ ହେଲା, ବଡ଼ମ୍ବା, ବାଙ୍କି, ଆଠଗଡ଼, ବାରବାଟି କଟକ, ଚୌଦ୍ୱାର କଟକ, କଟକ ସଦର ଏବଂ ଖଣ୍ଡପଡ଼ା। ଏସବୁ ନିର୍ବାଚନ ମଣ୍ଡଳୀରେ ଗତ ୨୦୧୯ ନିର୍ବାଚନରେ ବିଜେଡି ବିଜୟ ହୋଇଥିଲା। ସମାନ ସମୟରେ ବିଜେଡି ପ୍ରାର୍ଥୀ ସାଂସଦ ପଦବୀ ପାଇଥିଲେ। ଏହିଧାରା ନିରନ୍ତର ରହିଲେ ସନ୍ତୃପ୍ତ ନିଶ୍ଚିତ ରହିବା ସ୍ୱଭାବିକ।
ଗଲା ତିନି ଲୋକସଭା ନିର୍ବାଚନକୁ ଦେଖିଲେ ବିଜେପି ଅନେକ ଗୁରୁତ୍ୱ ତଥା ଭୋଟ୍ ହାସଲ କରିଛି। ୨୦୦୯ ମସିହାରେ ଯେଉଁ ଭୋଟ ୯.୨ ପ୍ରତିଶତ ଥିଲା ୨୦୧୪ରେ ତାହା ୧୪.୯ ଏବଂ ୨୦୧୯ରେ ଏହା ୩୮ ପ୍ରତିଶତକୁ ବୃଦ୍ଧି ପାଇଛି। ଯଦି ଏହି ବର୍ଦ୍ଧିତ ଧାରା ଜାରି ରହେ ତେବେ ବିଜେପି ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ହୋଇପାରେ। ଏହି ସମୟରେ ଲୋକଙ୍କ ନାଡ଼ିକୁ ବିଜେପି ଜାପୁଡ଼ି ରଖିବା ଆବଶ୍ୟକ। ହେଲେ ଯଦି ଭର୍ତ୍ତୃହରିଙ୍କୁ ବିରୋଧିଙ୍କ ଘର ଲୋକ ବୋଲି କହେ ତେବେ ନିର୍ବାଚନ ପରିସଂଖ୍ୟାନ ଓଲଟିପାରେ।
ଏଣୁ ଦଳ ବଳ ତଥା ଚିହ୍ନ ଯେତିକି ସହାୟକ ହେବ ଉଭୟ ପ୍ରାର୍ଥୀଙ୍କ ଲାଗି ଜନସମ୍ପର୍କ, ପରିଚିତି ବି ସେତିକି ଗୁରୁତ୍ୱ ବହନ କରିବ। ଏଣୁ ଅପେକ୍ଷା ଜୁନ୍ ୪କୁ।