Gujarat Election Result 2022: ଡିସେମ୍ବର ୮ ତାରିଖ ଗୁରୁବାର ପ୍ରକାଶ ପାଇଛି ଗୁଜୁରାଟ ବିଧାନସଭା ନିର୍ବାଚନ ଫଳାଫଳ। ଏହି ନିର୍ବାଚନରେ ଐତିହାସିକ ବିଜୟ ହାସଲ କରି ବିଜେପି ରାଜ୍ୟରେ ସପ୍ତମ ଥର ଲାଗି ସରକାର ଗଠନ କରିବାକୁ ଯାଉଛି। ଏଥର ଗୁଜୁରାଟ ବିଧାନସଭା ନିର୍ବାଚନରେ ଏକ ରେକର୍ଡ କରିଛି ବିଜେପି। ଚଳିତ ଥର ଦଳ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଛି। ଏହା ହେଉଛି ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି ଦ୍ୱାରା ହାସଲ କରାଯାଇଥିବା ସବୁଠାରୁ ବଡ଼ ବିଜୟ। 


COMMERCIAL BREAK
SCROLL TO CONTINUE READING

ବିଜେପି ହାସଲ କରିଥିବା ଏହି ବିଶାଳ ବିଜୟରେ ବିଦ୍ରୋହୀ କଂଗ୍ରେସ ନେତାଙ୍କ ଭୂମିକା ମଧ୍ୟ ରହିଛି। ଯେଉଁମାନେ ବିଜେପି ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଯଦି ନିର୍ବାଚନ ଫଳାଫଳ ଉପରେ ନଜର ପକାଯାଏ, ତାହେଲେ କଂଗ୍ରେସ ଛାଡି ବିଜେପି ହାତ ଧରିଥିବା ୩୪ ନେତା ବିଧାନସଭା ନିର୍ବାଚନରେ ବାଜିମାତ କରିଛନ୍ତି। ଅନ୍ୟପଟେ କେବଳ ୩ ଜଣ ନେତାଙ୍କୁ ପରାଜୟ ବରଣ କରିବାକୁ ପଡିଛି। ଗତ ୨୦୧୭ ବିଧାନସଭା ନିର୍ବାଚନରେ ​ବିଜେପି ୯୯ ଆସନ ପାଇଥିଲା। ଏଥର ବିଜେପି ଗତ ଥର ନିର୍ବାଚିତ ହୋଇଥିବା ୧୧୧ ବିଧାୟକଙ୍କ ସହ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲା। 


ଅନ୍ୟପକ୍ଷରେ ପ୍ରତ୍ୟେକ ନିର୍ବାଚନରେ ଦଳ ବଦଳ ଭଳି ସମସ୍ୟାର ସାମ୍ନା କରୁଥିବା କଂଗ୍ରେସ ଗତ ୨୦୧୭ ନିର୍ବାଚନରେ ୭୭ ବିଧାନସଭା ଆସନ ଜିତିଥିଲା। ଚଳିତ ଥରର ବିଧାନସଭା ନିର୍ବାଚନରେ ​​ଦଳ କଂଗ୍ରେସ ଛାଡି ଦଳରେ ସାମିଲ ହୋଇଥିବା ୩୭ ନେତାଙ୍କୁ ଟିକେଟ୍ ଦେଇଥିଲା ବିଜେପି। ସେମାନଙ୍କ ମଧ୍ୟରୁ ୩୪ ଜଣ ବିଜୟୀ ହୋଇଥିବା ବେଳେ ୩ ଜଣ ନେତାଙ୍କୁ ପରାଜୟ ବରଣ କରିଛନ୍ତି। ଯେତେବେଳେ ଏହି ବିଦ୍ରୋହୀ କଂଗ୍ରେସ ନେତା ଦଳ ଛାଡ଼ି ବିଜେପି ହାତ ଧରିଥିଲେ, ସେତେବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଧାୟକ ଥିଲେ। ଏଥର ବିଜେପି ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଜିତିଥିବା ବିଦ୍ରୋହୀ କଂଗ୍ରେସ ନେତା ହେଉଛନ୍ତି ଓବିସି ନେତା ଅଳ୍ପେଶ ଠାକୋର, ପଟିଦାର ନେତା ହାର୍ଦ୍ଦିକ ପଟେଲ ଏବଂ କୋଲି ନେତା କୁୱଁରଜୀ ବାବାଲିଆ।


ଗତ ୨୦୧୭ ଗୁଜୁରାଟ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ଅଧିକ ଆସନ ପାଇଥିଲେ ମଧ୍ୟ ପରାଜୟ ବରଣ କରିଥିଲା। ନିର୍ବାଚନ ପରେ ସେମାନଙ୍କ ମଧ୍ୟରୁ ୨୦ ଜଣ ନେତା ଦଳ ଛାଡ଼ି ବିଜେପି ହାତ ଧରିଥିଲେ। ରାଜ୍ୟସଭା ନିର୍ବାଚନ ୨୦୧୭  ୧୭ ଜଣ ନେତା କଂଗ୍ରେସ ଛାଡ଼ି ବିଜେପି ଶିବିରରେ ସାମିଲ ହୋଇଥିଲେ। ରାଜ୍ୟସଭା ନିର୍ବାଚନରେ ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲ କେବଳ ଗୋଟିଏ ଭୋଟ୍ ବ୍ୟବଧାନରେ ଜିତିଥିଲେ। କଂଗ୍ରେସ ଛାଡିବା ପରେ ବିଜେପି ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ପରାସ୍ତ ହୋଇଥିବା ବିଦ୍ରୋହୀ କଂଗ୍ରେସ ନେତା ହେଉଛନ୍ତି ଅଶ୍ୱିନ କୋତୱାଲ, ଜବାହର ଚାଭଡା, ଏବଂ ହର୍ଷଦ ରିବାଦିଆ। 


୨୦୧୭ ବିଧାନସଭା ନିର୍ବାଚନରେ ​​ପରାଜୟ ପରେ କଂଗ୍ରେସ ନେତାଙ୍କ ଦଳ ବଦଳ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା। ଯଦିଓ ଦଳ ୭୭ ଆସନ ପାଇଥିଲା, ହେଲେ ଦଳୀୟ ବିଧାୟକଙ୍କ ଦଳ ତ୍ୟାଗ କାରଣରୁ ବିଧାୟକ ସଂଖ୍ୟା ୫୯ ହୋଇଯାଇଥିଲା। ଗତ ୨୦୧୯ ବର୍ଷରେ ଗୁଜୁରାଟର ୭ ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ​​ବିଜେପି ୪ ସିଟ୍ ପାଇଥିବା ବେଳେ, କଂଗ୍ରେସ ୩ ଆସନ ପାଇଥିଲା। ସେହି ସମୟରେ ଓବିସି ନେତା ଅଳ୍ପେଶ ଠାକୋର ଉପନିର୍ବାଚନରେ ​​ହାରି ଯାଇଥିଲେ। ୨୦୧୭ ବିଧାନସଭା ନିର୍ବାଚନରେ ​​ଜିତିବା ପରେ ସେ କଂଗ୍ରେସ ଛାଡ଼ି ବିଜେପି ହାତ ଧରିଥିଲେ। ଉପନିର୍ବାଚନରେ ତାଙ୍କୁ ​​କଂଗ୍ରେସ ପ୍ରାର୍ଥୀ ରଘୁ ଦେଶାଇ ପରାସ୍ତ କରିଥିଲେ।