Gujarat Assembly Election 2022: ଆଜି (ସୋମବାର) ଅର୍ଥାତ ଡିସେମ୍ୱର ୫ରେ ଗୁଜୁରାଟ ବିଧାନସଭା ନିର୍ବାଚନ (Gujarat Election 2022) ପାଇଁ ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟର ମତଦାନ ଆରମ୍ଭ ହୋଇସାରିଛି । ଆଜି ସକାଳ ୮ଟାରୁ ଦ୍ୱିତୀୟ ପର୍ଯ୍ୟାୟରେ ୯୩ ବିଧାନସଭା ଆସନରେ ମତଦାନ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହ ଏବଂ ଗୁଜରାଟର ଅନେକ ଦିଗ୍ଗଜ ନେତା ଆଜି ନିଜ ନିଜର ମତାଧିକାର ସାବ୍ୟସ୍ତ କରିବେ । ପ୍ରଧାନମନ୍ତ୍ରୀ ମୋଦି ଅହମ୍ମଦାବାଦ ରାନିପସ୍ଥିତ ନିଶାନ ସ୍କୁଲରେ ନିଜର ମତାଧିକାର ସାବ୍ୟସ୍ତ କରିବେ । ସେପଟେ ଏହି ଶେଷ ପର୍ଯ୍ୟାୟର ମତଦାନରେ ଗୁଜୁରାଟ ମୁଖ୍ୟମମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ସମେତ ୯ ଜଣ ମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା ହେବ ।


COMMERCIAL BREAK
SCROLL TO CONTINUE READING

ଗୁଜୁରାଟ ମଧ୍ୟ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଗୃହ ରାଜ୍ୟ । ସେ ଅହମ୍ମଦାବାଦର ନରନପୁରାରେ କାମେଶ୍ୱର ମନ୍ଦିର ନିକଟସ୍ଥ ମ୍ୟୁନିସିପାଲିଟି ଉପ-ଆଞ୍ଚଳିକ କାର୍ଯ୍ୟାଳୟରେ ନିଜର ମତାଧିକାର ସାବ୍ୟସ୍ତ କରିବେ । ଆଜି ସକାଳ ପ୍ରାୟ ୧୦.୩୦ରେ ଅମିତ ଶାହ ମତଦାନ ବୁଥରେ ପହଞ୍ଚିବାର ସମ୍ଭାବନା ରହିଛି । ଏହା ସହିତ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ମଧ୍ୟ ଅହମ୍ମଦାବାଦର ଶିଲାଜ ପ୍ରାଥମିକ ବିଦ୍ୟାଳୟର ବୁଛ-୯୫ରେ ଭୋଟ୍ ଦେବେ । ଗୁଜୁରାଟର ଶେଷ ପର୍ଯ୍ୟାୟରେ ନିଜର ମତାଧିକାର ସାବ୍ୟସ୍ତ କରୁଥିବା ଅନ୍ୟ ପ୍ରମୁଖ ନାମଗୁଡ଼ିକ ମଧ୍ୟରେ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବନ୍ ପଟେଲ, ଇଶୁଦାନ ଗଢ଼ଭି, ଗୁଜୁରାଟ କଂଗ୍ରେସ ସଭାପତି ଜଗଦୀଶ ଠାକୁର ଏବଂ କ୍ରିକେଟର ଇରଫାନ ପଠାନ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କ୍ରୁନାଲ ପାଣ୍ଡ୍ୟା ସାମିଲ ଅଛନ୍ତି । କଂଗ୍ରେସ ନେତା ତଥା ସାଂସଦ ଶକ୍ତିଶକ୍ତି ଗୋହିଲ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଶଙ୍କରସିଂ ବାଘେଲା ମଧ୍ୟ ଆଜି ନିଜ ନିଜର ମତାଧିକାର ସାବ୍ୟସ୍ତ କରିବେ ।


ସୂଚନାଯୋଗ୍ୟ, ୨୦୧୭ ଗୁଜୁରାଟ ନିର୍ବାଚନରେ ​​ବିଜେପି ମୋଟ ୧୮୨ଟି ଆସନ ମଧ୍ୟରୁ ୯୯ଟି ଜିତିଥିଲା । ଗତ ୨୭ ବର୍ଷ ଧରି ବିଜେପି କ୍ଷମତାରେ ଅଛି ଓ ନରେନ୍ଦ୍ର ମୋଦି ୨୦୦୧ରୁ ୨୦୧୪ ପର୍ଯ୍ୟନ୍ତ ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ଥିଲେ । ଆପଣଙ୍କୁ କହି ରଖୁଛୁ ଯେ, ପ୍ରଥମ ପର୍ଯ୍ୟାୟରେ ଗୁଜୁରାଟର ୮୯ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହୋଇସାରିଛି । ଏଥିପାଇଁ ଡିସେମ୍ବର ୧ରେ ମତଦାନ ଅନୁଷ୍ଠିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ୭୮୮ ପ୍ରାର୍ଥୀ ନିର୍ବାଚନ ମୈଦାନରେ ଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଡିସେମ୍ବର ୫ରେ ୯୩ଟି ଆସନରେ ମତଦାନ ଜାରି ରହିଛି । ଗୁଜୁରାଟ ବିଧାନସଭା ନିର୍ବାଚନର ଫଳାଫଳ ଡିସେମ୍ବର ୮ରେ ଘୋଷଣା କରାଯିବ । ଭାରତୀୟ ଜନତା ପାର୍ଟି ୨୭ ବର୍ଷ ଧରି ଗୁଜରାଟରେ ଶାସନ କରୁଛି । ଗତ କିଛି ବର୍ଷ ଧରି କଂଗ୍ରେସର ଲୋକପ୍ରିୟତାର ଗ୍ରାଫ୍ କ୍ରମାଗତ ଭାବରେ ତଳକୁ ଖସୁଥିବାର ନଜରକୁ ଆସିଛି । ଏଭଳି ପରିସ୍ଥିତିରେ ପିଏମ ମୋଦିଙ୍କ ଜନ୍ମ ତଥା କର୍ମକ୍ଷେତ୍ର ଗୁଜରାଟରେ ନିର୍ବାଚନରେ ​​ଜିତିବାରେ ବିଜେପିକୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ି ନାହିଁ । ତେବେ ଏଥର ପରିସ୍ଥିତି ସମ୍ପୂର୍ଣ୍ଣ ଅଲଗା । ୨୦୧୭ ଗୁଜୁରାଟ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ବହୁତ ଭଲ ପ୍ରଦର୍ଶନ କରିଥିଲା । ଏଭଳି ପରିସ୍ଥିତିରେ କଂଗ୍ରେସକୁ ହାଲୁକା ଭାବେ ଗ୍ରହଣ କରାଯାଇପାରିବ ନାହିଁ । ସେପଟେ ଆମ୍ ଆଦମୀ ପାର୍ଟି ମଧ୍ୟ ମୈଦାନରେ ଅଛି । ଆପ୍ ଦିଲ୍ଲୀ ଓ ପଞ୍ଜାବରେ ନିଜର ଜଲୱା ଦେଖାଇ ସାରିଛି । ଗୁଜୁରାଟ ନିର୍ବାଚନରେ ଆପ୍ ମୈଦାନକୁ ଓହ୍ଲାଇବା ପରେ ଲଢ଼େଇ ଆକର୍ଷଣୀୟ ଓ ତ୍ରିକୋଣୀୟ ଦେଖାଯାଉଛି ।