BJP Wave in Gujarat Eletion 2022: ପ୍ରଚଣ୍ଡ ବହୁମତ ସହ ସପ୍ତମ ଥର ଲାଗି ଗୁଜୁରାଟରେ ସରକାର ଗଠନ କରିବାକୁ ଯାଉଛି ବିଜେପି। ଏହା ସହିତ ଦଳ ଏଥର ଅନେକ ରେକର୍ଡ ଭାଙ୍ଗିଛି। ଯାହା ମଧ୍ୟରେ ରହିଛି ୧୯୮୫ ବିଧାନସଭା ନିର୍ବାଚନରେ କଂଗ୍ରେସ ପାଇଥିବା ସଫଳତା।   


COMMERCIAL BREAK
SCROLL TO CONTINUE READING

ପ୍ରକାଶ ପାଇସାରିଛି ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ ଫଳାଫଳ। ରାଜ୍ୟର ମୋଟ ୧୮୨ ଆସନ ମଧ୍ୟରୁ ଶାସକ ବିଜେପି ୧୫୬ ଆସନରେ ବିଜୟୀ ହୋଇଛି। ସେହିପରି କଂଗ୍ରେସ ୧୭ ସିଟ୍ ପାଇଛି। ଆମ ଆଦମୀ ପାର୍ଟି ୫ ଏବଂ ସମାଜବାଦୀ ପାର୍ଟି ଗୋଟିଏ ଆସନ ପାଇଛି। ସ୍ୱାଧୀନ ପ୍ରାର୍ଥୀ ତିନୋଟି ଆସନରେ ବିଜୟୀ ହୋଇଛନ୍ତି। 


ମୋଟ ୧୮୨ ଆସନ ବିଶିଷ୍ଟ ଗୁଜୁରାଟ ବିଧାନସଭାରେ ସରକାର ଗଠନ କରିବା ଲାଗି କୌଣସି ଦଳକୁ ୯୨ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଏଥର ଗୁଜୁରାଟରେ ସପ୍ତମ ଥର ପାଇଁ ବିଜେପି ସରକାର ଗଠନ ହେବା ଲାଗି ପଥ ପରିଷ୍କାର ହୋଇଯାଇଛି। ଚଳିତ ବିଧାନସଭା ନିର୍ବାଚନରେ ବିଜେପି ଅନେକ ରେକର୍ଡ ମଧ୍ୟ କରିଛି। ଦଳ ୨୦୦୨ ନିର୍ବାଚନରେ ଦଳକୁ ୧୨୭ ଆସନ ମିଳିଥିବା ରେକର୍ଡ ମଧ୍ୟ ୨୦୨୨ ନିର୍ବାଚନରେ ନିଜେ ଭାଙ୍ଗିଛି ବିଜେପି। ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିଲେ। ଗତ ୨୦୧୭ ବିଧାନସଭା ନିର୍ବାଚନରେ ବିଜେପିର ପ୍ରଦର୍ଶନ ସବୁଠାରୁ ଦୟନୀୟ ଥିଲା।  ଗତ ଥରର ବିଧାନସଭା ନିର୍ବାଚନରେ ବିଜେପି ୯୯ ଆସନ ପାଇଥିଲା। 


ଅନ୍ୟପଟେ ୧୯୮୫ ମସିହାରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ପାଇଥିବା ସଫଳତାକୁ ଏଥର ଭାଙ୍ଗିଛି ବିଜେପି। ୧୯୮୫ ନିର୍ବାଚନରେ କଂଗ୍ରେସ ରାଜ୍ୟର ୧୮୨ ସିଟ୍ ମଧ୍ୟରୁ ୧୪୯ ଆସନରେ ବିଜୟୀ ହୋଇ ଏକ ରେକର୍ଡ କରିଥିଲା। ସେତେବେଳେ କଂଗ୍ରେସ ନେତା ମାଧବ ସିଂହ ସୋଲାଙ୍କି ଗୁଜୁରାଟ ମୁଖ୍ୟମନ୍ତ୍ରୀ ହୋଇଥିଲେ।


ଯଦି ଏଥର ଗୁଜୁରାଟ ବିଧାନସଭା ନିର୍ବାଚନରେ ଅନ୍ୟ ଏକ  ରେକର୍ଡ ଦେଖିବାକୁ ମିଳିଛି। ଚଳିତ ଥର  ବିଜେପି ଲହରରେ ବିରୋଧୀ ସଫା ହୋଇଯାଇଛନ୍ତି। ସବୁଠାରୁ ଅଧିକ କ୍ଷତି ସହିଛି ମୁଖ୍ୟ ବିରୋଧୀ କଂଗ୍ରେସ। ଦଳକୁ ଏଥର ମାତ୍ର ୧୭ ସିଟ୍ ମିଳିଛି। ଯାହା ୧୯୮୫ ନିର୍ବାଚନ ପର ଠାରୁ ସବୁଠାରୁ ଖରାପ ପ୍ରଦର୍ଶନ। ବିରୋଧୀ ଦଳ ଭାବେ କଂଗ୍ରେସର ଉତ୍ତମ ପ୍ରଦର୍ଶନ ଗତ ୨୦୧୭ ନିର୍ବାଚନରେ ଦେଖିବାକୁ ମିଳିଥିଲା। ଗତ ଥରର ଗୁଜୁରାଟ ବିଧାନସଭା ନିର୍ବାଚନରେ କଂଗ୍ରେସ ୭୭ ଆସନ ପାଇଥିଲା। ହେଲେ ଏଥର କଂଗ୍ରେସକୁ ଜବରଦସ୍ତ ଝଟକା ଲାଗିଛି।


କଂଗ୍ରେସ ପରେ ଯଦି କିଏ ସବୁଠାରୁ ଅଧିକ କ୍ଷତି ସହିଛି ତାହେଲେ ସେ ହେଉଛି ଆମ ଆଦମୀ ପାର୍ଟି। ଦଳକୁ ଏହି ନିର୍ବାଚନରେ ମାତ୍ର ୫ ସିଟ୍ ମିଳିଛ। ରାଜ୍ୟର ମୋଟ ୧୮୨ ଆସନ ମଧ୍ୟରୁ ଆପ୍ ୧୮୦ ଆସନରେ ନିର୍ବାଚନ ଲଢିଥିଲା। ଅନ୍ୟପଟେ ୨୦୨୨ ନିର୍ବାଚନରେ ଜବରଦସ୍ତ ଉତ୍ସାହ ନେଇ ପ୍ରବେଶ କରିଥିବା ଅସାଦୁଦ୍ଦିନ ଓୱେସୀଙ୍କ ଏଆଇଏମଆଇଏମ ଖାତା ଖୋଲି ପାରିନାହିଁ। ଅନ୍ୟପଟେ ସମାଜବାଦୀ ପାର୍ଟି ରାଜ୍ୟରେ ଖାତା ଖୋଲିବାରେ ସକ୍ଷମ ହୋଇଛି।


ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥର ଗୁଜୁରାଟ ବିଧାନସଭା ଏକ ପ୍ରକାର ବିରୋଧୀ ଶୂନ୍ୟ ହୋଇଯାଇଛି। କାରଣ ପଞ୍ଜୀକୃତ ବିରୋଧୀ ଦଳ ମାନ୍ୟତା ପାଇବ ପାଇଁ କୌଣସି ଦଳ ପାଖରେ ବିଧାନସଭାର ମୋଟ ଆସନର ଏକ ଦଶମାଂଶ ସିଟ୍ ରହିବା ଆବଶ୍ୟକ। ମୋଟ ୧୮୨ ଆସନ ବିଶିଷ୍ଟ ଗୁଜୁରାଟ ବିଧାନସଭା ନିର୍ବାଚନରେ ପଞ୍ଜୀକୃତ ବିରୋଧୀ ଦଳ ମାନ୍ୟତା ପାଇଁ କୌଣସି ଦଳ ପାଖରେ ୧୯ ବିଧାୟକ ରହିବା ଆବଶ୍ୟକ। ହେଲେ ବିଗତ ୨୭ ବିରୋଧୀ ଆସନ ବସୁଥିବା କଂଗ୍ରେସ ଏଥର ମୁଖ୍ୟ ବିରୋଧୀ ଦଳ ମାନ୍ୟତା ହରାଇଛି। କାରଣ ଦଳ ପାଖରେ ଆବଶ୍ୟକୀୟ ବିଧାୟକ ନାହାଁନ୍ତି।