MLA Imran Khedawala: ଚଳିତ ଅନୁଷ୍ଠିତ ହୋଇଥିବା ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପି ଐତିହାସିକ ବିଜୟ ହାସଲ କରିଛି। ରାଜ୍ୟର ମୋଟ ୧୮୨ ସିଟ୍ ମଧ୍ୟରୁ ବିଜେପି ଏକାକୀ ୧୫୬ ଆସନରେ ବିଜୟୀ ହୋଇଛନ୍ତି। ଅନ୍ୟପଟେ ମୁଖ୍ୟ ବିରୋଧୀ କଂଗ୍ରେସ ଆସନ ସଂଖ୍ୟା ଗତ ଥରର ୭୭ ଅପେକ୍ଷା ହ୍ରାସ ପାଇ ଏଥର ୧୭ ହୋଇଯାଇଛି। ଅନ୍ୟପଟେ ଆମ ଆଦମୀ ପାର୍ଟି ୫, ସମାଜବାଦୀ ପାର୍ଟି ଗୋଟିଏ ଏବଂ ଅନ୍ୟ ୩ ଆସନରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।
 
ଏଥର ଗୁଜୁରାଟ ବିଧାନସଭା ନିର୍ବାଚନରେ ଜବରଦସ୍ତ ଝଟକା ପାଇଛି  କଂଗ୍ରେସ। ଏଥର କେବଳ ଦଳୀୟ ବିଧାୟକଙ୍କ ସଂଖ୍ୟା ହ୍ରାସ ପାଇନାହିଁ ବରଂ ଦଳର ପାରମ୍ପରିକ ଭୋଟ ବ୍ୟାଙ୍କ କୁହାଯାଉଥିବା ମୁସଲିମ ଭୋଟ ଆମ ଆଦମୀ ପାର୍ଟି ଏବଂ ଏଆଇଏମଆଇଏମ ଭଳି ଦଳର ଖାତାକୁ ଚାଲିଯାଇଛି। କୌତୁହଳର ବିଷୟ ଏହା ଯେ ଏଥର ଗୁଜୁରାଟ ବିଧାନସଭାକୁ ​​ମୁସଲମାନ ସମ୍ପ୍ରଦାୟରୁ କେବଳ ଜଣେ ବିଧାୟକ ନିର୍ବାଚିତ ହୋଇଛନ୍ତି। ସେ ହେଉଛନ୍ତି ଇମରାନ ଖେଡାୱାଲା। ଯିଏ ରାଜ୍ୟର ଜମାଲପୁର-ଖଡ଼ିୟା ଆସନରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ନିର୍ବାଚନ ଲଢିଥିଲେ। ଏହି ଆସନରେ ବିଜେପି-ଏଆଇଏମ୍ଆଇଏମ-କଂଗ୍ରେସ ମଧ୍ୟରେ ତ୍ରିକୋଣୀୟ ମୁକାବିଲା ହୋଇଥିଲା। ହେଲେ ଜମାଲପୁର-ଖଡିଆ ଆସନରେ ହୋଇଥିବା ଲଢେଇରେ କଂଗ୍ରେସ ପ୍ରାର୍ଥୀ ଇମରାନ ଖେଡାୱାଲା ବାଜି ମାରି ନେଇଥିଲେ।


COMMERCIAL BREAK
SCROLL TO CONTINUE READING

ଗତ ୨୦୧୭ ନିର୍ବାଚନରେ ଗୁଜୁରାଟ ବିଧାନସଭାକୁ ୩ ଜଣ ମୁସଲିମ ବିଧାୟକ ନିର୍ବାଚିତ ହୋଇଥିଲେ। ଏହି ସମସ୍ତ ବିଧାୟକ କଂଗ୍ରେସ ଦଳର ଥିଲେ। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଇମରାନ ଖେଡାୱାଲା ଅହମ୍ମଦାବାଦ ଜିଲ୍ଲାର ଜମାଲପୁର-ଖଡିଆ ଆସନରୁ ୧୩, ୬୫୮ ଭୋଟ ବ୍ୟବଧାନରେ ବିଜୟୀ ହୋଇ ନିଜର ଆସନ ବଜାୟ ରଖିଛନ୍ତି। ପୂର୍ବରୁ ଏହି ଆସନର ବିଧାୟକ ଥିଲେ ଇମରାନ ଖେଡାୱାଲା। ମୁସଲିମ ବହୁଳ ଏହି ଆସନରେ ହୋଇଥିବା ମୁକାବିଲାରେ କଂଗ୍ରେସ ପ୍ରାର୍ଥୀ ବିଜେପି ପ୍ରାର୍ଥୀ ଭୂଷଣ ଭଟ୍ଟଙ୍କୁ ପରାସ୍ତ କରିଛନ୍ତି। ଏହି ନିର୍ବାଚନମଣ୍ଡଳୀରୁ ଏଆଇଏମ୍ଆଇଏମ୍ ଗୁଜୁରାଟ ଶାଖା ସଭାପତି ସାବୀର କାବଲିୱାଲା ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରି ତୃତୀୟ ସ୍ଥାନରେ ରହିଥିଲେ। 


ଗୁଜୁରାଟରେ ପ୍ରାୟ ୧୦ ପ୍ରତିଶତ ମୁସଲିମ ଭୋଟର ଅଛନ୍ତି। ଗୁଜୁରାଟ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ବ୍ୟତୀତ ଅନ୍ୟ ଦଳରୁ ଲଢିଥିବା ମୁସଲିମ ପ୍ରାର୍ଥୀ ନିର୍ବାଚନ ହାରିଯାଇଛନ୍ତି। କଂଗ୍ରେସ ବିଧାୟକ ଥିବା ଗୟାସୁଦ୍ଦିନ ଶେଖ ଅହମ୍ମଦାବାଦ ଜିଲ୍ଲାର ଦରିଆପୁର ଆସନରୁ ବିଜେପି ପ୍ରାର୍ଥୀ କୌଶିକ ଜୈନଙ୍କ ଠାରୁ ପରାସ୍ତ ହୋଇଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ଜାଭେଦ୍ ପୀରଜାଦାଙ୍କୁ ମୋରବୀ ଜିଲ୍ଲାର ବାଙ୍କନେର ଆସନରୁ ବିଜେପି ପ୍ରାର୍ଥୀଙ୍କ ପାଖରୁ ପରାଜୟ ବରଣ କରିବାକୁ ପଡ଼ିଛି। ଏହି ଆସନରେ ଆମ ଆଦମୀ ପାର୍ଟି ପ୍ରାର୍ଥୀ କଂଗ୍ରେସକୁ ଜବରଦସ୍ତ ଝଟକା ଦେଇଛନ୍ତି। 


ଅନ୍ୟପଟେ କଚ୍ଛ ଜିଲ୍ଲାର ଅବଦାସା ଆସନରୁ କଂଗ୍ରେସ ପ୍ରାର୍ଥୀ ଜାଟ ମମଦ ଜଙ୍ଗ ପରାସ୍ତ ହୋଇଛନ୍ତି। ଏହି ଆସନରେ ତାଙ୍କୁ ବିଜେପି ପ୍ରାର୍ଥୀ ପ୍ରଦ୍ୟୁମ୍ନ ସିଂହ ଜାଡେଜା ୯ ହଜାର ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ଆମ୍ ଆଦମୀ ପାର୍ଟି ଜମାଲପୁର-ଖାଡିଆ, ଦରିଆପୁର ଏବଂ ଜମ୍ବୁସର ଆସନରେ ମୁସଲିମ ଛିଡ଼ା କରିଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ କେହି ନିର୍ବାଚନ ଜିତି ପାରିନଥିଲେ।


ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଗୁଜୁରାଟ ବିଧାନସଭା ନିର୍ବାଚନରେ ଏଆଇଏମଆଇଏମ ରାଜ୍ୟର ମୋଟ ୧୮୨ ସିଟ୍ ମଧ୍ୟରୁ ୧୫ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ଏଆଇଏମଆଇଏମ ପ୍ରାର୍ଥୀଙ୍କ ମଧ୍ୟରେ ୨ ଜଣ ଅଣ ମୁସଲିମ ଏବଂ ୧୩ ଜଣ ମୁସଲିମ ସାମିଲ ଥିଲେ। ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦଳୀୟ ପ୍ରାର୍ଥୀଙ୍କ ଲାଗି ଦଳର ଅଧ୍ୟକ୍ଷ ଅସାଦୁଦ୍ଦିନ ଓୱେସୀ ଜୋରଦାର ପ୍ରଚାର କରିଥିଲେ। ହେଲେ ଏହା ସତ୍ତ୍ୱେ ଏଆଇଏମଆଇଏମ ଏହି ରାଜ୍ୟରେ ଖାତା ଖୋଲିବାରେ ସକ୍ଷମ ହୋଇନାହିଁ। ଗୁଜୁରାଟରେ ଦଳକୁ ମାତ୍ର ୦.୨୯% ଭୋଟ ମିଳିଛି। ଯାହା ନୋଟା ଠାରୁ ମଧ୍ୟ କମ। ଏଥର ନୋଟ ଭାଗରେ ୧.୫୭% ଭୋଟ ପଡ଼ିଛି।