Rahul Gandhi In Odisha: ଭୁବନେଶ୍ୱର: କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ତାଙ୍କ ନିର୍ବାଚନୀ ଭାଷଣରେ ଓଡ଼ିଶା ସରକାରଙ୍କୁ ମେଣ୍ଟ ସରକାର ବୋଲି କହିଛନ୍ତି। ବିଜେପି ବିଜେଡି ଏଠାରେ ଏକାଠି ସରକାର ଗଢ଼ିଛନ୍ତି ବୋଲି କହିବା ସହ ବିଜେପିକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ମୁଁ ବିଜେପି ବିରୁଦ୍ଧରେ ଲଢ଼େଇ କରି ଆସୁଛି। ସେମାନେ ମୋ ନାଁରେ ୨୪ଟି ମାମଲା କରିଛନ୍ତି। କିନ୍ତୁ ନବୀନଙ୍କ ବିରୁଦ୍ଧରେ ଗୋଟିଏ ବି ନାହିଁ। ଏହାର ଅର୍ଥ ଓଡ଼ିଶାରେ ଉଭୟ ଦଳ ହାତ ମିଳାଇଛନ୍ତି ବୋଲି ସେ କହିଛନ୍ତି। 


COMMERCIAL BREAK
SCROLL TO CONTINUE READING

ମିଡିଆକୁ ସମାଲୋଚନା କରି କହିଛନ୍ତି ଏମାନେ ଆଦାନୀ-ଅମ୍ବାନୀଙ୍କ ଲୋକ,  ସେମାନେ ତାଙ୍କ କଥା କହିବେ। ଇଣ୍ଡି ମେଣ୍ଟ ସରକାର ତାଙ୍କ କଥା ଶୁଣିବ ନାହିଁ। ଯଦି ଅଧିକ ବିରୋଧ କରିବେ ତେବେ ଯୁବକଙ୍କୁ ମିଳିବାକୁ ଥିବା ସହାୟତାକୁ ୧ଲକ୍ଷରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିବ ଇଣ୍ଡିଆ ମେଣ୍ଟ ସରକାର। ଯୁବା ବର୍ଗଙ୍କୁ ରୋଜଗାର ପାଇଁ ଇଣ୍ଡି ମେଣ୍ଟ ସରକାର ପ୍ରତିଶୃତିବଦ୍ଧ ବୋଲି କହିଛନ୍ତି ରାହୁଲ। ଯେଉଁମାନେ ଗ୍ରାଜୁଏଟ ସମସ୍ତଙ୍କୁ ଇଣ୍ଡି ମେଣ୍ଟ ସରକାର ଜୁନ୍‍ ୪ ପରେ ଆପ୍ରେଣ୍ଟିଶିପ୍‍ ଦେବ। ଏହା ସହ ମାସିକ ୮ହଜାର ୫୦୦ ଟଙ୍କା ଲେଖାଏଁ ସହାୟତା ଦେବ। ଏହା ତାଙ୍କୁ ଦକ୍ଷତା ବଢ଼ାଇବାରେ ସହାୟକ ହେବ। 


ଏହାସହ ଓଡ଼ିଶା ଓ ଦେଶର ଯୁବା ବର୍ଗଙ୍କ ଲାଗି ସରକାରୀ ଚାକିରି ପାଇଁ ଦ୍ୱାର ଉନ୍ମୁକ୍ତ ହେବ ବୋଲି ସେ କହିଛନ୍ତି। ଚାଷୀମାନଙ୍କ ପାଇଁ କୃଷିଋଣ ଛାଡ଼ ହେବ। ଯେଉଁଦିନ ସରକାର ହେବ ସେହିଦିନ ଏହି ପ୍ରତିଶୃତି ପୂରଣ ହେବ। ଯେମିତି ପୂର୍ବରୁ କଂଗ୍ରେସ ସରକାର ସମୟରେ ହୋଇଥିଲା ତାହା କରାଯିବ। ବିଜେପି ସରକାର ଶିଳ୍ପପତିଙ୍କ ଋଣ ଛାଡ଼ କରୁଛନ୍ତି କଂଗ୍ରେସ କୃଷକଙ୍କ ଋଣ ଛାଡ଼ କରିବ ବୋଲି କହିଛନ୍ତି । ଏମ୍‍ଜିଏନ୍‍ଆର୍‍ଇଜିଏରେ ଶ୍ରମିକଙ୍କୁ ମିଳିଥିବା ଦୈନିକ ମଜୁରୀ ବୃଦ୍ଧି କରିବାକୁ କଂଗ୍ରେସ ଆଶ୍ୱାସନା ଦେଇଛି। ରାହୁଲ କହିଛନ୍ତି ଶ୍ରମିକଙ୍କ ମଜୁରୀ ୨୫୦ ଟଙ୍କାରୁ ୪୦୦ ଟଙ୍କା ହେବ। ଖାଲି ସେତିକି ନୁହେଁ, ଆଶା ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି ପାଇବ। 


ଅଗ୍ନିବୀର ଯୋଜନାକୁ କଟୁ ସମାଲଷାଚନା କରିଛନ୍ତି ରାହୁଲ। ଏହି ଯୋଜନା ଦ୍ୱାରା ସହିଦ ଦୁଇଭାଗରେ ବିଭକ୍ତ ହୋଇଛନ୍ତି। ସେନାରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଉଚିତ ମର୍ଯ୍ୟାଦା ମିଳୁ ନାହିଁ। ମେଣ୍ଟ ସରକାର ଆସିଲେ ଅଗ୍ନିବୀର ଯୋଜନା ଉଚ୍ଛେଦ ହେବ। ଅଧିକ ନିଯୁକ୍ତି ସୁଯୋଗ ଖୋଲାଯିବ ବୋଲି କହିଛନ୍ତି ରାହୁଲ। ସମ୍ବିଧାନକୁ ବଞ୍ଚାଇବା ଦରକାର। ଏଣୁ କଂଗ୍ରେସକୁ ଭୋଟ ଦେବା ଲାଗି ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ବାଲେଶ୍ୱରରର ସିମୁଳିଆଠାରେ ସେ ଜନସଭାକୁ ସମ୍ବୋଧନ କରି ଏହା କହିଛନ୍ତି। ଆସନ୍ତା ୧ ତାରିଖ ଦିନ ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିମୁଳିଆରେ ଭୋଟ ଗ୍ରହଣ କରାଯିବ।