NCP-TMC-CPI Loses National Parties Status: ଆସନ୍ତା ବର୍ଷ ହେବାକୁ ଯାଉଥିବା ଲୋକସଭା ନିର୍ବାଚନ ପୂର୍ବରୁ ଦେଖିବାକୁ ମିଳିଛି ଏକ ବଡ଼ ଧରଣର ପରିବର୍ତ୍ତନ। ନିକଟରେ ନିର୍ବାଚନ ଆୟୋଗ ଆମ୍ ଆଦମୀ ପାର୍ଟି  ଭଳି ଦଳକୁ ଏକ ଜାତୀୟ ଦଳ ଭାବରେ ସ୍ୱୀକୃତି ପ୍ରଦାନ କରିଛନ୍ତି। ଅନ୍ୟପଟେ ତୃଣମୂଳ କଂଗ୍ରେସ, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଏବଂ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ ଭଳି ଦଳର ଜାତୀୟ ମାନ୍ୟତା ପ୍ରତ୍ୟାହାର କରି ନେଇଛନ୍ତି। ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ଗ୍ରହଣ କରାଯାଇଥିବା ଏହି କାର୍ଯ୍ୟାନୁଷ୍ଠାନ ପରେ ଟିଏମସି, ଏନସିପି, ସିପିଆଇ ଜାତୀୟ ଦଳର ମାନ୍ୟତା ହରାଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ସେହିପରି ନିର୍ବାଚନ ଆୟୋଗ ଉତ୍ତର ପ୍ରଦେଶ ରାଜନୀତିରେ ସକ୍ରିୟ ରହିଥିବା ରାଷ୍ଟ୍ରୀୟ ଲୋକ ଦଳ, ଆନ୍ଧ୍ର ପ୍ରଦେଶ ରାଜନୀତିରେ ସକ୍ରିୟ ରହିଥିବା ଭାରତ ରାଷ୍ଟ୍ର ସମିତି, ମଣିପୁର ରାଜନୀତିରେ ସକ୍ରିୟ ରହିଥିବା ପିପୁଲ୍ସ ଡେମୋକ୍ରାଟିକ୍ ଆଲାଇନ୍ସ, ପୁଡୁଚେରୀ ରାଜନୀତିରେ ସକ୍ରିୟ ରହିଥିବା ପଟ୍ଟାଲି ମକ୍କାଲ କଟ୍ଟାଚି, ପଶ୍ଚିମବଙ୍ଗ ରାଜନୀତିରେ ସକ୍ରିୟ ରହିଥିବା ରିଭୋଲ୍ୟୁସନସାରୀ ସୋସିଆଲିଷ୍ଟ ପାର୍ଟି ଏବଂ ମିଜୋରାମ ରାଜନୀତିରେ ସକ୍ରିୟ ରହିଥିବା ମିଜୋରାମ ପିପୁଲ୍ସ କନଫରେନ୍ସ ଭଳି ଦଳ ପାଖରୁ ରାଜ୍ୟ ଦଳ ମାନ୍ୟତା ହଟାଇ ଦେଇଛନ୍ତି। 


ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି ଜାତୀୟ ଦଳ ଭାବରେ ସ୍ୱୀକୃତି ପାଇଛି। ଅନ୍ୟପଟେ ତୃଣମୂଳ କଂଗ୍ରେସ, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଏବଂ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ ଭଳି ଦଳ ଜାତୀୟ ଦଳର ମାନ୍ୟତା ହରାଇଛନ୍ତି। ଜାତୀୟ ଦଳର ମାନ୍ୟତା ପାଇବା କୌଣସି ଦଳ ଲାଗି ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ଏକ ମାନଦଣ୍ଡ ଜାରି କରାଯାଇଛି। ତାହା ହେଉଛି...


  • ସର୍ବନିମ୍ନ ଚାରିଟି ରାଜ୍ୟରେ ଦଳର ପ୍ରାର୍ଥୀ ଗତ ଜାତୀୟ ନିର୍ବାଚନରେ ସେହି ପ୍ରତ୍ୟେକ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ମୋଟ ମତଦାନରୁ ଅତିକମରେ ୬ ପ୍ରତିଶତ ଭୋଟ ପାଇଥିବା ଆବଶ୍ୟକ। ଏହା ବ୍ୟତୀତ ଲୋକସଭାରେ ସେହି ଦଳକୁ ଅତିକମରେ ଚାରିଟି ଆସନ ମିଳିଥିବା ଆବଶ୍ୟକ। 

  • କୋଣସି ରାଜନୈତିକ ଦଳ ଲୋକସଭାର ମୋଟ ଆସନରୁ ସର୍ବନିମ୍ନ ୨ ପ୍ରତିଶତ ଜିତିଥିବା ଆବଶ୍ୟକ। ସେହି ଦଳର ପ୍ରାର୍ଥୀ ତିନୋଟି ରାଜ୍ୟ କିମ୍ବା ଏହା ଠାରୁ କମ ରାଜ୍ୟରୁ ନିର୍ବାଚିତ ହୋଇଥିବା ଆବଶ୍ୟକ। 

  • ଅତି କମରେ ଚାରିଟି ରାଜ୍ୟରେ କୌଣସି ଏକ ଦଳ ରାଜ୍ୟ ଦଳ ଭାବରେ ସ୍ୱୀକୃତି ପାଇଥିବା ଆବଶ୍ୟକ। 


ଜାତୀୟ ଦଳର ମାନ୍ୟତାକୁ ନେଇ ନିର୍ବାଚନ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଦେଶରେ ସାତଟି ଜାତୀୟ ମାନତ୍ୟପ୍ରାପ୍ତ ଦଳ ରହିଥିଲେ। ସେମାନେ ହେଉଛନ୍ତି ତୃଣମୂଳ କଂଗ୍ରେସ, ବହୁଜନ ସମାଜ ପାର୍ଟି, ଭାରତୀୟ ଜନତା ପାର୍ଟି, ସିପିଆଇ, ସିପିଏମ, ଭାରତୀୟ ଜାତୀୟ କଂଗ୍ରେସ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି।


ବର୍ତ୍ତମାନ ଏନସିପି, ଟିଏମସି ଏବଂ ସିପିଆଇ ଜାତୀୟ ଦଳର ମାନ୍ୟତା ହରାଇବା ସହ ଏହି ତାଲିକାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ ଆମ ଆଦମୀ ପାର୍ଟି ଯୋଡି ହେବା ସହିତ ବର୍ତ୍ତମାନ ଦେଶରେ ପାଞ୍ଚଟି ଜାତୀୟ ଦଳ ରହିଛନ୍ତି। ଗତ ୨୦୧୬ ବର୍ଷରେ ତୃଣମୂଳ କଂଗ୍ରେସ ଜାତୀୟ ଦଳ ମାନ୍ୟତା ପାଇଥିଲା। ହେଲେ ଗୋଆ ସମେତ ଦେଶର ଉତ୍ତର-ପୂର୍ବ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ଖରାପ ପ୍ରଦର୍ଶନ ପରେ ଟିଏମସି ପାଖରୁ ଜାତୀୟ ଦଳର ମାନ୍ୟତା ପ୍ରତ୍ୟାହାର କରି ନିଆଯାଇଛି।


୧୯୯୯ ମସିହାରେ ଶରଦ ପାୱାରଙ୍କ ନେତୃତ୍ୱରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଗଠନ କରାଯାଇଥିଲା। ଅନେକ ନିର୍ବାଚନରେ ଦଳର ବିଜୟ ପରେ ୨୦୦୦ ମସିହାରେ ଏନସିପି ଏକ ଜାତୀୟ ଦଳର ମାନ୍ୟତା ପାଇଥିଲା। ସେହିପରି ୧୯୨୫ ମସିହାରେ ଗଠିତ ହୋଇଥିଲା ଭାରତୀୟ କମ୍ୟୁନିଷ୍ଟ ପାର୍ଟି। ୧୯୮୯ ମସିହାରେ ସିପିଆଇ ଏକ ଜାତୀୟ ଦଳ ଭାବରେ ମାନ୍ୟତା ପାଇଥିଲା। ହେଲେ ପଶ୍ଚିମବଙ୍ଗ ଏବଂ ଓଡିଶା ନିର୍ବାଚନରେ ଦଳର ଖରାପ ପ୍ରଦର୍ଶନ ପରେ ସିପିଆଇ ପାଖରୁ ଜାତୀୟ ଦଳର ମାନ୍ୟତା ପ୍ରତ୍ୟାହାର କରି ନିଆଯାଇଥିଲା।