Lok Sabha Elections 2024 Survey: ଆଗାମୀ ୨୦୨୪ ଲୋକସଭା ନିର୍ବାଚନକୁ ଆହୁରି ଗୋଟିଏ ବର୍ଷ ବାକି ରହିଛି। ହେଲେ ସମୟ ପାଖେଇ ଆସୁଥିବାରୁ ଏହି ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରସୋରରେ ଚାଲିଛି ପ୍ରସ୍ତୁତି। ଆସନ୍ତା ସାଧାରଣ ନିର୍ବାଚନରେ ଦେଶର ଦୁଇ ଜାତୀୟ ଦଳ ବିଜେପି-କଂଗ୍ରେସ ପରସ୍ପରର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାବେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି। ଅନ୍ୟପଟେ ଦେଶର ବିଭିନ୍ନ ରାଜ୍ୟରେ କ୍ଷମତାସୀନ ରହିଥିବା ଆଞ୍ଚଳିକ ଦଳ ଅଣ-ବିଜେପି ତଥା ଅଣ-କଂଗ୍ରେସ ମେଣ୍ଟ ମାଧ୍ୟମରେ ନିଜର ସ୍ଥିତି ମଜବୁତ କରିବାକୁ ଚେଷ୍ଟା କରୁଛନ୍ତି। 


COMMERCIAL BREAK
SCROLL TO CONTINUE READING

ଆସନ୍ତାବର୍ଷ ଲୋକସଭା ନିର୍ବାଚନକୁ ନେଇ ସି-ଭୋଟର୍ ଏବଂ ଇଣ୍ଡିଆ ଟୁଡେ ପକ୍ଷରୁ ଏକ ସର୍ଭେ କରାଯାଇଛି। ହେଲେ ଏହି ସର୍ଭେକ୍ଷଣରୁ ଯେଉଁ ରିପୋର୍ଟ ମିଳିଛି, ତାହା ତୃତୀୟ ସାମ୍ମୁଖ୍ୟ ଗଠନ କରିବାକୁ ପ୍ରୟାସ ଚଳାଇଥିବା ଆଞ୍ଚଳିକ ଦଳର ସ୍ୱପ୍ନକୁ ଭାଙ୍ଗିଦେଇଛି। ଏହି ସର୍ଭେ ମାଧ୍ୟମରେ ମିଳିଥିବା ତଥ୍ୟରୁ ସ୍ପଷ୍ଟ ହୋଇଯାଇଛି ୨୦୨୪ ନିର୍ବାଚନ ବୈତରଣୀରେ ଭାସିବା ଆଗରୁ ଡୁବିବାରେ ଲାଗିଛି ତୃତୀୟ ସାମ୍ମୁଖ୍ୟ ଡଙ୍ଗା!


ଗତ ମାସରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ପକ୍ଷରୁ ରାଜ୍ୟରେ ଏକ ମେଗା ରାଲି ଆୟୋଜିତ ହୋଇଥିଲା। ଯେଉଁଥିରେ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ, କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଏବଂ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ପ୍ରମୁଖ ଯୋଗ ଦେଇଥିଲେ। ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ପାଇଁ ତୃତୀୟ ସାମ୍ମୁଖ୍ୟ ଗଠିତ ହେଉଥିବା ନେଇ ଏହି ରାଲି ମାଧ୍ୟମରେ ସ୍ପଷ୍ଟ ହୋଇଯାଇଥିଲା।  


ହେଲେ ନିକଟରେ ହୋଇଥିବା ସର୍ବେକ୍ଷଣରେ ତୃତୀୟ ସାମ୍ମୁଖ୍ୟ ୨୦୧୪ ଲୋକସଭା ନିର୍ବାଚନ ତୁଳନାରେ ଆହୁରି ତଳକୁ ଖସିବାରେ ଲାଗିଛି। ଗତ ୨୦୧୪ ଲୋକ ନିର୍ବାଚନରେ ତୃତୀୟ ସାମ୍ମୁଖ୍ୟ ୩୯ ପ୍ରତିଶତ ଭୋଟ୍ ପାଇଥିଲେ। ଅନ୍ୟପକ୍ଷରେ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ତୃତୀୟ ସାମ୍ମୁଖ୍ୟ ମାତ୍ର ୨୭ ପ୍ରତିଶତ ଭୋଟ ପାଇଥିବା ସର୍ବେକ୍ଷଣରୁ ଜଣାପଡ଼ିଛି।


 ୨୦୧୪ ଲୋକସଭା ନିର୍ବାଚନରେ ​​ବିଜେପି-କଂଗ୍ରେସ ତୁଳନାରେ ତୃତୀୟ ସାମ୍ମୁଖ୍ୟ ୩୯ ପ୍ରତିଶତ ଭୋଟ୍ ପାଇଥିଲା। ଏହି ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ୩୮ ପ୍ରତିଶତ ଏବଂ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ମେଣ୍ଟ ୨୩ ପ୍ରତିଶତ ଭୋଟ୍ ପାଇଥିଲା। ଯାହା ଚଳିତ ବର୍ଷ ଜାନୁଆରୀରେ ସି-ଭୋଟର୍ ଏବଂ ଇଣ୍ଡିଆ ଟୁଡେ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ୨୭ ପ୍ରତିଶତକୁ ହ୍ରାସ ପାଇଛି। ଗତ ବର୍ଷ ଜାନୁଆରୀରେ ଆସିଥିବା ସମାନ ସର୍ବେକ୍ଷଣରେ ତୃତୀୟ ସାମ୍ମୁଖ୍ୟ ୩୨ ପ୍ରତିଶତ ଭୋଟ୍ ପାଉଥିବା ଜଣାପଡ଼ିଥିଲା। ସେହି ବର୍ଷ ଅଗଷ୍ଟରେ ହୋଇଥିବା ସର୍ବେକ୍ଷଣରେ ତୃତୀୟ ସାମ୍ମୁଖ୍ୟ ଭୋଟ ପ୍ରତିଶତ ହ୍ରାସ ପାଥିବା ଦୃଶ୍ୟମାନ ହୋଇଥିଲା।


ତୃତୀୟ ସାମ୍ମୁଖ୍ୟ ଗଠନ ହେବାର ଉଦ୍ୟମ ୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇସାରିଛି। ଯଦିଓ ଏନେଇ ହେଉଥିବା ଉଦ୍ୟମ ବାସ୍ତବତାରେ ପରିଣତ ହୋଇ ପାରିନାହିଁ। ୨୦୧୯ ଲୋକସଭା ନିର୍ବାଚନରେ ତୃତୀୟ ସାମ୍ମୁଖ୍ୟ ୧୪୮ ଆସନ ପାଇଥିଲେ ଏବଂ କଂଗ୍ରେସ ମାତ୍ର ୫୯ ଆସନ ପାଇଥିଲା। କେନ୍ଦ୍ରରେ ତୃତୀୟ ଥର ସରକାର ଗଠନ କରିଥିବା ବିଜେପି ୩୩୬ ସିଟ୍ ଦଖଲ କରିଥିଲା। ଅନ୍ୟ ପକ୍ଷରେ, ଯଦି ନିକଟରେ ହୋଇଥିବା ସର୍ଭେ ଉପରେ ଆଲୋଚନା କରାଯାଏ, ତାହେଲେ ତୃତୀୟ ସାମ୍ମୁଖ୍ୟ କେବଳ ୯୨ ଆସନ ପାଉଥିବା ଜଣାପଡ଼ିଛି। କେବେଳ ସେତିକି ନୁହେଁ ୫୬ ଆସନ ତୃତୀୟ ସାମ୍ମୁଖ୍ୟ ହାତରୁ ଖସୁଥିବା ଜଣାପଡ଼ିଛି। 


ତୃତୀୟ ସାମ୍ମୁଖ୍ୟରେ ସାମିଲ ଦଳର ଭୋଟ ପ୍ରତିଶତ ସିଧାସଳଖ ବିଜେପି-କଂଗ୍ରେସ ଖାତାକୁ ଯାଉଥିବା ଜଣାପଡ଼ିଛି। ସଦ୍ୟତମ ସର୍ଭେ ମାଧ୍ୟମରେ ମିଳିଥିବା ସର୍ଭେରୁ ଜଣାପଡ଼ିଛି ବିଜେପି ଏବଂ କଂଗ୍ରେସ ଭୋଟ ପ୍ରତିଶତ ଯଥାକ୍ରମେ ୨ ଏବଂ ୩ ପ୍ରତିଶତ ବଢିଛି। ବିଜେପି ଭୋଟ୍ ପ୍ରତିଶତ ୨% ବଢି ୪୧% ହୋଇଛି। ସେହିପରି କଂଗ୍ରେସ ଭୋଟ ପ୍ରତିଶତ ୩% ବଢି ୨୭ ପ୍ରତିଶତ ହୋଇଛି।