Ghulam Nabi Azad: ଗୁଲାମ ନବୀ ଆଜାଦ ଦଳରୁ ଇସ୍ତଫା ଦେବା ପରେ କଂଗ୍ରେସ ତାହାକୁ ସହଜରେ ହଜମ କରିପାରୁ ନାହିଁ। ଗୋଟିଏ ପରେ ଗୋଟିଏ କଂଗ୍ରେସର ବଡ ନେତାଙ୍କ ବୟାନ ଆସିବାରେ ଲାଗିଛି। କଂଗ୍ରେସର ବରିଷ୍ଠ ନେତା ଜି.ଏ ମିର (Ghulam Ahmad Mir) ଗୁଲାମ ନବୀ ଆଜାଦ ଦଳରୁ ଇସ୍ତଫା ଦେବା ପରେ କଂଗ୍ରେସ ଛାଡିଥିବା ନେତାମାନଙ୍କୁ 'ବିଜେପିର ଏ ଟିମ୍' ବୋଲି କହିଛନ୍ତି। କଂଗ୍ରେସର ପୂର୍ବତନ ଜାମ୍ମୁ-କାଶ୍ମୀର ୟୁନିଟ୍ ସଭାପତି ଜି.ଏ ମିର ରବିବାର ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଗୁଲାମ ନବୀ ଆଜାଦଙ୍କ ନେତୃତ୍ୱରେ କଂଗ୍ରେସ ଛାଡିଥିବା ନେତାମାନେ ଭାରତୀୟ ଜନତା ପାର୍ଟିର 'ଏ-ଟିମ୍'ର ଅଂଶ।


COMMERCIAL BREAK
SCROLL TO CONTINUE READING

ମିର କହିଛନ୍ତି ଯେ, ଗୁଲାମ ନବୀଙ୍କ ରାଜନୈତିକ ଭବିଷ୍ୟତ ମଧ୍ୟ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ଭଳି ହେବ। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଜି.ଏ ମିରଙ୍କ ସହିତ ଜାମ୍ମୁ-କାଶ୍ମୀର ପ୍ରଦେଶ କଂଗ୍ରେସ କମିଟି ସଭାପତି ବିକାଶ ରସୁଲ ଓ ଦଳର ଅନ୍ୟ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ। କଂଗ୍ରେସର ଜାମ୍ମୁ କାଶ୍ମୀର ୟୁନିଟର ଅନେକ ନେତା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୈଫୁଦ୍ଦିନ ସୋଜଙ୍କ ବାସଭବନରେ ଏକାଠି ହୋଇ ଦଳ ମଧ୍ୟରେ ଥିବା ଏକତାକୁ ପ୍ରଦର୍ଶନ କରିଥିଲେ। ପ୍ରାୟ ଡର୍ଜନେ ନେତା ସୋଜଙ୍କ ବାସଭବନରେ ଏକ ବୈଠକ କରି ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ।


ଆଜାଦଙ୍କ ରାଜନୈତିକ ଭବିଷ୍ୟତ ବିଷୟରେ ଏକ ପ୍ରଶ୍ନର ଉତ୍ତରରେ ମିର କହିଥିଲେ, ତାଙ୍କ ଭବିଷ୍ୟତ ଅମରିନ୍ଦର ସିଂଙ୍କ ଭଳି ହେବ। ସେ କହିଛନ୍ତି, ଏପର୍ଯ୍ୟନ୍ତ ଆମେ ଜାମ୍ମୁ-କାଶ୍ମୀରରେ କିଛି ଦଳକୁ ନେଇ ସେମାନଙ୍କୁ ବିଜେପିର ବି-ଟିମ୍, ସି-ଟିମ୍ କହୁଥିଲୁ। କିନ୍ତୁ ବର୍ତ୍ତମାନ ଆଜାଦଙ୍କ ନେତୃତ୍ବରେ ଏ-ଟିମ୍ ଭାବେ ଆଗକୁ ଆସିଛନ୍ତି। ପର୍ଦ୍ଦା ଉଠାଇବା ପାଇଁ ପ୍ରଚେଷ୍ଟା ଜାରି ରଖିଛୁ, ତାଙ୍କ ସହିତ କଣ ହେବ ଜାମ୍ମୁ-କାଶ୍ମୀରର ଲୋକେ ହିଁ ସ୍ଥିର କରିବେ। 


ଆଜାଦଙ୍କ ଇସ୍ତଫା ଟାଇମିଂ ଉପରେ ପ୍ରଶ୍ନର ଉତ୍ତରରେ ମିର କହିଛନ୍ତି ଯେ, ସେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ବିଦେଶରୁ ଫେରିବା ପର୍ଯ୍ୟନ୍ତ ଅପେକ୍ଷା କରିବା ଉଚିତ୍ ଥିଲା। ସେ କହିଛନ୍ତି ଯେ, ସମଗ୍ର ଦେଶ ଜାଣନ୍ତି ଯେ ବର୍ତ୍ତମାନ ଦେଶରେ କେବଳ ଦୁଇଟି ଗୋଷ୍ଠୀ ଅଛନ୍ତି।


ସେ କହିଛନ୍ତି ଯେ ଗୋଟିଏ ପଟେ ଭାରତ ଭାଙ୍ଗିବାକୁ ଚିନ୍ତା କରୁଥିବା ଦଳ କ୍ଷମତାରେ ଅଛି ଏବଂ ଅନ୍ୟ ପଟେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଦଳ ଦେଶକୁ ଏକଜୁଟ କରିବା ପାଇଁ କାର୍ଯ୍ୟ କରୁଛି। କଂଗ୍ରେସ କର୍ମୀମାନେ ଭାବୁଥିଲେ ଯେ, ଏତେ ବଡ ନେତା (ଗୁଲାମ ନବୀ ଆଜାଦ) ଦଳ ସହିତ ସବୁ ପରିସ୍ଥିତିରେ ଛିଡା ହେବେ। ଦୁର୍ଭାଗ୍ୟବଶତଃ ସେ ଅଲଗା ହୋଇଥିଲେ।



କଂଗ୍ରେସର ଜାମ୍ମୁ-କାଶ୍ମୀର ୟୁନିଟର ପୂର୍ବତନ ସଭାପତି କହିଛନ୍ତି ଯେ, ଏହି ବୈଠକରେ ଉପସ୍ଥିତ ଥିବା ସମସ୍ତ ନେତାମାନେ ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ କଂଗ୍ରେସର ଆଦର୍ଶ, ଏହାର ନେତୃତ୍ୱ ତଥା ଧର୍ମନିରପେକ୍ଷ ଚରିତ୍ରକୁ ସମର୍ଥନ କରିବାକୁ ଏକଜୁଟ ହୋଇଛନ୍ତି। ଆମେ ସୋନିଆ ଏବଂ ରାହୁଲ ଗାନ୍ଧୀଙ୍କ ସହ ଛିଡା ହୋଇ ଦଳକୁ ମଜବୁତ କରିବା ପାଇଁ ଅଧିକ ଉତ୍ସାହର ସହ କାର୍ଯ୍ୟ କରିବୁ ବୋଲି ମିର କହିଛନ୍ତି।