New Karnataka CM: ପ୍ରକାଶ ପାଇସାରିଛି ୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ। ଏହି ନିର୍ବାଚନରେ କଂଗ୍ରେସ ବାଜିମାତ କରିବା ସହ ୫ ବର୍ଷ ପରେ ପୁଣି ଥର ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି। ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ହେଉଥିବା ଚର୍ଚ୍ଚା ଉପରେ ପଡ଼ିଛି ପୂର୍ଣ୍ଣେଚ୍ଛେଦ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦ ଦଳର କେଉଁ ନେତାଙ୍କୁ ମିଳିବ ସେ ନେଇ ଅନ୍ତିମ ନିଷ୍ପତ୍ତି ନେଇସାରିଛନ୍ତି କଂଗ୍ରେସ ନେତବୃନ୍ଦ। 


COMMERCIAL BREAK
SCROLL TO CONTINUE READING

ମେ ୧୪ ତାରିଖ ରବିବାର ରାଜଧାନୀ ବେଙ୍ଗାଲୁରୁ ଠାରେ ଅନୁଷ୍ଠିତ ହୋଇଯାଇଛି କର୍ଣ୍ଣାଟକ କଂଗ୍ରେସ ବିଧାୟକ ଦଳ ବୈଠକ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ପଦକୁ ନେଇ ହୋଇସାରିଛି ନିଷ୍ପତ୍ତି। ଖବର ଅନୁସାରେ ସିଦ୍ଧରମୈୟା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦ ଭାର ଗ୍ରହଣ କରିବେ। ଅନ୍ୟପଟେ କର୍ଣ୍ଣାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବେ। ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ କର୍ଣ୍ଣାଟକ କଂଗ୍ରେସ ସଭାପତି ଭାବରେ କାର୍ଯ୍ୟ କରିବେ ଶିବକୁମାର। ରାଜ୍ୟରେ ଗଠିତ ହେବାକୁ ଯାଉଥିବା ମନ୍ତ୍ରୀମଣ୍ଡଳରେ ତାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ମଧ୍ୟ ଦିଆଯିବ। ଆସନ୍ତା ୧୮ ତାରିଖରେ ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇପାରେ। 


ଯଦିଓ ମୁଖମନ୍ତ୍ରୀ ପଦ କାହାକୁ ମିଳିବ ସେ ନେଇ କଂଗ୍ରେସ ହାଇକମାଣ୍ଡ ନିଷ୍ପତ୍ତି ନେଇସାରିଛନ୍ତି। ହେଲେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୁଇ ଗୋଷ୍ଠୀରେ ବାଣ୍ଟି ହୋଇଯାଇଛି କର୍ଣ୍ଣାଟକ କଂଗ୍ରେସ। ରାଜଧାନୀ ବେଙ୍ଗାଲୁରୁ ଠାରେ  ବିଧାୟକ ଦଳ ବୈଠକ ଚାଲିଥିବା ସମୟରେ ଉଭୟ ସିଦ୍ଧରମୈୟା ଏବଂ ଶିବକୁମାର ସମର୍ଥକ ପରସ୍ପର ବିରୋଧରେ ନାରାବାଜି କରିଥିଲେ। 


ଆସନ୍ତା ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ପଛୁଆ ବର୍ଗ କୁରୁବା ସମ୍ପ୍ରଦାୟରୁ ଆସୁଥିବା ସିଦ୍ଧରମୈୟାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଛି। ଅନ୍ୟପଟେ ଭୋକାଲିଗା ସମ୍ପ୍ରଦାୟରୁ ଆସୁଥିବା ଡି.କେ ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରେ ବସାଇବାକୁ ସ୍ଥିର କରିଛି ଦଳ। କଂଗ୍ରେସ ଦଳର କୌଣସି ପୁରୁଖା ନେତାଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁନାହିଁ। ଯଦିଓ ସିଦ୍ଧରମୈୟା ଲୋକପ୍ରିୟତା ଦୃଷ୍ଟିକୋଣରୁ ଆଗରେ ରହିଥିବାର କୁହାଯାଉଛି ହେଲେ ଶିବକୁମାରଙ୍କୁ ଅଧିକ ବିଧାୟକଙ୍କ ସମର୍ଥନ ରହିଛି।


କୁହାଯାଉଛି ଯେ କର୍ଣ୍ଣାଟକ କଂଗ୍ରେସ ସଭାପତି ଶିବକୁମାରଙ୍କ ପାଖରେ ଦଳର ୭୦-୭୫ ଜଣ ବିଧାୟକଙ୍କ ସମର୍ଥନ ରହିଛି। ବର୍ତ୍ତମାନ କଂଗ୍ରେସ ଶିବକୁମାରଙ୍କୁ ୨୦୨୪ ପର୍ଯ୍ୟନ୍ତ ଦଳ ପକ୍ଷରୁ ପ୍ରଦାନ କରାଯାଇଥିବା ପ୍ରସ୍ତାବ ଗ୍ରହଣ କରିବାକୁ କହୁଛି। କାରଣ ତାଙ୍କ ବିରୋଧରେ ମାମଲା ରହିଛି। ଯାହାର ତଦନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରୁଛି। ଯାହାକୁ ବିଜେପି ପ୍ରସଙ୍ଗ କରିପାରେ। ଏହି ପ୍ରସ୍ତାବ ଗ୍ରଗଣ କରିବାକୁ ଯଦିଓ ଶିବକୁମାର ପ୍ରସ୍ତୁତ ଅଛନ୍ତି, ହେଲେ ସେ ଅନ୍ୟ ଜଣେ ଉପମୁଖ୍ୟମନ୍ତ୍ରୀ ଚାହୁଁନାହାଁନ୍ତି। ବର୍ତ୍ତମାନ କଂଗ୍ରେସ ନେତୃବୃନ୍ଦଙ୍କୁ ଏହି ସମସ୍ୟାର ସମାଧାନ କରିବାକୁ ପଡିବ।


ବିଧାୟକ ଦଳ ବୈଠକ ପୂର୍ବରୁ କୁହାଯାଉଥିଲା ଯେ ମୁଖ୍ୟମନ୍ତ୍ରୀ ସହିତ ୩ ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବ। ମୁଖ୍ୟମନ୍ତ୍ରୀ ଦୌଡରେ ସିଦ୍ଧରମୈୟା ଏବଂ ଶିବକୁମାରଙ୍କ ନାମ ଆଗରେ ରହିଥିଲା। ବିଧାୟକ ଦଳ ବୈଠକ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଘରେ ଅନ୍ୟ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସିଦ୍ଧରମୈୟାଙ୍କ ସମର୍ଥକ ତାଙ୍କ ଘର ବାହାରେ ଏକ ପୋଷ୍ଟର ଲଗାଇଥିଲେ। ଯେଉଁଥିରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପ୍ରଦର୍ଶିତ କରାଯାଇଥିଲା। ହେଲେ ବିଧାୟକ ଦଳ ବୈଠକ ମୁହାଁମୁହିଁ ହୋଇଥିଲେ ସିଦ୍ଧରମୈୟା ଏବଂ ଶିବକୁମାରଙ୍କ ସମର୍ଥକ। ହେଲେ ଶେଷରେ ସିଦ୍ଧରମୈୟ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଦୌଡରେ ବାଜି ମାରିଥିବା ବେଳେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ପଦ ମିଳିଛି।