ଲୁଧିଆନା: ୨୦୦ ସହାୟକ ପ୍ରଫେସରଙ୍କୁ ଗିରଫ କଲା ପଞ୍ଜାବ ପୋଲିସ। ପଞ୍ଜାବ ସରକାରଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ କରୁଥିବାରୁ ସେମାନଙ୍କୁ ସୋମବାର ଗିରଫ କରାଯାଇଛି। ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଜାତୀୟ ପତାକା ଉତ୍ତୋଳନ ପାଇଁ ଲୁଧିଆନାରେ ପହଞ୍ଚିଥିବାବେଳେ ସେଠାରେ ତାଙ୍କୁ ବିରୋଧ କରାଯାଇଥିଲା।
 
ସ୍ୱାଧୀନତା ଦିବସରେ ପଞ୍ଜାବ ସରକାରଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ କରୁଥିବା ୨୦୦ ସହାୟକ ପ୍ରଫେସରଙ୍କୁ  ଲୁଧିଆନା ପୋଲିସ ଗିରଫ କରିଛି। ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି  ଅବସରରେ ଜାତୀୟ ପତାକା ଉତ୍ତୋଳନ ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ସୋମବାର ସକାଳେ ଲୁଧିଆନାରେ ପହଞ୍ଚିଥିଲେ। ମାତ୍ର ସେଠାରେ ତାଙ୍କୁ ବିରୋଧ କରାଯାଇଥିଲା। ସହାୟକ ପ୍ରଫେସରମାନେ ମାନଙ୍କୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବହୁ ସଂଖ୍ୟାର ଆସିଷ୍ଟାଣ୍ଟ ପ୍ରଫେସର ଓ ଲାଇବ୍ରେରିଆନ ଫ୍ରଣ୍ଟର ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରି ଲୁଧିଆନାର ଗୁରୁ ନାନକ ଷ୍ଟାଡିୟମ୍‌ ଆଡ଼କୁ ଶୋଭାଯାତ୍ରାରେ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିଥିଲା। 


COMMERCIAL BREAK
SCROLL TO CONTINUE READING

Also Read: ତ୍ରିରଙ୍ଗାକୁ ସ୍ୟାଲୁଟ୍ କରିବାକୁ ମନା କରିଥିଲେ ମହାତ୍ମା ଗାନ୍ଧୀ, ଜାଣନ୍ତୁ କାହିଁକି?


ଗିରଫ ପ୍ରଫେସର ଓ ଲାଇବ୍ରେରିଆନମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ସରାଭା ନଗର ପୋଲିସ ଷ୍ଟେସନକୁ ନିଆଯାଇଥିବା ବେଳେ ଆଉ କେତେକଙ୍କୁ ପଞ୍ଜାବୀ ଭବନରେ ଗିରଫ କରି ରଖା ଯାଇଥିଲା। ଏହି ସମୟରେ ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ସହ ପୋଲିସର ଯୁକ୍ତିତର୍କ ହୋଇଥିଲା। ପ୍ରଦର୍ଶନକାରୀମାନେ ଲାଲ୍ ପତାକା ନେଇ ଗୁରୁ ନାନକ ଷ୍ଟାଡିୟମ ଆଡ଼କୁ ଅଗ୍ରସର ହେଉଥିଲେ। କିନ୍ତୁ ପୋଲିସ ତାଙ୍କୁ ଷ୍ଟାଡିୟମ ପାଖରେ ଅଟକାଇ ଦେଇଥିଲା। ତେବେ ତଜିନ୍ଦର କୌର ନାମକ ଜଣେ ପ୍ରଦର୍ଶନକାରୀ ଜଣେ ମହିଳା ପୋଲିସ କର୍ମଚାରୀଙ୍କୁ ମାରପିଟ କରିଥିବା ଅଭିଯୋଗ ହୋଇଛି।


ଅଭିଯୋଗ ଅନୁଯାୟୀ, ପଞ୍ଜାବ ସରକାର ସହାୟକ ପ୍ରଫେସରଙ୍କ ନିଯୁକ୍ତିକୁ ରଦ୍ଦ କରିଥିଲେ। ସରକାର ଗତ ଅଗଷ୍ଟ ୮ ତାରିଖରେ ୧୧୫୮ ଜଣ ସହାୟକ ପ୍ରଫେସରଙ୍କ ନିଯୁକ୍ତିକୁ ରଦ୍ଦ କରିଛନ୍ତି। ଯାହାକୁ ବିରୋଧ କରି ପ୍ରଫେସରମାନେ ଏକଜୁଟ୍ ହୋଇଥିଲେ। ସେମାନେ ଏକାଠି ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିର୍ଦ୍ଦେଶକୁ ଫେରାଇନେବାକୁ ଦାବି କରୁବାକୁ ଚେଷ୍ଟା କରିଥିଲେ। ମାତ୍ର ମୁଖ୍ୟମନ୍ତ୍ରୀ ମାନ୍ ସେମାନଙ୍କୁ ସମୟ ଦେଉନଥିବାରୁ ସେମାନେ ଏଭଳି ବିରୋଧ ପ୍ରଦର୍ଶନ କରିଥିଲେ। ତେବେ ଯେପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ତାଙ୍କ କଥା ଶୁଣି ନାହାନ୍ତି, ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ବିକ୍ଷୋଭକାରୀମାନେ ଚେତାବନୀ ଦେଇଛନ୍ତି।