Maharashtra Cabinet Expansion: ଅନେକ ଦିନର ରାଜନୈତିକ ଅସ୍ଥିରତା ପରେ ବିଜେପି ସମର୍ଥନରେ ମହାରାଷ୍ଟ୍ରରେ ଗଠିତ ହୋଇଥିଲା ସିନ୍ଦେ। ଏହି ସରକାରରେ ବିଦ୍ରୋହୀ ଶିବସେନା ବିଧାୟକଙ୍କ ନେତା ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଏବଂ ବିଜେପି ନେତା ଦେବେନ୍ଦ୍ର ଫଡନାଭୀସ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ସିନ୍ଦେ ସରକାର ଗଠନ ହେବାକୁ ୨୨ ଦିନ ପୂରଣ ହୋଇଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇପାରିନାହିଁ କ୍ୟାବିନେଟ୍ ବିସ୍ତାର। ଅନେକ ଥର ଏକନାଥ ସିନ୍ଦେ ଏବଂ ଦେବେନ୍ଦ୍ର ଫଡନାଭୀସ  ଦିଲ୍ଲୀ ଠାରେ ଏହି ପ୍ରସଙ୍ଗରେ ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କ ସହ କଥା ହୋଇଥିଲେ ମଧ୍ୟ ଏନେଇ କୌଣସି ନିଷ୍ପତ୍ତି ନିଆଯାଇ ପାରିନାହିଁ। ଗତ ଶୁକ୍ରବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମ୍ମାନାର୍ଥେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଆୟୋଜିତ ହୋଇଥିବା ରାତ୍ରୀ ଭୋଜନରେ ଉଭୟ ସିନ୍ଦେ ଏବଂ ଫଡନାଭୀସ ଯୋଗ ଦେଇଥିଲେ। ଏହା ପରେ କ୍ୟାବିନେଟ ବିସ୍ତାରକୁ ନେଇ ଚର୍ଚ୍ଚା ଜୋର ଧରିଛି। 


COMMERCIAL BREAK
SCROLL TO CONTINUE READING

ଜୁଲାଇ ୨୩ ତାରିଖ ଶନିବାର ରାଜଧାନୀ ମୁମ୍ବାଇସ୍ଥିତ ପାନଭେଲ ଠାରେ ମହାରାଷ୍ଟ୍ର ବିଜେପି ପକ୍ଷରୁ ଆୟୋଜିତ ହୋଇଥିଲା ଦଳୀୟ କାର୍ଯ୍ୟକାରିଣୀ ବୈଠକ। ଏହି ବୈଠକରେ କ୍ୟାବିନେଟ ସମ୍ପ୍ରସାରଣ ନେଇ ଆଲୋଚନା ହୋଇଥିଲା। ଏହା ପରେ ଜୁଲାଇ ୨୫ ତାରିଖ ସୋମବାର ଉଭୟ ମୁଖ୍ୟମନ୍ତ୍ରୀ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଫଡନାଭୀସ ଦିଲ୍ଲୀ ଠାରେ ଆୟୋଜିତ ରାଷ୍ଟ୍ରପତି ନିର୍ବାଚିତ ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ। ଏହା ପରେ ବରିଷ୍ଠ ବିଜେପି ନେତାଙ୍କ ଏକ ବୈଠକ ଅନୁଷ୍ଠିତ ହେବ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମହାରାଷ୍ଟ୍ର କ୍ୟାବିନେଟର ସମ୍ପ୍ରସାରଣ ବିଧାନସଭାର ମୌସୁମୀ ଅଧିବେଶନର ୨-୩ ଦିନ ପୂର୍ବରୁ ହେବ। ଅଗଷ୍ଟ ପ୍ରଥମ ସପ୍ତାହରେ ହୋଇପାରେ ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ। 


ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସିନ୍ଦେ ଗୋଷ୍ଠୀର ଜଣେ ନେତା କହିଛନ୍ତି ଯେ ନୂତନ ମନ୍ତ୍ରୀଙ୍କ ଶପଥ ଗ୍ରହଣ ତାରିଖ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଠାରୁ ଶୁଣିବାକୁ ମିଳିନାହିଁ। ଶିବସେନା ନେତା ମହାବିକାଶ ଅଘାଡ଼ି ସରକାରଙ୍କ ୮ ଜଣ ମନ୍ତ୍ରୀ ଦଳର ଅଧ୍ୟକ୍ଷ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ବିଦ୍ରୋହ କରିଥିଲେ। ଏହି ସମସ୍ତ ନେତାଙ୍କୁ କ୍ୟାବିନେଟରେ ଅନ୍ତର୍ଭୂକ୍ତ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଏହା ବ୍ୟତୀତ ବିଜେପି ନେତାଙ୍କୁ ମଧ୍ୟ ନୂତନ ମନ୍ତ୍ରୀମଣ୍ଡଳରେ ବଡ ବିଭାଗ ପ୍ରଦାନ କରାଯାଇପାରେ। 


ନିକଟରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମହାରାଷ୍ଟ୍ରରେ କ୍ଷମତାସୀନ ବିଜେପି ସମର୍ଥିତ ସିନ୍ଦେ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ କ୍ୟାବିନେଟ ବିନା "ସାମ୍ବିଧାନିକ ଦ୍ୱନ୍ଦ୍ୱ" ସ୍ଥିତିରେ ଥାଇ ମଧ୍ୟ ସରକାର ମନମୁଖୀ ନିଷ୍ପତ୍ତି ନେଉଛନ୍ତି। ଗତ ଜୁନ ୩୦ ତାରିଖରେ  ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଏବଂ ବିଜେପି ନେତା ଦେବେନ୍ଦ୍ର ଫଡନାଭୀସ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ହେଲେ ସେବେଠାରୁ କ୍ୟାବିନେଟ୍ ବିସ୍ତାର ହୋଇଇ ନାହିଁ। ଏହି ସରକାର ଔରଙ୍ଗାବାଦ ଏବଂ ଓସମାନାବାଦ ସହର ଏବଂ ପ୍ରସ୍ତାବିତ ନାଭି ମୁମ୍ବାଇ ବିମାନବନ୍ଦରର ନାମ ପରିବର୍ତ୍ତନ, ମେଟ୍ରୋ ପ୍ରକଳ୍ପ ବାବଦରେ ନିଷ୍ପତ୍ତି ନେବା ଆରମ୍ଭ କରିଛି।


Also Read: Maharashtra Cabinet Expansion: କେବେ ହେବ ମନ୍ତ୍ରୀମଣ୍ଡଳ ବିସ୍ତାର?