Maharastra Political Crisis: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ମହାନାଟକ ଦିନକୁ ଦିନ ବୁଢିଆଣୀ ଜାଲରେ ଛନ୍ଦି ହେଇଯାଉଛି। ଉଦ୍ଧବ ଠାକରେଙ୍କ ନେତୃତ୍ୱାଧିନ ମହା ବିକାଶ ଅଘାଡି ସରକାର ଭାଙ୍ଗିବା ଏକ ପ୍ରକାରର ଥୟ ହୋଇଯାଇଛି। ରାଜନୈତିକ ଛକା ପଞ୍ଝା ମଧ୍ୟରେ ଶୁକ୍ରବାର ରାତିରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କୁ ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ଶିନ୍ଦେ ସାକ୍ଷାତ କରିଥିବା ସୂଚନା ମିଳିଛି। ଅନ୍ୟପଟେ ଶିନ୍ଦେଙ୍କ ସମର୍ଥକମାନେ ଶିବସେନା ମୁଖ୍ୟଙ୍କ ବିରୁଦ୍ଧରେ କୋର୍ଟ ଯିବାକୁ ପ୍ରସ୍ତୁତ ହେଉଛନ୍ତି। 


COMMERCIAL BREAK
SCROLL TO CONTINUE READING

ସୂଚନାନୁସାରେ, ବିଦ୍ରୋହୀ ଶିବସେନା ନେତା ଏକନାଥ ଶିନ୍ଦେ ଶୁକ୍ରବାର ରାତିରେ ଭଡୋଦରା ଠାରେ ବିଜେପିର ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିଛନ୍ତି। ଉଭୟଙ୍କ ମଧ୍ୟରେ ସରକାର ଗଠନ ଉପରେ ଆଲୋଚନା ହୋଇଛି। ଏହି ବୈଠକ ଏପରି ଏକ ସମୟରେ ଘଟିଛି ଯେତେବେଳେ ଶିବସେନା ଓ ଶିବସେନା ମଧ୍ୟରେ ଯୁଦ୍ଧ ତୀବ୍ର ହୋଇଛି। ଉଦ୍ଧବ ଠାକରେଙ୍କ ସମର୍ଥିତ ବିଧାୟକଙ୍କ ସଂଖ୍ୟା କମ୍ ହୋଇପାରେ, କିନ୍ତୁ ଦଳ ଉପରେ ନିୟନ୍ତ୍ରଣ ପ୍ରତିଷ୍ଠା ପାଇଁ ତାଙ୍କର ପ୍ରୟାସ ତୀବ୍ର ହୋଇଛି। ଶନିବାର ଶିବସେନାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଡକାଯାଇଥିଲା ଯେଉଁଥିରେ ବିଦ୍ରୋହୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଅଧିକାର ଦିଆଯାଇଛି। ଏହା ସହିତ ଦଳର ଅଧିକାରୀମାନେ ମଧ୍ୟ ତାଙ୍କ ନେତୃତ୍ୱ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି। 


Also Read: ଭଡୋଦରାରେ ବୈଠକ କଲେ ଶିନ୍ଦେ ଓ ଫଡନାଭିସ୍; ମହାରାଷ୍ଟ୍ରରେ ସରକାର ଗଠନ କରିବ ବିଜେପି!


ଖବର ଅନୁଯାୟୀ, ଏକନାଥ ଶିନ୍ଦେ (Eknath Sinde) ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭଡୋଦରାରେ ପହଞ୍ଚିଥିଲେ ଯେଉଁଠାରେ ଦୁଇ ନେତା ସାକ୍ଷାତ ହୋଇଥିଲେ। ସୂତ୍ରରୁ ପ୍ରକାଶ ଯେ, ଶୁକ୍ରବାର ଗୃହମନ୍ତ୍ରୀ ଅମିତ ଶାହା (Amit Shah) ମଧ୍ୟ ଭଡୋଦରା ଠାରେ ଉପସ୍ଥିତ ଥିଲେ, ଯଦିଓ ଏହି ସଭାରେ ତାଙ୍କ ଉପସ୍ଥିତି ବିଷୟରେ କିଛି କୁହାଯାଇ ନାହିଁ। ଶୁକ୍ରବାର ରାତିରେ ଶିନ୍ଦେ, ଆସାମର ଗୌହାଟୀରୁ ଭଡୋଦରା ପହଞ୍ଚିଥିଲେ। ଯେଉଁଠାରେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିଥିଲେ। ଏହି ବୈଠକ ପରେ ଶିନ୍ଦେ ଗୌହାଟୀର ପାଞ୍ଚ ତାରକା ହୋଟେଲକୁ ଫେରିଛନ୍ତି ଯେଉଁଠାରେ ୪୦ରୁ ଅଧିକ ବିଦ୍ରୋହୀ ବିଧାୟକ ଅଛନ୍ତି। ଏହି ବୈଠକ ଏପରି ଏକ ସମୟରେ ଆସିଛି ଯେତେବେଳେ ଶିବସେନାର ଠାକରେ ସକକାର, ବିଧାନସଭାର ଉପ ବାଚସ୍ପତିଙ୍କୁ ୧୬ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଅପିଲ କରିଛନ୍ତି। ଏହି ପରିପ୍ରେକ୍ଷୀରେ, ଉପ ବାଚସ୍ପତି ଏହି ବିଧାୟକମାନଙ୍କୁ ଦୁଇ ଦିନ ସମୟ ଦେଇଛନ୍ତି ଏବଂ ଜୁନ୍ ୨୭ରେ ଅପରାହ୍ନ ସାଢେ ପାଞ୍ଚଟା ସୁଦ୍ଧା ଲିଖିତ ଉତ୍ତର ଦେବାକୁ କହିଛନ୍ତି।


ଅନ୍ୟପକ୍ଷରେ, ଶିନ୍ଦେ ଦଳ ଏହି କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ଏବଂ ଦଳ ଉପରେ ଚାବୁକ ପ୍ରୟୋଗ ହେବ ନାହିଁ ବୋଲି କହିଛନ୍ତି। ଶିନ୍ଦେ ଦଳର ନେତା ଦୀପକ କେସରକର କହିଛନ୍ତି ଯେ, ଆମେ ଶିବସେନା (Shiv sena) ରୁ ବାହାରି ନାହୁଁ। ଆମେ ଶିବସେନାରେ ଅଛୁ। ଆମକୁ ଏହା କରିବାକୁ କେହି କହି ନାହାଁନ୍ତି। ଆମେ ଏସବୁକୁ ନିଜ ଇଚ୍ଛାରେ କରିଛୁ। ଆମେ କୋର୍ଟ (Court) ରେ ଉପ ବାଚସ୍ପତିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବୁ। ଆମେ ଶିବସେନା ଠାରୁ ଭିନ୍ନ ନୁହଁ କି ଆମେ ଶିବସେନାର ଅଲଗା ନାମ ମାଗି ନାହୁଁ। ତେବେ ଉପ ବାଚସ୍ପତ୍ତି ଯେଉଁ ସମନ ଜାରି କରିଛନ୍ତି ତାହାର ଉତ୍ତର ଦେବାକୁ ଶିନ୍ଦେଙ୍କ ସମର୍ଥକମାନେ ସପ୍ତାହେ ସମୟ ମାଗିଛନ୍ତି।