ଚନ୍ଦନ ପାଇକରାୟ, ଭୁବନେଶ୍ୱର: ଲେଖାଶ୍ରୀ ସାମନ୍ତସିଂହାରଙ୍କ ପାଇଁ ଏବେ ରାଜରାସ୍ତାରେ ଜଳିଲାଣି ନିଆଁ। କଂଗ୍ରେସ ଠାରୁ ଆରମ୍ଭ କରି ଅନେକ ରାଜନୈତିକ ଦଳ ଲେଖାଶ୍ରୀଙ୍କ ପୁରୀ ମନ୍ତବ୍ୟକୁ ନେଇ ଜୋରଦାର ବିରୋଧ କରୁଛନ୍ତି। ସେପଟେ ପୁରୀକୁ ନେଇ ଦେଇଥିବା ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା ନକଲେ ଆଗାମୀ ଦିନରେ କୌଣସି ମନ୍ଦିର ମଧ୍ୟରେ ପ୍ରବେଶ ଦିଆଯିବ ନାହିଁ ବୋଲି ରାଜ୍ୟର ମନ୍ଦିର ପୂଜକ ମହାସଂଘ ପକ୍ଷରୁ ଲେଖାଶ୍ରୀଙ୍କୁ କଡା ଚେତାବନୀ ଦିଆଯାଇଛି।


COMMERCIAL BREAK
SCROLL TO CONTINUE READING

ଦିନକୁ ଦିନ ସମସ୍ୟା ଜାଲରେ ଛନ୍ଦି ହୋଇପଡୁଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ତଥାପି ମଧ୍ୟ ଭୁଲ ମାନିବା ପାଇଁ ସେ ପ୍ରସ୍ତୁତ ନୁହନ୍ତି। ପୁରୀକୁ ଲୋକମାନେ କୋଲକାତାର ବୋଲି ଜାଣିବା ପ୍ରସଂଗ କହିବା ପରେ ଲେଖାଶ୍ରୀଙ୍କୁ ସବୁ ସ୍ତରରୁ ବିରୋଧ ହେଉଛି। ତେବେ ଏ ନେଇ ଲେଖାଶ୍ରୀ ପୁଣି ଥରେ ମୁହଁ ଖୋଲି ଆଉ ଏକ ବିବାଦୀୟ ବୟାନ ଦେଇଛନ୍ତି। 


ସେ କହିଛନ୍ତି ଯେ, ପୁରୀକୁ ବିଶ୍ବ ପ୍ରସିଦ୍ଧ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ହେଲେ ସେପଟେ ପୁରୀ ସାରା ବିଶ୍ବରେ ପରିଚିତ ବୋଲି ପ୍ରତ୍ୟେକ ଓଡିଆ ଗର୍ବ କରୁଛନ୍ତି। ଲେଖାଶ୍ରୀଙ୍କ ବୟାନକୁ ନେଇ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବା ସହ ତାଙ୍କ କୁଶପୁତ୍ତଳିକା ଦାହ କରିଛି। ଲେଖାଶ୍ରୀଙ୍କ ବିରୋଧରେ କ୍ୟାପିଟାଲ ଥାନାରେ କଂଗ୍ରେସ ଏକ ଏତଲା ମଧ୍ୟ ଦେଇଛି। 


ସେପଟେ ଲେଖାଶ୍ରୀ କ୍ଷମା ନ ମାଗିଲେ ତାଙ୍କୁ ରାଜ୍ୟର କୌଣସି ମନ୍ଦିରରେ ପୁରାଇ ଦିଆଯିବ ନାହିଁ ବେଲି ରାଜ୍ୟ ମନ୍ଦିର ସେବାୟତ ସଂଘ ଚେତାବନୀ ଦେଇଛି। ସେ ବିଶ୍ବ ପ୍ରସିଦ୍ଧ ପୁରୀର ଅବସ୍ଥିତିକୁ ନେଇ କଦ୍ଦର୍ଥ କରିଥିବା ଅଭିଯୋଗ ହେଉଛି। ଲେଖାଶ୍ରୀଙ୍କ ପାଇଁ ଏବେ ଅଡୁଆରେ ପଡିଛି ବିଜେପି। ଖୋଲା ଖୋଲି ନ କହିଲେ ମଧ୍ୟ ଲେଖାଶ୍ରୀଙ୍କ ବୟାନ ଭୁଲ ଖୋଦ ବିଜେପି ନେତା ବୋଲି କହୁଛନ୍ତି।


ଲେଖାଶ୍ରୀ ଓ ସମ୍ବିତ ପାତ୍ରଙ୍କୁ ପୁରୀରେ ପ୍ରବେଶ କରାଇ ନଦେବା ପାଇଁ ଧମକ ଦେବା ସହ କ୍ୟାପିଟାଲ ଥାନାରେ ଲେଖାଶ୍ରୀଙ୍କ ବିରୋଧରେ କଂଗ୍ରେସ ଏତଲା ଦେଇଛି। ଯେତେ ବିରୋଧ ହେଲେ ମଧ୍ୟ ନିଜ ଭୁଲ ମାନିବା ନେଇ ପ୍ରସ୍ତୁତ ନାହାନ୍ତି ଲେଖାଶ୍ରୀ। ପୁଣିଥରେ ସେ ପୁରୀର ଅବସ୍ଥିତିକୁ ନେଇ ଦୋହୋରାଇବା ସହ ବାହାରେ ଲୋକମାନେ ପୁରୀ କେଉଁଠି ବୋଲି ପଚାରୁଥିବା କଥାକୁ ଆହୁରୀ ଦୃଢୋକ୍ତିର ସହ କହିଛନ୍ତି। ଏପରିକି ପୁରୀ ଏ ପର୍ଯ୍ୟନ୍ତ ବିଶ୍ବ ପ୍ରସିଦ୍ଧ ହୋଇପାରିନାହିଁ ବୋଲି ଲେଖାଶ୍ରୀ କହିଛନ୍ତି। 


ତେବେ ତାଙ୍କ ବିରୋଧରେ ଆସୁଥିବା ମନ୍ତବ୍ୟ ପାଇଁ ସେ ବିଜେଡିକୁ ଟାର୍ଗେଟ କରିଛନ୍ତି। ବିଜେଡିକୁ ଏବେ ପ୍ରସଂଗ ମିଳୁନଥିବାରୁ କେବଳ ମୋ ପ୍ରସଂଗ ଧରି ବସିଥିବା ଖୋଦ ଲେଖାଶ୍ରୀ କହିଛନ୍ତି। ଏପରିକି ରାଜ୍ୟର ସ୍ବାର୍ଥ ନେଇ ସେ ସବୁବେଳ କାମ କରୁଥିବାରୁ ଏଭଳି ମନ୍ତବ୍ୟ ସେ ୧୦ ଥର ଦେବେ ବୋଲି କହିଛନ୍ତି । ସେପଟେ ଲେଖାଶ୍ରୀଙ୍କ ଦାୟିତ୍ବହୀନ ମନ୍ତବ୍ୟ ନେଇ କଡା ସମାଲୋଚନା କରିଛି ବିଜେଡି।