Gujarat Assembly Election 2022: ଚଳିତ ବର୍ଷ ହେବାକୁ ଯାଉଛି ଗୁଜୁରାଟ ବିଧାନସଭା ନିର୍ବାଚନ। ଖୁବ ଶୀଘ୍ର ଏନେଇ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ ଆୟୋଗ। ଏଭଳି ପରିସ୍ଥିତିରେ ୨୭ ବର୍ଷ ଧରି ଗୁଜୁରାଟ ଶାସନ ଡୋରୀ ଧରିଥିବା ବିଜେପି ଏହାର ପାରମ୍ପରିକ ଗଡକୁ ବଞ୍ଚାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛି। ଯଦି ସୂତ୍ରକୁ ବିଶ୍ୱାସ କରାଯାଏ ତାହେଲେ ଗୁଜୁରାଟରେ ବିଜେପିକୁ ନିର୍ବାଚନ ବୈତରଣୀ ପାର କରାଇବା ଦାୟିତ୍ୱ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନେଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ଏନେଇ ଶୁକ୍ରବାର ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା ଏକ ବଡ଼ ବୈଠକ। ଯେଉଁ ବୈଠକରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ଗୁଜରାଟ ବିଜେପି ସଭାପତି ସିଆର ପାଟିଲ। ପ୍ରାୟ ୫ ଘଣ୍ଟା ଧରି ଚାଲିଥିଲା ଏହି ବୈଠକ। ଗୁଜୁରାଟ ଗାଦି ବଞ୍ଚାଇବା ପାଇଁ ବୈଠକରେ ରଣନୀତି ପ୍ରସ୍ତୁତ କରାଯାଇଛି। ଏଥର ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗରେ ରଖି ଗୁଜୁରାଟ ବିଧାନସଭା ନିର୍ବାଚନ ଲଢିବ ବିଜେପି। ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦଳୀୟ ରଣନୀତି ପ୍ରସ୍ତୁତ କରିବେ। ଏହି ୫ ଘଣ୍ଟିଆ ମାରାଥନ ବୈଠକରେ ଗୁଜୁରାଟ ନିର୍ବାଚନ ବାବଦର ରଣନୀତି ସ୍ଥିର ହୋଇଛି। ଏଥିର ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଧ୍ୟାନ ଦିଆଯାଉଛି।


ଗୁଜୁରାଟ ନିର୍ବାଚନ ଲାଗି ଦିପାବଳୀ ପରେ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ ଆୟୋଗ। ଏଭଳି ପରିସ୍ଥିତିରେ ବାକି ରହିଥିବା ୧୦-୧୨ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଗୃହ ରାଜ୍ୟ ଗୁଜୁରାଟ ଲାଗି ଅନେକ ବଡ ଉପହାର ଦେଇପାରନ୍ତି। ଚଳିତ ୧୮ ଅକ୍ଟୋବରରୁ ୨୨ ଅକ୍ଟୋବର ପର୍ଯ୍ୟନ୍ତ ଗୁଜୁରାଟ ରାଜଧାନୀ ଗାନ୍ଧୀ ନଗରରେ ଡିଫେନ୍ସ ଏକ୍ସପୋ ଅନୁଷ୍ଠିତ ହେଉଛି। ଅକ୍ଟୋବର ୧୯ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଏହାର ଉଦଘାଟନ କରିବେ। ଏହି ପ୍ରଦର୍ଶନୀରେ ସରକାର ୧.୨୫ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ବିନିଯୋଗ ପାଇଁ ୪ ଶହରୁ ଅଧିକ ବୁଝାମଣା ସ୍ୱାକ୍ଷର କରିବେ ବୋଲି ଆଶା କରାଯାଉଛି। ଏହା ବ୍ୟତୀତ ଦିପାବଳୀ ଅବସରରେ ଅନେକ ଯୋଜନାର ମୂଳଦୁଆ ପକାଇବା ସହ ଉଦଘାଟନ ମଧ୍ୟ କରିବେ ପ୍ରଧାନମନ୍ତ୍ରୀ।


ଗୁଜୁରାଟରେ ଅତୀତରେ ଅନେକ ସରକାରୀ କର୍ମଚାରୀ ଏବଂ କୃଷକ ସଙ୍ଗଠନ ସେମାନଙ୍କ ସମସ୍ୟାକୁ ନେଇ ସରକାରଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି। ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଶିକ୍ଷକ, ଚତୁର୍ଥ ଶ୍ରେଣୀର ସରକାରୀ କର୍ମଚାରୀ, ସ୍ୱାସ୍ଥ୍ୟ କର୍ମୀ, କୃଷକ, ବନ କର୍ମଚାରୀ ଏବଂ ଅନ୍ୟାନ୍ୟ ସଙ୍ଗଠନ ମଧ୍ୟ ଥିଲେ। ଗ୍ରେଡ୍ ବେତନ ବୃଦ୍ଧି ଏବଂ ପୁରୁଣା ପେନସନ୍ ଯୋଜନା ଏବଂ ଅନ୍ୟାନ୍ୟ ଦାବି କାର୍ଯ୍ୟକାରୀ କରିବାକୁ ନେଇ ସେମାନେ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ।  ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସରକାର ସେମାନଙ୍କ କେତେକଙ୍କୁ ଶାନ୍ତ କରିବାରେ ସଫଳ ହୋଇଛନ୍ତି। ହେଲେ କେତେକ ସଙ୍ଗଠନ ଏବେ ମଧ୍ୟ ସରକାରଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି। ଏହି କାରଣରୁ ପ୍ରଧାନମନ୍ତ୍ରୀ ଶୀଘ୍ର ଏହାର ସମାଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


ଏଥର ଗୁଜୁରାଟ ବିଧାନସଭା ନିର୍ବାଚନ ତ୍ରିକୋଣୀୟ ମୁକାବିଲା ଦେଖିବାକୁ ମିଳିପାରେ। ବିଜେପି-କଂଗ୍ରେସ ବ୍ୟତୀତ ଏଥର ଆମ୍ ଆଦମୀ ପାର୍ଟି ମଧ୍ୟ ରାଜ୍ୟରେ ନିଜର ଉପସ୍ଥିତି ମଜବୁତ କରିବା ଲାଗି ଜୋରଦାର କାର୍ଯ୍ୟ କରୁଛି। ଆପ ସଂଯୋଜକ ଅରବିନ୍ଦ କେଜ୍ରିୱାଲ କର୍ମଚାରୀଙ୍କ ପୁରୁଣା ପେନ୍‌ସନ୍‌ କାର୍ଯ୍ୟକାରୀ କରିବା ସହିତ ମାଗଣା ଜଳ, ବିଦ୍ୟୁତ୍‌ ଯୋଗାଇବା ଭଳି ଅନେକ ଲୋଭନୀୟ ପ୍ରତିଶୃତି ଦେଉଛନ୍ତି। ଏଭଳି ପରିସ୍ଥିତିରେ ରାଜ୍ୟବାସୀ ଯେଉଁ ଏହି ପ୍ରତିଶୃତି ଦ୍ୱାରା ପ୍ରଲୋଭିତ ନ ହୁଅନ୍ତି ସେ ବିଜେପି କେନ୍ଦ୍ରୀୟ ତଥା ରାଜ୍ୟ ସ୍ତରୀୟ ନେତାଙ୍କୁ ଜନସାଧାରଣଙ୍କ ପାଖକୁ ଯାଇ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ବାବଦରେ ଅବଗତ କରିବାକୁ ଦାୟିତ୍ୱ ଦେଇଛି। ଗୁଜୁରାଟ ଗୌରବ ଯାତ୍ରା ହେଉଛି ଏହାର ଆରମ୍ଭ।


ଏଥି ସହିତ କଂଗ୍ରେସର ନୀରବତା ମଧ୍ୟ ବିଜେପି ପାଇଁ ଚିନ୍ତାର କାରଣ ପାଲଟିଛି। ନିକଟରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବିଜେପି କର୍ମରକର୍ତ୍ତାଙ୍କୁ କଂଗ୍ରେସ ନୀରବତାକୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କଂଗ୍ରେସ ଗାଁ ଗାଁ ଯାଇ ବୈଠକ କରୁଛି। ହେଲେ ଗଣମାଧ୍ୟମକୁ ଆସୁନାହିଁ। ଏହାର ମୁକାବିଲା ପାଇଁ ବିଜେପି ଏହାର କର୍ମକର୍ତ୍ତାଙ୍କୁ ମତଦାତାଙ୍କ ସହ ଯୋଗାଯୋଗ କରିବା ଏବଂ ଘର ଘର ବୁଲି ଦଳୀୟ ପ୍ରଚାର କରିବାକୁ କହିଛି। ଯଦି ଦଳୀୟ ସୂତ୍ରକୁ ବିଶ୍ୱାସ କରାଯାଏ, ତାହେଲେ ଖୁବ୍ ଶୀଘ୍ର କେନ୍ଦ୍ରମନ୍ତ୍ରୀ ଅମିତ ଶାହ ମଧ୍ୟ ଗୁଜୁରାଟ ବିଜେପି ନେତାଙ୍କ ସହ ଏକ ବୈଠକ ମଧ୍ୟ କରିପାରନ୍ତି। 


ଗୁଜୁରାଟରେ ବିଜେପି ପ୍ରାୟ ୪୦-୫୦ ସିଟ୍ ଉପରେ ସତର୍କ ନଜର ରଖିଛି। ଯେଉଁଠାରେ ଦଳ ନିଜସ୍ୱ ସର୍ଭେରେ ଦୁର୍ବଳ ଦେଖାଯାଉଛି। ଏହି ଆସନକୁ ଦଖଲ କରିବା ପାଇଁ ମଧ୍ୟ ରଣନୀତି ମଧ୍ୟ ପ୍ରସ୍ତୁତ ହେଉଛି। ଏଠାରେ ଦଳ ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ଶାହଙ୍କ ନେଇ ଅଧିକ ଅଧିକ ଦଳୀୟ ରାଲି ଆୟୋଜନ କରିବାକୁ ଯାଉଛି। ଏଥି ସହିତ ଦଳ ଆଦିବାସୀ ବର୍ଗ ପାଇଁ ସଂରକ୍ଷିତ ଆସନରେ ଦଳୀୟ ସଙ୍ଗଠନକୁ ମଜବୁତ କରିବାକୁ ଚେଷ୍ଟା କରୁଛି। ରାଜ୍ୟରେ ଆଦିବାସୀ ବର୍ଗ ପାଇଁ ୨୭ ସିଟ୍ ସଂରକ୍ଷିତ ରହିଛି। ଗତ ୨୦୧୭ ନିର୍ବାଚନରେ ଦଳ କେବଳ ୯ ଆସନ ପାଇଥିଲା। ଅନ୍ୟପଟେ ୨ ଆସନ ଭାରତୀୟ ଟ୍ରାଇବାଲ ପାର୍ଟି ବାକି ସମସ୍ତ ଆସନ କଂଗ୍ରେସ ଖାତାକୁ ଯାଇଥିଲା।


ରାଜନୈତିକ ବିଶେଷଜ୍ଞଙ୍କ କହିବା କଥା ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଅଧିକ ଜନାଧାର ରହିଥିବା ନେତା ନୁହଁନ୍ତି। ଏଭଳି ପରିସ୍ଥିତିରେ ବିଜେପି ନିଷ୍ପତ୍ତି ନେଇଛି ଯେ ଦଳ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚେହେରା ଏବଂ  କେନ୍ଦ୍ରମନ୍ତ୍ରୀ ଶାହଙ୍କ ରଣନୀତି ଆଧାରରେ ଏହି ନିର୍ବାଚନରେ  ଅବତୀର୍ଣ୍ଣ ହେବ।