Indian Citizenship: ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଏକ ବଡ଼ ବାଜି ଖେଳିଛନ୍ତି କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର। ଆଫଗାନିସ୍ତାନ, ବାଂଲାଦେଶ, ପାକିସ୍ତାନ ଆଦି ପଡୋଶୀ ଦେଶରୁ ଆସିଥିବା ଏବଂ ବର୍ତ୍ତମାନ ଗୁଜୁରାଟର ଦୁଇଟି ଜିଲ୍ଲାରେ ରହୁଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଭାରତୀୟ ନାଗରିକତା ଅଧିନିୟମ ୧୯୫୫ ଅନୁଯାୟୀ ମୋଦି ସରକାର ସେମାନଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ହେଲେ ବର୍ତ୍ତମାନ ବିବାଦୀୟ ନାଗରିକତା ସଂଶୋଧନ ଅଧିନିୟମ ୨୦୧୯ ଆଧାରରେ ନାଗରିକତା ମିଳିବ ନାହିଁ।


COMMERCIAL BREAK
SCROLL TO CONTINUE READING

ଗତ ୨୦୧୯ ବର୍ଷରେ ପାରିତ ହୋଇଥିଲା ବିବାଦୀୟ ନାଗରିକତା ସଂଶୋଧନ ଅଧିନିୟମ (Citizenship Amendment Act) ସିଏଏ (CAA)। ଏହି ଆଇନ ଅଧିନରେ ପଡୋଶୀ ଦେଶରେ ଧାର୍ମିକ ଉତ୍ପୀଡନର ଶିକାର ହୋଇ ଭାରତକୁ ଚାଲି ଆସିଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ଭାରତୀୟ ନାଗରିକତା (Indian Citizenship) ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଥିଲା। ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ଥାନ ଆଦି ପଡୋଶୀ ଦେଶରୁ ଭାରତକୁ ପଳାଇ ଆସିଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ଆଦି ସମ୍ପ୍ରଦାୟର ଲୋକଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରିବାକୁ ଅନୁମତି ସିଏଏ ଦେଇଥାଏ। ଯେହେତୁ ଏହି ଅଧିନିୟମ ଅନୁଯାୟୀ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ଏ ସମ୍ପର୍କିତ କୌଣସି ଆଇନ ସରକାର ପ୍ରସ୍ତୁତ କରିନାହାଁନ୍ତି, ଏହି କାରଣରୁ ଏପର୍ଯ୍ୟନ୍ତ କାହାକୁ ନାଗରିକତ୍ୱ ଦିଆଯାଇନାହିଁ।


Also Read: CAA Protest: ପୁଣି ପୂର୍ବୋତ୍ତର ଭାରତରେ ହୋଇପାରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ଆନ୍ଦୋଳନ


ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ଗୁଜୁରାଟ ଆଣନ୍ଦ ଏବଂ ମେହସାଣା ଜିଲ୍ଲାରେ ରହୁଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାରସୀ ଏବଂ ଖ୍ରୀଷ୍ଟିଆନଙ୍କୁ ୧୯୫୫ ନାଗରିକତ୍ୱ ଅଧିନିୟମର ଧାରା ୫ ଏବଂ ୬ ଅନୁଯାୟୀ ଏବଂ ନାଗରିକତା ନିୟମ ୨୦୦୯ ଅନୁଯାୟୀ ଭାରତୀୟ ନାଗରିକ ଭାବେ ପଞ୍ଜୀକରଣ ଅନୁମତି ଦିଆଯିବ କିମ୍ବା ସେମାନଙ୍କୁ ଦେଶର ନାଗରିକ ପ୍ରମାଣପତ୍ର ଦିଆଯିବ।


ବିଜ୍ଞପ୍ତି ଅନୁଯାୟୀ ଏହି ୨ ଜିଲ୍ଲାରେ ରହୁଥିବା ଏଭଳି ଲୋକଙ୍କୁ ନାଗରିକତ୍ୱ ପାଇଁ ଅନଲାଇନରେ ଆବେଦନ କରିବାକୁ ପଡିବ। ଏହା ପରେ ସ୍ଥାନୀୟ ଜିଲ୍ଲାପାଳ ନାଗରିକତା ପାଇଁ ହୋଇଥିବା ଆବେଦନକୁ ଜିଲ୍ଲାସ୍ତରରେ ଯାଞ୍ଚ କରିବେ। ଆବେଦନ ଏବଂ  ଏ ସମ୍ପର୍କିତ ରିପୋର୍ଟ ଏକାସାଙ୍ଗରେ କେନ୍ଦ୍ର ସରକାରଙ୍କୁ ଅନଲାଇନ ମାଧ୍ୟମରେ ପଠାଯିବ। ଅନୁସନ୍ଧାନ ପ୍ରକ୍ରିୟା ସମାପ୍ତ ହେବା ପରେ ଜିଲ୍ଲାପାଳ ଯେଉଁ ଆବେନକୁ ସଠିକ ପାଇବେ ସେମାନଙ୍କ ପାଇଁ ପଞ୍ଜୀକରଣ ପ୍ରମାଣପତ୍ର ଜାରି କରିବେ। 


Also Read: Citizenship Amendment Act: ଦେଶରେ କେବେ ଲାଗୁ ହେବ CAA? ଜବାବ ରଖିଲେ କେନ୍ଦ୍ର ଗୃହମନ୍ତ୍ରୀ


ଗତ ୨୦୧୯ ଅଗଷ୍ଟରେ ସଂସଦରେ ନାଗରିକତା ସଂଶୋଧନ ଆଇନ ପାରିତ କରିଥିଲେ ମୋଦି ସରକାର। ଏହି ଆଇନରେ ଏକ ବ୍ୟବସ୍ଥା ଅଛି ଯେ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନ ଭଳି ଦେଶରେ ଧାର୍ମିକ କାରଣରୁ ନିର୍ଯାତିତ ହୋଇ ଭାରତକୁ ପଳାଇ ଆସିଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାରସୀ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯାଇପାରିବ। ଏନେଇ ୨୦୧୪ ଡିସେମ୍ବର ୩୧ ପର୍ଯ୍ୟନ୍ତ ଭାରତରେ ପ୍ରବେଶ କରିବାର ସର୍ତ୍ତ ରହିଛି।