ଭୁବନେଶ୍ୱର: ବହୁ ପ୍ରତିକ୍ଷୀତ ଓଡିଶା କ୍ୟାବିନେଟ ପୁନଃଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। ଦୀର୍ଘ ଦିନରୁ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା ଚାଲିଥିଲା। ଏହି କ୍ରମରେ ଶନିବାର ବାଚସ୍ପତିଙ୍କ ଠାରୁ ଆରମ୍ଭ କରି ଏକାଧିକ ମନ୍ତ୍ରୀଙ୍କ ଇସ୍ତଫା ବର୍ଷା ହେଉଛି। ପ୍ରଥମେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଇସ୍ତଫା ଖବର ସାମନାକୁ ଆସିଛି।


COMMERCIAL BREAK
SCROLL TO CONTINUE READING

ଶନିବାର ଅପରାହ୍ନରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଇସ୍ତଫା ଦେଇଛନ୍ତି। ବାଚସ୍ପତିଙ୍କ ପରେ ଯୋଗାଣ ମନ୍ତ୍ରୀ ରାଜା ସ୍ୱାଇଁ, ହସ୍ତତନ୍ତ ମନ୍ତ୍ରୀ ପଦ୍ମିନୀ ଦିଆନ, ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ବୈଷ୍ୟୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଇସ୍ତଫା ଦେଇଥିବା ସୂଚନା ମିଳୁଛି। ତେବେ ଆହୁରି ଅନେକ ମନ୍ତ୍ରୀ ଇସ୍ତଫା ଦେଇପାରନ୍ତି ବୋଲି ସୂଚନା ମିଳିଛି।


ରାଜ୍ୟସଭା ନିର୍ବାଚନର ଦିନକ ପରେ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି ହୋଇଛି। ଏକାଥରେ ବାଚସ୍ପତି ଓ ଚାରିଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ତେବେ ଖୁବଶୀଘ୍ର ନବୀନଙ୍କ ଟିମରେ ନୂଆ ଚେହେରାଙ୍କୁ ଦେଖିବାକୁ ମିଳିବ। ଏଥର ସେ କ୍ୟାବିନେଟରେ କିଛି ଯୁବ ନେତାଙ୍କୁ ସାମିଲ କରିବେ ବୋଲି ଚର୍ଚ୍ଚା ହେଉଛି। ତେବେ ନବୀନଙ୍କ ନୂଆ ଟିମରେ କିଏ କିଏ ସାମିଲ ହେବେ ତାହାକୁ ନେଇ ସସ୍ପେନସ୍ ଜାରି ରହିଛି। 


ଏପ୍ରିଲରେ ହିଁ ଓଡିଶା କ୍ୟାବିନେଟର କିଛି ଅପରାଗ ମନ୍ତ୍ରୀଙ୍କ ବିପି ବଢିଯାଇଥିଲା। ପଞ୍ଚମ ପାଳିର ପ୍ରଥମ କ୍ୟାବିନେଟ ବୈଠକରେ ମନ୍ତ୍ରୀମାନଙ୍କୁ ରିପୋର୍ଟ କାର୍ଡ ଦାଖଲ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ। ନିଜ ବିଭାଗରେ କଣ କଣ କାମ କରିଛନ୍ତି ତାହାର ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିଲା। ଏହି ରିପୋର୍ଟ କାର୍ଡ଼ରେ ଲୋକାଭିମୁଖୀ ଯୋଜନା କାଯ୍ୟକାରୀ, ନିର୍ବାଚନୀ ପ୍ରତିଶ୍ରୃତିକୁ କେତେ ପାଳନ କରାଯାଇଛି? ଯୋଜନା କାମ କେତେ ବାଟ ଆଗେଇଛି ଓ କାହିକିଁ କାମ ଅଟକୁଛି? ଏପରି ୫ଟି ତଥ୍ୟ ସବୁ ମନ୍ତ୍ରୀ ନିଜ ବିଭାଗକୁ ନେଇ ଦେଇଛନ୍ତି। ଆଉ ସେହି ରିପୋର୍ଟ ଅନୁସାରେ ମନ୍ତ୍ରୀମାନେ ନିଜର ରିପୋର୍ଟ କାର୍ଡ଼ ପ୍ରସ୍ତୁତ କରି ଦେଇଆସୁଛନ୍ତି। ଏବେ ପୁଣିଥରେ ରିପୋର୍ଟ କାର୍ଡ ଉପରେ ମୁଖ୍ୟମନ୍ତ୍ରୀ ଫୋକସ କରିଛନ୍ତି। 


ସମସ୍ତ ବିଭାଗ ପକ୍ଷରୁ ରିପୋର୍ଟ କାର୍ଡ ଦାଖଲ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଗୁଡିକର ସମୀକ୍ଷା କରିଛନ୍ତି। ମନ୍ତ୍ରୀମାନଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା ମଧ୍ୟ କରିଛନ୍ତି। ରିପୋର୍ଟ କାର୍ଡ ଓ ଆଲୋଚନା ଆଧାରରେ ଦକ୍ଷ ମନ୍ତ୍ରୀ ରହିବେ ଓ ବାକି ବିଦା ହେବେ। ୨୦୧୭ ପଞ୍ଚାୟତ ନିର୍ବାଚନ ଓ ୨୦୧୯ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଏହି ତରିକା ଖୁବ ଭଲ ଇମ୍ପେକ୍ଟ ପକାଇଛି। ତେଣୁ ଖୁବଶୀଘ୍ର ନବୀନ ତାଙ୍କ ପୁରୁଣା ଅନ୍ଦାଜରେ ମନ୍ତ୍ରୀମଣ୍ଡଳରେ ଅଦଳ ବଦଳ କରିବାର ସମ୍ଭାବନା ଅଛି। କିଛି ଦକ୍ଷ ମନ୍ତ୍ରୀଙ୍କୁ କ୍ୟବିନେଟରୁ ରିଲିଜ କରି ଦଳ ଦୁର୍ବଳ ଥିବା ଜିଲ୍ଲାର ଦାୟିତ୍ୱ ଦେବାକୁ ଯୋଜନା କରାଯାଇଥିବା ସୂଚନା ମିଳିଛି।


ସୂଚନାଯୋଗ୍ୟ, ଆସନ୍ତା ମେ' ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିକୁ ତିନି ବର୍ଷ ପୁରିବ। ପୂର୍ବରୁ ପ୍ରତି ଦୁଇ-ତିନି ବର୍ଷରେ ରାଜ୍ୟ ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ ହେଉଥିଲା। ଗତ ତିନି ବର୍ଷ ମଧ୍ୟ ମଧ୍ୟରେ ନବୀନ କ୍ୟାବିନେଟର ଅନେକ ମନ୍ତ୍ରୀ ବିବଦ ଘେରକୁ ଆସିଛନ୍ତି। କେତେକ ବରିଷ୍ଠ ମନ୍ତ୍ରୀଙ୍କ ନାମରେ ହତ୍ୟା ଭଳି ସଙ୍ଗୀନ ଅଭିଯୋଗ ମଧ୍ୟ ହୋଇଛି। ତେଣୁ ସ୍ୱଚ୍ଛ ଭାବମୂର୍ତ୍ତିକୁ ପ୍ରାଧାନ୍ୟ ଦେଉଥିବା ମୁଖ୍ୟମନ୍ତ୍ରୀ ଏଭଳି ବିବଦୀୟ ମନ୍ତ୍ରୀଙ୍କୁ ନିଜ କ୍ୟାବିନେଟରୁ ବିଦା କରିବେ ବୋଲି ଚର୍ଚ୍ଚା ହେଉଛି।