ଭୁବନେଶ୍ୱର: ଆଜିଠୁ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ୫ ଦିନିଆ ହୋଇଥିବା ବେଳେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ତେବେ ଗତ ୩ ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ଦ୍ୱିତୀୟ ଥର ପାଇଁ ନୂଆଦିଲ୍ଲୀ ଗସ୍ତରେ ଯାଇଥିବାରୁ ବିଭିନ୍ନ ଚର୍ଚ୍ଚା ଜୋର ଧରିଛି ।


COMMERCIAL BREAK
SCROLL TO CONTINUE READING

ଶୁକ୍ରବାର ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଛନ୍ତି। ଶନିବାର ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନଭି ରମଣା ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ମେ ୧ରେ କୌଣସି ସରକାରୀ କାର୍ଯ୍ୟକ୍ରମ ନଥିବାବେଳେ ୨ ତାରିଖରେ କେନ୍ଦ୍ର ସରକାରଙ୍କ ଅନୁମତି ଅପେକ୍ଷାରେ ଦୀର୍ଘଦିନ ହେଲା ପଡ଼ି ରହିଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବେ । ଏହାସହ ୩ ତାରିଖ ଅପରାହ୍ନ ୧ଟା ୩୦ରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି ।


Also Read: ତିନି ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ


ଆଗକୁ ରାଷ୍ଟ୍ରପତି ନିର୍ବାଚନ (Presidential Election) ରହିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ବେଶ ଗୁରୁତ୍ୱ ବହନ କରୁଛି । ମୁଖ୍ୟମନ୍ତ୍ରୀ ଏହି ଗସ୍ତରେ କେନ୍ଦ୍ରୀୟ ନେତାମାନଙ୍କୁ ମଧ୍ୟ ଭେଟିପାରନ୍ତି । ଏହାସହ ରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ଷ୍ଟାଣ୍ଡକୁ ନେଇ ମଧ୍ୟ ଆଲୋଚନା ହୋଇପାରେ । କେବଳ ଏତିକି ନୁହେଁ ବରଂ ରାଜ୍ୟର ସ୍ୱାର୍ଥ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରୀଙ୍କ ସହିତ ବୈଠକ କରିବେ । ଏପରିକି କେନ୍ଦ୍ର ସରକାରଙ୍କ ଉପରେ ରାଜ୍ୟର ବକେୟା ଟଙ୍କା ମଧ୍ୟ ରହିଛି । ସେସ, ଜିଏସଟି ଓ ଅନ୍ୟାନ୍ୟ ବାବଦରେ ପ୍ରାୟ ୫୦ ହଜାର କୋଟିରୁ ଅଧିକ ବକେୟା କେନ୍ଦ୍ର ସରକାର ଉପରେ ବାକି ରହିଛି ।


ସୂଚନାଯୋଗ୍ୟ, ଏହା ପୂର୍ବରୁ ମାର୍ଚ୍ଚ ଶେଷ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ତିନି ଦିନିଆ ଦିଲ୍ଲୀ ଗସ୍ତ କରିଥିଲେ। ସେ ଦିଲ୍ଲୀର ତାଜ ପ୍ୟାଲେସ ହୋଟେଲରେ ଅନୁଷ୍ଠିତ ହୋଇଥିବା ବିସିସିଆଇ ସ୍ପୋର୍ଟସ ମହିଳା ଅଫ୍ ଦି ଇୟର ପୁରସ୍କାର ସମାରୋହରେ ଯୋଗଦେଇଥିଲେ। ଏହାବ୍ୟତୀତ ସଂସଦ ଭବନରେ ଓଡିଆ ସାଂସଦଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।