Naveen Patnaik: ରାଜ୍ୟରେ ନିର୍ବାଚନ ଜାରି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ଓ ବିଜେଡିରେ ଭି.କେ ପାଣ୍ଡିଆନଙ୍କ ଭୂମିକା ନେଇ ବିଜେପି ବାରମ୍ବାର ଶାଣିତ ଟାର୍ଗେଟ କରୁଛି । ମୁଖ୍ୟମନ୍ତ୍ରୀ ଜାଣି ପାରୁନାହାନ୍ତି ଓ ତାଙ୍କୁ ଏକ କ୍ଷମତା ଭୋଗକାରୀ ଗୋଷ୍ଠୀ କବଜା କରିନେଇଥିବା ନେଇ ବୁଧବାର ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ କହିଥିଲେ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଜାତୀୟ ଖବର ସରବରାହ ସଂସ୍ଥା ‘ଏଏନଆଇ’କୁ ଏକ ବିସ୍ତୃତ ସାକ୍ଷାତକାର ଦେଇ ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଓ ଉତ୍ତରାଧିକାରୀ ପ୍ରସଙ୍ଗ ଉପରେ ଉତ୍ତର ଦେଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ଠିକ୍ ରହିଛି ଓ ତାଙ୍କ ଉତ୍ତରାଧିକାରୀଙ୍କୁ ଓଡ଼ିଶାବାସୀ ବାଛିବେ ବୋଲି ସେ କହିଛନ୍ତି । ଏହା ସହିତ ସେ ନିର୍ବାଚନ ପ୍ରଚାରରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ବ୍ୟକ୍ତିଗତ ଆକ୍ରମଣକୁ ନାପସନ୍ଦ କରି ଏଭଳି ପ୍ରଚାର ସହିତ ଓଡ଼ିଶାବାସୀ ଅନଭ୍ୟସ୍ତ ବୋଲି କହିଛନ୍ତି । କେବଳ ଏତିକି ନୁହେଁ ପ୍ରକୃତ କ୍ଷମତା ତାଙ୍କ ପାଖରେ ନାହିଁ ବୋଲି ବିରୋଧୀଙ୍କ ଅଭିଯୋଗ ଉପରେ ମଧ୍ୟ ସ୍ପଷ୍ଟ ଉତ୍ତର ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ସବୁ କ୍ଷମତା ମୋ ପାଖରେ ଅଛି ବୋଲି କହିଛନ୍ତି ନବୀନ।


COMMERCIAL BREAK
SCROLL TO CONTINUE READING

ଏଏନଆଇ ମୁଖ୍ୟ ସ୍ମିତା ପ୍ରକାଶଙ୍କ ଓଡ଼ିଶାରେ ପ୍ରକୃତ କ୍ଷମତା କାହା ପାଖରେ ଅଛି? ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଭାବେ ମୋ ପାଖରେ ସବୁ କ୍ଷମତା ରହିଛି । ମୁଁ ସବୁବେଳେ କ୍ୟାବିନେଟ୍ ମିଟିଂରେ ଅଧ୍ୟକ୍ଷତା କରେ । ଆଜି ପର୍ଯ୍ୟନ୍ତ ଗୋଟିଏ ବି କ୍ୟାବିନେଟ୍ ମିଟିଂରେ ମୁଁ ଅନୁପସ୍ଥିତ ରହିନାହିଁ । ନବୀନଙ୍କ ଉତ୍ତରାଧିକାରୀ କିଏ?ପ୍ରଶ୍ନର ଉତ୍ତରରେ ନବୀନ କହିଥିଲେ ଯେ, ମୋ ଉତ୍ତରାଧିକାରୀଙ୍କୁ ଓଡ଼ିଶାବାସୀ ବାଛିବେ। କାର୍ତ୍ତିକ ପାଣ୍ଡିଆନ ଉତ୍ତରାଧିକାରୀ ବୋଲି ହେଉଥିବା ଚର୍ଚ୍ଚାର ଉତ୍ତରରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଭାବେ କହିଛନ୍ତି ଯେ, ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହନ୍ତି । 


ସେହିପରି ଦଳରେ ଅନ୍ୟନେତାଙ୍କ ତୁଳନାରେ ପାଣ୍ଡିଆନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ନେଇ ଯେଉଁ ଆଲୋଚନା ହେଉଛି ତା’ଉପରେ ନିଜ ମତ ରଖି ନବୀନ କହିଥିଲେ ଯେ, ଦଳରେ ଅନ୍ୟ ନେତାମାନେ ଗୁରୁତ୍ୱପୂର୍ଣ୍ଣ ପଦରେ ଅଛନ୍ତି । ଅନେକ ମନ୍ତ୍ରୀ ଅଛନ୍ତି । ତେଣୁ ଏଭଳି ଚର୍ଚ୍ଚା ଠିକ ନୁହେଁ । ତେବେ ସ୍ୱାସ୍ଥ୍ୟକୁ ନେଇ ଉଠୁଥିବା ପ୍ରଶ୍ନର ଉତ୍ତରରେ  ସମ୍ପୂର୍ଣ୍ଣ ସୁସ୍ଥ ବୋଲି କହିଛନ୍ତି ନବୀନ। ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ କରିଥିବା ଟିପ୍ପଣୀ ଉପରେ ମନ୍ତବ୍ୟ ଦେଇ ନବୀନ କହିଛନ୍ତି ଯେ, ଯଦି ପ୍ରଧାନମନ୍ତ୍ରୀ ମୋ ସ୍ୱାସ୍ଥ୍ୟକୁ ନେଇ ଏତେ ଚିନ୍ତିତ ତେବେ ସାଧାରଣ ସଭାରେ କହିବା ଅପେକ୍ଷା ମୋତେ ସେ ବ୍ୟକ୍ତିଗତ ଭାବେ ଫୋନ୍ କରିପାରିଥାନ୍ତେ । ଯାହାର ଅର୍ଥ ହେଉଛି କେବଳ ଭୋଟ୍ ହାସଲ ପାଇଁ ସେ ଏଭଳି କରିଛନ୍ତି । ମୋ ସ୍ୱାସ୍ଥ୍ୟ ଠିକ ଅଛି । ମୁଁ ଏହି ଖରାରେ ପ୍ରଚାର କରୁଛି । ଓଡ଼ିଶାରେ ନିର୍ବାଚନ ପ୍ରଚାର କାଳରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପ୍ରଚାର ଶୈଳୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମାଲୋଚନା କରିଛନ୍ତି । ଏକ ପ୍ରଶ୍ନର ଉତ୍ତର ଦେଇ ନବୀନ କହିଛନ୍ତି ଯେ, ଓଡ଼ିଶାବାସୀ ଏଭଳି ପ୍ରଚାର ସହିତ ଅଭ୍ୟସ୍ତ ନୁହନ୍ତି । ଶର୍ମାଙ୍କ ପ୍ରଚାର ଅରୁଚିକର ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।


(Written By-Tapasa Gyanadarshini)