Ghar Ghar Congress Campaign: ସେପ୍ଟମ୍ବର ୪ ତାରିଖ ସୋମବାର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, ସମଗ୍ର ରାଜ୍ୟରେ ଚଳିତ ମାସ ୨୫ ତାରିଖରୁ "ଘରେ ଘରେ କଂଗ୍ରେସ ଅଭିଯାନ" ଆରମ୍ଭ କରାଯିବ। ଓଡ଼ିଶା ପ୍ରଭାରୀ, ସାଂସଦ ଡଃ ଏ.ଚେଲ୍ଲା କୁମାର ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଆସନ୍ତା ୨୫ ସେପ୍ଟେମ୍ବରରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଦୀର୍ଘ ୨୧ ଦିନ ବ୍ୟାପି "ଘରେ ଘରେ କଂଗ୍ରେସ ଅଭିଯାନ" କାର୍ଯ୍ୟକ୍ରମ ପ୍ରତ୍ୟେକ ବ୍ଲକ ତଥା ପ୍ରତ୍ୟେକ ପଞ୍ଚାୟତରେ କରାଯିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି। 


COMMERCIAL BREAK
SCROLL TO CONTINUE READING

"ଘରେ ଘରେ କଂଗ୍ରେସ ଅଭିଯାନ" ସମସ୍ତ ଦଳୀୟ ସାଂସଦ ଏବଂ ବିଧାୟକ, ପୂର୍ବତନ ସାଂସଦ, ପୂର୍ବତନ ମନ୍ତ୍ରୀ ଏବଂ ବିଧାୟକ, ଏଆଇସିସିଲ ଏବଂ ପିସିସି କର୍ମକର୍ତା, ଜିଲ୍ଲା କଂଗ୍ରେସ କମିଟି ସଭାପତି, ଜିଲ୍ଲା ଏବଂ ବ୍ଲକ କଂଗ୍ରେସ କର୍ମକର୍ତ୍ତା, ଯୁବ, ଛାତ୍ର, ମହିଳା, ସେବାଦଳ ସମେତ ବିଭିନ୍ନ ପ୍ରକୋଷ୍ଠ ଏବଂ ବିଭାଗର ମୁଖ୍ୟ ପଦାଧିକାରୀ ସମେତ ନିର୍ବାଚିତ ପଞ୍ଚାୟତ, ପୌର, ସମବାୟ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଦଳୀୟ ବାର୍ତ୍ତା ଘରେ ଘରେ ପଞ୍ଚାଇବ। 


କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର ଏନଡିଏ ସରକାର ଦୀର୍ଘ ୯ ବର୍ଷ ଶାସନ କାଳରେ ଦେଶବାସୀଙ୍କୁ ଦେଇଥିବା ପ୍ରତିଶୃତି ଯଥା ପ୍ରତ୍ୟେକ ପରିବାର ବ୍ୟାଙ୍କ ଖାତାକୁ ୧୫ ଲକ୍ଷ ଟଙ୍କା, ବର୍ଷକୁ ୨ କୋଟି ନିଯୁକ୍ତି, ଚାଷୀଙ୍କୁ ଉତ୍ପାଦିତ ଦ୍ରବ୍ୟର ଦେଢ଼ ଗୁଣ ମୂଲ୍ୟ ପ୍ରଦାନ ସହ ଚାଷୀଙ୍କ ଆୟ ୨ ଗୁଣା ବୃଦ୍ଧି କରିବା, ଅତ୍ୟାବଶକୀୟ ସାମଗ୍ରୀର ଦର ନିୟନ୍ତ୍ରଣ କରିବା ଆଦି କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳତାକୁ ପ୍ରସଙ୍ଗ କରାଯିବ। ଏହା ବ୍ୟତୀତ ଗଣତନ୍ତ୍ର ତଥା ସମ୍ବିଧାନ ଉପରେ ହେଉଥିବା ନିରବିଚ୍ଛିନ୍ନ ଆକ୍ରମଣ ଉପରେ ଆଲୋକପାତ କରାଯିବ। 


ଅନୁରୂପ ଭାବରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ନେତୃତ୍ୱାଧିନ ସରକାରର ବହୁବିଧ ବିଫଳତା ଏବଂ ଭ୍ରଷ୍ଟାଚାର ସମ୍ପର୍କରେ ରାଜ୍ୟବାସୀଙ୍କୁ ଘରେ ଘରେ କଂଗ୍ରେସ ଅବଗତ କରିବ। ରାଜ୍ୟରେ ନାରୀ ନିର୍ଯ୍ୟାତନା ବୃଦ୍ଧି, ବେକାରୀ ସମସ୍ୟା ବୃଦ୍ଧି ୨,୨୬,୦୦୦ ସରକାରୀ ପଦବୀ  ପୂରଣ ହୋଇନାହିଁ। ପ୍ରତ୍ୟେକ ବ୍ଲକରେ ୩୫ ପ୍ରତିଶତ ଜଳସେଚନରେ ସାମର୍ଥ୍ୟ ନହେବା, ଚିଟଫଣ୍ଡ ଜମାକାରୀଙ୍କ ଟଙ୍କା ଫେରସ୍ତ ନମିଳିବା, ଟାଟା ପୱାରକୁ ବିଜୁଳି ଯୋଗାଣ ବ୍ୟବସ୍ଥା ଟେକିଦେଇ ଉପଭୋକ୍ତାଙ୍କୁ ଶୋଷଣ କରିବା, ଚାଷୀଙ୍କୁ ଧାନର ଅଭାବୀ ଦର ନିୟନ୍ତ୍ରଣରରେ ବିଫଳ ହେବା, ଅନୁସୂଚିତ ଜାତି, ଜନଜାତିଙ୍କ ପ୍ରତି ହିଂସା ଏବଂ ନିର୍ଯ୍ୟାତନା ବୃଦ୍ଧି ରୋକିବାରେ ବିଫଳ ହେବା, ଠିକା ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ହେବାର ଘୋଷଣା କରି ପୁନର୍ବାର ଠିକାନିଯୁକ୍ତି ଲାଗୁ କରିବା ଆଦି ରାଜ୍ୟବାସୀଙ୍କୁ ବ୍ୟଥିତ କରୁଥିବା ସମସ୍ୟା ସମ୍ପର୍କରେ ଅବଗତ କରାଯିବ ବୋଲି ପିସିସି ସଭାପତି କହିଛନ୍ତି।


ମିଡ଼ିଆ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଏହି କାର୍ଯ୍ୟକ୍ରମକୁ କଂଗ୍ରେସର ଆଗାମୀ ନିର୍ବାଚନୀ ରଣନୀତି ଭାବରେ ବର୍ଣ୍ଣନା କରିବା ସହ କଂଗ୍ରେସ ପକ୍ଷରୁ ଏଥିପ୍ରତି ରାଜ୍ୟବାସୀଙ୍କ ସହଯୋଗ କାମନା କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଭାରୀ ଡା.ଏ ଚେଲ୍ଲା କୁମାର, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, ପିସିସି ସାଧାରଣ ସମ୍ପାଦକ ରଶ୍ମି ମହାପାତ୍ର, ପ୍ରବୋଧ ତିର୍କି ପ୍ରମୁଖ ଉପସ୍ଥିତ ରହିଥିଲେ।