Odisha Election 2024 (ଭୁବନେଶ୍ୱର):  ନିର୍ବାଚନ ତାତି ଭିତରେ ଶାସକ ଦଳର ଖାସ ହୋଇ ରହିଥିବା ଅଧିକାରୀମାନେ ଏବେ ନିଜକୁ ଦୂରେଇବା ଆରମ୍ଭ କରିଛନ୍ତି। କିଛି ଅଫିସର ଯଦିଓ ‘ପିତଳ ଗିନା’ ସାଜି ଶାସକ ଦଳର ସହାୟତା କରୁଛନ୍ତି କିନ୍ତୁ କାଳେ ଧରାପଡ଼ିଯିବେ ସେଥିଲାଗି ନିଜକୁ କବଚ ଭିତରେ ରଖିବାକୁ ଚାହୁଁଛନ୍ତି। ଏପରିକି ସରକାରୀ କାର୍ଯ୍ୟରେ ମଧ୍ୟ ସେମାନଙ୍କୁ ଦେଖିବାକୁ ମିଳୁନି।


COMMERCIAL BREAK
SCROLL TO CONTINUE READING

ବିଗତ ଦିନମାନଙ୍କରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱଧୀନ ସରକାରକୁ ଅମଲାତନ୍ତ୍ରୀଙ୍କ ସରକାର ବୋଲି ଏକ ଅଘୋଷିତ ପରିଚୟ ମିଳିଥିଲା। ତତ୍‍କାଳୀନ ୫-ଟି ସଚିବଙ୍କ ଦ୍ୱାରା ସବୁକିଛି ନିୟନ୍ତ୍ରିତ ହେଉଥିଲା। ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ପାରିଷଦରେ କେବଳ ଅଧିକାରୀଙ୍କୁ ହିଁ ଦେଖିବାକୁ ମିଳୁଥିଲା ଯାହା ଏଯାଏ ଜାରି ରହିଛି। ଏହି ଅଧିକାରୀଙ୍କ ବଳରେ ନବୀନଙ୍କ ବିଜେଡି ବିଗତ ୩ ନିର୍ବାଚନ ଜିତିଥିବା ବି ଚର୍ଚ୍ଚା ହୁଏ, ହେଲେ ଏଥର ନିର୍ବାଚନ କମିଶନଙ୍କ ଛାଟ ଯେଉଁ ଭଳିଭାବେ ବଢ଼ିଛି ତାହାକୁ ନେଇ ଅଫିସର ଛାନିଆ ହୋଇଛନ୍ତି।


ନିର୍ବାଚନ କମିଶନ ରାଜ୍ୟରେ ଅବାଧ ନିର୍ବାଚନ କରିବା ପାଇଁ ବାଧକ ହେଉଥିବା ରାଜ୍ୟର ପ୍ରଭାବଶାଳୀ ଆଇଏଏସ୍ ଅଧିକାରୀ ସୁଜାତା କାର୍ତ୍ତିକେୟନ ରାଉତଙ୍କୁ ମିଶନଶକ୍ତି ବିଭାଗରୁ ବଦଳି କରିବା ସହିତ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହଙ୍କୁ ମଧ୍ୟ ବଦଳି କରିଥିଲେ । ଏହି ବଦଳି ପରେ ଶାସକ ଦଳ ପାଇଁ କାମ କରୁଥିବା ଅନେକ ଅଫିସର ନିଜର କ୍ୟାରିଅର ବଞ୍ଚାଇବା ପାଇଁ ନିଜକୁ ଦୂରେଇ ନେଇଥିବା ଆଲୋଚନା ହେଉଛି । 


ଆଲୋଚନା ଅନୁସାରେ ଆଇଜି ଆଶିଷ ସିଂହଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱକୁ ବଦଳି ହେବା ପରେ ସେ କାର୍ଯ୍ୟରେ ଯୋଗ ନ ଦେଇ ଛୁଟିରେ ରହିବାକୁ ଉଚିତ ମଣିଛନ୍ତି । ନିର୍ବାଚନ କମିଶନଙ୍କ ଆଖିରେ ଧୂଳି ଦେବାକୁ ଛୁଟିରେ ରହିଥିଲେ ହେଁ ପ୍ରକୃତରେ ସେ ଇଓଡବ୍ଲ୍ରୁ ଅଫିସରେ ବସି ଶାସକ ଦଳ ପାଇଁ କାମ କରୁଥିବା ଭାଜପା ନେତା ପିତାମ୍ବର ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି ।


ସେହିପରି ୫ଟିର ଆଉଜଣେ ବରିଷ୍ଠ ସଦସ୍ୟ ଆର. ବାଲକ୍ରିଷ୍ଣନ ଏବେ ଆଉ ଅଫିସ ଯିବାକୁ ଉଚିତ ମନେ କରୁନାହାନ୍ତି । ସେ ନିଜ ବାସଭବନରେ ବସି ରହି ବିଜେଡି ନେତା ପାଣ୍ଡିଆନଙ୍କ ପାଇଁ ସମସ୍ତ ଯୋଜନା ପ୍ରସ୍ତୁତ କରୁଛନ୍ତି ବୋଲି କୁହାଯାଉଛି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ନିୟୋଜିତ ହୋଇଥିବା ଆଇଏଏସ୍ ଅଧିକାରୀ ଭିନିଲକ୍ରିଷ୍ଣା ମଧ୍ୟ ଗତ କିଛିଦିନ ହେଲା ଅଫିସ ଯାଉନଥିଲେ । ସେ ୨୭ତମ ଫେଡେରେସନ କପ୍ ପାଇଁ ସମୟ ଦେଇଥିବା ଦେଖିବାକୁ ମିଳିଥିଲା ।


କେବଳ ଏହି ଅଫିସର ନୁହଁନ୍ତି ଅନେକ ଅଫିସର ମଧ୍ୟ ଶାସକ ଦଳଠାରୁ ଦୂରେଇବାରେ ଲାଗିଛନ୍ତି । କୌଣସି ନିର୍ବାଚନ ସମୟରେ ପୁଲିସ୍ ଡିଜି ଓ ମୁଖ୍ୟନିର୍ବାଚନ ଅଧିକାରୀ ତତ୍ପରତା ପ୍ରକାଶ କରୁନଥିଲେ । କିନ୍ତୁ ଚଳିତ ନିର୍ବାଚନରେ ପୁଲିସ୍ ଡିଜି ଓ ମୁଖ୍ୟନିର୍ବାଚନ ଅଧିକାରୀ ରାଜ୍ୟରେ ଅବାଧ ନିର୍ବାଚନ କରାଇବା ପାଇଁ ଯେଭଳି ତତ୍ପରତା ପ୍ରକାଶ କରିଛନ୍ତି ତାହାକୁ ଅନେକ ବରିଷ୍ଠ ନାଗରିକ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି ।