Odisha Election 2024: ଭୁବନେଶ୍ୱର: ବନ୍ଧା ହେଲେ ବାହୁବଳୀ ବିଧାୟକ । ବୁଥ୍ ଭିତରେ ଇଭିଏମ୍ ଭଙ୍ଗାରୁଜା ସହ ପୋଲିଂ ଅଧିକାରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଚିଲିକା ବିଧାୟକ ତଥା ଖୋର୍ଦ୍ଧା ବିଧାନସଭାର ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରିଛି ପୋଲିସ ।ଶନିବାର ଅପରାହ୍ଣରେ ମତଦାନ ଚାଲିଥିବା ବେଳେ ପ୍ରଶାନ୍ତ ଜଗଦ୍ଦେବ ବେଗୁନିଆ ବିଧାନସଭା ଅନ୍ତର୍ଗତ କାଉଁରୀପାଟଣା ପ୍ରକଳ୍ପ ବିଦ୍ୟାଳୟର ୧୧୪ ନମ୍ବର ବୁଥକୁ ଭୋଟ୍ ଦେବାକୁ ଯାଇଥିଲେ । ସେଠାରେ ମାରପିଟ୍ କରିବା ସହ ସେ କୁଆଡ଼େ ଇଭିଏମ୍ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗରେ ପୋଲିସ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରି ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଆବାସିକ କାର୍ଯ୍ୟାଳୟରେ ହାଜର କରିଥିଲା ।


COMMERCIAL BREAK
SCROLL TO CONTINUE READING

ତେବେ ଜିଲ୍ଲା ମାଜିଷ୍ଟ୍ରେଟ୍ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ୍ ନାମଞ୍ଜୁର କରିବା ପରେ ତାଙ୍କୁଙ୍କୁ ଖୋର୍ଦ୍ଧା ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି । ବୁଥ୍ ଭିତରେ ଗଣ୍ଡଦୋଶ ନେଇ ପ୍ରିଜାଇଡିଂ ଅଫିସର ଜ୍ଞାନରଞ୍ଜନ ତ୍ରିପାଠୀ କରିଥିବା ଅଭିଯୋଗ ଆଧାରରେ ପୋଲିସ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରିଛି ।
ପୋଲିସ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରିଥିବା ବେଳେ ଗିରଫଦାରୀକୁ ନେଇ ବିଜେପି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଗିରଫଦାରୀକୁ ଖୋର୍ଦ୍ଧା ପୋଲିସର ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି କହିଛନ୍ତି ବିଜେପି ନେତା ଓ କର୍ମୀ । 


ଗତକାଲିର ଘଟଣା ପରେ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ବିଜେଡି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲା । ଦାବି କରିଥିଲା ପ୍ରଶାନ୍ତ ଜଗଦ୍ଦେବଙ୍କୁ ତୁରନ୍ତ ଗିରଫ କରାଯାଉ । ବିଜେଡି କରିଥିବା ଅଭିଯୋଗ ଅନୁସାରେ, ବୋଲଗଡ଼ର ଏକ ବୁଥରେ ପଶି ବିଜେପିର ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଇଭିଏମ୍ ଭଙ୍ଗାରୁଜା କରିଛନ୍ତି । ପ୍ରିଜାଇଡିଂ ଅଫିସର ଓ କର୍ମଚାରୀଙ୍କୁ ମାଡ଼ ମାରିଛନ୍ତି । ବିଜେଡି ସାଂସଦ ସସ୍ମିତ ପାତ୍ର ଅଭିଯୋଗ ଆଣି କହିଥିଲେ, ବୁଥ୍ ଭିତରେ ଭଙ୍ଗାରୁଜା କରିବା ପରେ ପ୍ରଶାନ୍ତ ଫେରାର୍ ହୋଇ ଯାଇଛନ୍ତି ।


ତେବେ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଏଭଳି ଅଭିଯୋଗ ନୂଆ ନୁହେଁ । ଏହା ପୂର୍ବରୁ ପ୍ରଶାନ୍ତ ଜଗଦ୍ଦେବ ଚିଲିକାରେ ଗାଡ଼ି ଚଢ଼ାଇବା ଭଳି ଘଟଣାରେ ଗିରଫ ହୋଇ ଜେଲ୍ ଯାଇଥିଲେ । ଯେଉଁଥିପାଇଁ ପ୍ରଶାନ୍ତଙ୍କୁ ବିଜେଡି ଦଳରୁ ନିଲମ୍ବିତ କରିଥିଲା ମଧ୍ୟ । ୨୦୨୪ ନିର୍ବାଚନ ପୂର୍ବରୁ ପ୍ରଶାନ୍ତ ବିଜେପିରେ ମିଶିବା ସହ ଏବେ ଖୋର୍ଦ୍ଧା ବିଧାନସଭା ଆସନରୁ ଦଳର ପ୍ରାର୍ଥୀ ହୋଇଛନ୍ତି ।