Facts About Anasara: ଅଣସର ଘରେ ମହାପ୍ରଭୁଙ୍କର ହୋଇଥାଏ ଏହି ସବୁ ନୀତି: ଏକବସ୍ତ୍ର ପିନ୍ଧି ସେବା କରନ୍ତି ଦଇତାପତି
Advertisement
Article Detail0/zeeodisha/odisha2308972

Facts About Anasara: ଅଣସର ଘରେ ମହାପ୍ରଭୁଙ୍କର ହୋଇଥାଏ ଏହି ସବୁ ନୀତି: ଏକବସ୍ତ୍ର ପିନ୍ଧି ସେବା କରନ୍ତି ଦଇତାପତି

Hindu mythology :-ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ଗାଧୋଇ ଜ୍ୱରରେ ପଡିଛନ୍ତି ମହାପ୍ରଭୁ । ଜ୍ୱରରେ ପୀଡିତ ହୋଇ ଉପଚାର ଘେନୁଥିବାରୁ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ନାହିଁ । ଏହି କାଳକୁ ଅଣସର ବା ଅନବସର କୁହାଯାଏ।ପଢ଼ନ୍ତୁ ଏହି ସମୟରେ କଣ କରାଯାଏ...

Facts About Anasara

Hindu mythology :- ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ଗାଧୋଇ ଜ୍ୱରରେ ପଡିଛନ୍ତି ମହାପ୍ରଭୁ । ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଜ୍ୱରରେ ପୀଡିତ ହୋଇ ଉପଚାର ଘେନୁଥିବାରୁ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ନାହିଁ । ଏହି କାଳକୁ ଅଣସର ବା ଅନବସର କୁହାଯାଏ।

ଜ୍ୱର ହେବାପରେ ଶ୍ରୀଜୀଉମାନଙ୍କୁ ଉପଚାର କରିବା ନିମନ୍ତେ ଦଇତାପତି ସେବକ ଓ ଅନ୍ୟ ସେବକମାନେ ଠାକୁରମାନଙ୍କୁ ଅଣସର ଘରକୁ ନିଅନ୍ତି । ଏହି ସମୟରେ ମହାପ୍ରଭୁଙ୍କ ଦେହରେ ଚୁଆ, କର୍ପୁର, କସ୍ତୁରୀ ଓ ଚନ୍ଦନ ଲେପନ କରାଯିବା ସହ ପାରମ୍ପାରିକ ଉପଚାର କରାଯାଏ । 

⁠ ଅଣସର ପିଣ୍ଡିର ଚାରିପଟେ ବାଉଁଶ ତାଟି କୋଠ ସୁଆସିଆମାନେ ଭିଡ଼ି ଦିଅନ୍ତି । ତାଟି ବାହାରେ ଏକ ଖଟ ପକାଯାଇ ପଟି ଦିଅଁ ବାସୁଦେବ, ଭୁବନେଶ୍ୱରୀ ଓ ନାରାୟଣ ଚିତ୍ରକାର ମାନଙ୍କ ବିଧି ଅନୁସାରେ ଅଣାଯାଇ ରଖାଯାଏ ।⁠ଅଣସର ସମୟରେ ଠାକୁରମାନେ ଏକବସ୍ତ୍ର ପରିଧାନ କରୁଥିବାରୁ ଦଇତାପତିମାନେ ମଧ୍ୟ ଏକବସ୍ତ୍ର ପିନ୍ଧି ସେବା କରନ୍ତି।

 ଅଣସର ଦ୍ୱିତୀୟା ଦିନ ଦିଅଁମାନଙ୍କର ସ୍ନାନଯାତ୍ରା ପହଣ୍ଡିର ବସ୍ତ୍ର ବାହାର କରାଯାଏ । ଚର୍ତୁଥୀ ଦିନ ଶ୍ରୀଅଙ୍ଗ ଫିଟା ନୀତି ହୁଏ । ଅର୍ଥାତ ଶ୍ରୀମୁଖ ଓ ଶ୍ରୀଅଙ୍ଗ ଖୋଲାଯାଏ । ପାଟବସ୍ତ୍ର ଓ ଲାଗି ହୋଇଥିବା ଚନ୍ଦନ ବାହାର କରାଯାଏ । ପଞ୍ଚମୀ ଦିନ ‘ଫୁଲୁରି ଲାଗି’ ହୁଏ । ଦଇତାପତିମାନେ ରାଶିତେଲ, ଚୁଆ, କର୍ପୂର, ପିଙ୍ଗଣ ଓ ପରଖରେ ରଖି ଫୁଲରି ଲାଗି କରନ୍ତି । ଷଷ୍ଠୀଠାରୁ ନବମୀ ଯାଏଁ ଦିଅଁମାନଙ୍କୁ ‘ଓଷୁଅ ଲାଗି’ କରାଯାଏ । ଅଣସର ସୁଧସୁଆର ଝୁଣା ବାଟି ଓଷୁଅ ପ୍ରସ୍ତୁତ କରି ଯୋଗାନ୍ତି । ଦଶମୀ ଦିନ ‘ଚକା ବିଜେ’ ନୀତି ହୁଏ । ଏକାଦଶୀ ଦିନ ଚନ୍ଦନ ସହିତ କର୍ପୁର କେଶର ବଟା ହୁଏ ଓ ତାହା ଦଇତାପତିମାନେ ଦିଅଁମାନଙ୍କୁ ଲାଗି କରନ୍ତି । ଏହି ଦିନ ଘଣ୍ଟା, କାହାଳୀ ଓ ବାଜା ବାଜି ପୂଜା ହୋଇଥାଏ । 

ଅଣସରରେ ପ୍ରଥମ ଦିନଠାରୁ ଦଶମୀ ଦିନ ଯାଏଁ କୌଣସି ଦିଅଁଙ୍କ ନୀତିରେ ଘଣ୍ଟ କାହାଳୀ ବାଜେ ନାହିଁ କିମ୍ବା ମନ୍ଦିରରେ କୌଣସିଠାରେ ନାମ ସଂକୀର୍ତ୍ତନ ହୁଏ ନାହିଁ। ⁠ଶ୍ରୀଗୁଣ୍ଡିଚା ପୂର୍ବଦିନ ସକାଳ ଧୂପ ଶେଷ ପରେ ତିନିବାଡ଼ରୁ ଆଜ୍ଞାମାଳ ନେଇ ପୂଜାପଣ୍ଡା ତିନିଜଣ ଘଣ୍ଟ, ଛତା, କାହାଳୀ ସହ ରଥ ଖଳା ସ୍ଥାନକୁ ଆସନ୍ତି ଓ ଯେଉଁ ବାଡ଼ର ଆଜ୍ଞାମାଳ, ସେହି ବାଡ଼ର ରଥ ଦେହରେ ବାନ୍ଧି ଦିଅନ୍ତି । ଆଜ୍ଞାମାଳ ପାଇବା ପରେ ତିନୋଟି ରଥ ଟଣାହୋଇ ସିଂହଦ୍ୱାର ସାମନାସ୍ଥ ନିର୍ଦ୍ଧାରିତ ସ୍ଥାନରେ ରଖାଯାଇ ରଥ ପ୍ରତିଷ୍ଠା କର୍ମ ହୁଏ ।

 ବଡ଼ସିଂହାର ପହୁଡ଼ ଆଳତି ପରେ ଶ୍ରୀମୁଖ ଖଣ୍ଡୁଆ ପଡ଼ିବା ପରେ ଦଇତାମାନେ ବାହୁଟ ମାପ କରନ୍ତି । ସାକ୍ଷୀଗୋପାଳରୁ ଅଣାଯାଇଥିବା ବଉଳକାଠରେ ବିଶ୍ୱକର୍ମା  ବାହୁଟ ତିଆରି କରିଥାନ୍ତି ଓ ତାମରା ବିଶୋଇ ତହିଁରେ ତମ୍ବା ପତ୍ର ଯୋଡ଼ି ଦିଅନ୍ତି।ବାହୁଟ ଲାଗି ଓ ସେନାପଟା ଲାଗି କରାଯାଏ।ଶୁକ୍ଳସଜ ଲାଗି କରାଯାଏ । ଏହିପରି ଭାବରେ ରଥଯାତ୍ରା ପୂର୍ବଦିନର ପ୍ରସ୍ତୁତି ଶେଷ ହୋଇଥାଏ ।