BJD in trouble, ଭୁବନେଶ୍ୱର: ନିଜ ଦୁର୍ଗ ରକ୍ଷା ପାଇଁ ଚିନ୍ତାରେ ବିଜେଡି। ବହୁଳ ଲୋକପ୍ରିୟତା, ବିରୋଧୀଙ୍କ ପକ୍ଷରୁ ସେମିତି କିଛି ଚ୍ୟାଲେଞ୍ଜ ନ ଥିଲେ ମଧ୍ୟ ବିଜେଡିକୁ କେଉଁ ଚିନ୍ତା ଘାରିଛି ତାକୁ ନେଇ ସବୁଆଡେ ଚର୍ଚ୍ଚା ଚାଲିଛି। ୨୮ ତାରିଖରେ ମୁଖିଆଙ୍କ ଦ୍ୱାରା ଆହୁତ ବୈଠକ ଚର୍ଚ୍ଚାର ମୁଖ୍ୟ କାରଣ ସାଜିଛି। କେଉଁ କାରଣ ପାଇଁ ନିଜର ସବୁ ବିଧାୟକ ମନ୍ତ୍ରୀଙ୍କ ସହ ନବୀନ ସିଧାସଳଖ କଥା ହେବେ ଓ କଣ କଥା ହେବେ ତାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଗଲାଣି। ମଧ୍ୟପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର, ଦିଲ୍ଲୀ ପରି ଓଡିଶା ସରକାରକୁ ବି ଘୋଡା ବେପାର ଆଶଙ୍କା ଘାରିଲାଣି ବି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ସରକାରୀ ସୂତ୍ରାନୁସାରେ, ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଙ୍କ ନେତୃତ୍ୱରେ ସରକାରଙ୍କ ଯୋଜନା ଲାଭ ସାଧାରଣ ଲୋକଙ୍କ ପାଖରେ ପହଂଚୁଛି କି ନାହିଁ ତା ସହ ବିଭାଗୀୟ ଯୋଜନାର କ୍ରିୟାନ୍ଵୟନ ଆଦି ପ୍ରସଙ୍ଗରେ ଚର୍ଚ୍ଚା ହେବ ବୋଲି କୁହାଯାଉଛି। କିନ୍ତୁ କେବଳ ଏତିକି କଥା ପାଇଁ ନବୀନ ସବୁ ବିଧାୟକ ମନ୍ତ୍ରୀଙ୍କ ସହ ଏକାଠି ହେବେ ନା ଆଉ କିଛି ଭିତିରି କଥା ଅଛି କି ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି। ମନ୍ତ୍ରୀମଣ୍ଡଳ ଅଦଳବଦଳ ହେଉ କିମ୍ବା ସାଙ୍ଗଠନିକ ପଦ ପଦବୀ ଏ ସବୁକୁ ନେଇ ବହୁ ବରିଷ୍ଠ ନେତା ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି। ଏପରିକି ମନ୍ତ୍ରୀମଣ୍ଡଳରୁ ଅରୁଣ ସାହୁ, ପ୍ରତାପ ଜେନାଙ୍କ ଭଳି ପ୍ରଭାବୀ ନେତାଙ୍କୁ ବାଦ ଦିଆଯିବା ପ୍ରସଙ୍ଗକୁ ସହଜରେ ସମର୍ଥକମାନେ ଗ୍ରହଣ କରିପାରୁନାହାନ୍ତି। 


Also Read: ଘନଉଛି bjp-jdu ଯୁଦ୍ଧ: ଲାଭରେ ରହିପାରେ ବିଜେଡ଼ି


ସେହିପରି ବରିଷ୍ଠ ବିଧାୟକ ସୌମ୍ୟ ପଟ୍ଟନାୟକଙ୍କୁ ପର୍ଯ୍ୟବେକ୍ଷକ ତାଲିକାରୁ ବାଦ ଦେବା ଦ୍ୱାରା ନେତାଙ୍କ ଭିତରେ ଅସନ୍ତୋଷ କୁହୁଳୁଥିବା ଚର୍ଚ୍ଚା ହେଉଛି। କିଛି ଅସନ୍ତୁଷ୍ଟ ଗୋଷ୍ଠୀ ଭିତିରିଆ ବୈଠକ କରୁଥିବା ସୂଚନା ମିଳିଛି। ଦଳର ଲୋକପ୍ରିୟତା ଏବଂ ଅନ୍ୟ ଦଳରେ ସମ୍ଭାବନା କମ ଥିବାରୁ ବିଜେଡି ପ୍ରତି ରାଜ୍ୟର ସବୁ ପ୍ରମୁଖ ନେତାଙ୍କ ନଜର ରହିଛି। ଏଭଳି ସ୍ଥିତିରେ ବିଭିନ୍ନ ଦଳରୁ ପ୍ରମୁଖ ଚେହେରାଙ୍କୁ ବିଜେଡି ଆଣି ସେମାନଙ୍କୁ ଟିକେଟ ଦେବା ସହ ଦଳର ପ୍ରମୁଖ ଦାୟିତ୍ୱ ଦେଉଛି। ଏଥିରେ କଂଗ୍ରେସର କିଛି ବିଧାୟକଙ୍କ ସମେତ ବିଶ୍ୱାଳ ବ୍ରଦରସଙ୍କ ନାଁ ଚର୍ଚ୍ଚାରେ ଅଛି। ସେହିଭଳି ବିଜେପିର କିଛି ଟାଣୁଆ ଚେହେରା ମଧ୍ୟ ବିଜେଡି ସହ କଥାବାର୍ତ୍ତା ଚଳାଇଥିବା କୁହାଯାଉଛି। 


ବିଜେଡିର ବହୁ ପୁରୁଣା ଚେହେରାକୁ ଆଗାମୀ ନିର୍ବାଚନରେ ବାଦ ଦେଇ ନୂଆ ଚେହେରାକୁ ଦଳୀୟ ଟିକେଟ ଦେବା କଥା ଚିନ୍ତା କରାଯାଉଥିବା ଚର୍ଚ୍ଚା ଜୋର ଧରିଛି। ଏଭଳି ସ୍ଥିତିରେ ମନ୍ତ୍ରୀମଣ୍ଡଳ ଓ ସାଙ୍ଗଠନିକ ପଦରୁ ବାଦ ପଡିଥିବା କିଛି ନେତା ନିଜ ରାଜନୈତିକ ଭବିଷ୍ୟତକୁ ନେଇ ସନ୍ଦିହାନ ହୋଇପଡିଛନ୍ତି। ତେଣୁ ସଙ୍ଗଠନ ଭିତରେ ଅସନ୍ତୋଷର ନିଆଁ କୁହୁଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। କିନ୍ତୁ ପୂର୍ବରୁ ଦଳରେ ସାମାନ୍ୟ ଅସନ୍ତୋଷ ବ୍ୟକ୍ତ କରିଥିବା ନେତା କିଭଳି ପରିଣାମ ଭୋଗିଛନ୍ତି ଦେଖିଲା ବେଳକୁ ଅସନ୍ତୁଷ୍ଟ ଚାପି ହୋଇ ରହିବାକୁ ବାଧ୍ୟ ହେଉଛନ୍ତି। କିନ୍ତୁ ଅସନ୍ତୁଷ୍ଟଙ୍କ ମଧ୍ୟରେ କିଛି ଟାଣୁଆ ଯୁବ ଛାତ୍ର ନେତା ଥିବାରୁ ଦଳର ବଡ଼ପଣ୍ଡାଙ୍କ ଟେନ୍ସନ ବଢିଛି। 


Also Read: Odisha Politics: ବିରେନ୍ଦ୍ର ସିଂହ କାଡିଆନଙ୍କ ବଡ଼ ଖୁଲାସା, AAP ସହ ବିଜେପି ଓ କଂଗ୍ରେସ ନେତାଙ୍କ ଅଛି ଭିତିରିଆ ସମ୍ପର୍କ


ରାଜ୍ୟରେ କଂଗ୍ରେସ ଦୁର୍ବଳ ସ୍ଥିତିରେ ଥିବାବେଳେ ବିଜେପି ପକ୍ଷରୁ ସେମିତି କିଛି ବିପଦର ସମ୍ଭାବନା ନାହିଁ ବୋଲି କୁହାଯାଉଛି। କିନ୍ତୁ ଅନ୍ୟ ରାଜ୍ୟଗୁଡିକରେ ବିଜେପିର କାର୍ଯ୍ୟଶୈଳୀକୁ ଦେଖି 'ଅସମ୍ଭବ କିଛି ନାହିଁ' ବୋଲି ରାଜନୀତି ସମୀକ୍ଷକ ମାନେ ମତ ଦେଉଛନ୍ତି। ଯାହା ବିଜେଡି ପାଇଁ ଚିନ୍ତାର କାରଣ ସାଜିଛି। ସେପଟେ ଆମ ଆଦମୀ ପାର୍ଟି ଓଡିଶାକୁ ଫୋକସ କରିବା ମଧ୍ୟ ବିଜେଡି ପାଇଁ ଆଉ ଏକ ଚିନ୍ତାର କାରଣ ସାଜିଛି। କାରଣ ଦଳରେ ଯେତେ ଶକ୍ତିଶାଳୀ ନେତା ଅସନ୍ତୁଷ୍ଟ ହେଲେ ଅସୁବିଧା ନାହିଁ କିନ୍ତୁ ଯଦି ବିପକ୍ଷରେ ଗୋଟିଏ ଶକ୍ତ ବିରୋଧୀ ଭାବେ ଆପ୍ ଉଭା ହୁଏ କିମ୍ବା ବିଜେପି କିଛି ଭିନ୍ନ ଆଚରଣ କରେ ତାହେଲେ ଅସନ୍ତୁଷ୍ଟମାନେ ଦଳକୁ ଅଡୁଆରେ ପକାଇ ପାରନ୍ତି। ଯାହାକୁ ନେଇ ବିଜେଡିର ବଡ଼ପଣ୍ଡା ଚିନ୍ତାରେ ଅଛନ୍ତି। 


ଆଗାମୀ ସମ୍ଭାବ୍ୟ ସଙ୍କଟକୁ ନଜରରେ ରଖି ୨୮ ତାରିଖରେ ନବୀନଙ୍କ ସହ ମନ୍ତ୍ରୀ, ବିଧାୟକଙ୍କ ସାକ୍ଷାତ ବହୁ ଗୁରୁତ୍ୱ ରଖୁଛି ବୋଲି ଚର୍ଚ୍ଚା ହେଉଛି। ସେପଟେ ବହୁ ନିଗମର ଅଧ୍ୟକ୍ଷ ପଦବୀ ଫାଙ୍କା ପଡ଼ିଥିଲେ ମଧ୍ୟ ଏ ଯାଏ ତାହା ପୂରଣ ହୋଇ ପାରୁନାହିଁ। ଆଶାୟୀଙ୍କ ସଂଖ୍ୟା ବହୁତ ଥିବାରୁ ଅସୁବିଧା ହେଉଥିବା କୁହାଯାଉଛି। କିନ୍ତୁ ପୂର୍ବରୁ ସବୁ ଅସୁବିଧାକୁ ଅତ୍ୟନ୍ତ ଚତୁରତାର ସହ ମ୍ୟାନେଜ କରୁଥିବା ବିଜେଡି ଏଥର କିଭଳି ମ୍ୟାନେଜ କରୁଛି ତା ଉପରେ ସମସ୍ତଙ୍କ ନଜର ରହିଛି। କିନ୍ତୁ ଯଦି ଓଡ଼ିଶାରେ ଏକ ଶକ୍ତ ବିରୋଧୀ ଭାବେ କେଉଁ ଦଳ ଉଭା ହୁଏ ତେବେ ବିଜେଡି ଅସୁବିଧାରେ ପଡିବାର ସମ୍ଭାବନା ଅଧିକ ବୋଲି ରାଜନୀତି ସମୀକ୍ଷକମାନେ ମତ ରଖିଛନ୍ତି। ସେ ଯାହାବି ହେଉ, ଗତ ଦୁଇ ଦଶନ୍ଧି ଧରି ଓଡିଶାରେ ନିରାଙ୍କୁଶ ଭାବେ ବିଜେଡି କ୍ଷମାକାରେ ଅଛି। ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଭାବମୂର୍ତ୍ତି ଉପରେ କୌଣସି ବିରୋଧି ଦଳଙ୍କ ପ୍ରଭାବ ପଡିନାହିଁ।