BJD Foundation Day: ଡିସେମ୍ବର ୨୬ ତାରିଖ ସୋମବାର ୨୫ ତମ ପ୍ରତିଷ୍ଠା ଦିବସ ପାଳନ କରିଛି ରାଜ୍ୟରେ କ୍ଷମତାସୀନ ଶାସକ ବିଜୁ ଜନତା ଦଳ। ଗତ ୧୯୯୭ ମସିହା ଆଜିର ଦିନରେ ଗଠିତ ହୋଇଥିଲା ବିଜେଡି। ଦଳର ସ୍ଥାପନ ହେବାର ୨୫ ବର୍ଷ ଅବସରରେ ଆୟୋଜିତ ହୋଇଥିବା ରୌପ୍ୟ ଜୟନ୍ତୀ ସମାରୋହ ପୁରୀ ଠାରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବାବେଳେ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ।


COMMERCIAL BREAK
SCROLL TO CONTINUE READING

ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ଅବସରରେ ମିଶନ ୨୦୨୪ ପାଇଁ ଶଙ୍ଖନାଦ କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ଆସନ୍ତା ୨୦୨୪ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ବିଜେଡି ବିଜୟୀ ହେବା ନେଇ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିରୋଧୀଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, "ଓଡ଼ିଶାର ବିକାଶ ହେଉଛି ବିଜୁ ଜନତା ଦଳର ଏକ ସୂତ୍ରୀୟ ଏଜେଣ୍ଡା। ଯାହା ଉପରେ ଜାତୀୟ ଦଳର ନଜର ନାହିଁ। " ଯଦିଓ ମୁଖ୍ୟମନ୍ତ୍ରୀ ତାଙ୍କର ଏହି ବୟାନରେ କୌଣସି ଜାତୀୟ ଦଳର ନାଁ ଦେଇନାହାଁନ୍ତି, ହେଲେ ତାଙ୍କର ଲକ୍ଷ୍ୟ ସ୍ପଷ୍ଟ ଭାବେ ଉଭୟ ବିଜେପି-କଂଗ୍ରେସ ଆଡକୁ ରହିଥିବା ଜଣାପଡ଼ିଛି। 


ମୁଖ୍ୟମନ୍ତ୍ରୀ ନବୀନ ଆହୁରି କହିଛନ୍ତି ଯେ ଓଡିଶାର ପ୍ରଗ୍ରତି ବ୍ୟତୀତ ବିଜୁ ଜନତା ଦଳର କୌଣସି ନିହିତ ସ୍ୱାର୍ଥ ନାହିଁ। କେବଳ ଆଞ୍ଚଳିକ ଦଳ ରାଜ୍ୟର ବିକାଶ କରିପାରିବ। କୌଣସି ଦଳର ନାଁ ନ ନେଇ କହିଛନ୍ତି, "ଜାତୀୟ ଦଳର ନଜରରେ ଓଡିଶାର ବିକାଶ ନାହିଁ। " ସେମାନଙ୍କ ଏଜେଣ୍ଡା ହେଉଛି ଜାତୀୟ ରାଜନୀତି। " ବିଜେଡି କେବଳ ଏକ ଦଳ ନୁହେଁ ବରଂ ଏକ ଜନ ଆନ୍ଦୋଳନ। ବିଜେଡି ହେଉଛି ଏକ ସାମାଜିକ ଆନ୍ଦୋଳନ ଯାହା ଓଡିଶାର ୪.୫ କୋଟି ଲୋକଙ୍କ ବିଶ୍ୱାସ ହାସଲ କରିଛି ବୋଲି କହିଛନ୍ତି ଦଳର ମଙ୍ଗୁଆଳ।


ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବା ବେଳେ ଦଳ ସହ ଯୋଡ଼ି ହେବା ପାଇଁ ମହିଳାଙ୍କୁ ନିବେଦନ କରିଛନ୍ତି ବିଜେଡି ସୁପ୍ରିମୋ। ଏନେଇ ସେ କହିଛନ୍ତି, "ମହିଳା ସଶକ୍ତିକରଣରୁ ପରିବାର, ରାଜ୍ୟ ତଥା ଦେଶ ମଜବୁତ ହୋଇପାରିବ। ଯଦି ମହିଳାଙ୍କ ଆଶୀର୍ବାଦ ମିଳେ, ତାହେଲେ ଦଳ ଆଗାମୀ ୧୦୦ ବର୍ଷ ପାଇଁ ଲୋକଙ୍କ ସେବା କରିବା ଜାରି ରଖିବ।" ବିଜୁ ଜନତା ଦଳର ବିକାଶ ଏବଂ ଲୋକଙ୍କ ମଧ୍ୟରେ ଏହାର ସ୍ୱୀକାର୍ଯ୍ୟତା ଜଣେ କିମ୍ବା ଦୁଇ ଜଣ ବ୍ୟକ୍ତିଙ୍କ ଉପରେ ନିର୍ଭରଶୀଳ ନୁହେଁ କିମ୍ବା ଏହା ଭବିଷ୍ୟତରେ ମଧ୍ୟ ହେବ ନାହିଁ।


ଦଳୀୟ ସରକାରକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, "ବିଜେଡି ଶାସନରେ ଆଞ୍ଚଳିକ ଅସନ୍ତୁଳନ ସମାପ୍ତ ହୋଇଛି। ଆମ ସରକାର ରାଜ୍ୟରେ ଅନ୍ତର୍ଭୂକ୍ତ ବିକାଶ ସୁନିଶ୍ଚିତ କରିଛନ୍ତି। ବର୍ତ୍ତମାନ ମାଲକାନଗିରି ଠାରୁ ମୟୂରଭଞ୍ଜ ଏବଂ ବରଗଡ ଠାରୁ ପୁରୀ ପର୍ଯ୍ୟନ୍ତ ସମସ୍ତ ଅଞ୍ଚଳ ସମାନ ପ୍ରାଥମିକତା ପାଇଛନ୍ତି।" କୋରୋନା ଅବଧି ସମୟକୁ ମନେପକାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାମାରୀକୁ ରୋକିବା ପାଇଁ ତାଙ୍କ ସରକାରଙ୍କ ଦ୍ୱାରା ଗ୍ରହଣ ପଦକ୍ଷେପକୁ ସମଗ୍ର ବିଶ୍ୱ ପ୍ରଶଂସା କରିଛି। 


କୋଭିଡ୧୯ ସଂକ୍ରମଣ ହେତୁ ଗତ ବର୍ଷ ବିଜେଡି ଏହାର ପ୍ରତିଷ୍ଠା ଦିବସ ପାଳନ କରିନଥିଲା। ରାଷ୍ଟ୍ରନାୟକ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନିଧନ ପରେ ତାଙ୍କ ନାମରେ ଗଠିତ ହୋଇଥିଲା ବିଜେଡି। ଗତ ୧୯୯୭ ମସିହା ଡିସେମ୍ବର ୨୬ ତାରିଖରେ ଗଠିତ ହୋଇଥିଲା ବିଜୁ ଜନତା ଦଳ।