Odisha Politics: ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ (Soumya Ranjan Patnaik) ଉପରେ ବିଜେଡିର (BJD) ଭରସା ହରାଇ ସାରିଛି କି? ବରିଷ୍ଠ ପର୍ଯ୍ୟବେକ୍ଷକ ତାଲିକାରୁ ସୌମ୍ୟଙ୍କୁ ବାଦ ଦେବା ପରେ ଏଭଳି କିଛି ଚର୍ଚ୍ଚା ରାଜ୍ୟ ରାଜନୀତରେ ଜୋର ଧରିଛି । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) କ'ଣ ବିଧାୟକ ସୈାମ୍ୟ ରଂଜନ ପଟ୍ଟନାୟକଙ୍କ ଉପରେ ଖୁସି ନାହାନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ବରିଷ୍ଠ ନେତାଙ୍କୁ ଦେଇଛନ୍ତି । ଏଥିରେ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ପୂର୍ବରୁ ତାଲିକାରେ ଥିବା ସୈାମ୍ୟ ରଂଜନ ପଟ୍ଟନାୟକଙ୍କୁ ନବୀନ ବାଦ ଦେଇଛନ୍ତି । ଯାହାକୁ ନେଇ ଏବେ କେବଳ ଦଳ ନୁହେଁ ବରଂ ଦଳ ବାହାରେ ବି ଆଲୋଚନା ହେଉଛି ।


COMMERCIAL BREAK
SCROLL TO CONTINUE READING

ପୂର୍ବରୁ ମନ୍ତ୍ରିମଣ୍ଡଳରେ ସ୍ଥାନ ନ ପାଇ ଅସନ୍ତୁଷ୍ଟ ଥିବା ସୈାମ୍ୟ ବିଭିନ୍ନ ଘଟଣାକୁ ନେଇ ତାଙ୍କ ଦ୍ୱାରା ସମ୍ପାଦିତ ଖବର କାଗଜରେ ଦଳ ଓ ଦଳୀୟ ନେତୃତ୍ୱଙ୍କ ନିଷ୍ପତିକୁ ବିରୋଧ କରି ଖବର ପ୍ରକାଶ କରିବା ଦେଖାଯାଇଛି । ବିଧାନସଭାରେ ବି ବିଭିନ୍ନ ପ୍ରସଙ୍ଗ ନେଇ ଦଳକୁ ଶାଣିତ ଆକ୍ରମଣ କରୁଥିବା ସୌମ୍ୟଙ୍କୁ ଦେଖିବାକୁ ମିଳିଛି । ସୈାମ୍ୟଙ୍କ ପାଇଁ ଦଳ ଓ ନେତୃତ୍ୱ ବିଭିନ୍ନ ସମୟରେ ଅଡୁଆରେ ପଡୁଛନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଏପରିକି ବିଜେପିର ବହୁ ବରିଷ୍ଠ ନେତାଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ସୌମ୍ୟ ଯୋଗ ଦେବା ସହ ଦଳକୁ ଅସୁବିଧାରେ ପକାଇବା ଭଳି ମନ୍ତବ୍ୟ ଦେଉଥିବା ମଧ୍ୟ ଚର୍ଚ୍ଚା ହେଉଛି ।


କିଛି ଦିନ ତଳେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଉପରେ ରଚିତ ଏକ ପୁସ୍ତକର ଉନ୍ମୋଚନ ଉତ୍ସବରେ ସୈାମ୍ୟ ରଂଜନ ପଟ୍ଟନାୟକଙ୍କୁ ଅତିଥି କରାଯାଇଥିଲା । ପୂର୍ବରୁ ସୈାମ୍ୟ ରଂଜନ ତାଙ୍କର ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅତିଥି କରି ଡାକି ଥିଲେ । ତେଣୁ ଏ ସବୁ କାରଣ ଯୋଗୁ ତାଙ୍କୁ ଧୀରେ ଧୀରେ ଦଳର ପ୍ରମୁଖ ଦାୟିତ୍ୱ ରୁ ବାଦ ଦିଆଯାଉଥିବା କୁହାଯାଇଛି । ତାଙ୍କୁ ଆର ଥରକୁ ପ୍ରାର୍ଥୀ କରି ନ ପାରେ ବୋଲି ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି । ଏ ସବୁ କାରଣ ପାଇଁ ସୌମ୍ୟଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ତାଲିକାରୁ ବାଦ ଦିଆଯାଇଛି ବୋଲି ଚର୍ଚ୍ଚା ହେଉଛି। ଏହି ପଦକ୍ଷେପ ନେଇ ଦଳ ସୁପ୍ରିମୋ ସୌମ୍ୟଙ୍କୁ ପରୋକ୍ଷରେ ଚେତାବନୀ ଦେଇଥିବା ଚର୍ଚ୍ଚା ହେଉଛି। ସେପଟେ ଠିକ ଏହି ସମୟରେ ସୌମ୍ୟ ମପିଚୁପି ଉତ୍ତର ରଖିଛନ୍ତି ।


ସୌମ୍ୟଙ୍କ କହିବା କଥା ରାଜନୈତିକ ଦଳର ପରିଭାଷା ହେଲା କ୍ଷମତାକୁ ଆସିବାକୁ ହେଲେ ନିର୍ବାଚନ ଜିତିବାକୁ ପଡ଼ିବ । ନିର୍ବାଚନ ଜିତି କ୍ଷମତାକୁ ନ ଆସିଲେ ଲୋକଙ୍କ ଲାଗି ଯାହା କିଛି କରିବାକୁ ଚାହୁଁଛୁ କରିପାରିବୁ ନାହିଁ । ସ୍ୱାଭାବିକ ଭାବେ ସଂଗଠନକୁ ସୁଦୃଢ କରି ନିର୍ବାଚନକୁ ଯିବା ଏକ ରାଜନୈତିକ ଦଳର ସର୍ବାଧିକ ପ୍ରାଥମିକତା ରହୁଛି।ସଂଗଠନ ଅଦଳବଦଳ ଏକ ନିରନ୍ତର ପ୍ରକ୍ରିୟା । ଯାବତୀୟ କୌଶଳ ହାତକୁ ନିଆଯାଏ । ପ୍ରଭାରୀ ପରିବର୍ତ୍ତନ, ପର୍ଯ୍ୟବେକ୍ଷକ ଅଦଳବଦଳ ଏକ ନିରନ୍ତର ପ୍ରକ୍ରିୟା । ଯେଉଁ ଦଳ ଅମାନତ ହରାଇଛି, ସେମାନେ କ୍ଷମତାକୁ ଆସିବେ ବୋଲି କହୁଛନ୍ତି । ଆମେ ଲଗାତାର ୫ ଥର କ୍ଷମତାକୁ ଆସିଛୁ । ଷଷ୍ଠ ଥର ଲାଗି ଉଦ୍ୟମ କରୁଛୁ । ନବୀନ ବାବୁଙ୍କୁ ଯେଉଁ ଶ୍ରଦ୍ଧା, ସମ୍ମାନ ଓ ସମର୍ଥନ ଆଉ କାହାକୁ ମିଳିନାହିଁ । ୨୦୨୪ ରେ ମଧ୍ୟ ମିଳିବ । ମୋତେ ୯ ଟା ଜିଲ୍ଲାର ଦାଇତ୍ୱ ଦିଆଯାଇଥିଲା । ମୁଁ ବିଭିନ୍ନ କାର୍ଯ୍ୟକ୍ରମ ବ୍ୟସ୍ତ ଥିଲି । ସମୟ ଦେଇପାରିନାହିଁ । ମୋ ରୁଚି ଓ ସାମର୍ଥ୍ୟ ଅନୁସାରେ ଯାହା ଦାଇତ୍ୱ ଦିଆଯିବ, ଗ୍ରହଣ କରିବି ବୋଲି ସୌମ୍ୟ କହିଛନ୍ତି। 


ଅନ୍ୟପଟେ ଯଦି ସୌମ୍ୟଙ୍କ ଉପରେ ବିଜେଡି ଭରସା ନ କରେ ତେବେ ସୌମ୍ୟଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଚର୍ଚ୍ଚା ଜୋର ଧରିଛି । କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଓଡ଼ିଶାରେ ଆମ ଆଦମୀ ପାର୍ଟିର ମଙ୍ଗ ସମ୍ଭାଳିବା ନେଇ ଚର୍ଚ୍ଚା ହେଉଥିବା ବେଳେ ସୌମ୍ୟ କ'ଣ ସେହି ରାସ୍ତାରେ ଯିବେ କି ବୋଲି ପ୍ରଶ୍ନ ଉଠିଛି । ସେପଟେ ଏଭଳି ସ୍ଥିତିରେ  ବିଜେପିର ବରିଷ୍ଠ ନେତା ପ୍ରଦୀପ ପୁରୋହିତଙ୍କ କଥା ଘଟଣାକୁ ରୋଚକ କରିଛି । ସୌମ୍ୟ ପଟ୍ଟନାୟକ ଜଣେ ସ୍ୱାଭିମାନି ବ୍ୟକ୍ତି ବୋଲି ପ୍ରଦୀପ କହିଛନ୍ତି । ସେ ଅଫିସରଙ୍କ ପଛରେ ଦୌଡ଼ି ପାରିବେନି । ତେଣୁ ସେ ଦଳର ଗୁଡ଼ ବୁକ ରେ ନ ଥାଇ ପରନ୍ତି । ଏପରିକି ଏହା ବିଜେଡି ଭିତରେ ଅସନ୍ତୋଷକୁ ଦର୍ଶାଉଥିବା ବେଳେ ବିଜେପି ହିଁ ବିକଳ୍ପ ବୋଲି କହିଛନ୍ତି ପ୍ରଦୀପ ପୁରୋହିତ । ମୋକିମ ହୁଅନ୍ତୁ କି ସୌମ୍ୟ ରାଜ୍ୟ ରାଜନୀତି ରେ ଉଭୟଙ୍କୁ ପ୍ରମୁଖ ଚେହେରା ଭାବେ ଗଣାଯାଏ । ତେଣୁ ଆଗାମୀ ଦିନରେ ଉଭୟଙ୍କ ଆଭିମୁଖ୍ୟ କ'ଣ ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।