ନୂଆଦିଲ୍ଲୀ: ସରି ସରି ଆସୁଛି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କାର୍ଯ୍ୟକାଳ। ତାଙ୍କ ବିରୋଧରେ ଆଗତ ହୋଇଥିବା ଅବିଶ୍ୱାସ ପ୍ରସ୍ତାବ ଉପରେ ମାର୍ଚ୍ଚ ୩୧ ତାରିଖ ଗୁରୁବାର ଦେଶର ସଂସଦରେ ଆୟୋଜିତ ହୋଇସାରିଛି ବିତର୍କ। ଯାହା ପ୍ରାୟ ୩ ଦିନ ଧରି ଚାଲିବ। ନିଜର ଗାଦି ବଞ୍ଚାଇବାରେ ସେ ସଫଳ ହୋଇ ପାରୁଛନ୍ତି ନା ନାହିଁ ତାହା ବିତର୍କ ପରେ ସ୍ପଷ୍ଟ ହୋଇଯିବ। ମାତ୍ର ଏନେଇ ସେ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଗାଦି ଛାଡିବା ପୂର୍ବରୁ ଗୁରୁବାର ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଦେଶକୁ ସମ୍ବୋଧିତ କରିବା ଅବସରରେ ସେ ଆମେରିକା ବିରୋଧରେ ଜୋରଦାର ବର୍ଷିଛନ୍ତି। ଏନେଇ ସେ କହିଛନ୍ତି ପାକିସ୍ତାନ ସବୁବେଳେ ଆମେରିକାକୁ ସମର୍ଥନ କରିଆସିଛି। ହେଲେ ଆମେରିକା ପାକିସ୍ତାନ ଉପରେ ପ୍ରତିବନ୍ଧକ ଲଗାଇଛି। ଆମେରିକା ଠାରେ ହୋଇଥିବା ୯/୧୧ ଆକ୍ରମଣ ଘଟଣାରେ କୌଣସି ପାକିସ୍ତାନୀ ଜଡ଼ିତ ନଥିଲେ। ଆମେରିକା ପାଇଁ ଓକିଲାତି କରିବା ପରଭେଜ ମୁଶରଫଙ୍କ ସବୁଠାରୁ ବଡ ଭୁଲ ଥିଲା। ମୁଁ ଏକ ମୁକ୍ତ ବୈଦେଶିକ ନୀତି ସପକ୍ଷରେ ଅଛି। ଆମେରିକା ସହ ମିଶି ପାକିସ୍ତାନ ଲଢେଇ କରିଛି। ହେଲେ ଆମେରିକା ପାକିସ୍ତାନ ଉପରେ କଟକଣା ଲାଗୁ କରିଛି। ମୁଁ ଭାରତ କିମ୍ବା ଅନ୍ୟ କାହାର ବିରୋଧ ଚାହୁଁ ନାହିଁ।
 
ମୋର ଏକଥା ମନେ ଅଛି ଯେ ଅତୀତରେ ପାକିସ୍ତାନ ଶୀର୍ଷରେ ରହୁଥିଲା। ଆମେ କିପରି ଆଗକୁ ବଢିଥିଲୁ ତାହା ଜାଣିବା ପାଇଁ ଦକ୍ଷିଣ କୋରିଆ, ପାକିସ୍ତାନ ଆସିଥିଲା। ମାଲେସିଆ ରାଜକୁମାର ମୋ ସହିତ ବିଦ୍ୟାଳୟରେ ପଢୁଥିଲେ। ମଧ୍ୟପ୍ରାଚ୍ୟ ଆମ ବିଶ୍ୱବିଦ୍ୟାଳୟରେ ଆସୁଥିଲା। ହେଲେ ମୁଁ ଏହାକୁ ବୁଡ଼ିଯିବାର ଦେଖିଛି। ମୁଁ ମୋ ଦେଶର ଅପମାନ ହେବା ଦେଖିଛି। 


Also Read: କିଏ ହେବେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ?


ପାକିସ୍ତାନ ଶବ୍ଦର ଅର୍ଥ କ'ଣ? ଏହାର ଅର୍ଥ ହେଉଛି ଆପଣ କେବଳ ଭଗବାନଙ୍କୁ ଡରନ୍ତୁ। ପାକିସ୍ତାନ ତଳୁ ଆସିବାର ମୁଁ ଦେଖିଛି। ଦେଶକୁ ଅପମାନିତ ହେବା ଦେଖିଛି। ମୁଁ ସବୁବେଳେ କହିଥିଲି ଯେ ମୁଁ ମୋର ଦେଶ ବାସୀଙ୍କୁ କାହାର ଗୋଲାମ ହେବାକୁ ଦେବି ନାହିଁ। ପାକିସ୍ତାନ ପାଇଁ ବୈଦେଶିକ ନୀତି ମୁକ୍ତ ହେବ। ଏହାର ଅର୍ଥ ନୁହେଁ ଯେ ଏହା କାହା ବିରୁଦ୍ଧରେ ହେବ।


ମୁଁ ସୌଭାଗ୍ୟଶାଳୀ ଯେ ଭଗବାନ ମୋତେ ଖ୍ୟାତି, ଧନ, ପରିଚୟ ସବୁକିଛି ଦେଇଛନ୍ତି। ମୋର ଆଜି କିଛି ଦରକାର ନାହିଁ। ଭଗବାନ ମୋତେ ଯାହା କିଛି ଦେଇଛନ୍ତି ସେଥିପାଇଁ ମୁଁ ବହୁତ କୃତଜ୍ଞ। ପାକିସ୍ତାନ ମୋ ଠାରୁ ବୟସରେ ମାତ୍ର ୫ ବର୍ଷ ବଡ। ମୁଁ ହେଉଛି ପ୍ରଥମ ପିଢି ଯିଏ ଦେଶର ସ୍ୱାଧୀନତା ପରେ ଜନ୍ମ ହୋଇଛି। ମୋତେ ଏକଥା ସର୍ବଦା ଏହା ଅନୁଭବ କରାଇଛି ଯେ ମୁଁ ଏକ ସ୍ୱାଧିନ ଦେଶରେ ଜନ୍ମ ହୋଇଛି। 


ବିଭିନ୍ନ ମଞ୍ଚରେ ମୁଁ କାଶ୍ମୀର ପ୍ରସଙ୍ଗ ଉଠାଇଛି। ଏହି ପ୍ରସଙ୍ଗରେ ହିନ୍ଦୁସ୍ତାନ ସହ କଥାବାର୍ତ୍ତା କରିବାକୁ ଚେଷ୍ଟା କରିଥିଲି। ଆମେରିକା ଆମକୁ ଏକ ବାର୍ତ୍ତା ପଠାଇଥିଲା। ହେଲେ ଏହି ବାର୍ତ୍ତା ଆମ ସମ୍ପ୍ରଦାୟ ବିରୋଧରେ ଆସିଛି। ଯେଉଁଥିରେ କୁହାଯାଇଥିଲା ଯଦି ଇମ୍ରାନ ଖାନ ଚାଲିଯାନ୍ତି ତାହେଲେ ପାକିସ୍ତାନକୁ କ୍ଷମା କରିଦେବୁ। ନଚେତ୍ ପାକିସ୍ତାନକୁ କଷ୍ଟଦାୟକ ସମୟର ସାମ୍ନା କରିବାକୁ ପଡିବ। ଯଦି ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ରୁହନ୍ତି ତେବେ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ। 


Also Read: ପାକିସ୍ତାନ ସଂସଦରେ ବାଜିଲା ସତର୍କ ଘଣ୍ଟି; ରବିବାର ସ୍ଥିର ହେବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭାଗ୍ୟ


ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ମୁଁ ଇସ୍ତଫା ଦେବି ନାହିଁ। ଏହାର ନିଷ୍ପତ୍ତି ଏପ୍ରିଲ ୩ ତାରିଖରେ ହୋଇଯିବ। ଇସ୍ତଫା ଦେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସେ କହିଛନ୍ତି କୌଣସି ପରିସ୍ଥିତିରେ ମୁଣ୍ଡ ନୁଆଁଇବାର ପ୍ରଶ୍ନ ଉଠୁନାହିଁ।