Rajnath Singh Regret: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ (Defence Minister Rajnath Singh) ସୋମବାର କହିଛନ୍ତି ଯେ, ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ପାକିସ୍ତାନ ଅଧିକୃତ କାଶ୍ମୀର (POK) ପ୍ରସଙ୍ଗରେ ନିଷ୍ପତ୍ତି ନିଆଯିବାର ଥିଲା। ହିମାଚଳ ପ୍ରଦେଶର କାଙ୍ଗଡା ଜିଲ୍ଲାର ବଡୋଲିରେ ଶହୀଦଙ୍କ ପରିବାରକୁ ସମ୍ମାନିତ କରିବା ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସମ୍ବୋଧିତ କରି ସିଂ ଏହି ମନ୍ତବ୍ୟ ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ସିଂ କହିଛନ୍ତି, "ଆମେ ୧୯୭୧ ଯୁଦ୍ଧରେ ବିଜୟର ସୁବର୍ଣ୍ଣ ଜୟନ୍ତୀ (Golden Jubilee Of 1971 War) ପାଳନ କରିଥିଲୁ। ସେହି ୧୯୭୧ ଯୁଦ୍ଧ ଇତିହାସରେ ସ୍ମରଣୀୟ ହୋଇ ରହିବ,କାହିଁକି ନା ସେହି ଯୁଦ୍ଧ ସମ୍ପତ୍ତି, ଦଖଲ କିମ୍ବା କ୍ଷମତା ବଦଳରେ ମାନବିକତା ପାଇଁ ଲଢାଯାଇଥିଲା।" ସେ କହିଥିଲେ, 'କେବଳ ଗୋଟିଏ ଅବଶୋଷ ରହିଗଲା ଯେ PoK ଉପରେ ନିଷ୍ପତ୍ତି ସେହି ସମୟରେ ନିଆଯାଇପାରିଥାନ୍ତା।' ରାଜନାଥ ହମିରପୁର ଜିଲ୍ଲାର ନାଦୌନରେ ମଧ୍ୟ ଏପରି ଏକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। କଙ୍ଗରାଠାରେ ପ୍ରତିରକ୍ଷା ମନ୍ତ୍ରୀ ଦେଶକୁ 'ଆତ୍ମନିର୍ଭରଶୀଳ' କରିବା ପାଇଁ କେନ୍ଦ୍ରର ସଂକଳ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଜନକୁ ସଫଳ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ।


ସିଂ କହିଛନ୍ତି, ଏହାପୂର୍ବରୁ ଭାରତ ପ୍ରତିରକ୍ଷା ଆମଦାନୀକାରୀ ଭାବରେ ଜଣାଶୁଣା ଥିଲା। ଆଜି ଏହା ବିଶ୍ୱର ୨୫ ଅଗ୍ରଣୀ ପ୍ରତିରକ୍ଷା ରପ୍ତାନିକାରୀମାନଙ୍କ ମଧ୍ୟରୁ ଅନ୍ୟତମ। ଆଠ ବର୍ଷ ପୂର୍ବେ ପ୍ରତିରକ୍ଷା ରପ୍ତାନି ପ୍ରାୟ ୯୦୦ କୋଟି ଟଙ୍କା ଥିଲା ଯାହା ବର୍ତ୍ତମାନ ୧୩,୦୦୦ କୋଟି ଅତିକ୍ରମ କରିଛି। ଆମେ ଆଶା ରଖିଛୁ ୨୦୨୫ ସୁଦ୍ଧା ପ୍ରତିରକ୍ଷା ରପ୍ତାନି ୩୫,୦୦୦ କୋଟିରେ ପହଞ୍ଚିବ ଏବଂ ୨୦୪୭ ପାଇଁ ନିର୍ଦ୍ଧାରିତ ୨.୭ ଲକ୍ଷ କୋଟି ଟଙ୍କାର ଲକ୍ଷ୍ୟ ପୂରଣ କରିନିଆଯିବ। ଏଥିସହିତ ସେ ଆହୁରି କହିଛନ୍ତି, ଭାରତ କୌଣସି ଦେଶ ଉପରେ ଆକ୍ରମଣ କରି ନାହିଁ କିମ୍ବା ଏକ ଇଞ୍ଚ ବିଦେଶୀ ଜମି ଦଖଲ କରିନାହିଁ। ସେ ଦେଶକୁ ଆଶ୍ୱାସନା ଦେଇଛନ୍ତି ଯେ, ଯଦି ଭାରତରେ ସଦ୍ଭାବକୁ ଭଣ୍ଡୁର କରିବାକୁ କୌଣସି ପ୍ରୟାସ କରାଯାଏ, ତେବେ ତାହାର ଉପଯୁକ୍ତ ଉତ୍ତର ଦିଆଯିବ।


ସେ କହିଛନ୍ତି, 'ଭାରତ ଏକ ଶାନ୍ତିପ୍ରିୟ ଦେଶ, କିନ୍ତୁ ଏହାକୁ ଡରୁଆ କିମ୍ବା ଯୁଦ୍ଧକୁ ଭୟ କରୁଥିବା ଭାବିବାର ଭୁଲ କରିବା ଉଚିତ ନୁହେଁ। ଏପରି ସମୟରେ ଯେତେବେଳେ ଆମେ କୋଭିଡ-୧୯ ସହିତ ମୁକାବିଲା କରୁଥିଲୁ, ଚୀନ୍ (China) ସହିତ ଉତ୍ତର ସୀମାରେ ଆମେ ଉତ୍ତେଜନାର ସମ୍ମୁଖୀନ ହୋଇଥିଲୁ। ଗାଲୱାନ ଘଟଣା ସମୟରେ ଆମର ସୈନିକ ମାନଙ୍କ ସାହସ ପ୍ରମାଣ କରିଛି ଯେ, ଯେତେ ବଡ଼ ଶକ୍ତି ହେଉନା କାହିଁକି ଭାରତ କେବେ ବି ନଇବ ନାହିଁ। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, 'ଚିଫ୍ ଅଫ୍ ଡିଫେନ୍ସ ଷ୍ଟାପ୍' ପଦବୀର ଗଠନ ଏବଂ ସାମରିକ ବ୍ୟାପାର ବିଭାଗ ପ୍ରତିଷ୍ଠା ଜାତୀୟ ସୁରକ୍ଷାକୁ ମଜବୁତ୍ କରିବା ପାଇଁ ନିଆଯାଇଥିବା କେତେକ ପ୍ରମୁଖ ପଦକ୍ଷେପ।


ସେ କହିଛନ୍ତି, “ନ୍ୟାସନାଲ ଡିଫେନ୍ସ ଏକାଡେମୀ (ଏନଡିଏ)ର ଦ୍ବାର ଝିଅ ମାନଙ୍କ ପାଇଁ ଖୋଲା ଯାଇଥିବା ବେଳେ ସଶସ୍ତ୍ର ବାହିନୀରେ ମହିଳା ମାନଙ୍କୁ ସ୍ଥାୟୀ କମିଶନ ଦିଆଯାଉଛି। ଯୁଦ୍ଧ ଜାହାଜରେ ମହିଳା ନିୟୋଜନ ପାଇଁ ଆମେ ଅନୁମୋଦନ ମଧ୍ୟ ଦେଇଛୁ। ସିଂ ଗୁରୁତ୍ୱାରୋପ କରିଛନ୍ତି ଯେ, ସରକାର ଏକ 'ନୂତନ ଭାରତ' ନିର୍ମାଣ କରାଯାଉଛି, ଯାହା ଆମର ସମସ୍ତ ଶାନ୍ତି ପ୍ରେମୀ ବନ୍ଧୁ ଦେଶକୁ ସୁରକ୍ଷା ଏବଂ ବିଶ୍ୱାସର ଭାବନା ପ୍ରଦାନ କରିବ ତଥା ଖରାପ ଉଦ୍ଦେଶ୍ୟ ରଖୁଥିବା ଦେଶକୁ ଧୂଳି ଚଟାଇବ।