ଭୁବନେଶ୍ୱର: ଦିନେ ପଶ୍ଚିମ ଓଡ଼ିଶା ରାଜନୀତିରେ ବିଜେଡିର ନୀତି ନିର୍ଦ୍ଧାରକ ଭାବେ ପରିଚିତ ଥିବା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହ (Former minister sushant singh)ଙ୍କୁ ଏବେ ଆଉ ଦେଖିବାକୁ ମିଳୁ ନାହିଁ। ନବୀନ ନିବାସରୁ ଆରମ୍ଭ କରି ବିଜେଡିର ଦାୟିତ୍ବ ନେଇ ପୁଣିଥରେ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ କାର୍ତ୍ତିକେୟ ପାଣ୍ଡିଆନ୍‍ଙ୍କ ଯୋଜନାରେ କେଉଁଠି ବି ସେ ନଜରକୁ ଆସୁ ନାହାନ୍ତି। ଏପରିକି ପାଣ୍ଡିଆନ୍‍ ଅଫିସିଆଲି ବିଜେଡିର ଦାୟିତ୍ୱ ନେବା ପରେ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ପ୍ରତିଦିନ ଯେଉଁ ଭିଡ଼ ଜମୁଛି, ସେଥିରେ ବି ସୁଶାନ୍ତ ସିଂନଜରକୁ ଆସୁ ନାହାନ୍ତି। ତାଙ୍କର ଏହି ଗୋପନ ରହିବାର ରହସ୍ୟ ବାବଦରେ ଏବେ ରାଜନୀତିକ ଚର୍ଚ୍ଚା ଆରମ୍ଭ ହୋଇଛି। 


COMMERCIAL BREAK
SCROLL TO CONTINUE READING

ଶ୍ରୀ ସିଂହ ସାରା ପଶ୍ଚିମାଞ୍ଚଳରେ ବିଜେଡିର ପ୍ରମୁଖ ଗୋଟିଚାଳକ ଭାବେ ଜଣାଶୁଣା। ପୂର୍ବରୁ କିଛି ଦିନ ଝରସୁଗୁଡ଼ାରେ ନବ ଦାସଙ୍କ ଆବିର୍ଭାବ ତାଙ୍କ ପ୍ରଭାବରେ ଆଞ୍ଚ ଆଣିଥିଲା କିନ୍ତୁ ଏବେ ଆଉ ସେ ପରିସ୍ଥିତି ଆଉ ନାହିଁ। ନିଜ ଆସନ ଭଟଲି ହେଉ କି ପଦ୍ମପୁର ଉପ ନିର୍ବାଚନରେ ବିଜେଡିର ବିପୁଳ ବିଜୟ ଲାଗି ସେ ଶ୍ରେୟ ଗୋଟାଇଛନ୍ତି। ହେଲେ ଆଜି ନା ବିଜେଡି ରାଜନୀତିରେ ନା ସରକାରରେ ସେ ଆଉ ଦେଖାଯାଉଛନ୍ତି ନା ଗଣମାଧ୍ୟମରେ କିଛି କହୁଛନ୍ତି। ପରିସ୍ଥିତି ଏପରି ଯେ, ସେ କୁଆଡ଼େ ଗଲେ ମଧ୍ୟ ଗଣମାଧ୍ୟମ ଆଉ ଚର୍ଚ୍ଚା କରୁ ନାହିଁ। 


ବିଶେଷକରି ନଭେମ୍ବର ମାସରୁ ସୁଶାନ୍ତଙ୍କ ପ୍ରାଧାନ୍ୟ କ୍ଷୁର୍ଣ୍ଣ ହୋଇଥିବା କୁହାଯାଉଛି। ଏହି ମାସରେ ବରଗଡ଼ ଜିଲ୍ଲାର ଅମ୍ବାଭୋନା ଥାନାରେ ହୋଇଥିବା ଭଙ୍ଗାରୁଜା ଓ ତାଙ୍କ ସମ୍ପୃକ୍ତି ବିଶେଷକରି ବିଜେଡିର ପ୍ରତିଚ୍ଛବିକୁ ପଦାରେ ପକାଇଥିବା ଚର୍ଚ୍ଚା ହେଉଛି। ଏହି ଘଟଣାକୁ କେନ୍ଦ୍ରକରି ବିଜେପି ଶୋଭାଯାତ୍ରା ଓ ସଭାମାନ ଆୟୋଜନ କରିଥିଲା। ସିସି ଟିଭି ଫୁଟେଜର ମଧ୍ୟ ସୁଶାନ୍ତଙ୍କ ଉପସ୍ଥିତି ଲକ୍ଷ୍ୟ କରାଯାଇଥିଲା।


ଏହା ପୂର୍ବରୁ ମେ ମାସରେ ହୋଇଥିବା ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ବେଳେ ତାଙ୍କୁ ମନ୍ତ୍ରିପଦ ନମିଳିବା ତାଙ୍କୁ ଅସନ୍ତୁଷ୍ଟ କରିଥିଲା। ଯଦିଓ ସେ ନିଜେ ଅସନ୍ତୋଷ ବଖାଣି ନାହାନ୍ତି କିନ୍ତୁ ତାଙ୍କ ସମର୍ଥକମାନେ ଏହି ଅସନ୍ତୋଷକୁ ଗଣମାଧ୍ୟମରେ ଚର୍ଚ୍ଚା କରିଥିଲେ।  ଏହା ପୂର୍ବରୁ ତାଙ୍କୁ ଦଳୀୟ ପର୍ଯ୍ୟବେକ୍ଷକ ତାଲିକାରୁ ବାଦ ଦିଆଯାଇଥିଲା। ଝାରସୁଗୁଡ଼ା ନିର୍ବାଚନ ପୂର୍ବରୁ ତାଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରୁ କାଢ଼ି ଦିଆଯିବା ତାଙ୍କ ବିରୁଦ୍ଧରେ ଆସୁଥିବା ଅଭିଯୋଗକୁ ନେଇ ସକରାତ୍ମକ ପ୍ରତିକ୍ରିୟା ଜନସାଧାରଣରେ ସୃଷ୍ଟି କରିଥିଲା। କେହି କେହି ତାଙ୍କୁ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା କାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗ କରିଥିଲେ।


ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ ରିପୋର୍ଟ ଏଯାଏ ସ୍ପଷ୍ଟ ହୋଇ ନାହିଁ। ପୁଲିସ ଏଏସ୍‍ଆଇ ଗୋପାଳ ଦାସଙ୍କୁ ନେଇ ଯେଉଁ ପ୍ରକାରେ ତଦନ୍ତ ରିପୋର୍ଟ ଲୋକଙ୍କ ସାମ୍ନାରେ ଉପସ୍ଥାପନ କରୁଛି, ତାହାକୁ ନେଇ ମଧ୍‍ୟ ଅନେକ ସମାଲୋଚନା ରାଜ୍ୟ ସରକାରଙ୍କୁ ସହିବାକୁ ପଡ଼ିଛି। ଏପରିସ୍ଥଳରେ ପଶ୍ଚିମ ଓଡ଼ିଶା ରାଜନୀତିରେ ସେ ଆଉ ସମ୍ପତ୍ତି ନୂହେଁ ବରଂ ବିଜେଡି ଲାଗି ବିପତ୍ତି ହୋଇଥିବା ଦଳ ଇଙ୍ଗିତ ପାଇଥିବା ଚର୍ଚ୍ଚା ହେଉଛି। ଏଣୁ ତାଙ୍କୁ ଆସନ୍ତା ନିର୍ବାଚନରେ ମଧ୍ୟ ସଙ୍କୁଚିତ କରିବାକୁ ଦଳ ଯୋଜନା କରୁଥିବା ଚର୍ଚ୍ଚା ହେଉଛି।


Also Read- ଅଯୋଧ୍ୟା ଯିବେ ଲାଲକୃଷ୍ଣ ଆଡଭାନୀ, ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ହେବେ ସାମିଲ


Also Read- Ollywood News: ନୂଆ ଓଡ଼ିଆ ଚଳଚ୍ଚିତ୍ର "କେମିତି ଏ ସମ୍ପର୍କ" ର ଅଡିଓ ରିଲିଜ୍