୧୯୫୧ ମସିହାରୁ ୨୦୨୨ ନିର୍ବାଚନ: UP ରାଜନୀତି ଉପରେ ବହୁ ଅଜଣା କଥା
ଉତ୍ତର ପ୍ରଦେଶର ଜଣେ ନେତା ଦୁଇଟି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି। ଏକମାତ୍ର ରାଜ୍ୟ ଭାବେ ୨ ଜଣ ମହିଳା ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟରେ ଶାସନ କରିବାର ସୁଯୋଗ ମିଳିଛି।
ଅସ୍ଥିର ରାଜନୀତିର ଗଡ଼ ହେଉଛି ଉତ୍ତର ପ୍ରଦେଶ। କେନ୍ଦ୍ରରେ କିଏ ସରକାର ଗଠନ କରିବ ? କେନ୍ଦ୍ରରେ କାହା ମୁଣ୍ଡରେ ଶିରିପା ବନ୍ଧାଯିବ ତାହା ଉତ୍ତର ପ୍ରଦେଶ ରାଜନୀତିରୁ ହିଁ ଏହା ସ୍ପଷ୍ଟ ହୋଇଥାଏ ବୋଲି କହଥାନ୍ତି ରାଜନୈତିକ ପଣ୍ଡିତ। ଏହି ରାଜ୍ୟରେ ରାଜନୈତିର ସମୀକରଣ ଋତୁ ବଦଳିଲା ଭଳି ପରିବର୍ତ୍ତନ ହୋଇଥାଏ। ଆଜିର ମେଣ୍ଟ ସହଯୋଗୀ କାଲି ବିରୋଧୀ ହୋଇ ଆରୋପ ପ୍ରତ୍ୟାରୋପ ଯୁଦ୍ଧରେ ମଗ୍ନ ହୋଇଯାଏ। ଉତ୍ତରପ୍ରଦେଶ ଏକ ଏଭଳି ରାଜ୍ୟ ଯେଉଁଠି ସର୍ବାଧିକ ୨୧ ଜଣ ମୁଖ୍ୟମନ୍ତ୍ରୀ ଶାସନ କରିଛନ୍ତି। ଉତ୍ତର ପ୍ରଦେଶର ଜଣେ ନେତା ଦୁଇଟି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି। ଏକମାତ୍ର ରାଜ୍ୟ ଭାବେ ୨ ଜଣ ମହିଳା ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟରେ ଶାସନ କରିବାର ସୁଯୋଗ ମିଳିଛି। ସେହିପରି ଦେଶକୁ ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଦେଇଥିବା ରାଜ୍ୟ ହେଉଛି ଉତ୍ତରପ୍ରଦେଶ। ମାତ୍ର ୩ ଜଣ ମୁଖ୍ୟମନ୍ତ୍ରୀ ପୂରା ୫ ବର୍ଷ କାର୍ଯ୍ୟକାଳ ପୂରଣ କରିପାରିଛନ୍ତି। ବିଜେପିକୁ ସତ୍ତାରୁ ହଟାଇ ଗୋଟିଏ ଦିନ ପାଇଁ କଂଗ୍ରେସ ଶାସନକୁ ଆସିଥିଲା। ଆଉ ୪୮ ଘଣ୍ଟାର ବିରତି ପରେ ପୁଣି ବିଜେପି ହାତକୁ ଯାଇଥିଲା କ୍ଷମତା।
ପ୍ରଥମ ବିଧାନସଭା: ଗୋଟିଏ ପାଳିର ୨ ମୁଖ୍ୟ
୧୯୫୨ ମସିହାରେ ୩୪୬ ଆସନ ପାଇଁ ଅବିଭକ୍ତ ଉତ୍ତର ପ୍ରଦେଶ ପାଇଁ ହୋଇଥିଲା ପ୍ରଥମ ନିର୍ବାଚନ। ମୋଟ ଆସନ ମଧ୍ୟରୁ ୮୩ ସିଟ୍ ଥିଲା ଦ୍ୱି-ସଦସ୍ୟ ବିଶିଷ୍ଟ। ପ୍ରଥମ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସକୁ ମିଳିଥିଲା ୩୮୮ ଆସନ। ମଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ପଣ୍ଡିତ ଗୋବିନ୍ଦ ବହ୍ଲବ ପନ୍ଥ ମୁଖ୍ୟମନ୍ତ୍ରୀ ପଦବୀରେ ଅବ୍ୟାହତ ରହିଥିଲେ। ଡିସେମ୍ୱର ୧୯୫୪ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଥିଲେ ପନ୍ଥ। କେନ୍ଦ୍ରରେ ଗୃହମନ୍ତ୍ରୀ ପଦ ମିଳିବାରୁ ସେ ମୁଖ୍ୟମନ୍ତ୍ରୀ ଆସନ ବାରାଣସୀର ସଂସ୍କୃତ ପଣ୍ଡିତ ସମ୍ପୂର୍ଣ୍ଣାନନ୍ଦଙ୍କ ପାଇଁ ଖାଲି କରିଥିଲେ।
ଦ୍ୱିତୀୟ ବିଧାନସଭା: କ୍ଷମତା ଯୁଦ୍ଧ
୧୯୫୭ରେ ଅନୁଷ୍ଠିତ ହୋଇଥିଲା ଦ୍ୱିତୀୟ ନିର୍ବାଚନ। ଏଥିରେ ମଧ୍ୟ ପୂର୍ଣ୍ଣ ବହୁମତ ହାସଲ କରିଥିଲା ଭାରତୀୟ ଜାତୀୟ କଂଗ୍ରେସ। ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ ଅବ୍ୟାହତ ରଖିଥିଲେ ସମ୍ପୂର୍ଣ୍ଣାନନ୍ଦ। ଏହି ଭିତରେ ଦଳ ମଧ୍ୟରେ ଦେଖିବାକୁ ମିଳିଥିଲା କ୍ଷମତା ଯୁଦ୍ଧ। ୧୯୬୦ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଆସନ ବଜାୟ ରଖିଥିଲେ ସମ୍ପୂର୍ଣ୍ଣନନ୍ଦ। ପରେ କମଳାପତି ତ୍ରିପାଠୀଙ୍କ ଦ୍ୱାରା ସୃଷ୍ଟି ସମସ୍ୟା ଫଳରେ ଚନ୍ଦ୍ର ଭାନୁ ଗୁପ୍ତାଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ ପଦ।
ତୃତୀୟ ବିଧାନସଭା: ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ
୧୯୬୨ ପର୍ଯ୍ୟନ୍ତ ଚନ୍ଦ୍ର ଭାନୁ ଗୁପ୍ତା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ। ୧୯୬୨ ମସିହାରେ ଅନୁଷ୍ଠିତ ହେଲା ତୃତୀୟ ନିର୍ବାଚନ। ମୋଟ ୪୩୦ ସିଟ୍ ମଝ୍ୟରୁ ୨୪୯ ଆସନରେ ବିଜୟୀ ହୋଇ କଂଗ୍ରେସ ୨୧୬ ମ୍ୟାଜିକ ନମ୍ୱର ପାର କରି ପୁଣି ସରକାର ଗଠନ କରିଥଲା। ଏହି ନିର୍ବାଚନରେ ଭାରତୀୟ ଜନସଂଘକୁ ମିଳିଥିଲା ୪୯ ଆସନ ଏବଂ ପ୍ରଜା ସୋସିଆଲିଷ୍ଟ ପାର୍ଟି ଖାତାକୁ ଯାଇଥିଲା ୩୮ ସିଟ୍। ମୁଖ୍ୟମନ୍ତ୍ରୀ ଆସନ ଚନ୍ଦ୍ର ଭାନୁ ଗୁପ୍ତାଙ୍କ ପାଖରେ ରହିଲା। ହେଲେ ଖୁବ୍ କମ ସମୟ ପାଇଁ। ୧୯୬୩ ମସିହାରେ ଉତ୍ତରପ୍ରଦେଶ ତଥା ଭାରତକୁ ମିଳିଲା ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ। ସୁଚେତା କୃପାଳିନୀ ହେଲେ ଉତ୍ତର ପ୍ରଦେଶର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ। ୧୯୬୭ ପର୍ଯ୍ୟନ୍ତ ୩ ବର୍ଷ ୧୬୨ ଦିନ କ୍ଷମତାରେ ରହିଲେ ସୁଚେତା।
ଚତୁର୍ଥ ବିଧାନସଭା (୧୯୬୭-୬୯): କଂଗ୍ରେସର ପତ୍ତନ
୧୯୬୭ ନିର୍ବାଚନ। ଉତ୍ତରପ୍ରଦେଶରେ ଆରମ୍ଭ ହେଲା କଂଗ୍ରେସର ପତ୍ତନ। ୧୯୬୭ ପରଠାରୁ ଉତ୍ତର ପ୍ରଦେଶରେ କଂଗ୍ରେସ ଦୁର୍ବଳ ହେବାରେ ଲାଗିଲା। ଏହି ନିର୍ବାଚନରେ କୌଣସି ଦଳ ମ୍ୟାଜିକ ନମ୍ୱର ପାର କରିନଥିଲେ। ସରକାର ଗଠନ ପାଇଁ ୪୨୫ ଆସନରୁ ଆବଶ୍ୟକ ଥିଲା ୨୧୩ ଆସନ। ହେଲେ ସବୁଠାରୁ ବଡ଼ ଦଳ ଭାବେ ୧୯୯ ଆସନ ଜିତି ଥିଲା କଂଗ୍ରେସ। ଭାରତୀୟ ଜନସଂଘକୁ ମିଳିଥିଲା ୯୮ ସିଟ୍। ସଂଯୁକ୍ତ ସୋସିଆଲିଷ୍ଟ ପାର୍ଟି ପାଇଥିଲା ୪୪ ଆସନ, ସିପିଆଇ ୧୩, ସ୍ୱତନ୍ତ୍ର ପାର୍ଟି ୧୨, ପ୍ରଜା ସୋସିଆଲିଷ୍ଟ ପାର୍ଟି ୧୧ ଆସନ ହାତେଇଥିଲେ। କଂଗ୍ରେସ ପାଖରେ ସର୍ବାଧିକ ଆସନ ଥିବାରୁ ସରକାର ଗଠନ ପାଇଁ ପ୍ରଥମେ ଦଳକୁ ମିଳିଥିଲା ସୁଯୋଗ। ଦକ୍ଷିଣ ରାଣୀକ୍ଷେତରୁ ମାତ୍ର ୭୨ ଖଣ୍ଡ ଭୋଟରେ ନିର୍ବାଚିତ ଚନ୍ଦ୍ରଭାନୁ ଗୁପ୍ତା ହୋଇଥିଲେ ମୁଖ୍ୟମନ୍ତ୍ରୀ। ହେଲେ ୧୯ ଦିନ ପରେ ସଂଖ୍ୟା ଗରିଷ୍ଠତା ଅଭାବରୁ ଭାଙ୍ଗି ଯାଇଥିଲା ସରକାର। ୧୪ ମେ ୧୯୬୭ରୁ ୨ ଏପ୍ରିଲ ୧୯୬୭ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଆସନରେ ବସିଲେ। ଏଠାରୁ ଆରମ୍ଭ ହେଲା ଅଣ-କଂଗ୍ରେସ ସରକାର। ଚୌଧୁରୀ ଚରଣ ସିଂ କଂଗ୍ରେସରୁ ଅଲଗା ହୋଇ ଗଠନ କଲେ ଭାରତୀୟ କ୍ରାନ୍ତି ଦଳ। ଜନସଂଘ ଏବଂ ଅନ୍ୟାନ୍ୟ ଦଳର ସମର୍ଥନରେ ସରକାର ଗଠନ କଲେ ସେ। ଫେବୃଆରୀ ୧୯୬୮ରେ ଚରଣ ସିଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ବିଧାନସଭା ଭଙ୍ଗ ପାଇଁ ପ୍ରସ୍ତାବ ଦେଲେ। ଗୋଟିଏ ବର୍ଷ ରାଷ୍ଟ୍ରପତି ଶାସନ ପରେ ୧୯୬୯ରେ ପୁଣି ନିର୍ବାଚନ ହେଲା।
ପଞ୍ଚମ ବିଧାନସଭା (୧୯୬୯-୧୯୭୩): ଉପ-ନିର୍ବାଚନ ହାରି ଗାଦି ହରାଇଲେ ମୁଖ୍ୟମନ୍ତ୍ରୀ
୧୯୬୯ ନିର୍ବାଚନରେ ୪୨୫ ଆସନରୁ କଂଗ୍ରେସ ୨୧୧ଟି ଆସନରେ ବିଜୟୀ ହୋଇଥିଲା। ଚରଣ ସିଂଙ୍କ ଭାରତୀୟ କ୍ରାନ୍ତିଦଳ ଜିତିଥିଲା ୯୮ ଆସନ, ସେହିପରି ଜନସଂଘକୁ ମିଳିଥିଲା ୪୯ ସିଟ୍। ପୁଣି ଚନ୍ଦ୍ରଭାନୁ ଗୁପ୍ତା ଫେରିପାଇଥିଲେ ମୁଖ୍ୟମନ୍ତ୍ରୀ ଆସନ। ହେଲେ ମାତ୍ର ଗୋଟିଏ ବର୍ଷ ପାଇଁ ତାଙ୍କ ପାଖରେ ରହିଲା ମୁଖ୍ୟମନ୍ତ୍ରୀ ପଦ। ୧୯୬୯ରେ କଂଗ୍ରେସ ହେଲା ଦୁଇ ଫାଳ। ଯାହାଫଳରେ ବହୁମତ ହରାଇ ପଦରୁ ଇସ୍ତଫା ଦେଲେ ଚନ୍ଦ୍ରଭାନୁ ଗୁପ୍ତା। ୧୯୭୦ ମସିହା ଫେବ୍ରୃଆରୀରେ ଇନ୍ଦିରା ଗାନ୍ଧୀଙ୍କ ସମର୍ଥନରେ ପୁଣି କ୍ଷମତାକୁ ଫେରିଲେ ଚରଣ ସିଂହ। ଗୋଟିଏ ବର୍ଷ ପୂରି ନପୂରୁଣୁ କ୍ଷମତା ହରାଇଲେ ଚରଣ ସିଂ। କଂଗ୍ରେସ (ଆର) ଦଳର ୧୪ ଜଣ ମନ୍ତ୍ରୀ ଚରଣ ସିଂଙ୍କ ଇସ୍ତଫା ଚାହୁଁଥିଲେ। ଅନ୍ୟପଟେ ମନ୍ତ୍ରୀଙ୍କୁ ବରଖାସ୍ତ କରିବାକୁ ଚରଣ ସିଂ ନିଷ୍ପତ୍ତି ନେଲେ ହେଲେ ରାଜ୍ୟପାଳ ବି.ଗୋପାଳ ରେଡ୍ଡୀ, ଚରଣ ସିଂଙ୍କୁ ଇସ୍ତଫା ଦେବାକୁ କହିଲେ। ପରେ ଗୋଟିଏ ବର୍ଷ ପାଇଁ ରାଜ୍ୟରେ ଲାଗୁହେଲା ରାଷ୍ଟ୍ରପତି ଶାସନ। ରାଷ୍ଟ୍ରପତି ଶାସନର ୧୭ ଦିନ ପରେ ତ୍ରିଭୂବନ ନାରାୟଣ ସିଂ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ। ଇନ୍ଦିରାଙ୍କ ଠାରୁ ଅଲଗା ହୋଇଥିବା କଂଗ୍ରେସର ଓଲ୍ଡଗାର୍ଡଙ୍କ (ବରିଷ୍ଠ କଂଗ୍ରେସ ନେତାଙ୍କ ଦଳ) ସମର୍ଥନରେ ସରକାର ଗଠନ କଲେ ତ୍ରିଭୂବନ। ହେଲେ ତାଙ୍କ ସରକାର ମଧ୍ୟ ଗୋଟିଏ ବର୍ଷ ତିଷ୍ଠି ପାରିଲା ନାହିଁ। କାରଣ ୬ ମାସ ଭିତରେ ତ୍ରିଭୂବନଙ୍କୁ ବିଧାନସଭାକୁ ନିର୍ବାଚିତ ହେବାକୁ ଥିଲା। ହେଲେ ମୁଖ୍ୟମନ୍ତ୍ରୀ ଆସନରେ ବସି ମଧ୍ୟ ଉପ ନିର୍ବାଚନରେ ପରାସ୍ତ ହେଲେ ତ୍ରିଭୂବନ। ଯାହାଫଳରେ ତାଙ୍କ ସ୍ଥାନ ନେଲେ କମଳାପତି ତ୍ରିପାଠୀ। ହେଲେ ପୁଣି ୨ ବର୍ଷ ପରେ ତାଙ୍କୁ ଆସନ ଛାଡ଼ିବାକୁ ପଡ଼ିଲା ଏବଂ ରାଷ୍ଟ୍ରପତି ଶାସନ ଲାଗୁ ହେଲା। ଏହି ୫ ବର୍ଷ ମଧ୍ୟରେ ୪ ଜଣ ମୁଖ୍ୟମନ୍ତ୍ରୀ ଏବଂ ୨ ଥର ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି ଉତ୍ତର ପ୍ରଦେଶରେ।
ଷଷ୍ଠ ବିଧାନସଭା: ମତଭେଦ ନେଲା କ୍ଷମତା
ରାଷ୍ଟ୍ରପତି ଶାସନର କିଛି ଦିନ ପରେ ହେମୱତୀ ନନ୍ଦନ ବହୁଗୁଣା ନଭେମ୍ୱର ୧୯୭୩ରେ ହୋଇଥିଲେ ମୁଖ୍ୟମନ୍ତ୍ରୀ। ସଞ୍ଜୟ ଗାନ୍ଧୀଙ୍କ ସହ ମତଭେଦ ପରେ ସେ ନଭେମ୍ବର ୧୯୭୫ରେ ଇସ୍ତଫା ଦେଇଥିଲେ ଏବଂ ତାଙ୍କ ସ୍ଥାନରେ ଏନ.ଡି ତିୱାରୀ ହେଲେ ମୁଖ୍ୟମନ୍ତ୍ରୀ। ଯିଏକି ସଞ୍ଜୟ ଗାନ୍ଧୀଙ୍କ ଅତି ନିକଟତର ଥିଲେ। ୧୯୭୭ରେ ବିଧାନସଭା ଭଙ୍ଗ ହେଲା ଏବଂ ପୁଣି ନିର୍ବାଚନ ହେଲା।
ସପ୍ତମ ବିଧାନସଭା: ଦେଶରେ ପ୍ରଥମ ଅଣ-କଂଗ୍ରେସ ସରକାର
୧୯୭୫ରେ ଜରୁରୀକାଳୀନ ପରିସ୍ଥିତି ପରେ ୧୯୭୭ ମସିହାରେ ସବୁଠି ପୁନଃନିର୍ବାଚନ ହେଲା। ଜରୁରୀକାଳୀନ ପରିସ୍ଥିତି ପାଇଁ ଦେଶରେ କଂଗ୍ରେସ ବିରୋଧୀ ଲହର ଥିଲା। କଂଗ୍ରେସ ପ୍ରତି ଲୋକଙ୍କ ଆକ୍ରୋଶ ନିର୍ବାଚନରେ ମଧ୍ୟ ପ୍ରତିଫଳିତ ହେଲା। ପ୍ରଥମ ଥର ପାଇଁ କେନ୍ଦ୍ରରେ କ୍ଷମତାରୁ ବେଦଖଲ ହେଲା କଂଗ୍ରେସ। ଦେଶରେ ପ୍ରଥମ ଥର ପାଇଁ ଅଣ-କଂଗ୍ରେସ ସରକାର ଗଠନ ହେଲା। ଆଉ ଠିକ୍ ସମାନ ସ୍ଥିତି ଦେଖିବାକୁ ମିଳିଲା ଉତ୍ତର ପ୍ରଦେଶ ରାଜନୀତିରେ। ୧୯୭୭ ନିର୍ବାଚନରେ ଜନତା ପାର୍ଟିକୁ ମିଳିଥିଲା ୪୨୫ ଆସନରୁ ୩୫୨ ଆସନ। ହେଲେ ମୁଖ୍ୟମନ୍ତ୍ରୀ ଆସନ ପାଇଁ ଆରମ୍ଭ ହୋଇଗଲା ଯୁଦ୍ଧ। ଚନ୍ଦ୍ରଶେଖର ଚାହୁଁଥିଲେ ଦଳିତ ସାଂସଦ ରାମଧନ ହୁଅନ୍ତୁ ମୁଖ୍ୟମନ୍ତ୍ରୀ ଏବଂ ଚରଣ ସିଂ-ମଧୁଲିମିଏ ଗୋଷ୍ଠୀ ଚାହୁଁଥିଲେ ଅନ୍ୟ ଜଣଙ୍କୁ। ଆପୋଷ ବୁଝାମଣାରେ ମୁଖ୍ୟମନ୍ତ୍ରୀ ଆସନରେ ବସିଲେ ରାମ ନରେଶ ଯାଦବ। ନାରାୟଣପୁର ପୋଲିସ ଏଟ୍ରୋସିଟି ଘଟଣା ପରେ ରାମ ନରେଶ ଯାଦବ ଇସ୍ତଫା ଦେଲେ ଏବଂ ତାଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ହେଲେ ବାବୁ ବନାରସୀ ଦାସ। ପରେ କେନ୍ଦ୍ରରେ ମୋରାରଜୀ ଦେଶାଇଙ୍କ ସରକାର ଭାଙ୍ଗିଲା ଆଉ ଏପଟେ ୟୁପିରେ ମଧ୍ୟ ଜନତା ଦଳ ସରକାର ଭାଙ୍ଗିବାକୁ ବାଧ୍ୟ କଲେ ଇନ୍ଦିରା ଗାନ୍ଧି। ୧୧୩ ଦିନ ପାଇଁ ରାଷ୍ଟ୍ରପତି ଶାସନ ଲାଗୁ ହେଲା।
ଅଷ୍ଟମ ବିଧାନସଭା: କ୍ଷମତାକୁ କଂଗ୍ରେସ ପ୍ରତ୍ୟାବର୍ତ୍ତନ
୧୯୮୦ରେ ୪୨୫ରୁ ୩୦୯ ଆସନ ଜିତି ପୁଣି କ୍ଷମତାକୁ ଫେରିଲା କଂଗ୍ରେସ। ବିଶ୍ୱନାଥ ପ୍ରତାପ ସିଂହ ହେଲେ ମୁଖ୍ୟମନ୍ତ୍ରୀ। ଏହି ସମୟରେ ସରକାର ଉପରେ ଅନେକ ଫେକ୍ ଏନକାଉଣ୍ଟରର ଆରୋପ ଲାଗିଲା। ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଲା। ୧୯୮୧ରେ ବେହମାଇ ହତ୍ୟାକାଣ୍ଡ ଭି.ପି ସିଂଙ୍କ କ୍ଷମତା ନେଲା। ଡାକୁ ଫୁଲନ ଦେବୀ ୨୦ ରାଜପୁତଙ୍କୁ ହତ୍ୟା କରିଥିଲା। ଯାହାଫଳରେ ଭି ପି ସିଂଙ୍କୁ ଇସ୍ତଫା ଦେବାକୁ ପଡ଼ିଲା। ପରେ ମୁଖ୍ୟମନ୍ତ୍ରୀ ଆସନରେ ବସିଲେ ଶ୍ରୀପତି ମିଶ୍ରା। ହେଲେ ୨ ବର୍ଷପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରୁ କାଢ଼ି ଦିଆଗଲା ଏବଂ ଅଗଷ୍ଟ ୧୯୮୪ରେ ମୁଖ୍ୟମନ୍ତ୍ରୀ ହେଲେ ଏନ.ଡି ତିୱାରୀ (ନାରାୟଣ ଦତ୍ତ ତିୱାରୀ ଦେଶର ଏକମାତ୍ର ମୁଖ୍ୟମନ୍ତ୍ରୀ ଯିଏ ଦୁଇଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି)।
ନବମ ବିଧାନସଭା: କଂଗ୍ରେସର ଶେଷ କ୍ଷମତା
ଏନ.ଡି ତିୱାରୀଙ୍କ ନେତୃତ୍ୱରେ କଂଗ୍ରେସକୁ ବହୁମତ ମିଳିଲା। ହେଲେ କିଛି ମାସ ମଧ୍ୟରେ ତାଙ୍କୁ ପଦରୁ ହଟାଇ ବୀରଭଦ୍ର ସିଂଙ୍କୁ ମୁଖ୍ୟମନ୍ତ୍ରୀ କଲେ ରାଜୀବ ଗାନ୍ଧି। ସେପ୍ଟେମ୍ୱର ୧୯୮୫ରୁ ଜୁନ ୧୯୮୮ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଲେ ବୀର ଭଦ୍ର। ପରେ ୧୯୮୮ରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେଲେ ଏନ.ଡି ତିୱାରୀ। ଏହାପର ଠାରୁ ୟୁପିରେ କେବେ କ୍ଷମତାକୁ ଫେରି ପାରିନି କଂଗ୍ରେସ।
ଦଶମ ବିଧାନସଭା (୧୯୮୯-୯୧): ମଣ୍ଡଳ-ମୁଲାୟମ ଯୁଗ
ମୁଲାୟମଙ୍କ ନେତୃତ୍ୱରେ ୪୨୫ ଆସନରୁ ୨୦୮ ଆସନରେ ବିଜୟୀ ହେଲା ୧୯୮୮ ମସିହାରେ ଭି.ପି ସିଂଙ୍କ ଦ୍ୱାରା ଗଠିତ ଦଳ ଜନତା ଦଳ। କଂଗ୍ରେସକୁ ମିଳିଥିଲା ମାତ୍ର ୯୪ ଆସନ ଏବଂ ବିଜେପି ଖାତାକୁ ଗଲା ୪୯। ହେଲେ ଜନତା ଦଳରେ ମୁଖ୍ୟମନ୍ତ୍ରୀ ଆସନ ପାଇଁ ଚାଲିଥିଲା ଦ୍ୱନ୍ଦ୍ୱ। କାରଣ ୨ ଜଣ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଥିଲେ। ହେଲେ ଅଜିତ ସିଂଙ୍କୁ ବାଦ ଦେଇ ବିଜେପିର ବାହ୍ୟ ସମର୍ଥନ ବଳରେ ମୁଲାୟମ ସିଂହ ଯାଦବ ପ୍ରଥମ ଥର ପାଇଁ ହେଲେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ। ସେପଟେ ବିହାରରେ ରାମମନ୍ଦିର ପାଇଁ ବିଜେପିର ରଥକୁ ଲାଲୁ ପ୍ରସାଦ ଯାଦବଙ୍କ ସରକାର ଅଟକାଇଲା ଆଉ ଏପଟେ ବିଜେପି ସମର୍ଥନ ପ୍ରତ୍ୟାହାର କରିବାରୁ ମୁଲାୟମଙ୍କ ସରକାର ଭାଙ୍ଗିଲା। ଆଉ କାହା ପାଖରେ ସଂଖ୍ୟା ଗରିଷ୍ଠତା ନଥିବାକୁ କେହି ସରକାର ଗଠନ କରିପାରିଲେ ନାହିଁ।
ଏକାଦଶ ବିଧାନସଭା (୧୯୯୧-୯୩): ମନ୍ଦିର ମଣ୍ଡଳ
ମଣ୍ଡଳ କମିଶନ ଝଡ଼ରେ ବିଜେପି ତାର ଓବିସି କାର୍ଡ ଖେଳିଲା। ୧୯୯୧ ନିର୍ବାଚନରେ କଲ୍ୟାଣ ସିଂଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କଲା। ୪୨୫ ଆସନରୁ ୨୨୧ ଆସନରେ ବିଜୟୀ ହେଲା ବିଜେପି। ଏହି ନିର୍ବାଚନରେ କଂଗ୍ରେସକୁ ମିଳିଥିଲା ମାତ୍ର ୪୬ ଆସନ। ଅନେକ ଆଞ୍ଚଳିକ ଦଳ ନିର୍ବାଚନ ଲଢ଼ିଥିଲେ । ହେଲେ ବାବରୀ ମସଜିତ ବିଧ୍ୱଂସ ପରେ କେନ୍ଦ୍ର ସରକାର ୟୁପି ସରକାରକୁ ବରଖାସ୍ତ କଲା। ଯାହାଫଳରେ ମାତ୍ର ଗୋଟିଏ ବର୍ଷରେ କ୍ଷମତା ହରାଇଲେ କଲ୍ୟାଣ ସିଂ। ପରେ ରାଷ୍ଟ୍ରପତି ଶାସନ ଲାଗୁ ହେଲା ରାଜ୍ୟରେ। ଏହାପରେ ରାଜ୍ୟରେ ପୁଣି ନିର୍ବାଚନ ହେଲା।
ଦ୍ୱାଦଶ ବିଧାନସଭା: ପ୍ରଥମ ଓବିସି ଦଳିତ ମେଣ୍ଟ
୧୯୯୨ ମସିହାରେ ଜନତା ଦଳ ଅଲଗା ହୋଇ ସମାଜବାଦୀ ପାର୍ଟି ଗଠନ କରିଥିବା ମୁଲାୟମ ସିଂହ ଯାଦବ ଏବଂ ବହୁଜନ ସମାଜବାଦୀ ପାର୍ଟି ମଧ୍ୟରେ ମେଣ୍ଟ ଗଠନ ହେଲା। ସପା ଏବଂ ବସପା ଯଥାକ୍ରମେ ୨୫୬ ଓ ୧୬୪ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥଲେ। ମେଣ୍ଟ ୧୭୬ ଆସନରେ ବିଜୟୀ ହୋଇ ସରକାର ଗଠନ କରିବା ସହ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ମୁଲାୟମ ସିଂହ। କିନ୍ତୁ ଏହି ମେଣ୍ଟ ଅଧିକ ଦିନ ପାଇଁ ତିଷ୍ଠି ରହିଲା ନାହିଁ। ମେ ୧୯୯୫ରେ ବିଏସପି ତାହାର ସମର୍ଥନ ମେଣ୍ଟ ସରକାରରୁ ପ୍ରତ୍ୟାହାର କରିନେଲା। ଯାହାଫଳରେ ସଂଖ୍ୟାଗରିଷ୍ଠତା ହରାଇଲେ ମୁଲାୟମ ସରକାର। ସମର୍ଥନ ପ୍ରତ୍ୟାହାରର କାରଣ ଥିଲା 'ଗେଷ୍ଟ ହାଉସ କାଣ୍ଡ' । କୁହାଯାଏ ଏଥିରେ ମାୟବତୀଙ୍କ ସମେତ ଅନେକ ବିଏସପି ବିଧାୟକଙ୍କୁ ସପା କର୍ମୀ ମାଡ଼ ମାରିଥିଲେ। ପରେ ବିଜେପିର ସମର୍ଥନରେ ବିଏସପି ଗଠନ କଲା ସରକାର ଏବଂ ଉତ୍ତରପ୍ରଦେଶକୁ ମିଳିଲା ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ।
ତ୍ରୟୋଦଶ ବିଧାନସଭା (୧୯୯୬-୨୦୦୨): ୪୮ ଘଣ୍ଟାର ମୁଖ୍ୟମନ୍ତ୍ରୀ
୧୯୯୬ ନିର୍ବାଚନରେ ୪୨୫ରୁ ୧୭୪ ଆସନ ଜିତିଲା ଭାରତୀୟ ଜନତା ପାର୍ଟି। ସମାଜବାଦୀ ପାର୍ଟିକୁ ମିଳିଥିଲା ୧୧୦ ଆସନ। ସରକାର ଗଠନ ପାଇଁ ବିଜେପିକୁ ଆବଶ୍ୟକ ଥିଲେ ୩୯ଟି ବିଧାୟକ। କେହି ସରକାର ଗଠନ କରିପାରିଲେ ନାହିଁ। ଯାହାଫଳରେ ଏପ୍ରିଲ ୧୯୯୭ ପର୍ଯ୍ୟନ୍ତ ରାଷ୍ଟ୍ରପତି ଶାସନ ବଳବତ୍ତର ରହିଲା। ବିଜେପି ଏବଂ ୬୭ ବିଧାୟକ ରଖିଥିବା ବିଏସପି ମଧ୍ୟରେ ବୁଝାମଣା ହେଲା। ୬ ମାସିଆ ଫର୍ମୁଲାରେ ମେଣ୍ଟ ସରକାର ଗଠନ କଲେ ଅର୍ଥାତ ମାୟାବତୀ ୬ ମାସ ମୁଖ୍ୟମନ୍ତ୍ରୀ ରହିବେ ଏବଂ କଲ୍ୟାଣ ସିଂ ୬ ମାସ। ପ୍ରଥମେ ମାୟବତୀ ୬ ମାସ ମୁଖ୍ୟମନ୍ତ୍ରୀ ରୁହିଲେ ହେଲେ କଲ୍ୟାଣ ସିଂଙ୍କ ପାଳି ବେଳକୁ ସମର୍ଥନ ପ୍ରତ୍ୟାହାର କରିନେଲେ ମାୟାବତୀ। ବିଜେପି ଏହାର ପ୍ରତିଶୋଧ ନେଲା। କଂଗ୍ରେସ ଏବଂ ବିଏସପିର ବିଭାଜନ ହେଲା ଏବଂ ଜନତାନ୍ତ୍ରିକ ବିଏସପି ଓ ଲୋକତାନ୍ତ୍ରିକ କଂଗ୍ରେସ ନାମରେ ଦୁଇ ନୂଆ ୨ ଦଳ ଗଠନ ହେଲା। ଯାହାଙ୍କ ସମର୍ଥନରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଆସନ ଫେରି ପାଇଲେ କଲ୍ୟାଣ ସିଂ। ୧୯୯୮ ମସିହା ଫେବ୍ରୁଆରୀ ୨୧ ଘଟେ ଏକ ଅଜବ ଘଟଣା। ଲୋକସଭା ନିର୍ବାଚନ ଚାଲିଥିବା ବେଳେ ରାଜ୍ୟପାଳ ରମେଶ ଭଣ୍ଡାରୀ କଲ୍ୟାଣ ସିଂ ସରକାରକୁ ବରଖାସ୍ତ କରି ଜଗଦମ୍ୱିକା ପାଲଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଥିଲେ। ଯାହାକୁ ଆହ୍ଲାବାଦ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ କଲ୍ୟାଣ ସିଂ। ପରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମାତ୍ର ୪୮ ଘଣ୍ଟାରେ ଆସନ ଫେରି ପାଇଥିଲେ କଲ୍ୟାଣ ସିଂ। ୧୯୯୯ ଲୋକସଭା ନିର୍ବାଚନରେ କଲ୍ୟାଣ ସିଂଙ୍କ ନେତୃତ୍ୱ ଢ଼ିଲା ପଡ଼ିଥିଲା ଏବଂ ବିଜେପି ଖରାପ ପ୍ରଦର୍ଶନ କଲା । ଯାହାଫଳରେ କଲ୍ୟାଣ ସିଂଙ୍କୁ ଇସ୍ତଫା ମାଗିଥିଲେ ବିଜେପି ହାଇକମାଣ୍ଡ। ହେଲେ କ୍ଷମତାରୁ ବେଦଖଲ କଲ୍ୟାଣ ସିଂକୁ ପସନ୍ଦ ଆସିଲାନି। ଯାହାଫଳରେ ସେ ବିଜେପିରୁ ଇସ୍ତଫା ଦେଲେ। ତାଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ଆସନରେ ବସିଲେ ରାଜନାଥ ସିଂହ।
ଚର୍ତୁଦଶ ବିଧାନସଭା (୨୦୦୨-୦୭): ମାୟା-ମୁଲାୟମ ଶାସନ
୨୦୦୨ରେ ପୁଣି ହେଲା ନିର୍ବାଚନ। ୫୬ ଦିନର ରାଷ୍ଟ୍ରପତି ଶାସନ ପରେ ମାୟାବତୀ ହେଲେ ମୁଖ୍ୟମନ୍ତ୍ରୀ। ବିଜେପିର ସମର୍ଥନରେ ମାୟବତୀଙ୍କ ସରକାର ଗଠନ ହେଲା ହେଲେ ୨୦୦୩ ପର୍ଯ୍ୟନ୍ତ ଏହି ମେଣ୍ଟ ୟୁପିରେ ଶାସନ କଲା। ୨୦୦୩ରେ ମାୟାବତୀ ଇସ୍ତଫା ଦେଇଥିଲେ। ପରେ ବିଏସପିର ବାଗୀ ବିଧାୟକଙ୍କ ସମର୍ଥନରେ ୨୦୦୭ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଲେ ମୁଲାୟମ ସିଂହ ଯାଦବ।
ପଞ୍ଚଦଶ ବିଧାନସଭା (୨୦୦୭-୧୨): ପ୍ରଥମ ଥର ୫ ବର୍ଷର କାର୍ଯ୍ୟକାଳ ପୂରଣ କୌଣସି ମୁଖ୍ୟମନ୍ତ୍ରୀ
ଚତୁର୍ଥ ଥର ପାଇଁ ମାୟାବତୀ ହେଲେ ମୁଖ୍ୟମନ୍ତ୍ରୀ। ଆଉ ଉତ୍ତରପ୍ରଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ୫ବର୍ଷ କାର୍ଯ୍ୟକାଳ ପୂରଣ କଲେ ସେ। ୪୦୩ରୁ ୨୦୬ ଆସନ ଜିତିଥିଲା ବହୁଜନ ସମାଜ ପାର୍ଟି।
ଷୋଡ଼ଶ ବିଧାନସଭା ୨୦୧୨-୧୭: ପ୍ରଥମ ଥର ୫ ବର୍ଷର କାର୍ଯ୍ୟକାଳ ପୂରଣ କଲା ସମାଜବାଦୀ ସରକାର
ଏହି ନିର୍ବାଚନରେ ସମାଜବାଦୀ ପାର୍ଟିକୁ ମିଳିଲା ପୂର୍ଣ୍ଣ ବହୁମତ। ୪୦୧ରୁ ୨୨୪ ଆସନ ଜିତି ଅଖିଳେଶ ଯାଦବ ହେଲେ ମୁଖ୍ୟମନ୍ତ୍ରୀ।
ସପ୍ତଦଶ ବିଧାନସଭା (୨୦୧୭-୨୨): ୧୫ ବର୍ଷ ପରେ କ୍ଷମତାକୁ ଫେରିଲା ବିଜେପି
୨୦୧୭ ନିର୍ବାଚନରେ କ୍ଷମତା ବଞ୍ଚାଇ ରଖିପାରିଲା ନାହିଁ ସମାଜବାଦୀ ପାର୍ଟି। ବିଜେପିର ଐତିହାସିକ ବିଜୟ ହେଲା ଏବଂ ଯୋଗୀ ଆଦିତ୍ୟନାଥ ହେଲେ ମୁଖ୍ୟମନ୍ତ୍ରୀ। ପ୍ରାୟ ୧୫ ବର୍ଷର ଅପେକ୍ଷା ପରେ ରାଜ୍ୟରେ ପୁଣି ସରକାର ଗଠନ କଲା ବିଜେପି ଆଉ ମୁଖ୍ୟମନ୍ତ୍ରୀ ହେଲେ ଦଳର ଫାୟରବ୍ରାଣ୍ଡ ନେତା ଯୋଗୀ ଆଦିତ୍ୟନାଥ।