ଭୁବନେଶ୍ୱର: ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍-୨୦୨୪ ବିଧାନସଭାରେ ଆଗତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଲ୍ ଆଗତ କରିବା ସମୟରେ ପୂର୍ବ ସରକାରଙ୍କୁ ଟାର୍ଗେଟ୍ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ଭବିଷ୍ୟତଙ୍କ ସହ ପୂର୍ବ ସରକାର ଛଳନା ଓ ପ୍ରତାରଣା କରୁଥିଲେ ତେଣୁ ପୂର୍ବ ସରକାରର ଲିଗାସୀକୁ ଭାଙ୍ଗିବାକୁ ପଡ଼ିବ । ଗଣତନ୍ତ୍ର ଉପରେ ବାରମ୍ବାର ହାତୁଡ଼ି ମାରୁଥିଲେ ତେଣୁ ତାହାର ପ୍ରତିଫଳନ ଦେଖାଇଲେ ସାଧାରଣ ଜନତା ବୋଲି ମତ ଦେଇଥିଲେ ମୁଖ୍ୟମନ୍ତ୍ରୀ ।


COMMERCIAL BREAK
SCROLL TO CONTINUE READING

ପୂର୍ବ ସରକାରଙ୍କୁ ଟାର୍ଗେଟ୍ କରି ମୁଖ୍ୟମନ୍ତ୍ରୀ ଏକଥା ମଧ୍ୟ କହିଥିଲେ ଯେ, ପୂର୍ବ ସରକାରଙ୍କ ନିଯୁକ୍ତିରେ ସ୍ୱଚ୍ଛତା ନଥିଲା ବରଂ ଦୁର୍ନୀତିରେ ଭରି ରହିଥିଲା । ଦାୟିତ୍ୱରେ ରହୁଥିବା ସରକାରୀ ଅଧିକାରୀ ପରୀକ୍ଷାପତ୍ର ପ୍ରଘଟ ରାକେଟରେ ମଧ୍ୟ ସମ୍ପୃକ୍ତ ରହୁଥିଲେ । ଯାହାର ଉଦାହରଣ ୨୦୨୩ ମସିହାର ଓଡ଼ିଶା ଜେଇ ପରୀକ୍ଷାରେ ଦେଖିବାକୁ ମିଳିଥିଲା । ସଚିବାଳୟରେ ASO ନିଯୁକ୍ତିରେ ବଡ଼ ଚଞ୍ଚକତା ହୋଇଛି । ୨୫ରୁ ୩୦ ଲକ୍ଷ ଟଙ୍କାରେ ଏଏସଓ ଚାକିରି ବିକ୍ରି ହୋଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ଏସବୁ ସରକାରଙ୍କ ନାକ ତଳେ ହେଉଥିଲେ ମଧ୍ୟ ସରକାର କାହିଁକି ଚୁପ୍ ରହୁଥିଲେ ସେନେଇ ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପିଲାଙ୍କ ଭବିଷ୍ୟତ ଅନ୍ଧାରରକୁ ଠେଲି ପୂର୍ବ ସରକାର ଆଉଟ୍‌ସୋର୍ସରେ ରହି ଯାଇଥିଲେ । ସ୍ୱଚ୍ଛତା ଏବଂ ସାଧୁତା ଆମ ସରକାରର ଦାୟିତ୍ୱ ତେଣୁ ପ୍ରତିଶ୍ରୁତି ପାଳନ କରିବୁ ବୋଲି ମୋହନ କହିଛନ୍ତି । ଆଗକୁ ଦେଢ଼ ଲକ୍ଷ ନିଯୁକ୍ତି ହେବ ଏବଂ ଖାଲି ଥିବା ସମସ୍ତ ପଦବୀ ପୂରଣ କରାଯିବ ବୋଲି ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ । 


ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗୋଟିଏ ଜାତି ଆଗକୁ ବଢିବା ପାଇଁ ଅନେକ ଉପାଦାନ ଆବଶ୍ୟକ କରେ । ଓଡ଼ିଆ ଜାତିକୁ ମଧ୍ୟ ଇନ୍ଧନ ଦରକାର । ବିଗତ ପଚିଶ ବର୍ଷର ସରକାରୀ ଉଦାସୀନତା ଅନେକ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ସୁଯୋଗ ଦେବାରୁ ବଞ୍ଚିତ କରିଛି  । ସରକାରୀ କ୍ଷେତ୍ରରେ ନିଯୁକ୍ତି ବ୍ୟବସ୍ଥାକୁ ସ୍ଥାଣୁ କରିଦେଇଥିବା ପୂର୍ବ ସରକାରଙ୍କ  legacyକୁ  ଭାଙ୍ଗିବାକୁ ପଡିବ । କେବଳ ନିଯୁକ୍ତି କିମ୍ଵା ବୈଷୟିକ ଶିକ୍ଷା ନୁହେଁ, ଏ ପ୍ରକ୍ରିୟ। କିଭଳି ପାରଦର୍ଶୀ  ହେବ, ତାର ପରିଣାମ ଆଜିର ଏହି ବିଧେୟକ । ଏହି ବିଧେୟକ ଆଇନ୍‌ରେ ପରିଣତ ହେବା ମାତ୍ରେ ଲକ୍ଷ ଲକ୍ଷ ମେଧାବୀ ଛାତ୍ରଛାତ୍ରୀଙ୍କ ଆଶା ଆକାଂକ୍ଷା ପୁରଣ କରିବାରେ ସହାୟକ ହେବ।


ପୂର୍ବ ସରକାର ଅମଳରେ ହୋଇଥିବା ନିଯୁକ୍ତି ପ୍ରକ୍ରିୟା ସ୍ୱଚ୍ଛ ଏବଂ ପାରଦର୍ଶୀ ଥିଲା ବୋଲି କେହି ବି ଦମ୍ଭରେ କହିପାରିବେ ନାହିଁ । ପ୍ରତି ନିଯୁକ୍ତି ତାଲିକା ସହିତ, ଚାପା ଗୁଞ୍ଜରଣ, ମେଧାବୀ ଛାତ୍ରଛାତ୍ରୀଙ୍କ ଆତ୍ମ ଫଳକ, ଛଦ୍ମ ପରିକ୍ଷାର୍ଥୀ, ନକଲ, ଉତ୍ତରପତ୍ର ଚଞ୍ଚକତା, ପ୍ରଶ୍ନପତ୍ର ପ୍ରଘଟ ଇତ୍ୟାଦି ଆଲୋଚନାର ବିଷୟ ବସ୍ତୁ ପାଲଟିବାର ନଜିର ରହିଅଛି। ମୋ ଓଡ଼ିଶାର ପ୍ରଗତିର ବାହକ ଲକ୍ଷ ଲକ୍ଷ ମେଧାବୀ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ମୁଁ ପ୍ରତିଶୃତିବଦ୍ଧ।


ବିଗତ ଦିନ ମାନଙ୍କରେ ନିଯୁକ୍ତି ଚୟନ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ହେବା, ମୌଖିକ ପରୀକ୍ଷାରେ ପାତର ଅନ୍ତର ହେବା,ନିୟମ ଅନୁଯାୟୀ ପରୀକ୍ଷା ପରିଚାଳନା ହେବା, ପରୀକ୍ଷାରେ ଲାଂଚ କାରବାର ହେବା ଇତ୍ୟାଦି ଅନେକ ଅନିୟମତତା ସମ୍ବନ୍ଧରେ ଅଭିଯୋଗ ଆସିଅଛି । ପରୀକ୍ଷା ପରିଚାଳନାରେ ବିଭିନ୍ନ ଅସାଧୁ ଉପାୟ ଅବଲମ୍ବନ ହେବା ଓ ପରୀକ୍ଷା ପ୍ରକ୍ରିୟାରେ ପକ୍ଷପାତିତା ସମ୍ପର୍କରେ ଗଣମାଧ୍ୟମରେ ଶିରୋନାମାରେ ଆସିବା ପୁର୍ବ ସରକାରରେ ଏକ ସାଧାରଣ ଘଟଣା ଥିଲା । 


Also Read- Saptahik Rashifal: ନୂଆ ସପ୍ତାହ କିପରି ବିତିବ ? ପଢନ୍ତୁ ମେଷଠୁ କନ୍ୟା ପର୍ଯ୍ୟନ୍ତ ଭାଗ୍ୟଫଳ


Also Read- ଭିଡିଓ ପରେ ଇନଷ୍ଟା ଗର୍ଲ ତେଜୁଙ୍କ ୬ଟି ଫଟୋ ଭାଇରାଲ୍