ବନ୍ଧ ନ ବାନ୍ଧିଲେ ଭୁଶୁଡ଼ିଯିବା ଆଶଙ୍କା
ଗେହଲଟ ଓ ପାଇଲଟଙ୍କ ମଧ୍ୟରେ ଚାଲିଥିବା ଖଣ୍ଡଯୁଦ୍ଧକୁ କେତେକ ବରିଷ୍ଠ କଂଗ୍ରେସ ନେତା ସ୍ୱୀକାର କରିଛନ୍ତି । କପିଲ ଶିବଲ ମଧ୍ୟ ଏନେଇ ଟ୍ୱିଟ୍ କରିଛନ୍ତି ।
ଚାରୁ ଚନ୍ଦନ ଦାଶ, ନୂଆଦିଲ୍ଲୀ: ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟିଥାଏ। ୨୦୧୪ ଓ ୨୦୧୯ ନିର୍ବାଚନରେ କଂଗ୍ରେସର ବିଫଳତା ନେଇ ଅନେକ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଦାୟୀ କରିଛନ୍ତି। ଦଳରେ ଅନେକ ବରିଷ୍ଠ ନେତା ଅଛନ୍ତି, ଯେଉଁମାନେ ବିଭିନ୍ନ ସମୟରେ ପ୍ରତ୍ୟକ୍ଷ ଭାବରେ ନ ହେଲେ ବି ପରୋକ୍ଷ ଭାବରେ ଦଳକୁ ସୁଧାରିବାକୁ ପ୍ରୟାସ କରିଛନ୍ତି । କିନ୍ତୁ, ଦଳୀୟ ଆଜେଣ୍ଡା ଆଗରେ ସର୍ବଦା ସେମାନେ ଫେଲ୍ ମାରିଛନ୍ତି । ଏହି ପ୍ରସଙ୍ଗରେ ଟିକେ ପରେ ଆଲୋଚନା କରିବା, ଏବେ ମୂଳ ପ୍ରସଙ୍ଗକୁ ଫେରିବା ।
ରାଜସ୍ଥାନ ରାଜନୀତିରେ ଏବେ ଦେଖିବାକୂ ମିଳିଛି ଅଶାନ୍ତିର ବିରାଟ ପାହାଡ଼ । ଦୀର୍ଘ ଦେଢ଼ ବର୍ଷର ଅଶାନ୍ତିରେ ଏବେ ନୂଆ ମୋଡ଼ ନେବାକୁ ଯାଉଛି । ଯେକୌଣସି ମୁହୂର୍ତ୍ତରେ କେଉଁ ପାଣି କୁଆଡ଼େ ବି ବହିପାରେ । ୨୦୧୮ ମସିହା ସରକାର ଗଠନ ପୂର୍ବରୁ କଂଗ୍ରେସରେ ଦେଖା ଦେଇଥିବା ଗେହଲଟ-ପାଇଲଟ କଳି ଏବେ ତୀବ୍ର ରୂପ ଧାରଣ କରିଛି । କାରଣ ସଚିନ ପାଇଲଟ ଏବେ ଦିଲ୍ଲୀରେ ଅଛନ୍ତି । ନିଜ ସମର୍ଥକ ବିଧାୟକଙ୍କୁ ନେଇ ବାବୁ ଦିଲ୍ଲୀରେ ଡିଲ୍ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି । ସୋନିଆ ଯଦି ସର୍ତ୍ତରେ ରାଜି ନ ହୁଅନ୍ତି, ତେବେ ବାବୁ ଜ୍ୟୋତିରାଦିତ୍ୟଙ୍କ ଭଳି ଗେରୁଆ ହୋଇଯିବେ। ତେବେ ପାଇଲଟ ଯଦି ବିଜେପିରେ ସାମିଲ ହୁଅନ୍ତି, ତେବେ ରାଜସ୍ଥାନ ରାଜନୀତିରେ ବିରାଟ ପରିବର୍ତ୍ତନ ହେବାସହ କଂଗ୍ରେସ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହେବ । କାରଣ, ଜ୍ୟୋତିରାଦିତ୍ୟଙ୍କୁ ହରାଇ ଦଳ ଯେଉଁ କ୍ଷତି ସହିଛି, ତାହା ଏଯାଏ ଭରଣ ହୋଇନି । ଏହି ପରିପ୍ରେକ୍ଷୀରେ ସଚିନ ପାଇଲଟଙ୍କ ଭଳି ୟଙ୍ଗ୍ ଟ୍ୟାଲେଣ୍ଟ ଯଦି କଂଗ୍ରେସ ଛାଡ଼ି ଦିଅନ୍ତି, ତେବେ କଂଗ୍ରେସ ସଦମାରେ ରହିଯିବ । ଦିନେ ଏହି ଦୁଇ ନେତା ରାହୁଲ ଗାନ୍ଧିଙ୍କ ବାମ ଓ ଦକ୍ଷିଣ ହାତ ଥିଲେ ।
ଗେହଲଟ ଓ ପାଇଲଟଙ୍କ ମଧ୍ୟରେ ଚାଲିଥିବା ଖଣ୍ଡଯୁଦ୍ଧକୁ କେତେକ ବରିଷ୍ଠ କଂଗ୍ରେସ ନେତା ସ୍ୱୀକାର କରିଛନ୍ତି । କପିଲ ଶିବଲ ମଧ୍ୟ ଏନେଇ ଟ୍ୱିଟ୍ କରିଛନ୍ତି । ତାଙ୍କ ଟ୍ୱିଟ୍ ଦେଖିଲେ ଜଣାପଡ଼ୁଛି ଯେ, ବର୍ତ୍ତମାନର ସ୍ଥିତିକୁ ନେଇ ସେ ବି ବେଶ୍ ଚିନ୍ତିତ ଅଛନ୍ତି । ତେବେ ଗତ ଦେଢ଼ ବର୍ଷ ଭିତରେ ପାଇଲଟ ଓ ଗେହଲଟଙ୍କ ମଧ୍ୟରେ ଅନେକ ଥର ମତାନ୍ତର ହୋଇଛି । ସେହିପରି ସଚିନ ପାଇଲଟ ଦଳ ଛାଡ଼ିଲେ, ତାଙ୍କ ସହ ଅନେକ ଯୁବନେତା ମଧ୍ୟ ଦଳ ଛାଡ଼ିପାରନ୍ତି । କାରଣ, ପାଇଲଟଙ୍କ ଭଳି ଅନେକ ନେତା ନିଜର ଭବିଷ୍ୟତକୁ ନେଇ ଏବେ ଖୁବ ଚିନ୍ତିତ ଅଛନ୍ତି । ୨୦୧୮ ମସିହାରେ କଂଗ୍ରେସ ଠିକ୍ ପାୱାରକୁ ଆସିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦ ନେଇ ଗେହଲଟ ଓ ପାଇଲଟଙ୍କ ମଧ୍ୟରେ ତିକ୍ତତା ଦେଖା ଦେଇଥିଲା । ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଚୟନକୁ ନେଇ ମଧ୍ୟ ଦୁଇ ନେତା କଥା କଟାକଟି ହୋଇଥିଲେ । ୨୦୧୩ ପରେ କଂଗ୍ରେସ ଯେତେବେଳେ ମୁଣ୍ଡ ଟେକିବା ଆରମ୍ଭ କରିଥିଲା, ସେତେବେଳେ ସଚିନ ପାଇଲଟଙ୍କୁ ଦଳ ରାଜ୍ୟ ସଭାପତି କରିଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖିଥିଲେ ପାଇଲଟ । ମାତ୍ର, ଅଶୋକ ଗେହଲଟଙ୍କୁ ମୁଖ୍ୟମନ୍ତ୍ରୀ କରି କଂଗ୍ରେସ ଏକ ପ୍ରକାର ପାଇଲଟଙ୍କ ମନରେ ଅଶାନ୍ତିର ବହ୍ନି ଜଳାଇ ଦେଇଥିଲା, ଯାହା ଆଜି ତୀବ୍ର ରୂପ ନେବାକୁ ବସିଛି । କୁହାଯାଉଛି, SOG ନୋଟିସ ପରେ ପୁରା ଖପ୍ପା ହୋଇଯାଇଛନ୍ତି ସଚିନ ।
କିଛିମାସ ପୂର୍ବରୁ ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ିବା ପରେ କମଲନାଥ ସରକାର ଭାଙ୍ଗି ଯାଇଥିଲା । ଏହା କଂଗ୍ରେସକୁ ଶକ୍ତ ଧକ୍କା ଦେଇଥିଲା । ଆଉ ଏବେ ସଚିନ ପାଇଲଟ ମଧ୍ୟ ନିଜର ବିକଳ୍ପ ଚିନ୍ତା କରୁଛନ୍ତି । ଏହି ସମୟରେ ହିଁ ଦଳକୁ ଆତ୍ମସମୀକ୍ଷା କରିବାକୁ ପଡ଼ିବ । କୋରୋନା ମହାମାରୀ ସମୟରେ ଏକ ବିରୋଧୀ ଦଳର ଭୂମିକା ନିଭାଇ ସରକାରଙ୍କ ଦୋଷ ଦୁର୍ବଳତାକୁ ପକାଇବା କଥା, କିନ୍ତୁ ଦଳ ତାହା ବି କରି ପାରୁନାହିଁ । ପୁରୁଣା ରଣନୀତି ଓ ଆଜେଣ୍ଡାକୁ ନେଇ ଦଳ କେତେଦିନ ବାଟ ଚାଲିବ ? ତେଣୁ, ଏବେଠାରୁ ବନ୍ଧ ନ ବାନ୍ଧିଲେ ଆଗାମୀ ଦିନରେ ହାତ ଦଳ ଯୁବଶୂନ୍ୟ ହୋଇଯିବ, ଏଥିରେ ସନ୍ଦେହ ନାହିଁ । ଆଗକୁ ବିଭିନ୍ନ ରାଜ୍ୟର ପୌର ନିର୍ବାଚନ ଅଛି । ସେହିପରି ଆସନ୍ତାବର୍ଷ ପଶ୍ଚିମବଙ୍ଗ, ଆସାମ, କେରଳ, ପୁଡୁଚେରୀ ଓ ତାମିଲନାଡ଼ୁରେ ନିର୍ବାଚନ ଅଛି । କେବଳ ପୁଡୁଚେରୀକୁ ଛାଡ଼ିଦେଲେ ଅନ୍ୟ କେଉଁଠି ବି କଂଗ୍ରେସ ସରକାର ନାହିଁ । ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ସରକାର ଗଠନ କରିଥିବାବେଳେ ଆସାମରେ ବିଜେପି, ଆସାମ ଗଣପରିଷଦ ଓ ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟର ମିଳିତ ସରକାର ଅଛି । ସେହିପରି କେରଳରେ ବାମଦଳ ସରକାରରେ ଥିବାବେଳେ ତାମିଲନାଡ଼ୁରେ ଏଆଇଏଡିଏମକେ ସରକାରରେ ଅଛି । କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ଡିଏମକେ ସହ ମେଣ୍ଟ କରି କଂଗ୍ରେସ ସରକାର କରିଛି । ଭି. ନାରାୟଣ ସ୍ୱାମୀ ସେଠାରେ ମୁଖ୍ୟମନ୍ତ୍ରୀ ଅଛନ୍ତି । ଏଆଇଏଡିଏମକେ ଏଠାରେ ସତ୍ତାକୁ ଆସିବା ପାଇଁ ପ୍ରାଣପଣେ ଉଦ୍ୟମ କରୁଛି । ତେଣୁ, ଏଠାରେ ଆସନ୍ତା ନିର୍ବାଚନରେ କଂଗ୍ରେସର ସ୍ଥିତିୁ ନେଇ ଅନିଶ୍ଚିତତା ଦେଖାଦେଇଛି । ସେଥିପାଇଁ ଏବେଠାରୁ ବନ୍ଧ ଠିକ୍ ଭାବେ ନ ବାନ୍ଧିଲେ ଆଗାମୀ ଦିନରେ ଦଳର ବନ୍ଧ ଭୁଶୁଡ଼ି ଯିବାର ଆଶଙ୍କା ରହିଛି, ଏଥିରେ ସନ୍ଦେହ ନାହିଁ ।