Rajasthan Politics: ତୃତୀୟ ଥର ପାଇଁ ୨୦୦ ବଦଳରେ ୧୯୯ ଆସନରେ ହେବ ନିର୍ବାଚନ; ଜାଣନ୍ତୁ କାରଣ
Rajasthan Assembly Election 2023: ରାଜସ୍ଥାନ ବିଧନସଭା ନିର୍ବାଚନ ୨୦୨୩ ପାଇଁ ଆସନ୍ତା ନଭେମ୍ବର ୨୫ ତାରିଖ ଶନିବାର ହେବ ଭୋଟ ଗ୍ରହଣ। ଗୋଟିଏ ପର୍ୟ୍ୟାୟରେ ରାଜ୍ୟର ସମସ୍ତ ୨୦୦ ଆସନ ଲାଗି ମତଦାନ କରିବାକୁ ପ୍ରସ୍ତୁତି ଶେଷ ହୋଇଥିଲା। ମାତ୍ର ଏଥର ମଧ୍ୟ ୨୦୦ ବଦଳରେ ଏବେ ୧୯୯ ଆସନ ଲାଗି ହେବ ଭୋଟ ଗ୍ରହଣ।
Rajasthan Assembly Election 2023 Voting: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ରାଜସ୍ଥାନ ବିଧନସଭା ନିର୍ବାଚନ ପାଇଁ ଆସନ୍ତା ନଭେମ୍ବର ୨୫ ତାରିଖ ଶନିବାର ହେବ ଭୋଟ ଗ୍ରହଣ। ଗୋଟିଏ ପର୍ୟ୍ୟାୟରେ ରାଜ୍ୟର ସମସ୍ତ ୨୦୦ ଆସନ ଲାଗି ମତଦାନ କରିବାକୁ ପ୍ରସ୍ତୁତି ଶେଷ ହୋଇଥିଲା। ମାତ୍ର ୨୦୦ ବଦଳରେ ଏବେ ୧୯୯ ଆସନ ଲାଗି ହେବ ଭୋଟ ଗ୍ରହଣ। ରାଜ୍ୟରେ ଅନୁଷ୍ଠିତ ହୋଇଥିବା ଗତ ଦୁଇଟି ବିଧାନସଭା ନିର୍ବାଚନରେ ସମସ୍ତ ୨୦୦ ଆସନରେ ହୋଇ ପାରିନଥିଲା ଭୋଟ ଗ୍ରହଣ। ଏଥର ମଧ୍ୟ ସମାନ ପରମ୍ପରା ଜାରି ରହବି। ଅର୍ଥାତ ଗତ ୨୦୧୩ ଏବଂ ୨୦୧୮ ଭଳି ୨୦୨୩ ରାଜସ୍ଥାନ ବିଧନସଭା ନିର୍ବାଚନରେ ରାଜ୍ୟର ସମସ୍ତ ୨୦୦ ଆସନରେ ବଦଳରେ ୧୯୯ ଆସନରେ ହେବ ମତଦାନ। ନିର୍ବାଚନ ପୂର୍ବରୁ ଆପଣ ଏହାକୁ ସଂଯୋଗ କୁହନ୍ତୁ କିମ୍ବା ଅନ୍ଧବିଶ୍ୱାସ, ବିଧାନସଭା ନିର୍ବାଚନ ବେଳେ ଏପରି କିଛି ଘଟଣା ଘଟିଥାଏ ଯେଉଁଥିପାଇଁ ରାଜ୍ୟର ସମସ୍ତ ଆସନରେ ଭୋଟ୍ ଗ୍ରହଣ ହୋଇ ପାରେନାହିଁ।
ଚଳିତ ମାସରେ ହେବାକୁ ୟାଉଥିବା ରାଜସ୍ଥାନ ବିଧାନସଭା ନିର୍ବାଚନରେ ରାଜ୍ୟର ସମସ୍ତ ୨୦୦ ସିଟ୍ ବଦଳରେ ୧୯୯ ଆସନରେ ହେବ ଭୋଟ୍ ଗ୍ରହଣ। ରାଜ୍ୟର ଗଙ୍ଗାନଗର ଜିଲ୍ଲାର କରଣପୁର ବିଧାନସଭା ଆସନରୁ ପ୍ରତିନିଧିତ୍ୱ କରୁଥିବା କଂଗ୍ରେସ ପ୍ରାର୍ଥୀ ଗୁରୁମିତ ସିଂହ କୁନ୍ନରଙ୍କ ଦେହାନ୍ତ ହୋଇଯାଇଛି। ଯେଉଁ କାରଣରୁ କରଣପୁର ଆସନରେ ବିଧାନସଭା ନିର୍ବାଚନ ଲାଗି ମତଦାନ ହୋଇପାରିବ ନାହିଁ। ଏହାପୂର୍ବରୁ ଗତ ୨୦୧୩ ଏବଂ ୨୦୧୮ ରାଜସ୍ଥାନ ବିଧାନସଭା ନିର୍ବାଚନରେ ୨୦୦ ବଦଳରେ ୧୯୯ ଆସନରେ ହୋଇଥିଲା ଭୋଟଗ୍ରହଣ।
୨୦୧୩ ଏବଂ ୨୦୧୮ ନିର୍ବାଚନ ବେଳେ ଘଟିଥିବା ଘଟଣା
ଆପଣଙ୍କୁ କହିରଖୁଛୁ ଯେ ଗତ ୨୦୧୩ ବର୍ଷରେ ଅନୁଷ୍ଠିତ ହୋଇଥିବା ରାଜସ୍ଥାନ ବିଧାନସଭା ନିର୍ବାଚନ ଲାଗି ପ୍ରସ୍ତୁତି ଶେଷ ହେବା ସହ ନିର୍ବାଚନ ଲଢୁଥିବା ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଥିଲା। ମାତ୍ର ରାଜ୍ୟର ଚୁରୁ ଆସନରେ ନିର୍ବାଚନ ଲଢୁଥିବା ବିଏସପି ପ୍ରାର୍ଥୀ ଜେ.ପି ମେଘୱାଲଙ୍କ ହଠାତ୍ ମୃତ୍ୟୁ ହେବା କାରଣରୁ ସେହି ଆସନରେ ଭୋଟ୍ ଗ୍ରହଣ ହୋଇପାରିଲା ନାହିଁ। ସେହିପରି ଗତ ୨୦୧୮ ବିଧାନସଭା ନିର୍ବାଚନରେ ସମାନ ଘଟଣା ଘଟିଥିଲା। ସେତେବେଳେ ରାଜ୍ୟର ଅଲୱାର ଜିଲ୍ଲାରେ ଅବସ୍ଥିତ ରାମଗଡ଼ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଏସପି ପ୍ରାର୍ଥୀ ଲକ୍ଷ୍ମଣ ସିଂହଙ୍କ ମୃତ୍ୟୁ ହୋଇଥିଲା। ଯାହା ପରେ ରାଜ୍ୟର ୧୯୯ ଆସନରେ ହୋଇଥିଲା ଭୋଟ୍ ଗ୍ରହଣ। ଚଲିତ ବର୍ଷ ନଭେମ୍ବର ୧୫ ତାରିଖ ବୁଧବାର ରାଜ୍ୟର କରଣପୁର ଆସନରୁ ନିର୍ବାଚନ ଲଢୁଥିବା କଂଗ୍ରେସ ପ୍ରାର୍ଥୀ ଗୁରୁମିତ ସିଂହଙ୍କ ଦେହାନ୍ତ ହୋଇଯାଇଛି। ଯେଉଁଥିପାଇଁ ଏଥର ମଧ୍ୟ ରାଜ୍ୟର ସମସ୍ତ ୨୦୦ ସିଟ୍ ବଦଳରେ ୧୯୯ ଆସନରେ ହେବ ଭୋଟ୍ ଗ୍ରହଣ।
୧୯୯ ସଂଖ୍ୟା ଚକ୍ରରେ ପାଇଁ ଫସିଲା ରାଜସ୍ଥାନ ବିଧାନସଭା
ରାଜସ୍ଥାନ ବିଧାନସଭା ନିର୍ବାଚନ ୧୯୯ ସଂଖ୍ୟା ଚକ୍ରରେ ଫସି ରହିବାର କାରଣ ଯାହା ହେଉନା କାହିଁକି, ରାଜ୍ୟର ବିଧାନସଭା ଭବନ ଅଭିଶପ୍ତ ହେବା କିମ୍ବା ବିଧାନସଭା ଭବନ ସ୍ଥାପତ୍ୟରେ ତ୍ରୁଟି ରହିଥିବାର ପ୍ରସଙ୍ଗ ବିଭିନ୍ନ ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଗୃହରେ ବିଧାୟକଙ୍କ ମଧ୍ୟରେ ଏହି ପ୍ରସଙ୍ଗରେ ଅନେକ ଥର ଆଲୋଚନା ହୋଇଛି। ଏହି ଆଲୋଚନା ଏଥିପାଇଁ ହେଉଛି କାରଣ ବର୍ତ୍ତମାନ ବିଦ୍ୟମାନ ରହିଥିବା ବିଧାନସଭା ଭବନରେ ବୈଠକ ଆରମ୍ଭ ହେବା ଦିନଠାରୁ ଏପରି କିଛି ଘଟଣା ଘଟିଛି ଯେତେବେଳେ ୨୦୦ ବିଧାୟକ ଏକାଠି ଗୃହରେ ବସିଥିବାର ଦେଖିବାକୁ ମିଳିଛି।
କେତେବେଳେ ବିଧାୟକଙ୍କ ମୃତ୍ୟୁ ହୋଇଥିଲା ଆଉ କେତେବେଳେ ରାଜ୍ୟର କୌଣସି ବିଧାୟକଙ୍କୁ ଜେଲ ଯିବାକୁ ପଡିଥିଲା। ଅନ୍ୟ ସମୟରେ କୌଣସି ବିଧାୟକ ସାଂସଦ ଭାବରେ ନିର୍ବାଚିତ ହେବା ପରେ କିମ୍ବା ରାଜ୍ୟପାଳ ହେବା ନିଯୁକ୍ତ ହେବା ପରେ ତାଙ୍କୁ ବିଧାନସଭା ଛାଡିବାକୁ ପଡୁଛି। ଏପରି ବହୁତ କମ ସମୟ ଆସିଛି ଯେତେବେଳେ ରାଜ୍ୟର ସମସ୍ତ ୨୦୦ ବିଧାୟକ ରାଜସ୍ଥାନ ବିଧାନସଭାରେ ଏକାଠି ହୋଇଛନ୍ତି।
ଶବଦାହ ସ୍ଥାନ ମଧ୍ୟ ଏହାର କାରଣ ଭାବରେ ବିବେଚନା କରାଯାଏ
କେବଳ ଏତିକି ନୁହେଁ, ବିଧାନସଭା ଭବନକୁ ଲାଗିଥିବା ଶ୍ମଶାନ ସ୍ଥଳ ମଧ୍ୟ ଏହାର ଅନ୍ୟତମ କାରଣ ବୋଲି ବିବେଚନା କରାଯାଏ। ଅନେକ ଥର ରାଜ୍ୟର ବିଧାୟକ ବିଧାନସଭା ଗୃହରେ ପୂଜାପାଠ ଏବଂ ଯଜ୍ଞ ଆୟୋଜନ କରିବାକୁ ଦାବି କରିଛନ୍ତି। ରାଜଧାନୀ ଜୟପୁର ସ୍ଥିତ ଜ୍ୟୋତି ନଗର ଅଞ୍ଚଳର ଯେଉଁ ଜମିରେ ରାଜସ୍ଥାନ ବିଧାନସଭା ଭବନ ନିର୍ମାଣ ହୋଇଛି, ତାହା ଶ୍ମଶାନ ଜମି ସହିତ ଲାଗି ରହିଛି। ଏନେଇ ସ୍ଥାନୀୟ ଲୋକେ କହିଛନ୍ତି ଯେ ବିଧାନସଭା ନିର୍ମାଣ ସମୟରେ ଶବଦାହ ସ୍ଥଳର କିଛି ଅଂଶ ବିଧାନସଭା ଭବନ ନିର୍ମାଣରେ ବ୍ୟବହୃତ ହୋଇଥିଲା। ଯେଉଁ କାରଣରୁ ଏହି କୋଠା ଅଭିଶପ୍ତ ବୋଲି କୁହାଯାଉଛି।