Padampur By Election 2022: ପଦମପୁର ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ ରେକର୍ଡ ସଂଖ୍ୟକ ମତଦାନ ହୋଇଥିବାର ସୂଚନା ମିଳିଛି। ଏହି ନିର୍ବାଚନରେ ମୋଟ୍ ୮୧.୨୯% ଭୋଟିଂ ହୋଇଥିବା ଜଣାପଡ଼ିଛି। ପଦମପୁର ଉପନିର୍ବାଚନ ପାଇଁ ଡିସେମ୍ବର ୫ ତାରିଖ ସୋମବାର ଅନୁଷ୍ଠିତ ହୋଇଥିଲା ଭୋଟ୍ ଗ୍ରହଣ। ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିଲା ମତଦାନ। ଗତକାଲି ସନ୍ଧ୍ୟା ଛଅଟା ସୁଦ୍ଧା ୮୦.୫ ପ୍ରତିଶତ ମତଦାନ ହୋଇଥିଲା। 


COMMERCIAL BREAK
SCROLL TO CONTINUE READING

ସକାଳ ସମୟରେ ମତଦାନ ହାର କମ୍ ରହିଥିଲା। ସୋମବାର ସକାଳ ସାତଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ନଅଟା ସୁଦ୍ଧା ୮.୫%, ଦିନ ଏଗାରଟା ବେଳକୁ ୨୯.୭୩%, ମଧ୍ୟାନ୍ନ ଗୋଟାଏ ବେଳକୁ ୪୬.୯୬%, ଅପରାହ୍ନ ତିନିଟା ବେଳକୁ ୬୫.୨୮% ମତଦାନ ହୋଇଥିବାର ରେକର୍ଡ କରାଯାଇଥିଲା। ସଧ୍ୟା ପାଞ୍ଚଟା ବେଳକୁ ୭୫.୮୯% ମତଦାନ ହୋଇଥିଲା। ସଧ୍ୟା ଛଅଟା ବେଳକୁ ମତଦାନ ୮୦ ପ୍ରତିଶତ ଅତିକ୍ରମ କରିଥିଲା। ଗତ ୨୦୧୯ ଏବଂ ୨୦୧୪ ବିଧାନସଭା ନିର୍ବାଚନ ତୁଳନାରେ ଉପନିର୍ବାଚନରେ ମତଦାନ ହାର ଅଧିକ ରହିଥିବା ଜଣାପଡ଼ିଛି। 


ଏହି ଦୁଇ ନିର୍ବାଚନରେ ଏଠାରେ ୭୯.୧୬ ପ୍ରତିଶତ ମତଦାନ ହୋଇଥିଲା। ରାଜ୍ୟ ମୁଖ୍ୟ ନିର୍ବାଚନ ଆଧିକାରୀ ଯାହା ଆକଳନ କରୁଥିଲେ ସେହି ଆନୁପାତରେ ମତଦାନ ହୋଇଛି। କୌଣସି ସ୍ଥାନରେ କାଁ ଭାଁ ହିଂସାକୁ ଛାଡି ଦେଲେ ଉପନିର୍ବାଚନ ମତଦାନ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି। ନିର୍ବାଚନରେ ବ୍ୟବହାର ହେଉଥିବା ଇଭିଏମ କୁ କଡା ସୁରକ୍ଷା ବଳୟ ମଧ୍ୟରେ ପଦ୍ମପୁର RMC ୟାଡ଼ ଠାରେ ରଖାଯାଇଛି।


ପଦମପୁର ଉପନିର୍ବାଚନରେ ମୋଟ ୧୦ ଜଣ ପାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ମତଦାତା। ମୋଟ ୧୩ ଜଣ ପ୍ରାର୍ଥୀ ଏହି ନିର୍ବାଚନ ପାଇଁ କରିଥିଲେ ନାମାଙ୍କନ ଦାଖଲ। ସେମାନଙ୍କ ମଧ୍ୟରୁ ୨ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ନାମାଙ୍କନ ଯାଞ୍ଚ ବେଳେ ଖାରଜ ହୋଇଯାଇଛି। ଅନ୍ୟଜଣେ ପ୍ରାର୍ଥୀ ତାଙ୍କର ନାମାଙ୍କନ ପ୍ରତ୍ୟାହାର କରି ନେଇଥିଲେ। 


ପଦମପୁର ଉପନିର୍ବାଚନ (Padampur By Election 2022) ପାଇଁ ରାଜ୍ୟର ୩ ପ୍ରମୁଖ ଦଳ ସେମାନଙ୍କର ପ୍ରାର୍ଥୀ ଦେଇଛନ୍ତି। କଂଗ୍ରେସ (Congress) ପକ୍ଷରୁ ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁ (Sataya Bhusan Sahu), ବିଜେପି (BJP) ପକ୍ଷରୁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ (Pradeep Purohit) ଏବଂ ବିଜେଡି (BJD) ପକ୍ଷରୁ ପୂର୍ବତନ ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ (Bijaya Ranjan Singh Bariha) ଝିଅ ବର୍ଷା ସିଂହ ବରିହା (Barsha Singh Bariha) ପ୍ରାର୍ଥୀ ହୋଇଛନ୍ତି। ଏହି ୩ ପ୍ରମୁଖ ଦଳର ପ୍ରାର୍ଥୀ ୧୭ ନଭେମ୍ବରରେ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। 


ପଦମପୁର ନିର୍ବାଚନମଣ୍ଡଳୀର ମୋଟ ମତଦାତାଙ୍କ ସଂଖ୍ୟା ହେଉଛି ୨ ଲକ୍ଷ ୫୭ ହଜାର ୪୭୪। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୨୯ ହଜାର ୪୯୭ ଜଣ ପୁରୁଷ, ୧ ଲକ୍ଷ ୨୭ ହଜାର ୯୬୫ ମହିଳା, ୧୨ ଜଣ ତୃତୀୟ ଲିଙ୍ଗ ଏବଂ ୧୯୯ ଜଣ ଚାକିରିଆ ଭୋଟର ଅଛନ୍ତି। ମୋଟ ୩୧୯ ମତଦାନ କେନ୍ଦ୍ରରେ ଅନୁଷ୍ଠିତ ହେବ ଭୋଟଗ୍ରହଣ। ଏହା ମଧ୍ୟରୁ ୭୪ ମତଦାନ କେନ୍ଦ୍ର ବାମପନ୍ଥୀ ଉଗ୍ରବାଦ ପାଇଁ ଅସୁରକ୍ଷିତ ବୋଲି ଚିହ୍ନଟ ହୋଇଥିବାବେଳେ ଅନ୍ୟ ୭୮ ବୁଥ ସମ୍ବେଦନଶୀଳ ବୋଲି ଚିହ୍ନିତ ହୋଇଥିଲା।


ଶାନ୍ତିଶୃଙ୍ଖଳାର ସହ ମତଦାନ ଅନୁଷ୍ଠତ କରାଇବା ପାଇଁ ଏହି ନିର୍ବାଚନମଣ୍ଡଳୀରେ ୯ କମ୍ପାନୀ (ଗୋଟିଏ କମ୍ପାନୀ ୧୦୦ କର୍ମଚାରୀଙ୍କୁ ନେଇ ଗଠିତ) କେନ୍ଦ୍ରୀୟ ସୁରକ୍ଷା ବଳ ଏବଂ ୪୧ ପ୍ଲାଟୁନ୍ (ଗୋଟିଏ ପ୍ଲାଟୁନ୍ ୩୦ ଜଣ କର୍ମଚାରୀଙ୍କୁ ନେଇ ଗଠିତ) ରାଜ୍ୟ ପୋଲିସ ବଳର ଯବାନଙ୍କୁ ନିୟୋଜିତ କରାଯିବ। ମୋଟ ୧୬୦ ମତଦାନ କେନ୍ଦ୍ରରେ ୱେବକାଷ୍ଟିଂ କରାଯିବ। ଯାହା ମୋଟ ବୁଥ ସଂଖ୍ୟାର ଅଧା।