ରାଜ୍ୟରେ ଏବେ ସୀମା ବିବାଦକୁ ନେଇ ଚାରିଆଡ଼େ ଚର୍ଚ୍ଚା। କୋଟିଆରେ ଆନ୍ଧ୍ର ପ୍ରଦେଶ ପଞ୍ଚାୟତ ନିର୍ବାଚନ ବି କରି ସାରିଲାଣି। କିନ୍ତୁ ରାଜ୍ୟ ସରକାର କିଛି କରି ପାରିଲେନି। ସୁପ୍ରିମକୋର୍ଟକୁ ବି ମାମଲା ପହଞ୍ଚିଲାଣି। ଆନ୍ଧ୍ର ପ୍ରଦେଶର ଯୁକ୍ତି, ଏହି ନିର୍ବାଚନ ନୂଆ ନୁହେଁ। ଏହି ଘଟଣା ପାଇଁ ବିଜେପି ବାରମ୍ବାର ରାଜ୍ୟ ସରକାରଙ୍କ ଉଦାସୀନତାକୁ ଦାୟୀ କରୁଛି । ଏପରିକି ଦଳର ନେତୃମଣ୍ଡଳୀ ଏହାରି ଭିତରେ କୋଟିଆ ପରିଦର୍ଶନ ସାରି ଫେରି ମଧ୍ୟ ଆସିଛନ୍ତି। ସେହିପରି ରାଜ୍ୟ ବିଜେପିର ପୋଷ୍ଟର ବୟ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବିବାଦର ସମାଧାନ ପାଇଁ ଡିଜିଟାଲ ସୂତ୍ର ବାଣ୍ଟିଛନ୍ତି। ସେହିପରି ନୂଆ କରି ବିଜେପିର ଜାତୀୟ ମୁଖପାତ୍ର ବନିଥିବା ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଏହି ପ୍ରସଙ୍ଗରେ ଦିଲ୍ଲୀ ଦରବାର ଅବା ବିଶ୍ୱଭୂଷଣଙ୍କୁ ପରାମର୍ଶ ଦେଇପାରନ୍ତେ। ବିଧାନସଭା ବଜେଟ ଅଧିବେଶନର ପ୍ରଥମ ଦିନରେ ଏହି ପ୍ରସଙ୍ଗରେ ବିରୋଧୀ ରାଜ୍ୟ ସରକାରଙ୍କୁ ହରଡ଼ଘଣାରେ ପକାଇବା ଆରମ୍ଭ କରିଛନ୍ତି। ବିଜେପି ନେତାମାନେ କୁହାଳିଆ ଢଙ୍ଗରେ କିନ୍ତୁ ଗୋଟିଏ କଥା ଭୁଲି ଯାଉଛନ୍ତି ଯେ, ତାଙ୍କ ପାଖରେ ଆଉ ଜଣେ ଚେହେରା ଅଛନ୍ତି, ଯିଏ ଚାହିଁଲେ କୋଟିଆ ବିବାଦର ସମାଧାନ ଅତି ସହଜରେ ହୋଇପାରନ୍ତା। ସିଏ ହେଉଛନ୍ତି ବିଶ୍ୱଭୂଷଣ ହରିଚନ୍ଦନ। ରାଜ୍ୟ ବିଜେପିର ଜଣେ ତୁଙ୍ଗ ନେତା। ଏବେ ସେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ। ୨୦୧୯ରୁ ସେ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ରହି ଆସିଛନ୍ତି। ତାଙ୍କ କଥା ଏଥିପାଇଁ କୁହାଯାଉଛି ଯେ, ସେ ବିଜେପି-ବିଜେଡି ମେଣ୍ଟ ସରକାର ସମୟରେ ରାଜସ୍ୱ ମନ୍ତ୍ରୀ ଥିଲେ। ତେଣୁ, ତାଙ୍କର ଅଭିଜ୍ଞତା ଭଲ ଥିବ। ସେହିପରି ରାଜ୍ୟପାଳ ହିସାବରେ ଯଦି ଏହି ସମସ୍ୟାରେ ହସ୍ତକ୍ଷେପ କରି ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ପରାମର୍ଶ ଦିଅନ୍ତେ, ତେବେ ଏହି ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିଯା'ନ୍ତା। ଅନ୍ତତଃ ପକ୍ଷରେ ସେ ଏ ସମ୍ପର୍କରେ ନିଜ (ଆନ୍ଧ୍ର) ସରକାରକୁ ଏ ସଂକ୍ରାନ୍ତୀୟ ଏକ ଷ୍ଟାଟସ ରିପୋର୍ଟ ମଧ୍ୟ ତଲବ କରିପାରନ୍ତେ ।  କିନ୍ତୁ, ଏଯାଏ ତାଙ୍କ ଭିତରେ ସେଭଳି ମହତପଣିଆ ଦେଖା ଯାଇ ନ ଥିବା ରାଜନୈତିକ ସମୀକ୍ଷକ ମତ ଦେଉଛନ୍ତି। ହୁଏ ତ ରାଜ୍ୟ ବିଜେପି ନେତା ତାଙ୍କୁ ଏ ବିଷୟରେ ଅବଗତ ମଧ୍ୟ କରି ନ ଥିବେ ଅବା ତାଙ୍କ ପରାମର୍ଶ ଲୋଡ଼ି ନ ଥିବେ। ଅନ୍ୟପଟେ ରାଜ୍ୟପାଳ  କିମ୍ବା ରାଷ୍ଟ୍ରପତି ସମ୍ବିଧାନ ଅନୁସାରେ କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ସୂଚାଇ ନ ଥାନ୍ତି। କିନ୍ତୁ ରାଜ୍ୟ ବା ଦେଶର ମଙ୍ଗଳ ପାଇଁ କୌଣସି ଏକ ପରାମର୍ଶ ଦେବା ବା ହସ୍ତକ୍ଷେପ କରିବା ଦେଶର ଅନ୍ୟ ରାଜ୍ୟରେ ନଜିର ରହିଛି। 


COMMERCIAL BREAK
SCROLL TO CONTINUE READING


ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପଛର ମୁଖ୍ୟ ନାୟକ ସାଜିଥିଲେ ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ। ଏହା ପୂର୍ବରୁ ସେ ବିହାର ଓ ଓଡ଼ିଶାର ରାଜ୍ୟପାଳ ଥିଲେ। ଓଡ଼ିଶା ଓ ବିହାର ରାଜ୍ୟପାଳ ଥିବା ସମୟରେ ସେ ଯେତିକି ଚର୍ଚ୍ଚାରେ ନ ଥିଲେ, ଜମ୍ମୁ କାଶ୍ମୀର ରାଜ୍ୟପାଳ ଥିବା ସମୟରେ ସେ ସବୁଠୁ ଅଧିକ ଚର୍ଚ୍ଚାର ପରିସରକୁ ଟାଣି ହୋଇ ଆସିଥିଲେ। କାରଣ ଥିଲା, ଧାରା ୩୭୦। ସିଏ ସେଠାରେ ଗଭର୍ଣ୍ଣର ଥିବା ସମୟରେ ପ୍ରତିଟି ରାଜନୈତିକ ପ୍ରସଙ୍ଗର ଟିକିନିଖି ଅପଡେଟ୍ ମୋଦି ସରକାରକୁ ଦେଉଥିଲେ ଏବଂ ସବୁ ପ୍ରସଙ୍ଗରେ ମୁଣ୍ଡ ଖେଳାଉଥିଲେ। ଏହାପରେ ସେଠାରେ ଧାରା ୩୭୦ ଉଚ୍ଛେଦ ହେଲା। ରାଜ୍ୟପାଳରୁ ଉପ ରାଜ୍ୟପାଳ ନିଯୁକ୍ତ ହେଲେ। ମନୋଜ ସିହ୍ନା ହେଲେ କାଶ୍ମୀରର ନୂଆ ଉପ ରାଜ୍ୟପାଳ। ସେହିପରି ,ଝାଡ଼ଖଣ୍ଡରେ ରାଜ୍ୟପାଳ ଥିବା ଓଡ଼ିଶାର ଦ୍ରୌପଦୀ ମୂର୍ମୂ ମଧ୍ୟ ୨୦୧୭ରେ ସେଠାକାର Land Act ବା ଜମି ବିଲ୍ ଉପରେ ମୋହର ମାରି ନିଜ ଅସ୍ତିତ୍ୱ ପ୍ରତିପାଦିତ କରିଥିଲେ । କିନ୍ତୁ ଦୀର୍ଘଦିନ ଧରି କୋଟିଆ ବିବାଦ ରାଜ୍ୟ ଲାଇମ ଲାଇଟରେ ରହିବା ସତ୍ତ୍ୱେ ଏ ସଂକ୍ରାନ୍ତରେ ନିଜ ଅସ୍ତିତ୍ୱ ଜାହିର କରିବାରେ ବିଶ୍ୱଭୂଷଣ ହରିଚନ୍ଦନ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ସିଏ ଓଡ଼ିଶା ଏବଂ ଖାସକରି ଏ ପ୍ରସଙ୍ଗରେ ରଡ଼ି ଛାଡୁଥିବା ବିଜେପିର ଜଣେ ପୁରୁଖା ନେତା ହୋଇଥିବାରୁ, ଏ ନେଇ ଆନ୍ଧ୍ର ସରକାରଙ୍କୁ ଉପଯୁକ୍ତ ପରାମର୍ଶ ତ ଦେଇ ପାରିଥାନ୍ତେ। ତାଙ୍କୁ ଗାଇଡ୍ ତ କରିପାରନ୍ତେ । କିନ୍ତୁ ତା ନ କରି ସେ ମଧ୍ୟ ନିଦାବିଷ୍ଣୁ ସାଜି ବସିଛନ୍ତି । ଆଉ ବିଜେପି ଏପଟେ ରାଜ୍ୟ ସରକାରଙ୍କ ବିରୋଧରେ କୁଦା ମାରୁଛି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଦଳ ଏ ପ୍ରସଙ୍ଗରୁ ପଲିଟିକାଲ ମାଇଲେଜ ନେବା ପାଇଁ ଉଦ୍ୟମ କରୁଛି । କିନ୍ତୁ ଯାହା ଦ୍ୱାରା ଏ ସମସ୍ୟାର ସମାଧାନ ହେବ, ଏକଦା ନିଜ ଦଳର ମୁଣ୍ଡିଆଳ ଥିବା ସେହି ଲୋକଟିକୁ ଏଡ଼ାଇ ଯାଉଛି ।