Prashant Jagdev: ଭୁବନେଶ୍ୱର, ଖୋର୍ଦ୍ଧା ବେଗୁନିଆ ଅନ୍ତର୍ଗତ କାଉଁରୀପାଟଣା ପ୍ରକଳ୍ପ ବିଦ୍ୟାଳୟର ୧୧୪ ନମ୍ବର ବୁଥରେ ମାରପିଟ୍, ଗଣ୍ଡଗୋଳ, ଇଭିଏମ୍ ଭଙ୍ଗାରୁଜା ଅଭିଯୋଗରେ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କୁ ଗତ ୨୫ତାରିଖରେ ଗିରଫ କରାଯାଇଥିଲା। ପରେ ତାଙ୍କୁ ଜିଲ୍ଲା ମାଜିଷ୍ଟ୍ରେଟ୍ ଆବାସିକ କାର୍ଯ୍ୟାଳୟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ପ୍ରଶାନ୍ତଙ୍କୁ ଖୋର୍ଦ୍ଧା ଜେଲ ହାଜତକୁ ପଠାଇ ଦିଆଯାଇଥିଲା। ତାଙ୍କ ନାଁରେ ଖୋର୍ଦ୍ଧା ଜିଲ୍ଲା ପୁଲିସ ମୋଟ୍ ୧୬ଟି ଦଫା ଯୋଡ଼ିଛି। ଆଇପିସି ଧାରା ୩୩୨, ୪୨୭, ୧୭୧(ସି), ୪୫୨, ୪୪୮, ୨୯୪, ୩୫୪, ୩୨୩, ୫୦୬(ଆଇ), ୩୫୩, ୩୪, ରିପ୍ରେଜେଣ୍ଟେସନ୍‌ ଅଫ୍‌ ପିପୁଲ୍‌ ଆକ୍ଟ ୧୯୫୦, ୧୩୬, ୧୩୧, ୧୯୫୧, ୧୯୮୯ର ଧାରା ୧୩୨, ୧୩୫ ଓ  ଆକ୍ଟ-୧୯୮୪ର ଧାରା ୩ରେ କେସ୍‌ ନମ୍ବର ୧୧୭/୨୪ ରେ ପୁଲିସ ମାମଲା ରୁଜ୍ଜୁ କରିଛି। ସେଥିରୁ ଏକାଧିକ ଜାମିନ ବିହୀନ ଦଫା ରହିଛି। 


COMMERCIAL BREAK
SCROLL TO CONTINUE READING

ଅନ୍ୟପଟେ ପ୍ରଶାନ୍ତଙ୍କ ଗିରଫଦାରୀକୁ ନେଇ ବିଜେପି କର୍ମୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏହାକୁ ଖୋର୍ଦ୍ଧା ପୁଲିସର ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି ବିଜେପି ନେତା ନିକୁଞ୍ଜ ପଟ୍ଟନାୟକ ଅଭିଯୋଗ ଆଣିଛନ୍ତି। ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲା ବିଜେଡି। ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲା ବିଜେଡି। ବୁଥ୍ ଭିତରେ ଭଙ୍ଗାରୁଜା କରିବା ପରେ ପ୍ରଶାନ୍ତ ଫେରାର ହୋଇଯାଇଥିବା ବିଜେଡି ଅଭିଯୋଗ କରିଥିଲା। ବିଜେଡିର ଅଭିଯୋଗ ଅନୁସାରେ ବୁଥରେ ପସି ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଇଭିଏମ୍ ଭଙ୍ଗାରୁଜା କରିଛନ୍ତି। ବୁଥ୍‌ର ପ୍ରିଜାଇଡିଂ ଅଫିସର ଜ୍ଞାନରଞ୍ଜନ ତ୍ରିପାଠୀଙ୍କ ଏତଲା ଆଧାରରେ ପୁଲିସ ତ୍ବରିତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ତାଙ୍କୁ ଗିରଫ କରି ଖୋର୍ଦ୍ଧା ଜେଲ୍‌କୁ ପଠାଇଛି।


ଅନ୍ୟପଟେ ଏହି ଘଟଣାକୁ ନେଇ ଏସପି ଅବିନାଶ କୁମାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ବୁଥର ଲାଗିଥିବା ସିସିଟିଭି ଏ ପର୍ଯ୍ୟନ୍ତ ଯାଞ୍ଚ ହୋଇନାହିଁ। ସିସିଟିଭି ଫୁଟେଜ୍ ଦେବା ଲାଗି ନିର୍ବାଚନ ଅଧିକାରୀଙ୍କୁ କୁହାଯାଇଛି। କେବଳ ପ୍ରିଜାଇଡିଙ୍ଗ ଅଫିସର ଜ୍ଞାନରଞ୍ଜନ ତ୍ରିପାଠୀଙ୍କ ଏତଲା ଆଧାରରେ  ଗିରଫଦାରୀ ହୋଇଛି। ନିର୍ବାଚନ ପ୍ରକ୍ରିୟା ପରେ ଯାଞ୍ଚ ହୋଇ କାର୍ଯ୍ୟାନୁଷ୍ଠାନ ହେବ, ଏଥିରେ ସମ୍ପୃକ୍ତି ଥିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି।